ଧାରଣାରେ ବସିଥିବା କୁସ୍ତିବିତଙ୍କୁ ମିଳୁଛି ହତ୍ୟା ଧମକ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ବିରୋଧରେ ଏତଲା ରୁଜୁ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌କୁ ନୋଟିସ୍‌ କରିବା ପରେ ଆନ୍ଦୋଳନରେ ବସିଥିବା ଜାତୀୟସ୍ତରୀୟ କୁସ୍ତିବିତ୍‌ଙ୍କୁ ହତ୍ୟା ଧମକ ଦିଆଯାଉଥିବା ନେଇ ନୂଆ ଅଭିଯୋଗ ଆସିଛି। ଏପରିକି ଟଙ୍କାର ଲୋଭ ମଧ୍ୟ ଦେଖାଯାଇଥିବା କୁହାଯାଇଛି।

ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତ କହିଛନ୍ତି ଯେ, ଡବ୍ଲୁଏଫ୍‌ଆଇ ସମ୍ପାଦକ ବିନୋଦ ତୋମର ଓ ସଭାପତି ବ୍ରିଜଭୂଷଣଙ୍କ ଦୁଇ ସହଯୋଗୀ ହରିୟାଣା କୁସ୍ତି ସଂଘର ସମ୍ପାଦକ ରାକେଶ ସିଂହ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଥିବା ମହାବୀର ବିଷ୍ଣୋଇ ଆଭିଯୋଗକାରୀଙ୍କୁ ଆନ୍ଦୋଳନରୁ ଉଠିଯିବାକୁ ପ୍ରବର୍ତ୍ତାଇବା ସହ ଅଭିଯୋଗ ଫେରସ୍ତ ନେବାକୁ ଚାପ ପକାଉଛନ୍ତି। ଏପରିକି ଧମକ ଦିଆଯିବାର ପ୍ରମାଣ ମଧ୍ୟ ତାଙ୍କ ପାଖରେ ରହିଥିବା ବଜରଙ୍ଗ କହିଛନ୍ତି। ଖୁବ୍‌ଶୀଘ୍ର ଏହା ଉପରେ ପୁଲିସ୍‌ ନିକଟରେ ଆଉ ଏକ ଏତଲା ଦିଆଯିବ ବୋଲି ବଜରଙ୍ଗ ପୁନିଆ କହିଛନ୍ତି।ଅନ୍ୟପକ୍ଷରେ ଦିଲ୍ଲୀ ‌ପୁଲିସ୍‌ର ପକ୍ଷପାତିତା ସଂପର୍କରେ ବଜରଙ୍ଗ କହିଛନ୍ତି ଯେ, ଯେତେବେଳେ ପ୍ରଥମେ ଦିଲ୍ଲୀ ପୁଲିସ୍‌ ପାଖରେ ଅଭିଯୋଗ କରାଯାଇଥିଲା, ସେତେବେଳେ ସେମାନେ ରାଜନୈତିକ ଚାପରେ ଥିଲେ ଓ ସେଠାରେ ପଇସାର ପ୍ରଭାବ ରହିଥିଲା। ଦିଲ୍ଲୀ ପୁଲିସ୍‌ କେବଳ ଯେ ଏତଲା ରୁଜୁ କଲାନାହିଁ ତାନୁହେଁ ବରଂ ସମସ୍ତ ୭ ଅଭିଯୋଗକାରୀଙ୍କ ନାମକୁ ବ୍ରିଜଭୂଷଣଙ୍କୁ ଜଣାଇଦେଇଥିଲା। ଏହାପରଠୁ ଅଭିଯୋଗ କରିଥିବା ୩ରୁ ୪ ଜଣ ବାଳିକାଙ୍କୁ ବ୍ରିଜଭୂଷଣ ନିୟମିତ ଭାବେ ଭୟଭୀତ କରିବାକୁ ପ୍ରୟାସ କରୁଥିଲେ। ବାହୁବଳୀ ନାମରେ ଜଣାଶୁଣା ଜଣେ ବ୍ୟକ୍ତିଙ୍କଠାରୁ ସେମାନେ ହତ୍ୟା ଧମକ ପାଇଥିଲା ବେଳେ ଅଭିଯୋଗ ଉଠାଇ ନେବାକୁ ସେମାନଙ୍କୁ ଟଙ୍କା ଯଚାଯାଇଥିବା ବଜରଙ୍ଗ ସାମ୍ବାଦିକମାନଙ୍କୁ କହିଛନ୍ତି। ଅଭିଯୋଗ ଫେରାଇ ନେବା ପାଇଁ ବ୍ରିଜଭୂଷଣଙ୍କ ସହ ରାକେଶ ଓ ମହାବୀର ସାମ୍‌, ଦାମ୍‌, ଦଣ୍ଡ, ଭେଦ୍‌ ସବୁକିଛି ଲଗାଇବାକୁ ଚେଷ୍ଟା କରୁଛନ୍ତି। ଏପରିକି ଭ‌ିନେଶଙ୍କ ସ୍ବାମୀ ସୋମବୀର ରାଠିଙ୍କୁ ବାଡ଼ାବାଡି କରିବା ପାଇଁ ମହାବୀର ଧମକ ଦେଇଥିବା ଭିନେଶ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *