ନିଶାଡି ଜାଣି ପାରେନି କେତେ ନିଶାରେ ସେ ବୁଡ଼ିଛି

ଭୁବନେଶ୍ୱର (୧ / ୪)-(ରଙ୍ଗାଚରଣ ପ୍ରଧାନ ) : ଅଫିମ ନିଶା ପ୍ରବଳ । ଯିଏ ଖାଏ ସେ ଜାଣେନି। ତାକୁ ଏହା ସାଧାରଣ ଲାଗେ । କିନ୍ତୁ ଯିଏ ଅଫିମିଆକୁ ଦେଖେ ସେ ଜାଣିପାରେ କେତେ ନିଶା ଚଢିଛି।
ବହୁ ଦିନ ପୂର୍ବେ ଆମ ଗାଁରେ ଜଣେ ଅଫିମିଆ ଥିଲେ । ସବୁ ଦିନ ଦୁଇ ଟେଳା ନ ପକାଇଲେ ସେ ଶାନ୍ତିରେ ରହି ପାରୁନଥିଲେ। ସକାଳେ ଥରେ । ସନ୍ଧ୍ୟାରେ ଥରେ । ମୁଁ ସେତେବେଳେ ଜନ୍ମ ହୋଇ ନଥିଲି । ପରେ ଶୁଣିଲି ଏମିତି ଗୋଟିଏ ଘଟଣା ହୋଇଥିଲା।
ଦିନେ ସନ୍ଧ୍ୟାରେ ନଈରୁ ଗାଧୋଇ ଆସି ଦେଖନ୍ତି ଯେ ଅଫିମ ନାହିଁ। ସରି ଯାଇଛି। ଯାହାକୁ ଟଙ୍କା ଦେଇଥିଲେ ଆଣିବାକୁ ସେ ଆଣିବାକୁ ଭୁଲି ଯାଇଛି। କରିବେ କ’ଣ ? ପୁଣି ଥରେ ବଜାରକୁ କିଏ ଯିବ ? ତାଙ୍କର ଆଉ ମୁଣ୍ଡ କାମ କଲାନି। ଏଠୁ ସେଠିକି ଗଲେ ଓ ସେଠୁ ଏଠିକି ଆସିଲେ। ବାଡ଼େଇ ପିଟି ହେଲେ । ଗାଁ ଲୋକ ତାଙ୍କ ଅବସ୍ଥା ଦେଖି ବିବ୍ରତ ହୋଇଗଲେ। ଶେଷରେ ଜଣେ ଭେଣ୍ଡିଆ ରାଜି ହେଲା ବଜାରକୁ ଯାଇ ଅଫିମ ଆଣିବା ପାଇଁ। ସେ କହିଲା, ବ୍ୟସ୍ତ ହୁଅନି, ମୁଁ ହେଇ ଗଲି ହେଇ ଆସିଲି ।
ସେ ବଜାରକୁ ନ ଯାଇ ଗାଁ ମୁଣ୍ଡ ବରଗଛ ପାଖରେ ଯେଉଁ ଶଗଡ଼ ସବୁ ଥୁଆ ହୋଇଛି ସେଇଠିକି ଗଲା । ଶଗଡ଼ ଅଖରେ କାଳି ଦିଆଯାଇ ଥାଏ । ସେଥିରୁ କିଛି କାଳି ଶୁଖି ଯାଇ ଟିକେ କଠିନ ହୋଇଥାଏ । ସେହି କାଳିରୁ ଟିକେ ଆଣି ଦୁଇଟି ଗୁଳା ତିଆରି କଲା । ତାକୁ କାଗଜରେ ଗୁଡେଇ ଗାଁରେ ପଶିଲା । ଅଫିମ ନ ପାଇ ଡହଳବିକଳ ହେଉଥିବା ଲୋକକୁ କାଗଜ ପୁଡିଆଟି ଧରେଇ ଦେଇ କହିଲା, ହେଇ ନିଅ ତମ ଅଫିମ । ଲୋକଟି ସେଥିରୁ ଗୋଟିଏ ଟେଳା ନେଇ ପାଟିରେ ପୁରେଇଲା। କିଛି ସମୟ ପରେ ସେ ଶାନ୍ତ ହୋଇ ସେହି ଭେଣ୍ଡିଆକୁ କହିଲା ‘ ଓହୋ , ତୁ ମୋ ପ୍ରାଣ ଟିକକ ରଖିଦେଲୁ ।’
ସାମ୍ବାଦିକଙ୍କୁ ସବୁଦିନ କିଛି ନା କିଛି ଖବର ଦରକାର। ଯେଉଁ ଦିନ କିଛି ଖବର ନଥାଏ ସେଦିନ ଜଣେ ଆଇଏଏସ ଅଫିସରଙ୍କ ଭିଆରଏସକୁ ବି ଖବର କରି ପକାନ୍ତି। ପ୍ରାଣ ଟିକକ ରହିଯାଏ ।