ଅଲିଭ୍ ରିଡଲେଙ୍କ ଛୁଆ ଫେରିବା ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର, ୨୧/୪(ବ୍ୟୁରୋ): ସାରା ବିଶ୍ୱରପ ମୋଟ  ଅଲିଭ୍ ରିଡ୍‌ଲେଙ୍କ ମଧ୍ୟରୁ ପ୍ରାୟ ୫୦%ରୁ ଅଧିକ କେବଳ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିଥାଆନ୍ତି।  ପ୍ରତିବର୍ଷ ନଭେମ୍ବର ମାସରୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ସେମା‌ନେ ଅଣ୍ଡା ଦେଇଥାଆନ୍ତି। ଏପ୍ରିଲ ଓ ମେ’ ମାସରେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ରକୁ ଚାଲି ଯାଇଥା’ନ୍ତି। ଏବେ ଛୁଆ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା ମେ’ ମାସ ପର୍ଯ୍ୟନ୍ତ ଜାରି ରହିବ। ସରକାରୀ ତଥ୍ୟ ଅନୁଯାୟୀ, ଚଳିତବର୍ଷ ଓଡ଼ିଶା ଉପକୂଳକୁ ୧୧ଲକ୍ଷ ୬୪ ହଜାର ଅଲିଭ୍ ରିଡ୍‌ଲେ ଅଣ୍ଡା ଦେବାକୁ ଆସିଥିଲେ। ତନ୍ମଧ୍ୟରୁ ଋଷିକୁଲ୍ୟା ମୁହାଣକୁ ରେକର୍ଡ ସଂଖ୍ୟକ ୬ ଲକ୍ଷ ୩୭ ହଜାର ଏବଂ ଗହୀରମଥା ନାସୀ-୨କୁ ୫ ଲକ୍ଷ ୨୬ ହଜାର ଆସିଥିଲେ। ବିଗତ ବର୍ଷଗୁଡ଼ିକ ତୁଳନାରେ ଚଳିତବର୍ଷ ଉକ୍ତ ଦୁଇ ସ୍ଥାନରେ ଅଲିଭ୍ ରିଡ୍‌ଲେଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ିଥିବାରୁ ଛୁଆଁଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆଶା କରୁଛିୁ। ଗତ ଗୁରୁବାର ସୁଦ୍ଧା କୋଟିଏରୁ ଅଧିକ ଅଲିଭ୍ ରିଡ୍‌ଲେ ଛୁଆ ସମୁଦ୍ର ମଧ୍ୟକୁ ଫେରିସାରିଛନ୍ତି। ଅଣ୍ଡା ଫୁଟିବା ପ୍ରକ୍ରିୟା ଜାରି ରହିଥିବାରୁ ଆଗକୁ ଆଉ ୨ କୋଟି ପର୍ଯ୍ୟନ୍ତ ଛୁଆ ଫୁଟିବା ନେଇ ଆକଳନ କରାଯାଇଛି।

ଅପରପକ୍ଷରେ ଦେବୀ ମୁହାଣକୁ ଅଲିଭ୍ ରିଡ୍‌ଲେଙ୍କ ଆଗମନ କମିବାରେ ଲାଗିଛି। ଏଥର ମାତ୍ର ୮୦୭ଟି ଅଲିଭ୍ ରିଡ୍‌ଲେ ଆସି ଅଣ୍ଡା ଦେଇଥିଲେ। ଦେବୀ ମୁହାଣକୁ ୧୬୨ଟି ଅଲିଭ୍ ରିଡ୍‌ଲେ ଆସିଥିବା ବେଳେ ବାକିଗୁଡ଼ିକ ଅନ୍ୟାନ୍ୟ ସ୍ଥାନରେ ଚିହ୍ନଟ ହୋଇଥିଲେ। ସଂଗୃହୀତ ହୋଇଥିବା ୬୩ ହଜାର ୭୧୧ ଅଣ୍ଡାରୁ ଏବେ ସୁଦ୍ଧା ୧୧୧୭ଟି ଛୁଆ ବାହାରି ସାରିଛନ୍ତି। ବାକିଗୁଡ଼ିକର ପ୍ରକ୍ରିୟା ଜାରି ରହିଛି। ୨୦୨୧-୨୨ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଢ଼ ଲକ୍ଷରୁ ଅଧିକ ଅଲିଭ୍ ରିଡ୍‌ଲେ ଓଡ଼ିଶା ଉପକୂଳକୁ ଆସିଥିଲେ। ଗତବର୍ଷ ଋଷିକୂଲ୍ୟା ମୁହାଣକୁ ପ୍ରାୟ ୫ ଲକ୍ଷ ଏବଂ ଗହୀରମଥାକୁ ୫ ଲକ୍ଷ ୨୩ ହଜାର ଆସିଥିଲେ। ଏଥର ୧୧ଲକ୍ଷ ୬୪ ହଜାର ଅଲିଭ୍ ରିଡ୍‌ଲେ ଅଣ୍ଡା ଦେଇଥିବାରୁ ଅଧିକ ସଂଖ୍ୟକ ଛୁଆ ସମୁଦ୍ରକୁ ଯିବା ନେଇ ଆଶା କରାଯାଇଛି।

Leave a Reply

Your email address will not be published. Required fields are marked *