ଆଜି ଆଇପିଏଲରେ ପଞ୍ଜାବ ଆରସିବି ଟକ୍କର

ମୋହାଲି: ଆଜି ଆଇପିଏଲ୍ର ୨୭ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ତା’ ଘରୋଇ ଷ୍ଟାଡିୟମ ମୋହାଲିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ। ଏହି ମ୍ୟାଚ୍ ପୂର୍ବରୁ ଘରୋଇ ଦଳ ପାଇଁ ବଡ଼ ଚିନ୍ତା ହେଉଛି ଏହାର ଅଧିନାୟକ ଶିଖର ଧାୱନଙ୍କ ଆହତ ସମସ୍ୟା। ଫର୍ମରେ ଥିବା ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚରେ ଉପସ୍ଥିତ ନଥିଲେ। ତେବେ ସାମ୍ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚ୍କୁ ୨ ୱିକେଟ୍ରେ ଜିତି ନେଇଥିଲା। ଦଳର ଏହି ବିଜୟରେ ଜିମ୍ବାୱେ ଅଲ୍ରାଉଣ୍ଡର ସିକନ୍ଦର ରାଜା (୫୭)ଙ୍କ ବଡ଼ ଭୂମିକା ଥିଲା ବେଳେ ମାଥ୍ୟୁ ସର୍ଟ, ହରପ୍ରୀତ ସିଂହ ଓ ଶାହରୁଖ ଖାନ୍ ଭଲ ପଦର୍ଶନ କରିଥିଲେ । ପଞ୍ଜାବ ୫ ମ୍ୟାଚରୁ ୩ଟିରେ ବିଜୟୀ ଲାଭ କରି ଖେଳି ୬ ପଏଣ୍ଟ ସହ ଟେବୁଲର ପଞ୍ଚମରେ ରହିଛି।ଅନ୍ୟପକ୍ଷରେ ଆର୍ସିବି ଅଧିନାୟକ ଫାଫ ଡୁ’ପ୍ଲେସିସ ଓ ବିରାଟ କୋହଲି ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ଗଣାଯାଉଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଚତୁର୍ଥରେ ଖେଳିବାକୁ ଆସୁଛନ୍ତି । କେବଳ ଉପରୁ ଏହି ୩ ଖେଳାଳୀଙ୍କୁ ବାଦ୍ ଦେଲେ ବାଙ୍ଗାଲୋରର ଅନ୍ୟ କୌଣସି ବ୍ୟାଟର ଭଲ ପଦର୍ଶନ କରିବାରେ ସଫଳ ହେଉନାହାନ୍ତି। । ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ୨୨୭ ରନ୍କୁ ପିଛା କରୁଥିବା ଏହି ଦଳ ଲଢ଼ୁଆ ବ୍ୟାଟିଂ କରିଥିଲେ ମଧ୍ୟ ୮ ରନ୍ ପଛରେ ରହିଯାଇଥିଲା। ବୋଲିଂକ୍ରମ ମହମ୍ମଦ ସିରାଜ, ହର୍ଷଲ ପଟେଲ ଓ ୱେନ୍ ପାର୍ନେଲଙ୍କୁ ନେଇ ଦୃଢ଼ ରହିଛି। ଆର୍ସିବି ତାର ୫ଟି ମ୍ୟାଚ୍ ଖେଳି ୪ ପଏଣ୍ଟ ସହ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି।