ବିହାର ରାଜନୀତି ପୁଷ୍କରିଣୀର କେଉଁ ମାଛ ଧରିବାକୁ ରାହୁଲ ଡେଇଁଲେ
ପାଟନା:(ଅବିନାଶମହାପାତ୍ର)- ପାଣି ଓ ପବନର ଦିଗକୁ ଯିଏ ଯେତେ ଶୀଘ୍ର ମାପିପାରିବ ପାଗକୁ ସେ ସେତେ ଭଲଭାବେ ଆକଳନ କରିପାରିବ । ରାଜନୀତିରେ ଏଇ ସମାନ କଥା ବି ପ୍ରଯୁଜ୍ୟ। ଭୋଟରଙ୍କ ମୁଡକୁ ଠିକ୍ ସମୟରେ ମାପିପାରିଲେ ଲୋକେ ଆପଣଙ୍କ ସହିତ ରହିବେ ହିଁ ରହିବେ। ବିଶେଷକରି, ସ୍ବିଙ୍ଗ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରସଙ୍ଗ, ଅର୍ଥ କିମ୍ବା ପ୍ରାର୍ଥୀଙ୍କ ଅପେକ୍ଷା ନେତାଙ୍କ କିଛି କାମ ଅନେକ ସମୟରେ ଗୁରୁତ୍ବ ବହନ କରେ। ରାହୁଲ ଗାନ୍ଧିଙ୍କର ସାଧାରଣ ଲୋକଙ୍କ ପ୍ରତି ବ୍ୟବହାର ଭିନ୍ନ ଭିନ୍ନ ସମୟରେ ଚର୍ଚ୍ଚାରେ ରହିଛି। ଭୋଟରଙ୍କୁ ସେ ପରିବାର କହୁଥିବା ବେଳେ ମହବ୍ବତ କି ଦୁକାନର ବକ୍ତବ୍ୟ ଚର୍ଚ୍ଚାରେ ଥିଲା। ଘୃଣା ଛାଡ଼ ଦେଶ ଯୋଡ଼ର ଯାତ୍ରାରେ ରାହୁଲଙ୍କୁ ଅଧିକ ଜନ ସମର୍ଥନ ମିଳିଥିଲା। ଲୋକଙ୍କ ମତ, ତାଙ୍କ ବାପା ଓ ଜେଜେମା ପ୍ରଧାନମନ୍ତ୍ରୀ ଥିବା ସତ୍ବେ ତାଙ୍କର ଉଦାର ବ୍ୟବହାର ତାଙ୍କୁ ଭିନ୍ନତା ଦେଇଛି। କିଛି ସାଧାରଣ କାମ କଲେ ବି ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି। ବିହାର ନିର୍ବାଚନରେ ପ୍ରଚାର ପାଇଁ ବେଗୁସରାଇ ଯାଇଥିବା ବେଳେ ତାଙ୍କର ସେଭଳି କିଛି କାମ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଣ୍ଟିଛି। ୨ ନଭେମ୍ବରରେ ରାହୁଲଙ୍କ ବିହାର ଗସ୍ତ ଏଥର ପ୍ରଚାରର ଅନ୍ୟତମ ସର୍ବଶ୍ରେଷ୍ଠ ଭିଜୁଆଲ୍ ବୋଲି କହିପାରିବା। ମିଲିୟନ୍ ମିଲିୟନ୍ ଲୋକ ଏହାକୁ ଦେଖିବା ସହ ବାହାବା କରୁଛନ୍ତି। ପୂର୍ବରୁ ଭାରତ ଜୋଡ଼ ଯାତ୍ରା କିମ୍ବା ନ୍ୟାୟ ଅଧିକାର ଯାତ୍ରା ସମୟରେ ମଧ୍ୟ ଏଭଳି ଦୃଶ୍ୟ ସାମ୍ନାକୁ ଆସୁଥିଲା। ଏହାକୁ ନେଇ ସେ ବିରୋଧୀଙ୍କ ଦ୍ବାରା ଅନେକ ସମାଲୋଚିତ ମଧ୍ୟ ହୋଇଛନ୍ତି। କିଏ ତାଙ୍କୁ ପପ୍ପୁ କହିଛି ତ ଆଉ କିଏ କହିଛି ପଲିଟିକାଲ୍ ଷ୍ଟଣ୍ଟ ମାଷ୍ଟର। କିନ୍ତୁ, ରାହୁଲ ସେ ସବୁକୁ ନେଇ ବିଚଳିତ ନୁହନ୍ତି। ସେ ତାଙ୍କ କାମ କରିଚାଲିଛନ୍ତି। ପୂର୍ବରୁ ଟ୍ରକ୍ ଚଳାଇବା ହେଉ କିମ୍ବା ବୁଲେଟରେ ଲଦାଖ ଯାତ୍ରା।
ବିହାର ଯାତ୍ରା ବେଳେ ବେଗୁସରାଇରେ ପୋଖରୀରେ ଗାଧୋଇବା ଓ ମାଛ ଧରିବା ଘଟଣା ରାହୁଲ ଗାନ୍ଧିଙ୍କୁ ଖୁବ୍ ଚର୍ଚ୍ଚା ଦେଇଛି। କାରଣ ବିହାରରେ ପାଖାପାଖି ୧ କୋଟି ୨୦ ଲକ୍ଷ ଲୋକ ମତ୍ସ୍ୟଜୀବୀ ସଂପ୍ରଦାୟରୁ ଅଛନ୍ତି। ଏ ନେଇ ଏକ ବିସ୍ତୃତ ତଥ୍ୟ ମୁଁ ରଖିବି। ସମସ୍ତେ କହୁଛନ୍ତି ରାହୁଲ ଗାନ୍ଧି ଗୋଟିଏ ଷ୍ଟଣ୍ଟ କଲେ କିନ୍ତୁ ଏହାର ପ୍ରଭାବ କଣ ପଡ଼ିବ ? ଲୋକେ କଣ କଂଗ୍ରେସକୁ ବା ଭିଆଇପିକୁ ଭୋଟ୍ ଦେବେ କି ? ହଁ, ଭିଆଇପି ଗୋଟିଏ ଦଳ ଯିଏ ପୂର୍ବରୁ ଏନଡିଏ ସହ ରହିଥିଲା ଏବଂ ୫ ବିଧାୟକ ଏହାର ଥିଲେ। ଏବେ ଭିଆଇପି ମହାଗଠବନ୍ଧନ ସହ ମେଣ୍ଟ କରିଛି। ମୁକେଶ ସାହାନୀଙ୍କୁ ମହାଘଠବନ୍ଧନ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ପଛରେ ମଧ୍ୟ ଏ ସଂପ୍ରଦାୟର ବଡ଼ ସମର୍ଥନ ହାସଲ କରିବା ଲକ୍ଷ୍ୟ ରହିଛି। ମତ୍ସ୍ୟଜୀବୀ ସମ୍ପ୍ରଦାୟର ଭୂମିକା ବିହାରର ରାଜନୀତିର ଜାତି ଗଣିତରେ ପ୍ରମୁଖ ରହିଆସିଛି। ମଲ୍ଲାହ ଓ ନିଶାଦ ଉପଜାତିର ମତ୍ସ୍ୟଜୀବୀ ସମ୍ପ୍ରଦାୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱିଙ୍ଗ ବ୍ଲକ୍ ଭାବେ ଜଣାଶୁଣା। ଆଉ ଦିନକ ପରେ ଭୋଟ୍। ଏବେ ମୂଳ କଥାକୁ ଆସିବା। ଗଙ୍ଗା ଓ ଉପନଦୀ କୂଳରେ ବାସ କରୁଥିବା ଏହି ସମ୍ପ୍ରଦାୟ ଅର୍ଥନୈତିକ ଅସୁବିଧା ଓ ବନ୍ୟା ସହ ସବୁବେଳେ ଲଢନ୍ତି। ବିହାର ବିଧାନସଭାରେ ମତ୍ସ୍ୟଜୀବୀ ସଂପ୍ରଦାୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ସଂରକ୍ଷିତ ଆସନ ନାହିଁ। ୨୪୩ଟି ଆସନ ମଧ୍ୟରେ ଏମାନେ କିନ୍ତୁ କିଛି ଅଞ୍ଚଳରେ ପ୍ରଭାବ ବିସ୍ତାର କରନ୍ତି। ସେ ଆସନ ଓ ଜିଲ୍ଲା ଗୁଡିକ ହେଲା ବେଗୁସରାଏ, ଖଗଡ଼ିଆ, ଭାଗଲପୁର, ଦରଭଙ୍ଗା ଓ ସମସ୍ତୀପୁର। ୨୦୨୩ ଜାତି ସର୍ଭେ ଅନୁଯାୟୀ, ନିଶାଦ ଗୋଷ୍ଠୀ ୟେଉଁମାନଙ୍କ ମଧ୍ୟରେ ଅଛନ୍ତି ମଲ୍ଲାହ, ସାହାନୀ, ବିନ୍ଦ, ନୋନିଆ, ବେଲଦାର ରାଜ୍ୟର ୧୩.୦୭ କୋଟି ଜନସଂଖ୍ୟାର ୯.୬ ପ୍ରତିଶତ ଅର୍ଥାତ୍ ୧.୨୫ କୋଟି ଲୋକ । ମୂଳ ମଲ୍ଲାହ ୨.୬% ବା ୩୪ ଲକ୍ଷ। ଏହି ସମ୍ପ୍ରଦାୟ ୨୦ରୁ ୨୫ଟି ଆସନରେ ୧୦ରୁ ୨୦ ପ୍ରତିଶତ ମତଦାନ ନିୟନ୍ତ୍ରଣ କରିବାର କ୍ଷମତା ରଖିଛି। ସେହିପରି ବଚ୍ୱାଡ଼ା, ତେଘ୍ରା, ଗୌରା ବୌରମ ଆଦି ଆସନରେ ଏମାନେ ନିର୍ଣ୍ଣାୟକ ଭୂମିକା ନେଇଥାନ୍ତି ।
୩୦ରୁ ୪୦ଟି ଆସନରେ ଏହି ବ୍ଲକର ପ୍ରଭାବ ରହିଛି। ନଦୀକୂଳ ଅଞ୍ଚଳରେ ମତଦାନ ହାର ୬୫%ରୁ ଅଧିକ ରହିଥାଏ। ୨୦୨୦ରେ ଏନଡିଏ ୭୦% ମଲ୍ଲାହ ଭୋଟ୍ ପାଇଥିଲା। କିନ୍ତୁ ତିନିମାସିଆ ମାଛ ଧରା ନିଷେଧ, ବନ୍ୟା କ୍ଷତିପୂରଣ ଅଭାବ ଓ ନୌକା ଋଣ ଅନୁପଲବ୍ଧି ଅସନ୍ତୋଷ ସୃଷ୍ଟି କରିଛି। ୨୦୨୪ ମତ୍ସ୍ୟ ବିଭାଗ ରିପୋର୍ଟ ଅନୁଯାୟୀ, ୭୦% ମତ୍ସ୍ୟଜୀବୀ ମାସିକ ₹୧୦,୦୦୦ରୁ କମ୍ ରୋଜଗାର କରନ୍ତି। ବର୍ତ୍ତମାନ ସର୍ଭେରେ ମହାଗଠବନ୍ଧନକୁ ୫୫-୪୫ ସମର୍ଥନ ଦେଖାଦେଇଛି। ଏଇଠି ମନେରଖିବାକୁ ହେବ ଯେ, ୨୦୨୦ରେ ୧୦୦ରୁ ଅଧିକ ଆସନ ଏଭଳି ଥିଲା ଯେଉଁଠି ୩ରୁ ୪୦୦୦ ଥିଲା ଭୋଟ୍ ମାର୍ଜିନ୍। ଅର୍ଥାତ୍ ୫ରୁ ୬ଟି ବୁଥର ମତ ମଧ୍ୟ ଏଥର ବଦଳାଇଦେଇପାରେ ଆସନର ଅଙ୍କ।
ତେଣୁ ୫ ପ୍ରତିଶତ ମତ ସ୍ୱିଙ୍ଗ ହେଲେ, ୧୫ରୁ୨୦ଟି ଆସନ ବଦଳାଇଦେଇପାରେ। ମହାଗଠବନ୍ଧନର ଡିସିଏମ୍ ପ୍ରାର୍ଥୀ ଓ ଭିଆଇପି ନେତାଙ୍କ ପ୍ରଭାବ ରହିଛି। ମୁକେଶ ସାହାନୀ ହେଉଛନ୍ତି ଭିଆଇପିର ମୁଖ୍ୟ ଓ ‘ମଲ୍ଲାହର ପୁଅ’ ଭାବେ ଜଣାଶୁଣା। ଦରଭଙ୍ଗାର ସାହାନୀ ୨୦ ଉପଜାତିର ନୌକାବାଡ଼ ଓ ମତ୍ସ୍ୟଜୀବୀଙ୍କୁ ଏକଜୁଟ୍ କରନ୍ତି। ୨୦୨୦ରେ ଏନଡିଏ ସହ ଥାଇ ୪ଟି ଆସନ ଜିତିଥିଲେ। ବର୍ତ୍ତମାନ ମହାଗଠବନ୍ଧନରେ ୧୮ଟି ଆସନ ପାଇଛନ୍ତି। ପ୍ରତିଶ୍ରୁତି ଦେଇଛନ୍ତି, ମତ୍ସ୍ୟ ବୀମା ୫,୦୦୦ଟଙ୍କା କରିବା, କାମ ନକରୁଥିବା ବେଳେ ୩ ମାସିଆ ସହାୟତା, ପୋଖରୀ ପୁନରୁଦ୍ଧାର, ବ୍ଲକ୍ ସ୍ତରୀୟ ମାଛ ବଜାର ସ୍ଥାପନ କରିବା। ବେଗୁସରାଏ ସଭାରେ ହଜାର ହଜାର ମହିଳା ଯୋଗ ଦେଇଥିଲେ।
ସାହାନୀଙ୍କ ଅସ୍ଥିର ଇତିହାସ ସତ୍ତ୍ୱେ, ଉତ୍ତର ବିହାରର ୫୦ଟି ଆସନରେ ୩ରୁ ୪ ପ୍ରତିଶତ ମତକୁ ସେ ଏପଟ ସେପଟ୍ କରିବାର କ୍ଷମତା ରଖିଛନ୍ତି। ରାହୁଲ ଗାନ୍ଧୀଙ୍କ ଯାତ୍ରାର ପ୍ରଭାବ କଣ ତାହା ସ୍ଥାନୀୟ ଲୋକେ କହୁଛନ୍ତି। ବେଗୁସରାଏରେ ମୁକେଶ ଓ କହ୍ନେୟାଙ୍କ ସହ ସେ ପୋଖରୀରେ ମାଛ ଧରିଥିଲେ। କହିଥିଲେ “ମୁଁ ମତ୍ସ୍ୟଜୀବୀଙ୍କ ସହ ଅଛି”। ବିଜେପି ଏହାକୁ ‘ନାଟକ’ କହିଥିଲା, କିନ୍ତୁ ଯୁବ ମଲ୍ଲାହଙ୍କ ମଧ୍ୟରେ ୨୦ରୁ ୩୦% ଉତ୍ସାହ ବଢ଼ିଥିବା ସମସ୍ତେ କହୁଛନ୍ତି । ବେଗୁସରାଏର ୪ଟି ଆସନରେ ୧୦% ଅତିରିକ୍ତ ମତ ମିଳିପାରେ। ମୋଟ୍ ଉପରେ କହିଲେ, ମତ୍ସ୍ୟଜୀବୀ ସଂପ୍ରଦାୟ ୯ରୁ ୧୦% ମତ ପରିବର୍ତ୍ତନ କରିପାରିଲେ ଉତ୍ତର ବିହାରର ୪୦ଟି ଆସନରେ ଅଙ୍କ ଭୂଲ ହୋଇଯାଇପାରେ। ସାହାନୀ ଓ ରାହୁଲଙ୍କ ପଦକ୍ଷେପ ମହାଗଠବନ୍ଧନକୁ ଶକ୍ତି ଦେଉଛି କାରଣ ବିହାରର ନଦୀ ଓ ରାଜନୀତି ଗଭୀର ଖୁବ ଗଭୀର।…
#BiharPolitics #JDU #RJD #BJP4IND #INC #RahulGandhi #biharelection2025
