ତାପକୁ କମ କରିଛି ବର୍ଷା ,ଅନୁଭବ ହେଉଛି ସାମାନ୍ୟ ଆଶ୍ବସ୍ତି

ଭୁବନେଶ୍ଵର; ତାତିରୁ ମିଳିଛି ଆଶ୍ବସ୍ତି । ଗରମ କମିଛି, ଗୁଳୁଗୁଳିରୁ ମଣିଷକୁ ଟିକେ ତ୍ରାହି ମିଳିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାମାନଙ୍କର କିଛି କିଛି ସ୍ଥାନରେ ୨ ଦିନ ଧରି ବର୍ଷା ଯୋଗୁଁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସାଧାରଣ ମଣିଷ ଟିକେ ଶାନ୍ତିରେ ନିଶ୍ୱାସ ମାରୁଛି । ଗତ କିଛି ପୂର୍ବରୁ ହେଉଥିବା ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ମଣିଷ ଓ ଜୀବଜନ୍ତୁଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ଛାଇ ସ୍ଥାନ କିମ୍ବା ଘରର ଏସି ହିଁ ବଞ୍ଚିବାର ରାହା ପାଲଟିଥିଲା । ତାତି ଏବଂ ଝାଞ୍ଜି ପବନ ସତେ ଯେପରି ଦେହ ହାତ ପୋଡି ପକାଉଥିଲା । କିନ୍ତୁ ବର୍ଷା ଆଣିଛି ସାମାନ୍ୟ ଆଶ୍ବସ୍ତି । ପ୍ରଚଣ୍ଡରୂପୀ ତାପକୁ କମ କରାଇଛି ବର୍ଷା । ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରା ଆହୁରି ୨ ରୁ ୩ ଡିଗ୍ରୀ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ କାଲି ରାଜ୍ୟର ୨୦ ତି ସହରର ତାପମାତ୍ରା ୩୫ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ସର୍ବାଧିକ ୩୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଏପଟେ ଗତକାଲି ଭୁବନେଶ୍ୱରର ତାପମାତ୍ରା ୩୨.୫ ଡିଗ୍ରୀ ରହିଥିବା ବେଳେ ଆଜି ୩୬.୨ ଡିଗ୍ରୀ ରହିଛି । ଯାହା ସାଧାରଣ ମନୁଷ୍ୟଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି ।