ଦୁଇ ହଜାର ଟଙ୍କିଆ ନୋଟ ସଚଳ : ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ୨୦୦୦ ଟଙ୍କିଆ ନୋଟ୍ ସଚଳ l ଏହାକୁ ବ୍ୟବସାୟ ପ୍ରତିଷ୍ଠାନ ନେବାକୁ ମନା କରିପାରିବେ ନାହିଁ ବୋଲି ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି।
ଶ୍ରୀ ଦାସ କହିଛନ୍ତି ଯେ, ପ୍ରସାରଣରୁ (ବଜାରରୁ) ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରି ନିଆ ଯାଉଥିଲେ ବି ଏହା ସଚଳ ମୁଦ୍ରା ହୋଇ ରହିବ। ରିଜର୍ଭ ବ୍ୟାଙ୍କ୍ର ପୂର୍ବ ନିର୍ଦେଶ ମୁତାବକ କେହି ୨୦୦୦ ଟଙ୍କିଆ ନୋଟ୍ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ।
୨୦୦୦ ଟଙ୍କିଆ ନୋଟ୍ ପ୍ରତିବଦଳ କରିବା ଲାଗି ଯଥେଷ୍ଟ ସମୟ ଦିଆଯାଇଛି l ତେଣୁ ସାଧାରଣ ଜନତା ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ , ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୨୦୦୦ ଟଙ୍କିଆ ନୋଟ୍ ସବୁ ବ୍ୟାଙ୍କରେ ପ୍ରତିବଦଳ ଅଥବା ଜମା କରିବା ଲାଗି ଜାରି କରିଥିବା ବିଜ୍ଞପ୍ତିରେ ରିଜର୍ଭ ବ୍ୟାଙ୍କ୍ ଜନସାଧାରଣଙ୍କୁ ନିବେଦନ କରିଛି।
ଶ୍ରୀ ଦାସ ଆହୁରି କହିଛନ୍ତି, ପ୍ରତ୍ୟାହାର ପ୍ରକ୍ରିୟା ଉପରେ ଗୁରୁତ୍ବାରୋପ କରିବା ଲାଗି ଆମେ ସେପ୍ଟେମ୍ବର ୩୦କୁ ଶେଷ ତାରିଖ ବୋଲି ଉଲ୍ଲେଖ କରିଛୁ। କାରଣ, ଆମେ ଏଥିପାଇଁ ସମୟସୀମା ଖୋଲା ଛାଡ଼ି ପାରିବୁ ନାହିଁ।