ପାକିସ୍ତାନରେ ବଡ଼ ଧରଣର ବିସ୍ପୋରଣ,୨୦ ରୁ ଅଧିକ ମୃତ
ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଥରେ ଏକ ବଡ଼ ବିସ୍ଫୋରଣ ଘଟିଛି। କ୍ୱେଟାରେ ବିସ୍ଫୋରଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣରେ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ପ୍ରାୟ ୩୦ ଜଣ ଆହତ ହୋଇଥିବା ଖବର ରହିଛି। ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ଏହି ବୋମା ବିସ୍ଫୋରଣ କ୍ୱେଟା ରେଳ ଷ୍ଟେସନ ନିକଟରେ ଘଟିଛି। ଟ୍ରେନ୍ ପ୍ଲାଟଫର୍ମରେ ପହଞ୍ଚିବାର କିଛି ସମୟ ପୂର୍ବରୁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ ପ୍ଲାଟଫର୍ମରେ ଯାତ୍ରୀମାନଙ୍କ ଭିଡ଼ ଜମିଥିଲା। ଏହି ଘଟଣାରେ ଆହତଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି |
ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଉଦ୍ଧାର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବହୁ ସଂଖ୍ୟାରେ ମୃତ୍ୟୁ ଓ ଆହତଙ୍କୁ ଦୃଷ୍ଟିରେ ରଖି କ୍ୱେଟା ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଡାକ୍ତରଙ୍କ ସହ ଅତିରିକ୍ତ କର୍ମଚାରୀଙ୍କୁ ଡକାଯାଇଛି। ଆହତଙ୍କ ଚିକିତ୍ସା ଜାରି ରହିଛି। ରେଳ ଅଧିକାରୀଙ୍କ ନିକଟରୁ ଆସିଥିବା ଖବର ଅନୁଯାୟୀ ଜାଫର ଏକ୍ସପ୍ରେସ ସକାଳ ୯ ଟାରେ ପେଶୱାର ଅଭିମୁଖେ ଯାତ୍ରା କରିବାର ଥିଲା। ତେବେ ବିସ୍ଫୋରଣର କାରଣରୁ ଟ୍ରେନଟି ପ୍ଲାଟଫର୍ମରେ ପହଞ୍ଚି ନଥିଲା। ସୂଚନାଯୋଗ୍ୟ ଗତ କିଛି ଦିନ ପୂର୍ବରୁ ବାଲୋଚିସ୍ତାନ ଅଞ୍ଚଳରେ ଏକ ବଡ ବିସ୍ପୋରଣ ହୋଇଥିଲା। ଯେଉଁଥିରେ ୫ ଜଣ ଛୋଟ ପିଲାଙ୍କ ସମେତ ୭ ଲୋକଙ୍କ ମୃତ୍ୟୁ ଘଟିଥିଲା।