ବିଶ୍ବକପ୍ ଫାଇନାଲକୁ ୧୦ରୁ ଅଧିକ ଦିନ ହେଲାଣି କିନ୍ତୁ କେଉଁ ମୁହୂର୍ତ୍ତକୁ ଭୁଲି ପାରୁନାହାଁନ୍ତି ପ୍ୟାଟ୍ କମିନ୍ସ ଜଣାନ୍ତୁ…
ବିଶ୍ବକପ ଫାଇନାଲକୁ ୧୦ରୁ ଅଧିକ ଦିନ ବିତିଗଲାଣି ତେବେ ଏହା ଭିତରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ବିଶ୍ୱକପ୍ ଜିତିବା ପରେ ନିଜର ସବୁଠାରୁ ପ୍ରିୟ ମୁହୂର୍ତ୍ତ ଓ ୱିକେଟ୍ ବିଷୟରେ ପ୍ରକାଶ କରିଛନ୍ତି। ବିଶ୍ୱକପ୍ ଫାଇନାଲରେ ବିରାଟ କୋହଲିଙ୍କ ୱିକେଟ୍ ସେ ଚଳିତ ବିଶ୍ବକପ୍ ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଅହମ୍ମଦାବାଦ ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଭାରତୀୟ ଦର୍ଶକଙ୍କ ଉପସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା।
ପ୍ୟାଟ୍ କମିନ୍ସ ଯେତେବେଳେ ବିରାଟ କୋହଲିଙ୍କୁ ଆଉଟ୍ କରିଥିଲେ, ସେତେବେଳେ ଲାଗୁଥିଲା ଯେ ସେଠାରେ ଜଣେ ବି ବ୍ୟକ୍ତି ଉପସ୍ଥିତ ନାହାନ୍ତି। ବିଶ୍ୱକପ୍ ୨୦୨୩କୁ ନେଇ ଜଣେ ସାମ୍ବାଦିକ ପ୍ୟାଟ୍ କମିନ୍ସଙ୍କୁ ପଚାରିଥିଲେ ଯେ, ୭୦ ବର୍ଷ ବୟସରେ ଆପଣ ବିଶ୍ୱକପ୍ ୨୦୨୩ର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବିଷୟରେ କ’ଣ ଭାବିବେ, ଯାହା ବିଷୟରେ ଆପଣ ସର୍ବଦା ଚିନ୍ତା କରିବେ। ଏହି ପ୍ରଶ୍ନର ଉତ୍ତରରେ ପ୍ୟାଟ୍ କମିନ୍ସ କହିଛନ୍ତି ଯେ ଫାଇନାଲରେ ବିରାଟ କୋହଲିଙ୍କ ୱିକେଟ୍ ମୋ ଜୀବନର ଅନ୍ୟତମ ଶ୍ରେଷ୍ଠ ମୁହୂର୍ତ୍ତ , ଯାହାକୁ ମୁଁ ମୋର ଶେଷ ମୁହୂର୍ତ୍ତରେ ମଧ୍ୟ ମନେ ରଖିବି।
ଏହା ବ୍ୟତୀତ ପ୍ୟାଟ୍ କମିନ୍ସ ସେହି ମୁହୂର୍ତ୍ତର ଆଉ ଏକ କଥା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟକ କହିଛନ୍ତି, ବିରାଟ କୋହଲିଙ୍କ ୱିକେଟ୍ ପରେ ଆମେ ସବୁ ଉତ୍ସାହରେ ଥିଲୁ ଠିକ ସେତିକି ବେଳେ ଷ୍ଟିଭ୍ ସ୍ମିଥ୍ କହିଥିଲେ, ‘ଗୋଟିଏ ସେକେଣ୍ଡ ସମସ୍ତେ ଚୁପ୍ ରୁହନ୍ତୁ ଏବଂ ଅନୁଭବ କରନ୍ତୁ ଯେ ଏହି ସ୍ଥାନ ବର୍ତ୍ତମାନ କେତେ ଶାନ୍ତ ଅଛି, ଯେମିତି ଏହା ଏକ ଲାଇବ୍ରେରୀ। ସେଠାରେ ଉପସ୍ଥିତ ୧ ଲକ୍ଷ ଭାରତୀୟ ପ୍ରଶଂସକ ପୁରା ନିରବ ଓ ଶାନ୍ତ ଥିଲେ । ମୁଁ ସେହି ମୁହୂର୍ତ୍ତକୁ ସବୁବେଳେ ମନେ ରଖିବି ବୋଲି ସେ କହିଛନ୍ତି।