ପୁଣି ଗିରଫ ହେବେ ଇମରାନ୍ ଖାନ୍

ନୂଆଦିଲ୍ଲୀ; ଗତ ମଙ୍ଗଳବାର ଇମ୍ରାନଙ୍କୁ ଇସଲାମାବାଦ କୋର୍ଟ ପରିସରରୁ ପାକିସ୍ତାନ ରେଂଜର୍ସଙ୍କ ଦ୍ବାରା ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଧକ୍କା ମାରି ଏକ ଭ୍ୟାନ୍ରେ ବସାଯାଇଥିଲା। ୯୦-୧୦୦ ଜଣ ପାକ୍ ରେଂଜର୍ସ କୋର୍ଟ ପରିସରରେ ପଶି ଇମ୍ରାନଙ୍କୁ ଗିରଫ କରିବା ବିଷୟକୁ ସୁପ୍ରିମ୍କୋର୍ଟ ଗମ୍ଭୀରତାର ସହ ଗ୍ରହଣ କରି ତାଙ୍କ ଗିରଫଦାରିକୁ ବେଆଇନ ଘୋଷଣା କରି ତାଙ୍କୁ ତୁରନ୍ତ ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି କ୍ରମରେ ଇମ୍ରାନ ଆଜି ଇସ୍ଲାମାବାଦ ହାଇକୋର୍ଟରେ ପହଞ୍ଚିଯାଇଛନ୍ତି। ଯେଉଁଠାରେ ତାଙ୍କର ଜାମିନର ଶୁଣାଣି ହେବ। ଏଥିସହିତ ପଞ୍ଜାବ ପୁଲିସ ଇସ୍ଲାମାବାଦ ହାଇକୋର୍ଟ ବାହାରେ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଜଗି ରହିଛି।
ଏହି ଘଟଣାକୁ ନେଇ ପଞ୍ଜାବ ଡିଆଇଜି କହିଛନ୍ତି, ‘ ଇମ୍ରାନ ଖାନ ବିରୋଧରେ ଅତିକମରେ ୧୦ଟି ମାମଲାକୁ ଦୃଷ୍ଟିରେ ରଖାଯାଇ ତାଙ୍କୁ ଗିରଫ କରିବା ପାଇଁ ଆମେ ଏଠାକୁ ଆସିଛୁ। ଆମ ପାଖରେ ଗିରଫଦାରୀ ୱାରେଣ୍ଟି ବି ଅଛି। ଇମ୍ରାନ ଖାନ ବିରୋଧରେ ସମଗ୍ର ଦେଶରେ ପ୍ରାୟ ୧୨୧ ମାମଲା ରୁଜୁ ହୋଇଛି। ଏନେଇ ଇମ୍ରାନ କୋର୍ଟଙ୍କୁ ଅନୁରୋଧ କରିଛନ୍ତି କି, ‘ତାଙ୍କ ବିରୋଧରେ ଯେତିକି ବି ମାମଲା ରୁଜୁ ହୋଇଛି ତାହାର କପି ତାଙ୍କୁ ପ୍ରଦାନ କରାଯାଉ।’
ଇମ୍ରାନଙ୍କୁ ଗିରଫ କରାଯିବା ପରେ ପାକିସ୍ତାନରେ ହିଂସା ପ୍ରଦର୍ଶନ ହୋଇଥିଲା, ଯାହା ଫଳରେ ଏବେ ବି ଅନେକ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ କରାଯିବା ସହିତ ୧୪୪ଧାରା ଜାରି କରାଯାଇଛି।