ଶ୍ରୀକାନ୍ତ ଜେନାଙ୍କ ଓବିସି ଥୋପ ଗିଳୁଛି କଂଗ୍ରେସ, ଜାତି ଜନଗଣନା ସପକ୍ଷରେ ଖଡ଼ଗେ ଓ ରାହୁଲ

ଭୁବନେଶ୍ୱର,୧୮/୪(ବ୍ୟୁରୋ): ଓଡ଼ିଶାରେ ଅଧାରୁ ଅଧିକ ପଛୁଆବର୍ଗ। ପ୍ରାୟ 40 ପ୍ରତିଶତ ଲୋକ ଆଦିବାସୀ ଏବଂ ଅନୁସୂଚିତ ଜାତି ବର୍ଗର। ତେଣୁ କଂଗ୍ରେସ ନିଜର ମୁଖ୍ଯମନ୍ତ୍ରୀ ପ୍ରାର୍ଥୀ ଉପରୋକ୍ତ 3ଟି ବର୍ଗ ମଧ୍ୟରୁ ଜଣଙ୍କୁ କରୁ। ସେହିପରି ଅନ୍ଯ 2ଟି ବର୍ଗରୁ ଜଣେ ଲେଖାଏଁ ଉପମୁଖ୍ଯମନ୍ତ୍ରୀ କରୁ। ଏହା ଦଳକୁ ବିରାଟ ବର୍ଗ ସହ ରାଜନୈତିକ ଭାବେ ଯୋଡ଼ି ପାରିବ। 1989 ପରଠାରୁ କଂଗ୍ରେସ ଅନୁସୂଚିତ ଜାତି ଏବଂ ପଛୁଆବର୍ଗର ଭୋଟ ହରାଇସାରିଛି। ଛତିଶଗଡ଼, ରାଜସ୍ଥାନରେ ଥିବା 2 ମୁଖ୍ୟମନ୍ତ୍ରୀ ଓବିସି। କର୍ନାଟକରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ସିଦ୍ଧରମୟା ମଧ୍ୟ ଓବିସି। ତେଣୁ କଂଗ୍ରେସ ନିଜ ଓଡ଼ିଶା ଇସ୍ତାହାରରେ ଏହାକୁ ସ୍ଥାନ ଦେଉ ବୋଲି ପର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରସ୍ତାବ ରଖିଥିଲେ। ହେଲେ ଏହାକୁ ପିସିସି, ଏଆଇସିସି ଏବଂ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ। ବରଂ ବିଶୃଙ୍ଖଳା ଅଭିଯୋଗ କରି ଶ୍ରୀ ଜେନାକୁ ଦଳରୁ ବିଦା କରି ଦିଆଯାଇଥିଲା। ଇତି ମଧ୍ୟରେ କରୋନାର 3ଟି ପର୍ଯ୍ୟାୟ ସରିଯାଇଛି। ଗଙ୍ଗା, ଗୋଦାବରୀ, କାବେରୀ, ମହାନଦୀ ଏବଂ ବୈତରଣୀରେ ଅନେକ ପାଣି ବୋହି ଗଲାଣି।

ଦୁଇଦିନ ପୂର୍ବରୁ ରାହୁଲ ଗାନ୍ଧୀ କର୍ନାଟକ ଗସ୍ତ କରିବା ସହ ଜାତିଭିତ୍ତିକ ଜନଗଣନା , ଓବିସିଙ୍କୁ ସାମାଜିକ ନ୍ଯାୟ ସମ୍ପର୍କରେ ମତ ଦେଇଥିଲେ। ସେ କହିଥିଲେ ଯେ, ମୋଦି ଓବିସିଙ୍କ ପରିସଂଖ୍ୟନ ସରକାରୀ ଭାବେ ସାର୍ବଜନୀନ କରନ୍ତୁ। ଯଦି ଏପରି କରାଯାଇପାରୁନାହିଁ, ତେବେ ଏହା ପଛୁଆବର୍ଗ ପ୍ରତି ଅନ୍ଯାୟ। ଓବିସିଙ୍କ କଥା କହୁଥିବା ପିଏମ୍ ଜଣାରଖନ୍ତୁ, କେନ୍ଦ୍ରରେ ସଚିବ ପାହ୍ଯାରେ ମାତ୍ର 7 ପ୍ରତିଶତ ପଛୁଆବର୍ଗ, ଆଦିବାସୀ ଏବଂ ଅନୁସୂଚିତ ଜାତି ବର୍ଗର ବୋଲି ଶ୍ରୀ ଗାନ୍ଧୀ କହିଥିଲେ। ସ୍ୱାଧିନତା ପରେ କଂଗ୍ରେସକୁ ପ୍ରାୟ ସବୁ ବର୍ଗର ଭୋଟ ମିଳିଥିଲା। ହେଲେ ଜନତା ଦଳ, ବିଏସପିର ଅଭ୍ଯୁଦୟ କଂଗ୍ରେସ ଠାରୁ ଓବିସି ଏବଂ ଅନୁସୂଚିତ ବର୍ଗର ଏକ ବିରାଟ ଭୋଟ ପ୍ରତିଶତକ ଛଡାଇ ନେଲା। ସେହିପରି ରାମ ମନ୍ଦିର ଆନ୍ଦୋଳନ ପରେ ଅପେକ୍ଷାକୃତ ସଂଖ୍ୟାଲଘୁ ବ୍ରାହ୍ମଣ, କାୟସ୍ଥ(କରଣ), ଠାକୁର ଏବଂ ବଣିଆ ମାନେ ବିଜେପି ସପକ୍ଷରେ ଭୋଟ ଦେଲେ। ଜନତାଦଳର ବିଭାଜନ ପରେ ଏସପି, ଆରଜେଡି ଗନ ହେଲା।ଯାଦବ ଭୋଟ ଏସପି ଓ ଆରଜେଡି ପାଖରେ ରହିଲା। ଅନୁସୂଚିତ ଜାତି ବର୍ଗର ଭୋଟ ବିଏସପି, ଲୋଜପା, ହାମ୍, ଆରଏସପି ନିକଟରେ ରହିଥିଲା। ଧାର୍ମିକ ଧ୍ରୁବିକରଣ ବିଜେପିକୁ ବ୍ରାହ୍ମଣ, କାୟସ୍ଥ, ଠାକୁର ଏବଂ ବଣିଆ ବର୍ଗର ଭୋଟ ଦେଲା। ତେଣୁ ବିଜେପି 2014ରେ ଅଣ ଯାଦବ ଓବିସି ଏବଂ ଅଣ ଜାଟବ ଅନୁସୂଚିତ ଜାତି ଭୋଟର ଧ୍ରୁବିକରଣ କରି ୟୁପି ଜିତିବାକୁ ସକ୍ଷମ ହେଲା। 2021 କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳରେ 27 ଓବିସି ମନ୍ତ୍ରୀ ସାମିଲ ହେବା ନେଇ ପିଏମଓରୁ ବିଜ୍ଞପ୍ତି ଜାରି କରାଗଲା। ତେଣୁ ଓବିସି ବର୍ଗର ଭୋଟ ଯଦି ବିରୋଧିଙ୍କୁ ଚାଲିଆସେ, ତେବେ ବିଜେପିର ଲୋକସଭା ଆସନର 80ରୁ 100 ହ୍ରାସ ପାଇବା ଅସ୍ୱାଭାବିକ ନୁହେଁ। ତେଣୁ କେନ୍ଦ୍ର ଜାତିଭିତ୍ତିକ ଜନଗଣନା ଦୂରର କଥା, ଜନଗଣନା କରୁନାହିଁ। ଯଦି ଏପରି ହୁଏ, ତେବେ ପଛୁଆବର୍ଗର ପ୍ରକୃତ ପରିସଂଖ୍ୟନ ଆସିବ। ତେବେ ସାମାଜିକ, ଅର୍ଥନୈତିକ ଦାବି ଜୋର ଧରିବ। ଏହା ପରୋକ୍ଷରେ ସାମ୍ପ୍ରଦାୟିକ ଧ୍ରୁବୀକରଣକୁ ରୋକିବ, ତେଣୁ ବିଜେପି ଏବଂ ରାଷ୍ଚ୍ରୀୟ ସ୍ୱୟଂ ସେବକ ସଂଘ ଜନଗଣନା ଓ ଜାତି ଜନଗଣନା ସପକ୍ଷରେ ନାହିଁ।

ଓଡ଼ିଶା ପରିପ୍ରେକ୍ଷୀରେ କଂଗ୍ରେସ ଓବିସି ପ୍ରସଙ୍ଗରେ ନିଜକୁ ଏଯାବତ୍ ଦୂରେଇ ରଖିଛି। ବିଜେଡି ଶାସିତ ସରକାର ମେ ପହିଲାରୁ ସର୍ଭେକ୍ଷଣ କରିବାକୁ ଯାଉଛନ୍ତି। ହେଲେ ଓବିସିଙ୍କୁ 27 ପ୍ରତିଶତ ସଂରକ୍ଷଣ ଦାବି ସୁନିଶ୍ଚିତ କରିବାକୁ ବିଜେପି ଦାବି କରୁଛି। ରାଜ୍ୟ ବିଜେପି ଯାହା କରୁଛି, ତାହା ଠିକ୍ ଓଲା କେନ୍ଦ୍ର ସରକାର ଆଭିମୁଖ୍ୟ ପୋଷଣ କରିଛନ୍ତି। ବିଜେଡି ସର୍ଭେକ୍ଷଣର ରୂପରେଖ, ସମୟସୀମାକୁ ନେଇ ଖୋଦ୍ ଦଳର ଓବିସି ନେତାମାନେ ଅଜ୍ଞ ଅଛନ୍ତି। ତେଣୁ ଏହି ପ୍ରସଙ୍ଗ ଜାତୀୟସ୍ତରରେ ଧାର ଧରିବା ବେଳେ ରାଜ୍ଯର 3 ଦଳ ଅଡୁଆ ପରିସ୍ଥିତିରେ ପଡିବା ସୁନିଶ୍ଚିତ ହୋଇଯାଇଛି। କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏବଂ ବିଧାୟକ ଦଳ ନେତା ନରସିଂହ ମିଶ୍ର ଉଚ୍ଚ ବର୍ଗର। ସେହିପରି ଜନତା ଦଳ ସରକାରରେ ନରସିଂହ ମିଶ୍ର ଓବିସିଙ୍କୁ ସାମାଜିକ ନ୍ଯାୟ ପ୍ରଦାନ ସମ୍ପର୍କିତ ମଣ୍ଡଳ କମିଶନକୁ ବିରୋଧ କରିଥିଲେ। ବିଜୁ ପଟ୍ଟନାୟକ, ଶ୍ରୀ ମିଶ୍ର ଏବଂ ବିଜୟ ମହାପାତ୍ର ପ୍ରମୁଖ ମଣ୍ଡଳ କମିଶନ ବିପକ୍ଷରେ ରହିଥିଲେ। ତେଣୁ ବିଜେଡି (ପୂର୍ବ ଜନତା ଦଳ)ଓ କଂଗ୍ରେସକୁ ନବେ ଦଶକରେ ମଣ୍ଡଳ କମିଶନ ବିରୋଧୀ ଭୂତ ନିଶ୍ଚୟ ଗୋଡାଇବ। ମାତ୍ର ମଣ୍ଡଳ କମିସନକୁ ବିରୋଧ କରି ଭି.ପି ସିଂଙ୍କ ସରକାର ଛାଡିଥିବା ବିଜେପି ଓଡ଼ିଶାରେ ଓବିସି ବର୍ଗର ନେତାଙ୍କୁ ରାଜ୍ଯ ସଭାପତି, ବିରୋଧି ମୁଖ୍ୟ ସଚେତକ ପଦ ପ୍ରଦାନ କରିଛି। ପୂର୍ବରୁ ଅନୁସୂଚିତ ଜାତି ବର୍ଗର ପ୍ରଦୀପ୍ତ ନାଏକଙ୍କୁ ବିରୋଧି ଦଳ ନେତା କରିଥିଲା। ତାଙ୍କ ଅସୁସ୍ଥତା କାରଣରୁ ତାଙ୍କୁ ଅବ୍ଯାହତି ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓବିସି ବର୍ଗର। ତେଣୁ ବିଜେପି ସାମାନ୍ଯ ଉତ୍ତମ ସ୍ଥିତିରେ ରହୁଛି। ଆଗାମୀ ଦିନରେ ଓବିସି ପ୍ରସଙ୍ଗରେ ରାଜନୈତିକ ପାଣିପାଗ କିପରି ସରଗରମ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।
ଯେଉଁ କଥାକୁ ବିରୋଧ କରି ଶ୍ରୀକାନ୍ତ କଂଗ୍ରେସରୁ ବିଦା ହୋଇଥିଲେ, ସେହି କଥା ଏବେ ରାହୁଲ କର୍ନାଟକରେ କହୁଛନ୍ତି। ତେଣୁ ଏହା କଂଗ୍ରେସ ପାଇଁ ଛେପ ଢୋକିବା ଭଳି କଥା ହେବ। ଯଦି ଏହି ପ୍ରସଙ୍ଗରୁ କଂଗ୍ରେସ ଦୂରେଇବ, ତେବେ ୟୁପି, ବିହାର, ତାମିଲନାଡୁ ଅବସ୍ଥା ହେବା ବେଶୀଦୂର ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ଦୁଇଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖ଼ଡଗେ ମଧ୍ୟ ଓବିସି ଜନଗଣନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତେଣୁ ଓବିସି ପ୍ରସଙ୍ଗ ରାଜ୍ଯ ରାଜନୀତିରେ ଆଗକୁ ଆହୁରି ବିତର୍କିତ ହେବ ବୋଲି ରାଜନୈତିକ ପଣ୍ଡିତ ମାନେ ପୂର୍ବାନୁମାନ କରିଛନ୍ତି

Leave a Reply

Your email address will not be published. Required fields are marked *