ଭୁବନେଶ୍ୱରରେ ସ୍ଥାପନ ହେବ ଭାରତର ପ୍ରଥମ ମହିଳା ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ବ୍ଲୁ’
ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭାରତର ପ୍ରଥମ ମହିଳା ଗୋଷ୍ଠୀ ବେତାର କେନ୍ଦ୍ର ‘ରେଡିଓ ବ୍ଲୁ’। ସୁପରିଚିତ ବିକାଶ ଯୋଗାଯୋଗ ସଂସ୍ଥା ‘ଏସିଡିସିଆର’ (ଏସିଆ ସେଣ୍ଟର ଫର ଡେଭଲପମେଣ୍ଟ କମ୍ୟୁନିକେସନ ଆଣ୍ଡ ରିସର୍ଚ୍ଚ)କୁ ଏହି କମ୍ୟୁନିଟୀ ରେଡିଓ ସ୍ଥାପନ ପାଇଁ ଭାରତ ସରକାରଙ୍କ ଦୂରସଞ୍ଚାର ମନ୍ତ୍ରଣାଳୟରୁ ଲାଇସେନ୍ସ ମିଳିଛି।
ରେଡିଓ ବ୍ଲୁ ଦେଶର ଏକମାତ୍ର କମ୍ୟୁନିଟୀ ରେଡିଓ ହେବ , ଯାହା କେବଳ ମହିଳା ମାନଙ୍କ ନେତୃତ୍ବ ଓ ଭାଗିଦାରୀରେ ଚାଲିବ । ଏହା ଦ୍ୱାରା ମହିଳାମାନଙ୍କ ସ୍ୱରକୁ ସକ୍ରିୟ ରଖିବାରେ ଏକ ନୂଆ ଦୃଷ୍ଟିକୋଣ ଆସିବା ସହିତ ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ନବଦିଗନ୍ତ ସୃଷ୍ଟି ହେବ । ଏହି ବେତାର କେନ୍ଦ୍ର ଭୁବନେଶ୍ୱର ସହର ଏବଂ ପାର୍ଶ୍ଵବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକୁ ଶୁଣାଯିବା ସହ ଏହି ଅଞ୍ଚଳର ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବ ।
ଭାରତରେ ବର୍ତ୍ତମାନ ୫୨୦ ରୁ ଅଧିକ କମ୍ୟୁନିଟୀ ରେଡିଓ ପ୍ରସାରଣ କରୁଥିବା ବେଳେ, ଓଡ଼ିଶାରେ ୪୨ ଟି ଚାଲୁ ଅଛି। ଓଡ଼ିଶାର କମ୍ୟୁନିଟୀ ରେଡିଓ ଗୁଡିକ ଦେଶ ଓ ବିଦେଶରେ ପ୍ରଭାବୀ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ନିମନ୍ତେ ଖୁବ ପରିଚିତି ଲାଭ କରିଛି । ପ୍ରତିବର୍ଷ ଓଡ଼ିଶାର କମ୍ୟୁନିଟୀ ରେଡିଓ ଗୁଡିକ ବିଭିନ୍ନ ବର୍ଗରେ ଜାତୀୟ କମ୍ୟୁନିଟୀ ରେଡିଓ ପୁରସ୍କାର ପାଉଛନ୍ତି ।
ଓଡ଼ିଶାର ପ୍ରତି ବ୍ଲକରେ କମ୍ୟୁନିଟୀ ରେଡିଓ ସ୍ଥାପନ କରାଇବା ଲକ୍ଷ୍ୟରେ ଏଠାରେ ମିଶନସି.ଆର.୩୧୪ ଅଭିଯାନ ଚାଲୁରହିଥିବାବେଳେ ଖୁବ ଶୀଘ୍ର କୋଣାର୍କ ଠାରେ ଏସିଆ ସେଣ୍ଟର ଫର କମ୍ୟୁନିଟୀ ମିଡ଼ିଆ ଆରମ୍ଭ ହେବାକୁ ଯାଉଛି । ଆଗାମୀ ଦିନରେ ଓଡ଼ିଶା ଏସିଆ ମହାଦେଶର କମ୍ୟୁନିଟୀ ମିଡ଼ିଆ ହବ ହେବାକୁ ଯାଉଛି । ରେଡିଓ ବ୍ଲୁ ପରି ଏକ ଅଭିନବ ପ୍ରୟାସ ସମ୍ପର୍କରେ ସୂଚନା ଦେଇ ଏହାର ନିର୍ଦ୍ଦେଶିକା ଏସ୍. କାଜଲ କୁହନ୍ତି, ‘ରେଡିଓ ବ୍ଲୁ ଏହି ଅଞ୍ଚଳର ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେବା ସହ ଆମର ସମସ୍ତ କର୍ମକର୍ତ୍ତା ମହିଳା ହିଁ ହେବେ । ରେଡିଓ ବ୍ଲୁ ମହିଳା ମାନଙ୍କର ଦୈନନ୍ଦିନ ଜୀବନରେ ସୁଖଦୁଃଖର ସାଥୀ ହେବା ସହ ସେମାନଙ୍କର ବାର୍ତ୍ତାବହ ହେବ ।