ଆଜି ଆରସିବି , ଲକ୍ଷ୍ନୌ ଟକ୍କର

ଲକ୍ଷ୍ନୌ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୧୬ ତମ ସଂସ୍କରଣରେ ଆଜି ସଂନ୍ଧ୍ୟାରେ ୪୩ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ଲକ୍ଷ୍ନୌର ଏକ୍ନା ଷ୍ଟାଡ଼ିୟମରେ ଖେଳାଯିବ । ଲକ୍ଷ୍ନୌ ଆରସିବି ବିପକ୍ଷ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥଲା ।
ଲକ୍ଷ୍ନୌ ୮ଟି ମ୍ୟାଚରୁ ୫ଟି ବିଜୟ ଓ ୩ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ବ୍ୟାଟିଂରେ କାଏଲ ମେୟର୍ସ ଚମତ୍କାର ଫର୍ମରେ ରହିଥିବାବେଳେ ଲୋକେଶ ରାହୁଲ, ମାର୍କୋସ ଷ୍ଟୋଇନିସ, ଆୟୁଷ ବଦାନି ଓ ନିକୋଲାସ ପୁରନ ମଧ୍ୟ ଭଲ ପର୍ଦଶନ କରୁଛନ୍ତି। । କ୍ରୁନାଲ ପାଣ୍ଡ୍ୟା ଉଭୟ ବ୍ୟାଟିଂ ଓ ବୋଲିଂରେ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି । ବୋଲିଂରେ ଅଭେଶ ଖାନ, ନବୀନ ଉଲ୍ ହକ, ରବି ବିଷ୍ଣୋୟି, ୟଶ ଠାକୁର, ଅମିତ ମିଶ୍ରା ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳିତ ପ୍ରଦର୍ଶନ କରୁଛି। ଯାହା ବିଜୟରେ ସହାୟକ ହେଉଛି। ଶେଷ ମ୍ୟାଚରେ ଦଳ ପଞ୍ଜାବ କିଙ୍ଗ୍ସକୁ ୫୬ରନରେ ପରାସ୍ତ କରିଥିବାବେଳେ ବିଜୟ ଧାରାକୁ ବଜାୟ ରଖିବାକୁ ଉଦ୍ୟମ କରିବ। ଆର୍ସିବି ୮ଟି ମ୍ୟାଚରୁ ୪ଟି ବିଜୟ ଓ ୪ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ବ୍ୟାଟିଂରେ ବିରାଟ କୋହଲି, ଫ୍ଲାଫ ଡୁପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ ସ୍କୋର କରିବାରେ ସଫଳ ହୋଇପାରୁନାହାନ୍ତି। ମହିପାଲ ଲୋମାର, ଦିନେଶ କାର୍ତ୍ତିକ , ସାହାବାଜ୍ ଅହମ୍ମଦ ମଧ୍ୟକ୍ରମରେ ବିଫଳ ହେଉଛନ୍ତି। ଯାହା ଦଳକୁ ଚିନ୍ତା ଘାରିଛି। ମହମ୍ମଦ ସିରାଜ ନୂଆ ବଲରେ ଭଲ ବୋଲିଂ କରୁଛନ୍ତି। ହର୍ଷଲ ପଟେଲ, ଡେଭିଡ୍ ୱିଲି, ବିଜୟ କୁମାର ବୈଶାକ, ୱାହିନ୍ଦି ହାସରଙ୍ଗା ପ୍ରମୁଖ ୱିକେଟ ହାସଲ କରୁଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଶେଷ ମ୍ୟାଚରେ ଦଳ କଲକାତା ନାଇଟ୍ ରାଇଡର୍ସ ନିକଟରୁ ୨୧ରନରେ ପରାଜିତ ହୋଇଥିଲା। ଦଳ ବ୍ୟାଟିଂ ଓ ବୋଲିଂରେ ବିଫଳ ହୋଇଥିଲା। ଲକ୍ଷ୍ନୌ ଚମତ୍କାର ଫର୍ମରେ ରହିଥିବାରୁ ଆରସିବିକୁ ମ୍ୟାଚ ଜିତିବାକୁ ହେଲେ ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚରେ ଲକ୍ଷ୍ନୌ ୧ ୱିକେଟରେ ଆରସିବିକୁ ପରାସ୍ତ କରିଥିଲା। ଆରସିବି ବିରାଟ କୋହଲି, ଫ୍ଲାଫ ଡୁପ୍ଲେସି ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଅର୍ଦ୍ଧଶତକ ବଳରେ ୨୧୨ରନ କରିଥିଲେ ମଧ୍ୟ ଲକ୍ଷ୍ନୌ ମାର୍କୋସ ଷ୍ଟୋଇନିସ ଓ ନିକୋଲାସ ପୁରନଙ୍କ ଅର୍ଦ୍ଧଶତକ ବଲରେ ବିଜୟ ହାସଲ କରିଥିଲା।