ନୂଆଦିଲ୍ଲୀ, ବିଶାଖାପାଟଣା ଓ ନୋଏଡ଼ାରେ ରଥଯାତ୍ରା ପାଳିତ
ଭୁବନେଶ୍ୱର : ପୁରୀ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବାଦ୍ ଦେଇ ରାଜ୍ୟ ବାହାରେ ମଧ୍ୟ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହା ମଧ୍ୟରେ ରାଜଧାନୀ ଦିଲ୍ଲୀ, ନୋଏଡା ଏବଂ ବିଶାଖାପାଟଣାର ରଥଯାତ୍ରା ବେଶ୍ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା। ବିଶାଖା ପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଗତକାଲି ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଥିବା ପରିଲକ୍ଷିତ କରାଯାଇଥିଲା। ଏଠାରେ ସକାଳୁ ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ସାଢେ଼ ୩ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ଏହି ଅବସରରେ ୱାଲ୍ଟିୟର ରେଳବାଇ ଡିଭିଜନ୍ର ଡି.ଆର୍.ଏମ୍ ଅନୁପ କୁମାର ଶତପଥୀ, ଏ.ଡି.ଆର୍.ଏମ୍ ମନୋଜ କୁମାର ସାହୁ, ପୂର୍ବତନ ମୁଖ୍ୟ ଆୟକର କମିଶନର ପ୍ରସନ୍ନ କୁମାର ଦାଶ ଓ ଆୟକର କମିଶନର ରାଜୀବ ସିଂହ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ପହଣ୍ଡି କାର୍ଯ୍ୟରେ ସହଯୋଗ କରିଥିଲେ। ଏଠାରେ ଜୟପୁରର ରାଜମାତା ମୟଙ୍କ ଦେବୀ ଉପସ୍ଥିତ ରହି ମହାପ୍ରଭୁଙ୍କର ସାନ୍ନିଧ୍ୟ ଲାଭ କରିଥିଲେ। ଉପସ୍ଥିତ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ୍ ମର୍ମସ୍ପର୍ଶୀ ଥିଲା। ମନ୍ଦିର ପରିଚାଳନା କମିଟିର ସଭାପତି ତଥା ବିଶିଷ୍ଟ ସମାଜସେବୀ ଜୀତେନ୍ଦ୍ର କୁମାର ନାୟକ ପାରମ୍ପରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସନ୍ଧ୍ୟା ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। ଏଠାରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ଚାରି ହଜାର ଦର୍ଶକଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା। ଭକ୍ତମାନେ ରଥଟିକୁ ଟାଣି ଟାଣି ୫ କିଲୋମିଟର ଦୂରବର୍ତ୍ତୀ ‘ଲସନ୍ସ ବେ’ କଲୋନୀ ଠାରେ ଥିବା ମାଉସିମା’ ମନ୍ଦିରକୁ ନେଇଥିଲେ । ରାସ୍ତାର ଦୁଇ ପାର୍ଶ୍ଵରେ ମହଜୁଦ ଦର୍ଶକ ମାନେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଦିବ୍ୟ ଦର୍ଶନ ଲାଭ କରି କୃତକୃତ୍ୟ ମାନେ କରୁଥିବା ଏବଂ ଭକ୍ତି ଭାବ ଦ୍ଵାରା ଅଭିଭୂତ ହେଉଥିବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ଚଳିତ ବର୍ଷ ରଥ ଶୋଭାଯାତ୍ରାର ସ୍ବତନ୍ତ୍ର ଆକର୍ଷଣ ବ୍ରହ୍ମପୁରରୁ ଆସିଥିବା ଯୋଡ଼ି ଶଙ୍ଖ ବାଜାଳି ତଥା ଓଡ଼ିଶାରୁ ସ୍ବତନ୍ତ୍ର ଭାବେ ନିମନ୍ତ୍ରିତ ହୋଇଥିବା ସଂକୀର୍ତ୍ତନ ମଣ୍ଡଳୀ ମାନଙ୍କର ଅନନ୍ୟ କଳା ଚାତୁର୍ଯ୍ୟ ଓ ସୃଜନଶୀଳ ପାରଦର୍ଶିତାର ଭବ୍ୟ ପ୍ରଦର୍ଶନ ଥିଲା। ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ, ସାଧାରଣ ସମ୍ପାଦକ ବିମଳ କୁମାର ମହନ୍ତ, ଉପ-ସଭାପତି ଡଃ କରୁଣାକର ପାଢ଼ୀ ତଥା ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସେହିପରି ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିର ଠାରେ ୪୫ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଚଳିତବର୍ଷ ଏହି ପବିତ୍ର ପାର୍ବଣ ମହୋତ୍ସବକୁ କେନ୍ଦ୍ର କରି ଉପସ୍ଥିତ ପାଖାପାଖି ୪୦ ହଜାର ଭକ୍ତଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ଦେଖିବାକୁ ମିଳିଥିଲା। ମନ୍ଦିରରେ ବଢ଼ି ଭୋର ୫ଟା ସମୟରେ ମଙ୍ଗଳ ଆଳତି କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସକାଳ ସାଢେ଼ ୬ଟା ବେଳେ ନିଜର ଝିଅ ଇତିଶ୍ରୀ ଓ ପରିବାରବର୍ଗଙ୍କ ସହିତ ଏଠାରେ ପହଞ୍ଚି ପ୍ରଥମେ ଦିଅଁ ଦର୍ଶନ କରିଥିଲେ ଏବଂ ପରେ ତାଙ୍କର ୬୫ତମ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ଭାଗ ନେଇଥିଲେ।ରାଷ୍ଟ୍ରପତିଙ୍କୁ ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ ପାଛୋଟି ନେଇଥିଲେ। ରାଜଧାନୀରେ ଆଜି ପାଗ ଅନୁକୂଳ ଥିବାରୁ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାରୁ ଆସିଥିବା ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ବଢିଚଢ଼ିକି ଭଜନ କୀର୍ତ୍ତନ ଏବଂ ରଥ ଦଉଡ଼ି ଟଣାରେ ଭାଗ ନେଉଥିବା ନଜରକୁ ଆସିଥିଲା। ଏଠାରେ ଦ୍ଵିପ୍ରହର ସାଢେ଼ ୧୨ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ଭାଇ ବଳଭଦ୍ର ପରେ ପରେ ଦେବୀ ସୁଭଦ୍ରା ଓ ସବାଶେଷରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କୁ ସାହିରୋଷଣୀ କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ୨୦ ଫୁଟ ଉଚ୍ଚର ସୁନ୍ଦର, ସୁରମ୍ୟ ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଉପସ୍ଥିତ ଦର୍ଶକ ମାନଙ୍କ ଦ୍ଵାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହ ଗହ ନାଦ ତଥା ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ନିଆରା ଦୃଶ୍ୟ ଖୁବ ମର୍ମସ୍ପର୍ଶୀ ଥିଲା ରଥଯାତ୍ରାର ଧାରା ବିବରଣୀ ଲକ୍ଷ୍ମୀ ନାରାୟଣ ବେବର୍ତ୍ତା, ସୁଜାତା ତ୍ରିପାଠୀ ଓ ପ୍ରଫେସର ଭଗିରଥ ଝା ପ୍ରଦାନ କରିଥିଲେ। ଗଣମାଧ୍ୟମରେ ପ୍ରସାରଣ ନେଇ ସରୋଜ ପାଣିଗ୍ରାହୀ ସମନ୍ଵୟ ରକ୍ଷା କରିଥିଲେ।
ଅନୁରୂପ ଭାବେ ନୋଏଡାର ସେକ୍ଟର ୧୨୧ ସ୍ଥିତ ଗଢ଼ିଚୌଖଣ୍ଡି ଜଗନ୍ନାଥ ମନ୍ଦିରଠାରେ ରଥ ଯାତ୍ରା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଛି। ଏହି ପବିତ୍ର, ପାର୍ବଣ, ଧାର୍ମିକ ସମାରୋହରେ ଓଡ଼ିଆ ଓ ଅଣଓଡ଼ିଆ ପ୍ରାୟ ୫ ହଜାର ଭକ୍ତଙ୍କର ସମାଗମ ହୋଇଥିବା ଦେଖା ଯାଇଥିଲା। ଏଠାକାର ମନ୍ଦିରରେ ଗତକାଲି ବଡ଼ି ଭୋର ୫ଟା ବେଳେ ଦିଅଁ ମାନଙ୍କ ସମ୍ମୁଖରେ ମଙ୍ଗଳ ଆରତୀ କରାଯାଇଥିଲା। ଏହାପରେ ପୂର୍ବାହ୍ନ ୧୧ଟାରେ ରଥସ୍ଥାପନା ଏବଂ ପୂଜାର୍ଚ୍ଚନା ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା। ଦ୍ଵିପ୍ରହରର ସାଢେ଼ ୧୨ଟା ବେଳେ ଠାକୁର ମାନଙ୍କୁ ଛପନ ଭୋଗ ଅର୍ପଣ କରାଯାଇଥିଲା। ଦେଢଟା ବେଳେ ସର୍ବସାଧାରଣ ମାନଙ୍କୁ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସମିତିର ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ସମାଜସେବୀ ଡଃ ମନୋରଞ୍ଜନ ମହାନ୍ତିଙ୍କର ନେତୃତ୍ୱରେ ସ୍ବେଚ୍ଛାସେବୀ ମାନଙ୍କଦ୍ଵାରା ଦର୍ଶକ ମାନଙ୍କର ଭାରି ଭିଡ଼କୁ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଦ୍ଵିପ୍ରହରର ସାଢେ଼ ୨ଟା ବେଳେ ତିନି ଠାକୁରଙ୍କର ୨୪ ଫୁଟ ଉଚ୍ଚତା ବିଶିଷ୍ଟ ସୁନ୍ଦର ଓ ସୁଶୋଭିତ ରଥ ଉପରକୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ରହି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡଃ ମହେଶ ଶର୍ମା ଓ ସାଂସଦ ସୁରିନ୍ଦର ନାଗର ରଥ ଉପରେ ଶ୍ରୀ ଜୀଉ ମାନଙ୍କର ଦର୍ଶନ କରିଥିଲେ। ଅପରାହ୍ନ ୩ଟା ବେଳେ ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ ହେବା ପରେ ମନ୍ଦିର ସାମ୍ନାର ବଡ଼ଦାଣ୍ଡରୁ ରଥ ଟଣା ପ୍ରକ୍ରିୟା ଶୁଭାରମ୍ଭ ହୋଇଥିଲା। ଚତୁର୍ଦ୍ଧା ମୂର୍ତ୍ତି ଶୋଭା ପାଉଥିବା ରଥଟିକୁ ତିନି କିଲୋମିଟର ଦୂରବର୍ତ୍ତି ସେକ୍ଟର ୭୧ ସ୍ଥିତ ବାବା ବାଲକନାଥ ମନ୍ଦିର ଅନ୍ତର୍ଗତ ମାଉସୀମା ପୀଠକୁ ଶ୍ରଦ୍ଧାଳୁ ମାନଙ୍କର ଭଜନ, କୀର୍ତ୍ତନ ତଥା ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳି ଧ୍ବନି ମଧ୍ୟରେ ଟାଣି କରି ନିଆଯାଇ ସନ୍ଧ୍ୟା ସୁଦ୍ଧା ସେଠାରେ ପହୁଞ୍ଚାଯାଇଥିଲା। ଭକ୍ତ ଓ ଭଗବାନଙ୍କର ମହାମିଳନର ପର୍ବ ରଥଯାତ୍ରା ଅବସରରେ ଦର୍ଶକ ମାନେ ରଥାରୁଢ଼ ଜଗତର ନାଥ ଶ୍ରୀଜଗନ୍ନାଥ ଙ୍କୁ ଦିବ୍ୟ ଦର୍ଶନ କରି ପରମ ପୁଣ୍ୟ ଅର୍ଜନ କରିବା ଏବଂ ଭକ୍ତି ଭାବରେ ଅଭିଭୂତ ହେବାର ଦୃଶ୍ୟ ଅତ୍ୟନ୍ତ ମର୍ମସ୍ପର୍ଶୀ ଥିଲା। ଏଠାରେ ରାତିରେ ପୁଣି ଦିଅଁ ମାନଙ୍କୁ ସାହି ରୋଷଣୀ କରାଯାଇ ରଥ ଉପରୁ ମାଉସୀମା ମନ୍ଦିର ମଧ୍ୟକୁ ନିଆଯାଇ, ସେଠାରେ ନିର୍ମିତ ସ୍ୱତନ୍ତ୍ର ସିଂହାସନରେ ଆସୀନ କରାଯାଇଥିଲା। ଆସନ୍ତା ୨୮ ତାରିଖର ବାହୁଡା଼ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଏଠାରେ ବିରାଜମାନ କରିବେ ବୋଲି ଜଣାଯାଇଛି।