ବିଧାନସଭା ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ବିଜୟ, ଏହି ଆସନ ଉପରେ ରହିଛି ତାଙ୍କ ନଜର
ପାରଳାଖେମୁଣ୍ଡି: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ଯେଉଁ ଗତିରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି, ସେହି ତୁଳନାରେ କଂଗ୍ରେସ ନିଜର ସ୍ଥିତି ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଏହି ସ୍ଥଳେ ପିସିସି ସଭାପତି ଶରତ ପଟ୍ଟନାୟକ ଓଡ଼ିଶାରେ ସାଙ୍ଗଠନିକ କାର୍ଯ୍ୟ ଅପେକ୍ଷା ଦିଲ୍ଲୀ ଅଧିକ ଦୌଡ଼ିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ନିକଟରେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ କଂଗ୍ରେସରେ ଯୋଗଦାନ ଓ ଆସୁଆସୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ମଙ୍ଗ ଧରିବା ରାଜ୍ୟ ରାଜନୀତିରେ ନୂଆ ଅଙ୍କ କଷା ଆରମ୍ଭ ହୋଇଛି। ଦଳରେ ମିଶିବା ପରେ ବରିଷ୍ଠ କନିଷ୍ଠମାନଙ୍କୁ ଭେଟିବା ସହ ସାରା ଓଡ଼ିଶା ଗସ୍ତ ଜାରି ରଖିଛନ୍ତି। ଏହା ବ୍ୟତିତ କଂଗ୍ରେସ ସମର୍ଥିତ କ୍ଷେତ୍ରଗୁଡ଼ିକରେ ବିଜୟଙ୍କ ବିଶେଷ ଗ୍ରସ୍ତ ଆଗମୀ ନିର୍ବାଚନର ଖସଡ଼ାକୁ ତ୍ରୁଟିଶୂନ୍ୟ କରିବାକୁ କଂଗ୍ରେସ ଉଦ୍ୟମ କରାଯାଉଥିବା ସ୍ପଷ୍ଟ ବାରି ହେଉଛି।
ରାଜନୀତିରେ ନବାଗତ ହୋଇଥିଲେ ବି ବିଜୟଙ୍କୁ ଦଳ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ଢେର ପୂର୍ବରୁ ଘୋଷଣା କରିଛି। ବିଜେଡିର ପ୍ରଚାରର ମଙ୍ଗ ନବୀନ ପଟ୍ଟନାୟକ ଧରିଥାନ୍ତି। ମାତ୍ର ବିଜେପିର ପ୍ରଚାର କମିଟି ଅଧ୍ୟକ୍ଷ କିଏ ହେବ, ତାହା ଏଯାଏଁ ଜଣାପଡିନାହିଁ। ଇତିମଧ୍ୟରେ ବିଜୟ କେବଳ ଗଣମାଧ୍ୟମ ଏବଂ ରାଜ୍ୟ ଗସ୍ତ ନୁହେଁ, ବରିଂ ନିଜେ ପ୍ରତ୍ୟକ୍ଷ ରାଜନୀତିରେ ଲଢିବାକୁ ଆଗ୍ରହ ଦେଖାଇଛନ୍ତି। ରାଜ୍ୟର କୌଣସି ଏକ ଆସନରୁ ବିଧାନସଭା ପ୍ରାର୍ଥୀ ଭାବେ ବିଜୟ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଶ୍ରୀ ପଟ୍ଟନାୟକ ନିଜ ଜନ୍ମ ଅଞ୍ଚଳ ତଥା ଗଜପତି ଜିଲାର ପାରଳାଖେମୁଣ୍ଡି ବିଧାନସଭା ଆସନରୁ ଲଢିବାର ଢେର ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକ ମାନେ ମତ ରଖିଛନ୍ତି। ସବୁ ଦିଗରୁ ବିଚାର କରି ବିଜୟଙ୍କ କ୍ୟାମ୍ପ ପାରଳାଖେମୁଣ୍ଡି ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି।
ଗତ ଜୁନ୍ ମାସ ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲା ଗସ୍ତରେ ଆସିଥିଲେ ବିଜୟ । ଜିଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଭିତରୁ ମୋହନା ଅପେକ୍ଷା ତାଙ୍କ ଫୋକସରେ ଥିଲା ପାରଳାଖେମୁଣ୍ଡି । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା କାଶୀନଗର, ଗୁମ୍ମା ଏବଂ ଗୋଷାଣୀ ବ୍ଲକ ସହିତ ପାରଳାଖେମୁଣ୍ଡି ପୌରପାଳିକା ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଲୋକପ୍ରତିନିଧି ଏବଂ ଦଳୀୟ ପଦାଧିକାରୀ ଓ କର୍ମୀଙ୍କୁ ନେଇ ବିଜୟ ଏକାଧିକ ବୈଠକ କରିଥିଲେ। ଏହାର ସମସ୍ତ ବିବରଣୀ ଓ ଫଟୋ ତାଙ୍କ ଫେସବୁକ୍ ଜରିଆରେ ପୋଷ୍ଟ କରାଯାଇଛି। ଖୋଲାଖୋଲି ନିର୍ବାଚନ ଲଢିବା ନେଇ ବିଜୟ ଗଣମାଧ୍ୟମରେ କୌଣସି ସୂଚନା ଦେଇନାହାନ୍ତି। ମାତ୍ର ସେ ଭେଟିଥିବା ଦଳରେ କେତେକ ନେତୃବୃନ୍ଦ ଏବଂ ବୁଦ୍ଧିଜୀବୀଙ୍କୁ ନିଜର ଲଢିବା ନେଇ ଆଲୋଚନା କରିଥିବା ସୂଚନା ମିଳିଛି।
ନିକଟରେ ପାରଳାଖେମୁଣ୍ଡିକୁ ହୋଇଥିବା ତାଙ୍କ ଗସ୍ତ କେବଳ ରାଜନୈତିକ ନଥିଲା, ବରଂ ପାରଳାଖେମୁଣ୍ଡିର ସ୍ଥାନୀୟ ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷା, ସାଂସ୍କୃତି ଓ ସ୍ୱାଭିମାନର ସୁରକ୍ଷା ଦିଗରେ କାର୍ଯ୍ୟ କରିଥିବା ଗୁରୁଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ଘରକୁ ଯାଇ ସାକ୍ଷାତ କରିଥିଲେ । ଏପରିକି ପବିତ୍ର ଘୋଷଯାତ୍ରା ଦିନ ପାରାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ରଥଯାତ୍ରାରେ ମଧ୍ୟ ସାମିଲ ହୋଇଥିଲେ । ଦଳୀୟ ନେତା ଓ କର୍ମୀଙ୍କ ସମେତ ବୁଦ୍ଧିଜୀବୀଙ୍କୁ ସାକ୍ଷାତ କରିବା ପରେ ଆଉ ଗୋଟିଏ ପାଦ ଆଗକୁ ଯାଇ ପାରଳାଖେମୁଣ୍ଡି ସହରର କାଳୀମନ୍ଦିର ନିକଟରେ ଥିବା ଗଜପତି ଜିଲା କଂଗ୍ରେସ କାର୍ଯ୍ୟାଳୟକୁ ମରାମତି କରିଛନ୍ତି । କାର୍ଯ୍ୟାଳୟରେ ରଙ୍ଗ ଦେବା ସହ ଅନ୍ୟାନ୍ୟ ଆନୁସଙ୍ଗିକ ମରାମତି କରାଇଛନ୍ତି । ନିଜେ ରହିବା ପାଇଁ ରାଣିପେଣ୍ଠାରେ ଘର ଭଡ଼ାରେ ନେଇଛନ୍ତି । କାର୍ଯ୍ୟାଳୟ ଏବଂ କର୍ମଚାରୀଙ୍କ ରହଣୀ ପାଇଁ ଦୋଳବନ୍ଧରେ ଆଉ ଗୋଟିଏ ଘର ମଧ୍ୟ ଭଡ଼ାକୁ ନେଇଛନ୍ତି ବିଜୟ । ଏସବୁ କାରଣରୁ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି ।
ଯଦି ଭୋଟ୍ ଗଣିତକୁ ଦେଖାଯାଏ, ତେବେ ବିଜୟ କାହିଁକି ପାରଳାଖେମୁଣ୍ଡିକୁ ବାଛିଲେ, ତାହା ଅନେକାଂଶରେ ସ୍ପଷ୍ଟ ହେଉଛି । ୨୦୧୪ରେ କଂଗ୍ରେସ ପ୍ରାର୍ଥୀ କେ.ସୂରିଆ ରାଓ ୪୫ପ୍ରତିଶତ ଭୋଟ୍ ପାଇ ବିଜୟୀ ହୋଇଥିଲେ । ୨୦୧୯ ମସିହାରେ ସୂରିଆଙ୍କ ବିରୋଧରେ ପୂର୍ବତନ କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିବା ଯୋଗୁ ଦଳ ପରାସ୍ତ ହୋଇଥିଲା । ଏବେ କିନ୍ତୁ ତିରୁପତି ବିଜେଡ଼ିରେ ଥିବା ବେଳେ ସୂରିଆ ସକ୍ରିୟ ରାଜନୀତିରେ ଏତେଟା ସକ୍ରିୟ ନାହାଁନ୍ତି । ସେହିଭଳି ଯଦି ଜାତି ସମୀକରଣକୁ ଦେଖାଯାଏ, ତେବେ ଏଠାରେ ପ୍ରାୟ ୩୦ ପ୍ରତିଶତ କାମ୍ପ(ତେଲୁଗୁ) ଭୋଟର ରହିଛନ୍ତି । ବର୍ତ୍ତମାନର ବିଜେପି ବିଧାୟକ କେ.ନାରାୟଣ ରାଓ ହେଉଛନ୍ତି କମା । ପୁଣି ଥରେ କାମ୍ପ(ତେଲୁଗୁ) ଭୋଟ ତାଙ୍କ ପାଖକୁ ଯିବ ବୋଲି ଅନୁମାନ କରାଯାଉଛି। ଏଣୁ କମା ଭୋଟକୁ ନିଜ ସପକ୍ଷକୁ ଆଣିବା ବିଜୟଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ସେହିଭଳି ଏହି ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୫ରୁ ୩୦ ପ୍ରତିଶତ ଖ୍ରୀଷ୍ଟିଆନ ଭୋଟର ରହିଛନ୍ତି । ଏମାନେ ସାଧାରଣତଃ କଂଗ୍ରେସକୁ ଭୋଟ ଦେଉଥିବା ବେଳେ ବିଜୟ କେତେଦୂର ଏଥିରେ ସକ୍ଷମ ହେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।