ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯ୍ୟାତନା ମାମଲା, ବ୍ରିଜଭୂଷଣଙ୍କ ପରିବାରକୁ ପଚାରିଲା ଦିଲ୍ଲୀ ପୁଲିସ୍

ନୂଆଦିଲ୍ଲୀ : ଦିଲ୍ଳୀ ପୁଲିସ୍‌ର ଏକ ଟିମ୍‌ ସୋମବାର ରାତିରେ ବ୍ରିଜଭୂଷଣଙ୍କର ଲକ୍ଷ୍ନୌ ଓ ଗୋଣ୍ତାରେ ଥିବା ଘରେ ପହଞ୍ଚି ତାଙ୍କ ପରିବାରର ୧୨ ଜଣଙ୍କ ବୟାନ ରେକର୍ଡ କରିଛି। ତାଙ୍କ ଘରେ କାମ କରୁଥିବା ଲୋକଙ୍କ ନାମ, ଠିକଣା ଏବଂ ପ୍ରମାଣପତ୍ର ପୁଲିସ୍ ପକ୍ଷରୁ ଯୋଗାଡ଼ କରାଯାଇଛି। ଏହା ପରେ ପୁଲିସ୍‌ ଟିମ୍‌ ପୁଣି ଦିଲ୍ଲୀ ଫେରି ଯାଇଛି। ଗତ ଜାନୁୟାରୀ ମାସରୁ ଭାରତୀୟ କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତିଯୋଦ୍ଧା ସଂଘ (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫ ଦାବି କରି ଆନ୍ଦୋଳନ କରିଆସୁଛନ୍ତି। ବ୍ରିଜଭୂଷଣ ମଧ୍ୟ ଜଣେ ଭାଜପା ସାଂସଦ ଏବଂ ତାଙ୍କ ନାମରେ ମହିଳା ଆଥ୍‌ଲେଟ୍‌ଙ୍କୁ ଯୌନ ଶୋଷଣ କରିବା ନେଇ ଦୁଇଟି ମାମଲା ରୁଜୁ ହୋଇସାରିଛି। ସେହିପରି ତାଙ୍କ ବିରୋଧରେ ମଧ୍ୟ ଶିଶୁ ଯୌନ ଶୋଷଣ ବିରୋଧୀ (ପୋକ୍‌ସୋ) ଆଇନର ଧାରା ୧୦ ଓ ଆଇପିସିର ଧାରା ୩୫୪ ଅନୁଯାୟୀ ମାମଲା ରୁଜୁ ହୋଇଛି।

ବ୍ରିଜଭୂଷଣ ନିଜ ବିରୋଧରେ ଥିବା ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେ ଫାଶୀଖୁଣ୍ଟରେ ଝୁଲିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି। ତେବେ ପୋକ୍‌ସୋ ଆଇନରେ ଅଭିଯୁକ୍ତଙ୍କୁ ନିଜେ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାର ଦାୟିତ୍ୱ ନିଜ ମୁଣ୍ଡକୁ ନେବାକୁ ପଡ଼ିଥାଏ। ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ୧୮୭୨ରେ ପ୍ରମାଣର ବୋଝ ବିଷୟରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *