ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ହେବା ରାସ୍ତାରେ ..ମୁଣ୍ଡ ଟେକୁଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟ ଭାଗ୍ୟକୁ ନେଇ କଳ୍ପନାଜଳ୍ପନା..

ଆଜି ଓଡିଆ ବିଶ୍ୱବିଦ୍ୟାଳୟ ସାକ୍ଷୀଗୋପାଳରେ କାର୍ଯ୍ୟକ୍ଷମ ହେଉଥିବାବେଳେ ଅନ୍ୟ ପକ୍ଷରେ କମ୍ ଶିକ୍ଷକଙ୍କ ସହିତ ଭିତ୍ତିଭୂମି ଅଭାବରୁ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମାଙ୍କନ ଆରମ୍ଭ ହୋଇପାରି ନାହିଁ । କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ କଟକଣା ଯୋଗୁଁ ଆଠବର୍ଷ ଧରି ଚାଲି ଆସୁଥିବା ମୁକ୍ତ ବିଶ୍ୱବିଦ୍ୟାଳୟ ଶେଷ ହେବାକୁ ଯାଉଥିବାବେଳେ ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ କିନ୍ତୁ ଖୁସିର ଖବର ଦେଉଛି ।
୨୦୧୪ ରେ ବିଧାନସଭାରେ ଓଡିଶା ମୁକ୍ତ ବିଦ୍ୟାଳୟ ଆଇନ୍ ଅଣାଯାଇଥିଲା । ତଦନୁଯାୟୀ ୨୦୧୫ ମସିହାରେ ସମ୍ବଲପୁରର ଗଙ୍ଗାଧର ମେହେର ସ୍ୱୟଂଶାସିତ କଲେଜରେ ଏହି ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା । ଏହା ମଧ୍ୟରେ ଗଙ୍ଗାଧର ମେହେର କଲେଜ ବିଶ୍ୱବିଦ୍ୟାଳୟ ହୋଇ ସାରିଲାଣି । ଓଡିଆ ବିଶ୍ୱବିଦ୍ୟାଳୟ ଲାଗି କୁଳପତି ନିଯୁକ୍ତି କରାଯାଇଥିଲେ ମଧ୍ୟ ଏହାର ବହୁ ପ୍ରଶାସନିକ ପଦବୀ ସମେତ ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ଖାଲିପଡିଛି । ଏମିତିକି ଏବେ ଏହି ବିଶ୍ୱବିଦ୍ୟାଳୟ ଲାଗି ପରୀକ୍ଷା ନିୟନ୍ତ୍ରକ ମଧ୍ୟ ନାହାନ୍ତି । ଏଭଳି ସ୍ଥିତିରେ ମୁକ୍ତ ବିଶ୍ୱବିଦ୍ୟାଳୟ ଲାଗି ୟୁଜିସିରୁ ଯେଉଁ ଅନୁମୋଦନ ମିଳିଥିଲା ତାହାର ଅବଧି ଗତବର୍ଷରୁ ସରିଗଲାଣି । ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟ ନାକ୍ ମାନ୍ୟତା ପାଇଁ ଆବେଦନ ବି କରିପାରୁ ନାହିଁ ।

ଏହି ବିଶ୍ୱବିଦ୍ୟାଳୟ ଲାଗି ସମ୍ବଲପୁର ଉପକଣ୍ଠରେ ସରକାର ଜମି ଯୋଗାଇଦେବା ସହ ଅର୍ଥ ବରାଦ କରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟ ବନ୍ଦ ରହିବାରୁ ଅର୍ଦ୍ଧନିର୍ମିତ ସୌଧଟି ଭୂତକୋଠି ଭଳି ପଡିଛି । ମୁକ୍ତ ବିଶ୍ୱବିଦ୍ୟାଳୟରେ ହଜାର ହଜାର ଛାତ୍ରଛାତ୍ରୀ ସ୍ନାତକ ଓ ସ୍ନାତକତ୍ତର ଶ୍ରେଣୀରେ ନାମାଙ୍କନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଇତି ମଧ୍ୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ କର୍ମନିଯୁକ୍ତି ବି ପାଇ ସାରିଲେଣି । ଅଥଚ ଚଳିତ ଶିକ୍ଷାବର୍ଷରେ ଭିତ୍ତିଭୂମି ଅଭାବ ଦର୍ଶାଇ ସ୍ନାତକ ଓ ସ୍ନାତକତ୍ତର ଶ୍ରେଣୀରେ ନାମାଙ୍କନ ସ୍ଥଗିତ ରହିଥିଲେ ମଧ୍ୟ ସମସ୍ୟାର ସମାଧାନ କରାଯାଇ ନଥିବାରୁ ଏବର୍ଷ ଏଠାରେ ପାଠପଢିବା ପାଇଁ ଆଗ୍ରହ ପ୍ରକାଶ କରିଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ହଜାର ହଜାର ଆଶାୟୀ ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି ।

୨୦୧୮ ମସିହାରେ ସାକ୍ଷୀଗୋପାଳରେ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ ଏଥିଲାଗି ଜମି ଅଧିଗ୍ରହଣ ସହ ନିର୍ମାଣ କାର୍ଯ୍ୟ ଚାଲିଛି । ଆଗାମୀ କିଛି ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଥିବାବେଳେ ସାକ୍ଷୀଗୋପାଳରେ ଥିବା ପାନ୍ଥନିବାସ ଓ ଉତ୍କଳମଣି ସ୍ମୃତି କଲେଜ ପରିସରକୁ ନୂଆ ବିଶ୍ୱବିଦ୍ୟାଳୟ ପାଇଁ ବ୍ୟବହାର କରାଯାଉଛି । ଇତି ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଲାଗି କୁଳପତି ନିଯୁକ୍ତି ସରିଥିବାବେଳେ ଅନ୍ୟ ଶିକ୍ଷାନୁଷ୍ଠାନରୁ ଡେପୁଟେସନରେ ଆଣି କିଛି ଶିକ୍ଷକ ଓ ଅଣଶିକ୍ଷକଙ୍କୁ ମଧ୍ୟ ମୁତୟନ କରାଯାଇଛି । ତେବେ ଓଡିଆ ବିଶ୍ୱବିଦ୍ୟାଳୟ ଲାଗି ନିୟମିତ ଶିକ୍ଷକ ନିଯୁକ୍ତି ଉପରେ ବୁଦ୍ଧିଜୀବୀ ମହଲ ଗୁରୁତ୍ୱ ଦେଉଛନ୍ତି ।

ରାଜ୍ୟର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡିକରେ ମଧ୍ୟ ଆଇନଗତ ସମସ୍ୟା ଯୋଗୁଁ ଶିକ୍ଷକ ନିଯୁକ୍ତି ଦୀର୍ଘବର୍ଷ ଧରି ହୋଇପାରୁ ନାହିଁ । ରାଜ୍ୟ ସରକାର ଓଡିଶା ବିଶ୍ୱବିଦ୍ୟାଳୟ ଆଇନ୍ରେ ସଂଶୋଧନ ଆଣି ଶିକ୍ଷକ ନିଯୁକ୍ତି ଦାୟିତ୍ୱ ରାଜ୍ୟ ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରିଥିଲେ । ଏହାର ବିରୋଧ କରି ୟୁଜିସି ଏବେ ସୁପ୍ରିମ୍କୋର୍ଟରେ ମାମଲା ଲଢୁଛି । ଏହି ବିବାଦ ଯୋଗୁଁ ସବୁ ବିଶ୍ୱବିଦ୍ୟାଳୟରେ ସାଂଘାତିକ ଅବସ୍ଥା । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡିକରେ ଏବେ ପାୟ ୧୨୦୦ ଶିକ୍ଷକ ପଦବୀ ଖାଲି ପଡିଛି । ଅନେକ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟର ପ୍ରଫେସର ନାହାନ୍ତି । କେନ୍ଦ୍ର ସରକାରଙ୍କ କୋରାପୁଟ ସ୍ଥିର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି ଅତି ଉତ୍କଟ ।