୧୦୫ ବିଧାନସଭା ପାଇଁ ମତଗ୍ରହଣ ସରିଥିବା ବେଳ ଆଉ ୧୦ ଭାଗ ଆସନରେ ଭୋଟ ରହିଲା ବାକି ….




ଭୁବନେଶ୍ୱର : ଓଡିଶାରେ ଏଯାବତ୍‍ ୧୫ଟି ଲୋକସଭା ସମେତ ୧୦୫ଟି ବିଧାନସଭା କ୍ଷେତ୍ର ପାଇଁ ମତଗ୍ରହଣ ସରିଥିବାବେଳେ ଉଭୟ ବିଜେପି ଓ ବିଜେଡି ଏହି ଆସନଗୁଡିକରେ ବିପୁଳ ବିଜୟ ହାସଲ କରିବେ ବୋଲି ଦାବି କରୁଛନ୍ତି । ରାଜ୍ୟରେ ଆଉ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନପାଇଁ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଆଗାମୀ ଜୁନ୍‍ ପହିଲାରେ ହେବ ।

ସାରା ଦେଶରେ ୫୪୩ଟି ଲୋକସଭା ଆସନ ମଧ୍ୟରୁ ଆଜି ସୁଦ୍ଧା ୪୮୬ଟିରେ ଅର୍ଥାତ୍‍ ପାଖପାଖି ୯୦ଭାଗ ଆସନରେ ଭୋଟ ଗ୍ରହଣ ସରିଛି । ଅନ୍ତିମ ପର୍ଯ୍ୟାୟରେ ବିହାର, ହିମାଚଳପ୍ରଦେଶ, ଓଡିଶା, ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଚଣ୍ଡିଗଡରେ ୫୭ଟି ଆସନ ପାଇଁ ମତଗ୍ରହଣ ବାକି ରହିଛି । ଏହି ଆସନଗୁଡିକ ମଧ୍ୟରୁ ବିଜେପି ଓ ଏନ୍‍ଡିଏ ପ୍ରାୟ ୩୮୦ଟି ଆସନ ଦଖଲ କରିବେ ବୋଲି ଦାବି କରୁଥିବାବେଳେ କଂଗ୍ରେସ ନେତୃତ୍ୱରେ ଗଠିତ ଇଣ୍ଡି ମେଣ୍ଟ କିନ୍ତୁ ଏହି ଦାବିକୁ ଅଗ୍ରାହ୍ୟ କରିବା ସହିତ ସ୍ପଷ୍ଟ ବହୁମତ ହାସଲ କରି ଏହି ମେଣ୍ଟ ସରକାର ଗଢିବ ବୋଲି ଦୃଢୋକ୍ତି କରୁଛି । ଏଠାରେ ଉଲ୍ଲେଖନୀୟ ଯେ ଏପ୍ରିଲ ୧୯ରୁ ଆଜି ସୁଦ୍ଧା ୬ଟି ପର୍ଯ୍ୟାୟରେ ସାରା ଦେଶରେ ମତଗ୍ରହଣ କରାଯାଇଛି ।

ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ସିକିମ୍‍ ଓ ଅରୁଣାଚଳ ଭଳି ଚାରିଟି ରାଜ୍ୟର ବିଧାନସଭା ପାଇଁ ଲୋକସଭା ସହିତ ର୍ନିବାଚନ ହେଉଛି । ଅନ୍ୟ ତିନିଟି ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ସରିଥିବାବେଳେ ଓଡିଶାରେ ୭୧ ପ୍ରତିଶତରୁ ଉର୍ଦ୍ଧ୍ୱ ଆସନ ଲାଗି ନିର୍ବାଚନ ହୋଇସାରିଛି ଏବଂ ଅବଶିଷ୍ଟ ୨୯ପ୍ରତିଶତ ଆସନ ଲାଗି ଜୁନ୍‍ ପହିଲାରେ ମତଗ୍ରହଣ କରାଯିବ । ଏହାଛଡା ଦେଶର ୧୩ଟି ରାଜ୍ୟରେ ୨୬ଟି ବିଧାନସଭା ଆସନପାଇଁ ମଧ୍ୟ ଏଥି ସହିତ ଉପନିର୍ବାଚନ ହେଉଛି ।

ଓଡିଶାରେ ଶେଷ ପର୍ଯ୍ୟାୟରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତ୍‍ସିଂହପୁର ଲୋକସଭା କ୍ଷେତ୍ର ଏବଂ ଏହା ଅର୍ନ୍ତଗତ ୪୨ଟି ବିଧାନସଭା ଆସନ ପାଇଁ ମତଗ୍ରହଣ କରାଯିବ । ରାଜ୍ୟରେ ତିନି ପର୍ଯ୍ୟାୟ ର୍ନିବାଚନ ଶେଷ ହୋଇଥିବାରୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଧିକ ସରଗରମ ହେବ । ନିର୍ବାଚନ ସରିଯାଇଥିବା ଅଞ୍ଚଳର ବହୁ ନେତା ଶେଷ ପର୍ଯ୍ୟାୟ ପ୍ରଚାର ଅଭିଯାନରେ ସାମିଲ ହେବାର ସୂଚନା ମିଳୁଛି ।

ବିଶେଷକରି ମନ୍ତ୍ରୀ ସୁଦାମ ମାରାଣ୍ଡି, ଅଶ୍ୱିନୀ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରୀତି ରଞ୍ଜନ ଘଡାଇ, ତୁଷାରକାନ୍ତି ବେହେରା, ପ୍ରତାପ ଦେବ ଓ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ଶ୍ରୀକାନ୍ତ ଜେନାଙ୍କ ସମେତ ବୈଜୟନ୍ତ ପଣ୍ଡା, ଅଂଶୁମାନ ମହାନ୍ତି, ଗଣେଶ୍ୱର ବେହେରା, ସିପ୍ରା ମଲ୍ଲିକ, ତେଜେଶ୍ୱର ପରିଡା, ପ୍ରଫୁଲ ସାମଲ, ଡାକ୍ତର ରାଜଶ୍ରୀ ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ଆକାଶ ଦାସ ନାୟକ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାତା ସଂଧ୍ୟାରାଣୀ ଦାସ, ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ପ୍ରଭାତି ପରିଡାଙ୍କ ଭଳି ବହୁ ହେଭିୱେଟ ରାଜନେତାଙ୍କ ରାଜନୈତିକ ଭାଗ୍ୟ ଓ ଭବିଷ୍ୟତ ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ନିର୍ଦ୍ଧାରିତ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *