ବିହାର ପରେ ଓଡ଼ିଶାରେ ଏକାଠି ହେଲେ ବିରୋଧି ଦଳ ସମୂହ, ସାମାଜିକ ନ୍ୟାୟ କାର୍ଯ୍ୟସୂଚୀ ହିଁ ସର୍ବନିମ୍ନ କାର୍ଯ୍ୟସୂଚୀ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି। ଜାତୀୟସ୍ତରରେ ରାଜନୈତିକ ଦଳ ଗୁଡ଼ିକ ନିଜ ସ୍ଥିତି ସେହି ଅନୁସାରେ ସ୍ପଷ୍ଟ କରିବାରେ ଲାଗିଛନ୍ତି। ଏହି କ୍ରମରେ ଗତ ୨୩ ତାରିଖରେ ବିହାର ରାଜଧାନୀ ପାଟନାରେ ବିରୋଧି ଦଳ ଗୁଡ଼ିକ ଏକାଠି ହୋଇଥିଲେ। ଏହା ପରେ ଶିମଲାରେ ଜୁଲାଇ୧୨ରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏକ ଅଣ ବିଜେପି-ବିଜେଡି ଶକ୍ତିର ମୂଳଦୁଆ ପଡିବାକୁ ଯାଉଛି। ସାମାଜିକ ନ୍ୟାୟ ଅଭିଯାନ ବ୍ୟାନର ତଳେ ଏକାଠି ହୋଇଥିବା ଏହି ଦଳ ଗୁଡ଼ିକ ଏହି ବୈଠକ ପୂର୍ବରୁ ଏକାଧିକ ଆଲୋଚନା କରିଥିବା ଜଣାପଡିଛି।

ଗତ ସପ୍ତାହରେ ସିପିଏମ୍ ନେତା ସୀତାରାମ ୟେଚୁରୀ ଓଡ଼ିଶା ଆସିଥିବା ସମୟରେ ଏହି ପ୍ରକାର ବୈଠକ ନେଇ ଆଲୋଚନା ହୋଇଥିଲା। ଜାତୀୟସ୍ତରୀୟ ରାଜନୀତିରେ ବିରୋଧି ଦଳ ଗୁଡିକୁ ଏକାଠି କରିବାରେ ଶରଦ ପାଓ୍ୱାର, ଏମକେ ଷ୍ଟାଲିନ୍ , ନୀତିଶ କୁମାର ଏବଂ ସୀତାରାମ ୟେଚୁରୀଙ୍କ ବିଶେଷ ଭୂମିକା ଗ୍ରହଣ କରୁଛି। ତେଣୁ ୟେଚୁରୀଙ୍କ ଉପସ୍ଥିତିରେ ବସିଥିବା ବୈଠକ ଆଗାମୀ ଦିନରେ ରାଜନୈତିକ ମେଣ୍ଟରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସାମାଜିକ ନ୍ୟାୟ, ରାଜ୍ୟରେ ଓବିସି ସଂରକ୍ଷଣ, ଖଣି ପରିଚାଳନା ଇତ୍ୟାଦି ପ୍ରସଙ୍ଗରେ ଦଳଗୁଡିକ ମଧ୍ୟରେ ସହମତି ଆସିଛି। ସମାଜବାଦୀ ପାର୍ଟିର ସଭାପତି ରବି ବେହେରାଙ୍କ ପୌରହିତ୍ୟରେ ଏକାଧିକ ଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କେବଳ ରାଜନୈତିକ ଦଳ ଗୁଡିକ ନୁହେଁ, ସାମାଜିକ ନ୍ୟାୟରେ ବିଶ୍ୱାସ କରୁଥିବା ସଙ୍ଗଠନ ଏବଂ ବ୍ୟକ୍ତି ମଧ୍ୟ ଏଥିରେ ଯୋଡି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଅନ୍ୟତମ। ଦଳୀୟ କାର୍ଯ୍ୟକ୍ରମ ଯୋଗୁ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଅନୁପସ୍ଥିତ ରହିଥିଲେ ବି କଂଗ୍ରେସ ପ୍ରତି ବୈଠକକୁ ନିଜର ପ୍ରତିନିଧି ପଠାଇଛି। ବିଭିନ୍ନ ସମୟରେ ନିରଞ୍ଜନ ପଟ୍ଟନାୟକ, ଶିବାନନ୍ଦ ରାୟ, ଅମୀୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି। ତେଣୁ ସୋମବାର ବୈଠକ ବିରୋଧି ଦଳ ମାନଙ୍କୁ କେତେମାତ୍ରାରେ ଭବିଷ୍ୟତ ରାଜନୈତିକ ରଣନୀତି ପ୍ରସ୍ତୁତ କରିବାରେ ସହାୟକ ହେଉଛି। ତାହା ଉପରେ ସମସ୍ତଙ୍କ ନଜର ରହିବ।