ରାଜ୍ୟସଭା ଯିବେ ପିନାକୀ ମିଶ୍ର, ରବୀନ୍ଦ୍ର ଜେନା
ଭୁବନେଶ୍ୱର,୧୮/୪(ବ୍ଯୁରୋ): ୨୦୨୪ ସାଧାରଣ ନିର୍ବାଚନକୁ ବର୍ଷକରୁ କମ୍ ସମୟ ରହିଛି। ହେଲେ କିଏ କେଉଁଠୁ ପ୍ରାର୍ଥୀ ହେବେ, କିଏ ପରାଜୟ ଭୟରେ ବାଟ କାଟିବେ, ସେ ନେଇ ଅଙ୍ଗ କଷା ଜାରି ରହିଛି। ଏହି ଦୃଷ୍ଟିରୁ ଦେଖିଲେ ବିଜେଡି ପୁରୀ ଏବଂ ବାଲେଶ୍ୱରର ଲୋକସଭା ପ୍ରାର୍ଥୀ ବଦଳାଇବାର ବେଶ୍ ସମ୍ଭାବନା ରହିଛି। ବାଲେଶ୍ୱର ଜିଲ୍ଲା ରାଜନୀତିରେ ରବିନ୍ଦ୍ର ଜେନା ଆର୍ଥିକ ସ୍ୱଚ୍ଛଳ ମାତ୍ର କାହାରି ସହଯୋଗ ପାଉନାହାନ୍ତି। ଥରେ ପରାଜିତ ହୋଇଥିବାରୁ ଲୋକସଭା ଲଢିବା ନେଇ ଏତେଟା ମନ ସ୍ଥିର କରିପାରୁ ନାହାନ୍ତି। ତେଣୁ ବସ୍ତା ବିଧାନସଭାରୁ ନିଜ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ ପ୍ରାର୍ଥୀ କରାଇବା ପାଇଁ ମନସ୍ଥ କରିଛନ୍ତି। ସେହିପରି କଂଗ୍ରେସ ନେତା ନବଜ୍ଯୋତି ପଟ୍ଟନାୟକ ମଧ୍ୟ କଂଗ୍ରେସରୁ ସେଠାରେ ଲୋକସଭା ଜିତିବା ପାଇଁ ଆତ୍ମବିଶ୍ୱାସ ରଖୁନାହାନ୍ତି। ତେଣୁ କଂଗ୍ରେସ ଛାଡି ବିଜେଡିରୁ ବାଲେଶ୍ୱର ଲୋକସଭା ପ୍ରାର୍ଥୀ ହେବା ପାଇଁ ସେ ମନସ୍ଥ କରିଛନ୍ତି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏକଥା ଦଳର ଶୀର୍ଷ ନେତୃତ୍ୱଙ୍କୁ ଅବଗତ କରିଛନ୍ତି। ମାତ୍ର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ବିଧାନସଭାକୁ ଗୁରୁତ୍ୱ ଦେଉଥିବାରୁ ବିଜେଡି ରବି ଜେନାଙ୍କୁ ଖୋର୍ଦ୍ଧା ଜିଲ୍ଲାର ପ୍ରଭାରୀ କରିଛି। ଏହା ଦ୍ୱାରା ସେ ବାଲେଶ୍ୱର ରାଜନୀତିରୁ କିଛି ସମୟ ଦୂରରେ ରହିବେ। ଯଦି ସବୁ କିଛି ଠିକ୍ ରୁହେ, ତେବେ ରବୀନ୍ଦ୍ର ଜେନା ସାଧାରଣ ନିର୍ବାଚନ ନ ଲଢି ରାଜ୍ଯସଭା ଯାଇପାରନ୍ତି ବୋଲି ଆଲୋଚନା ହେଉଛି। ଉପରୋକ୍ତ ସମୀକରଣ ବାଲେଶ୍ୱର ବିଜେଡି ରାଜନୀତିରେ ଗୋଷ୍ଠୀ ବିବାଦ ହ୍ରାସ କରିବ ବୋଲି ମତ ପ୍ରକାଶ ପାଇଛି।
