ପୁଣି ସିବିଆଇକୁ ତଦନ୍ତ ଭାର

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଏଥି ପାଇଁ ଦାୟୀ ତାହାର ତଦନ୍ତ ସଠିକ ଭାବେ କରିବାକୁ ରେଲୱେ ବୋର୍ଡ ପକ୍ଷରୁ କୁହାଯାଇଥିଲା। ଯାହା ପରେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।ସେହିପରି ଆଜକୁ 13 ବର୍ଷ ତଳେ ୨୦୧୦ରେ ମନମୋହନ ସିଂହ ସରକାରରେ ମମତା ବାନାର୍ଜୀ ରେଳ ମନ୍ତ୍ରୀ ଥିବାବେଳେ ପଶ୍ଚିମବଙ୍ଗରେ ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଦୁର୍ଘଟଣା ଘଟିଥିଲା। ରେଳ ଟ୍ରାକରୁ ଫିସପ୍ଲେଟ କାଢ଼ିନେବାରୁ ଦୁର୍ଘଟଣା ଘଟି ୧୪୮ ଲୋକଙ୍କ ମୃତ୍ୟୁ ଘଟିଥିଲା। ରାଜ୍ୟର ବାମପନ୍ଥୀ ସରକାର ପ୍ରଥମେ ସିବିଆଇ ତଦନ୍ତ ଚାଁହୁନଥିଲେ ବି ରେଳ ମନ୍ତ୍ରୀ ମମତା ବାନାର୍ଜୀ ଦାବି କରିବାରୁ କେନ୍ଦ୍ର ସରକାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ସିବିଆଇ ତଦନ୍ତରେ ଏସପି ଭାବେ ତଦନ୍ତ କରିଥିଲେ ୧୯୯୬-ବ୍ୟାଚ ଆଇପିଏସ ଅରୁଣ ବୋଥ୍ରା। ସେତେବେଳେ ସେ କୋଲକାତାରେ ସିବିଆଇ ଏସପି ଭାବେ କାମ କରୁଥିଲେ। ଏବେ ଓଡ଼ିଶା କ୍ରାଇମବ୍ରାଞ୍ଚ ଏଡିଜିପି ଭାବେ କାର୍ଯ୍ୟରତ। ପଶ୍ଚିମବଙ୍ଗ କ୍ରାଇମବ୍ରାଞ୍ଚ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲେ ବି ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲା। ସିବିଆଇ ପ୍ରାୟ ୬ ମାସ ଭିତରେ ୧୦୩-ପୃଷ୍ଠାର ଚାର୍ଜସିଟ ଦେଇଥିଲା। ୨୩ ଜଣ ଅଭିଯୁକ୍ତଙ୍କ ଭିତରୁ ୧୭ଜଣଙ୍କୁ ଗିରଫ କରିଥିଲା।୧୩ ବର୍ଷ ପରେ ୨୦୨୩ ମାର୍ଚ୍ଚ ୧ ତାରିଖରେ ଏମାନଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ମନୋଜ ମାହାତୋ ସହ ୧୧ଜଣଙ୍କୁ ବେଲ ଦେଇଥିଲେ କଲିକତା ହାଇକୋର୍ଟ। ଏ ପର୍ଯ୍ୟନ୍ତ ସିବିଆଇର ତଦନ୍ତ ନ ସରିବା ଓ ବିଚାର ପ୍ରକ୍ରିୟା ଶେଷ ହୋଇ ନ ଥିବାରୁ ବିରକ୍ତ ହୋଇଥିଲେ। ଏ ଲୋକମାନଙ୍କର ବି ମାନବାଧିକାର ରହିଛି ବୋଲି ଟିପ୍ପଣୀ ଦେଇଥିଲେ। ତେବେ ପୁଣି ଆଉ ବଡ଼ ଦିର୍ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଦେଖିବାର କଥା ରହିଲା ଏ ତଦନ୍ତରେ ସିବିଆଇକୁ କେତେ ସଫଳ ମିଳୁଛି ।