ବାହାନାଗା ରେଳ ଦୁର୍ଘଟଣା : ଘଟଣା ସ୍ଥଳ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି
ବାଲେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ବାହାନଗାରେ ଟ୍ରେନ୍ ଦୁର୍ଘଟଣାସ୍ଥଳ ବୁଲି ଦେଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ଓ ବଗି ନିକଟକୁ ସ୍ଥିତି ପରଖିଛନ୍ତି। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି।
ବାହାନାଗାରେ ଦୁର୍ଘଟଣା ସ୍ଥଳ ଦେଖିବା ପରେ ମୋଦି ବାଲେଶ୍ୱର ହସ୍ପିଟାଲ ଗସ୍ତ କରି ଆହତଙ୍କୁ ଭେଟିଥିଲେ। ସ୍ଥାନୀୟ ପ୍ରଶାସନର ଆବଶ୍ୟକତା ନେଇ ଫୋନ ଯୋଗେ ଦିଲ୍ଲୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାଲେଶ୍ୱର ଜିଲ୍ଲାପାଳ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ସର୍ବିଶେଷ ତଥ୍ୟ ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ବାହାନଗାରେ ଅପରାହ୍ଣ ପ୍ରାୟ ୩ଟା ୪୦ରେ ପହଞ୍ଚି ଥିଲେ। ସେଠାରୁ ସେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବାୟୁସେନାର ଅଧିକାରୀଙ୍କ ସହିତ ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଆସିଥିଲେ। ସେହିପରି ମୋଦିଙ୍କ ଗସ୍ତ ସମୟରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।