ରେଭେନ୍ସା ନାମ ବଦଳ ପ୍ରସଙ୍ଗ:ନୂତନ ବିଜେଡ଼ି ସାଂସଦ ଙ୍କୁ ପୁରାତନ ବିଜେପି କର୍ମୀଙ୍କ ପ୍ରଶ୍ନ

ଭୁବନେଶ୍ୱର:(ବିଶ୍ୱରାଜ ନାୟକ)-“ପ୍ରଜାତନ୍ତ୍ର”ର ସଂପାଦକୀୟ (ଧ୍ଵନି ପ୍ରତିଧ୍ଵନି ସ୍ତମ୍ଭ) ପୃଷ୍ଠାରେ ଏକ ଆଲେଖ୍ୟ ଲେଖିଛନ୍ତି ଭର୍ତ୍ତୃହରି ମହତାବ, ବର୍ତ୍ତମାନ ରେଭେନ୍ସା ମହାବିଦ୍ୟାଳୟକୁ ନେଇ ଚାଲିଥିବା ବିତର୍କ ବା ବିବାଦ ଉପରେ। ସେହି ଆଲେଖ୍ୟର କିଛି ଅଂଶକୁ ଉଦ୍ଧୄତ କରିବା ସହ ସେହି ଜ୍ଞାନୀ, ଅଭିଜ୍ଞ ରାଜନେତାଙ୍କୁ ଏକ ରେଭେନ୍ସାର ପ୍ରାକ୍ତନ ଛାତ୍ର ଭାବେ କିଛି ପ୍ରଶ୍ନ ପଚାରିବାକୁ ଚାହୁଁଛି।
୧. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ପଦକ କଥାକୁ କିଛି ଲୋକ ଘୋରିମାଜି ତିଳକୁ ତାଳ କଲେଣି।
ପ୍ରଶ୍ନ: ଆପଣ ପୁଣି ସେହି ଛୋଟିଆ କଥା ଉପରେ ଗୋଟେ ପୃଷ୍ଠାର ସଂପାଦକୀୟ ଲେଖିବାର ଆବଶ୍ୟକତା ଅନୁଭବ କଲେ କାହିଁକି ?
୨. ସତେ ଯେମିତି ରେଭେନ୍ସା ଏମାନଙ୍କ ଗୋସେଇଁ ? ଏମାନଙ୍କ ମରମକୁ ଏତେ ବାଧିଛି କାହିଁକି ?
ପ୍ରଶ୍ନ:  କାହା ପାଇଁ ଏ ପ୍ରଶ୍ନ ? ସେଦିନ ଗୋଲ ଟେବୁଲ୍ ବୈଠକରେ ଉପସ୍ଥିତ ଥିଲେ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ। ଓଡ଼ିଆ ଅସ୍ମିତା ପ୍ରତି ତାଙ୍କର ଯେଉଁ ଅବଦାନ ରହିଛି, ସେ ତୁଳନାରେ ଆପଣଙ୍କ ଅବଦାନ କେତେ ? ତାଙ୍କୁ ଅପମାନିତ କରିବା, ତାତ୍ସଲ୍ୟ କରିବା ପରି ପ୍ରଶ୍ନ ପଚାରିବା ପାଇଁ ବିବେକ ବାଧା ଦେଲା ନାହିଁ ଆପଣଙ୍କୁ ? ତାଙ୍କ ବୟସ ୯୪। ଓଡ଼ିଶା ପ୍ରତି ଦେବୀ ସାର୍ ଙ୍କର ଥିବା ଅବଦାନକୁ ଆପଣ ଅଣଦେଖା କରନ୍ତୁ, କିନ୍ତୁ ତାଙ୍କ ବୟସ ପ୍ରତି ତ ସମ୍ମାନ ଦେଖଇ ପାରିଥାନ୍ତେ ! ଏତିକି ସଂସ୍କାର ପାଇ ନାହାଁନ୍ତି ଆପଣ ?
୩. ଦୁର୍ଭିକ୍ଷ ସମ୍ବନ୍ଧରେ ତାଙ୍କ ନିକଟକୁ ଆସୁଥିବା ଖବରକୁ ସେ କର୍ଣ୍ଣପାତ କରି ନ ଥିବା କଥା କଣ ଅସତ୍ୟ ?
ପ୍ରଶ୍ନ : ଆପଣ ଇତିହାସ ପଢ଼ିଛନ୍ତି କି ?  ଏ ଆଲେଖ୍ୟ ଲେଖିବା ପୁର୍ବରୁ କେଉଁ କେଉଁ ପୁସ୍ତକ ପଢ଼ିଛନ୍ତି ? ଆପଣଙ୍କ ଅଭିଯୋଗ ନିଶ୍ଚିତ ରୂପେ ଅମୂଳକ। ରେଭେନ୍ସା ଆକଳନ ଭୁଲ କରିଥିଲେ, କିନ୍ତୁ ପ୍ରଥମରୁ ନିଜ ସ୍ତରରେ ଏ ବିପର୍ଯ୍ୟୟର ମୁକାବିଲା ନିମିତ୍ତ କିଛି ପ୍ରଚେଷ୍ଟା ମଧ୍ୟ କରିଥିଲେ। ନିଜେ ଦାନ ଦେବା ସହ ଅନ୍ୟ ଦାତବ୍ୟଙ୍କ ଠାରୁ ଦାନ ସଂଗ୍ରହ, ସରକାରୀ କାମ ଆଣି ଲୋକଙ୍କୁ ସେଥିରେ ନିୟୋଜିତ କରି ମଜୁରୀ ଦେବା ଓ ତା ଦ୍ଵାରା ଚାଉଳ କିଣିବା ପାଇଁ ସମ୍ବଳ ଯୋଗାଇ ଦେବା ପରି ଅନେକ ପଦକ୍ଷେପ ନେଇଥିଲେ।
୪. ପଚାଶ ବର୍ଷ ମଧ୍ୟରେ ଆଉ ଦୁର୍ଭିକ୍ଷ ହୋଇନି।
ପ୍ରଶ୍ନ : ଏହା ଏକ ଅପରିପକ୍ବ ପ୍ରଶ୍ନ ନୁହେଁ କି ?  ୧୮୭୩ ରେ ବିହାର, ୧୯୪୩ ରେ ବଙ୍ଗଳା, ଦୁର୍ଭିକ୍ଷର ବିଭୀଷିକାର ସାକ୍ଷୀ ବନି ନାହାନ୍ତି କି ?  ଆଉ ସେତେବେଳର ପରିସ୍ଥିତି ବିଗତ ପଚାଶ ବର୍ଷର ପରିସ୍ଥିତି ଠାରୁ ଭିନ୍ନ ନୁହେଁ କି ?  ଗମନାଗମନ, ଗ୍ରୀନ ରିଭୋଲ୍ୟୁସନ୍ , ଗଣମାଧ୍ୟମ , ବିଜ୍ଞାନର ପ୍ରଗତି – ଏ ସବୁ ଦୁର୍ଭିକ୍ଷ ନ ହେବା ଦିଗରେ ଅବଦାନ ଦେଇ ନାହାନ୍ତି କି ? ଆଶ୍ଚର୍ୟ୍ଯ, ଆପଣ ଏଭଳି ଏକ ଅପରିପକ୍ବ ତୁଳନା କରି ପାରୁଛନ୍ତି !
୫. ୧୮୬୭ ବନ୍ୟା ପରେ ମଧ୍ୟ ରେଭେନ୍ସା ପରିସ୍ଥିତି ପ୍ରତି ଆଖି ବନ୍ଦ୍ କରି ଦେଇଥିଲେ।
ପ୍ରଶ୍ନ: କେଉଁଠି ପଢ଼ିଥିଲେ ଏ କଥା ? ଆପଣଙ୍କ ଜ୍ଞାନରେ ବୋଧହୁଏ ନାହିଁ ଯେ ରେଭେନ୍ସା ୧୮୬୬ ମଝିରୁ ସମ୍ପୂର୍ଣ୍ଣ ସମର୍ପଣ ସହ କାମ କରୁଥିଲେ।
୬. ୧୮୭୫ ରେ ଏହା ରେଭେନ୍ସାଙ୍କ ନାମରେ ନାମିତ ହେଇଥିଲା।
ପ୍ରଶ୍ନ: ଏହି ସ୍ତମ୍ଭ ଆପଣ ନିଜେ ଲେଖିଛନ୍ତି ? ନା, ଆପଣଙ୍କ ପାଇଁ ଆଉ କେହି ଲେଖିଛନ୍ତି ? ପ୍ରକାଶ କରିବା ପୂର୍ବରୁ ଥରୁଟିଏ ପଢି ମହାନ୍ତି ସେ ଲେଖାକୁ ? ସେହି ସମାନ ସ୍ତମ୍ଭରେ ଆପଣ ଗୋଟିଏ ସ୍ଥାନରେ ୧୮୭୫ ଓ ଆଉ ଏକ ସ୍ଥାନରେ ୧୮୭୮ ରେ ରେଭେନ୍ସା ନାମରେ ମହାବିଦ୍ୟାଳୟ ନାମିତ ହେବା କଥା ଲେଖିଛନ୍ତି । ତେବେ ଠିକ୍ କେଉଁଟା ? ୧୮୭୫ ନା ୧୮୭୮ ?
ଆପଣଙ୍କ ଜ୍ଞାନ, ଗରିମା ନିକଟରେ ମୁଁ ଅତି କ୍ଷୁଦ୍ର। ମୁଁ କିନ୍ତୁ ଅନେକ ସ୍ଥାନରେ ପଢ଼ିଛି ଯେ ଏହା ୧୮୭୯ ମସିହାରେ ରେଭେନ୍ସାଙ୍କ ନାମରେ ନାମିତ ହୋଇଥିଲା । ( ରେଭେନ୍ସା କଲେଜ, ନିବେଦିତା ମହାନ୍ତି )
୭.  ଶାସନ ନିଷ୍ପତ୍ତିର ପୁନର୍ବିଚାର ମୟୂରଭଞ୍ଜ ରାଜାଙ୍କ ଉଦ୍ଦେଶ୍ୟ ଥିଲା କି ?
ପ୍ରଶ୍ନ: ଆପଣ କଟକର ସାଂସଦ। କଟକ ଅଞ୍ଚଳର ଅବସ୍ଥିତି ଅନେକ କାରଣ ଉପରେ ନିର୍ଭରଶୀଳ, କିନ୍ତୁ ରେଭେନ୍ସା, ବଡ଼ ମେଡ଼ିକାଲ, ହାଇ କୋର୍ଟ – ଏ ତିନିହେଁ କଟକ ଅସ୍ମିତାର ଅଂଶବିଶେଷ। ଏବଂ ଏସବୁରେ କାହାର ଅବଦାନ ଅଛି ? ମୟୂରଭଞ୍ଜ ମହାରାଜ ? ସେହି ମୟୂରଭଞ୍ଜ ରାଜାଙ୍କ ଉଦ୍ଦେଶ୍ୟ ଓ ସମର୍ପଣ ଉପରେ ଆପଣ ପ୍ରଶ୍ନ କରୁଛନ୍ତି ? ଆଉ ଟିକେ ପଛେଇ କାହିଁକି ରହିଲେ ? ଫକୀର ମୋହନ, ମଧୁ ବାବୁ, ସୁରେନ୍ଦ୍ର ମହାନ୍ତି – ଏହି ବରେଣ୍ୟ ମାନଙ୍କ ଉପରେ ମଧ୍ୟ ଆକ୍ରମଣ କରନ୍ତୁ।
ଏ ପ୍ରଶ୍ନ ପଚାରିବା ବେଳେ ଆପଣ କୌଣସି ଐତିହାସିକ ଗବେଷଣାରୁ ଏ ପ୍ରକାର ଇଙ୍ଗିତ ପାଇଥିଲେ, ତାଙ୍କୁ ଦୋଷୀ କରିବା ପାଇଁ ? ବିଭିନ୍ନ ବହୁଳ ଭାବେ ପଠିତ ଓ ସ୍ଵୀକୃତ ପୁସ୍ତକରେ ପଢ଼ିଥିଲେ କି ?
ଆପଣଙ୍କ ରାଜନୈତିକ ଜୀବନ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ଉଠିଛି। ସେ ସବୁକୁ ଆମେ ଇତିହାସ ଭାବେ ଗ୍ରହଣ କରି ନେବା କି ? ହୀରାକୁଦ ସମୟରେ ଅନେକ ଅଭିଯୋଗମୂଳକ ଆଲୋଚନା ହୋଇଥିଲା କିଛି ବଡ଼ ରାଜନୈତିକ ବ୍ୟକ୍ତିଙ୍କ ଉପରେ। ତାହାକୁ ଇତିହାସ ଭାବେ ଗ୍ରହଣ କରି ନେବା କି ? ଅନେକ ଦେଶୀୟ ରାଜ୍ୟ ଓଡ଼ିଶା ସହ ନ ମିଶି ପାରିବା ପାଇଁ ଅନେକ ଇତିହାସକାର ଅନେକ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି। ସେହି ବ୍ୟକ୍ତିମାନଙ୍କ ଅନ୍ୟାନ୍ୟ ଅବଦାନକୁ ଏହି ବିଫଳତା ପାଇଁ ଅଣଦେଖା କରିବା କି ? କୁହନ୍ତୁ।
୮. ଯେଉଁ ମାନେ ଏକ ଇଂରେଜ ନାମ ଅନୁସାରେ ନିଜକୁ ରେଭେନ୍ସାଭିଆନ୍ କହି ଗୌରବାନ୍ଵିତ ମନେ କରୁଛନ୍ତି।
ପ୍ରଶ୍ନ: ଆପଣ ଯେଉଁ ଖବକାଗଜର ମାଲିକ, ଯେଉଁଠି ଆପଣ ଏ ସ୍ତମ୍ଭ ପ୍ରକାଶ କରିଛନ୍ତି, ତାହାର ନାମ କଣ ? ପ୍ରଜାତନ୍ତ୍ର ? ତେବେ କୁହନ୍ତୁ, ବର୍ତ୍ତମାନ ପରିସ୍ଥିତିରେ ଏହି ନାମର ଯଥାର୍ଥତା କଣ ରହିଛି ? ପ୍ରଜା ଶବ୍ଦଟି ଆମକୁ ରାଜତନ୍ତ୍ରର ସ୍ମରଣ ଦିଏ ନି କି ।ତେବେ ସେ ନାମକୁ ପରିବର୍ତ୍ତନ କରିବେ କି ଆପଣ ?
୯. ଏଠାରେ କମ୍ୟୁନିଷ୍ଟ ମାନେ ଯେପରି ଆଚରଣ କରନ୍ତି ସେ ପ୍ରକାର ଆଚରଣ କରୁଥିଲେ।
ପ୍ରଶ୍ନ: ଏକ ରାଜନେତା ହୋଇ ଏ ପ୍ରକାର ମନ୍ତବ୍ୟ ଏକ ଆଲେଖ୍ୟରେ ଉଲ୍ଲେଖ କରିବା ଆପଣଙ୍କ ବିଚାରବୋଧ ଓ ରୁଚିବୋଧ ବିରୋଧରେ ଗଲା ନାହିଁ କିପରି ? ଆମେ ଆପଣଙ୍କ ଦୁଃଖ, ବୁଝି ପାରୁଛୁ। ନୂଆ ବ୍ରାହ୍ମଣଙ୍କୁ ପ୍ରତି ସ୍ଥାନରେ ପଇତା ଦେଖାଇବାକୁ ପଡ଼େ। ଆପଣଙ୍କୁ ମଧ୍ୟ ପଢୁଛି।

୧୦. ବିନା ଉଦ୍ଧୃତିରେ ପ୍ରଶ୍ନ !
ପ୍ରଶ୍ନ; ଯଦି ଏକ ନରହନ୍ତା ନାମରେ ଏ ମହାବିଦ୍ୟାଳୟ ନାମିତ, ତେବେ ସ୍ଵାଧୀନତା ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ଆପଣଙ୍କ ବାପା କୌଣସି ଦାବୀ ଉଠାଇ ନ ଥିଲେ କାହିଁକି ? ଆପଣ ସେହି ମହାବିଦ୍ୟାଳୟରେ ପଢିବାକୁ ଆସିଲେ କାହିଁକି ?  ଲୋକେ ଠିକ୍ କୁହନ୍ତି, ” ପୃଥିବୀର ସବୁଠାରୁ ବଡ଼ ଋଣ ହେଉଛି କୃତଜ୍ଞତାର ଋଣ।” ଆମେ ବୁଝି ପାରୁଛୁ ଆପଣଙ୍କ ଦୁଃଖ।
ନୂଆ ନୂଆ ଯୋଡ଼ି ହୋଇଛନ୍ତି ଦଳ ସହ। ଯାହାଙ୍କ ନେତୃତ୍ୱରେ ଟିକେଟ ପାଇଛ , ତାଙ୍କ ପ୍ରତି କୃତଜ୍ଞ ରହିବାକୁ ପଡ଼ିବ, ଋଣ ପରିଶୋଧ କରିବାକୁ ପଡ଼ିବ ହିଁ ପଡ଼ିବ , ଠିକ୍ ନୁହେଁ କି ? କିନ୍ତୁ ଟିକେ ଦେଖନ୍ତୁ ଭଲ ଭାବେ, ପରଲୋକରେ କାନ୍ଦୁଛନ୍ତି ହରେକୃଷ୍ଣ ମହତାବ !
Bhartruhari Mahtab Prajatantra Prachar Samity

Leave a Reply

Your email address will not be published. Required fields are marked *