କର୍ମଭୂମିରେ ରାଷ୍ଟ୍ରପତି ମହୋଦୟା ଦ୍ରୌପଦୀ ମୁର୍ମୁ, ଦାୟିତ୍ୱ ନେବା ପରେ ପ୍ରଥମ ବର୍ଷ କଲେ ପୂରଣ
ଭୁବନେଶ୍ୱର : ଠିକ୍ ଆଜିର ଦିନ। ବର୍ଷକ ତଳେ ଦେଶର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ । ଦାୟିତ୍ୱ ନେବାର ବର୍ଷକ ପରେ ନିଜ ଜନ୍ମ ଏବଂ କର୍ମଭୂମିରେ ଓଡ଼ିଶାରେ ମହାମହିମ ପଦାର୍ପଣ କରିଛନ୍ତି। ମହାମହିମ ଭାବେ ପୂର୍ବରୁ ଏକାଧିକ ଥର ଗସ୍ତ କରିଥିଲେ ବି ଏହି ଗସ୍ତ ନେଇ ଉତ୍ସାହ ଦ୍ୱିଗୁଣିତ ରହିଛି। ଏଥରକ ରାଷ୍ଟ୍ରପତି ମହୋଦୟା ତିନିଦିଆ ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ସଂଧ୍ୟା ୬ଟା ୧୦ରେ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ସିଧା ରାଜଭବନ ଗସ୍ତ କରିଥିଲେ। ରାଷ୍ଟ୍ରପତି ମହୋଦୟାଙ୍କୁ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା , ପୁଲିସ ଡିଜି ସୁନୀଲ ବଂଶଲ ପ୍ରମୁଖ ସ୍ୱାଗତ କରିଥିଲେ। । ରାଜଭବନରେ ରାଷ୍ଟ୍ରପତି ମହୋଦୟାଙ୍କ ଅତୁଟ ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ମଧ୍ୟ ସେ ଶିଳାନ୍ୟାସ କରିବେ। ଆସନ୍ତା କାଲି ତଥା ବୁଧବାର ପୂର୍ବାହ୍ନରେ ରାଷ୍ଟ୍ରପତି କଟକ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୁଧବାର ସଂଧ୍ୟାରେ ପୁଣି ରାଷ୍ଟ୍ରପତି ରାଜଭବନକୁ ଫେରିବେ। ଏହାପରେ ୨୭ତାରିଖରେ ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ (ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେହିପରି ରାଜଧାନୀର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ। ୨୭ତାରିଖ ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ପାଇଁ ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡିସିପି ପ୍ରତୀକଙ୍କ ନେତୃତ୍ୱରେ ୧୨ଜଣ ଅତିରିକ୍ତ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍ସପେକ୍ଟର, ୧୨୦ ଜଣ ଏସ୍ଆଇ ଓ ଏଏସ୍ଆଇ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ରହିବେ। ଏହାସହ ୩ଟି କ୍ୱିକ୍ ରେସପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ରହିବେ। ବିଭିନ୍ନ ସ୍ଥାନରେ ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସେହିଭଳି ୧୬୦ ଟ୍ରାଫିକ୍ କର୍ମଚାରୀ ଓ ୧୫୦ ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀମାନଙ୍କୁ ମୁତୟନ କରାଯାଇଛି