ଆଜିର ରେବତୀ ସିନେମା ଏକ ଭଲ ପରୀକ୍ଷଣ

ଭୁବନେଶ୍ୱର : (ଜୟନ୍ତ ସେଠ )-ବ୍ୟାସକବିଙ୍କ ଅମର କାହାଣୀ ରେବତୀ ଲେଖାହେବାର ପ୍ରାୟ ଶହେ ସଇଁତିରିଶ ବର୍ଷ ପରେ ପୁଣି ରେବତୀ ସହ ଦେଖା ହେଲା ନୂଆ ଓଡ଼ିଆ ସିନେମା ଆଜିର ରେବତୀ ମାଧ୍ୟମରେ l ଏବର ରେବତୀ ସହିତ ଶ୍ୟାମବନ୍ଧୁ, ଅଛନ୍ତି, ବାସୁ ମାଷ୍ଟ୍ରେ ଵି ଅଛନ୍ତି ଆଉ ତା ସହ ରେବର ଜେଜେମା ମଧ୍ୟ l ସିଚୁଏସନ ଅଲଗା ଆଉ ଚରିତ୍ର ମାନଙ୍କ ରୂପ,ରଙ୍ଗ ଆଉ ଢଙ୍ଗଵି ଟିକିଏ ଅଲଗା, କିନ୍ତୁ ମୂଳ ବିଚାରଧାରା ପ୍ରାୟ ପାଖପାଖି l କାହାଣୀରେ ଯଥେଷ୍ଟ ଦମ ଅଛି l ସାହିତ୍ୟିକ, ଗୀତିକାର ଡକ୍ଟର ବଦ୍ରି ମିଶ୍ରଙ୍କର ଏଇ ଗପଟି ଆଗରୁ ପ୍ରକାଶ ପାଇଥିଲା, କିନ୍ତୁ ପଢ଼ିବାର ସୁଯୋଗ ମିଳିନଥିଲା l ସିନେମା ସେଇ ସୁଯୋଗ ଆଣିଦେଲା l
ସିନେମାଟୋଗ୍ରାଫର ଶୁଭ୍ରାଂଶୁ ଦାଶଙ୍କ ଦ୍ଵିତୀୟ ନିର୍ଦେଶିତ ଫିଲ୍ମ ଆଜିର ରେବତୀ ସ୍ୱାତନ୍ତ୍ର୍ୟ ବହନ କରେ l ପାଦେ ଆକାଶ ଆଉ ଆଜିର ରେବତୀ ଭିତରେ ଏକ ଚମତ୍କାର କନେକ୍ସନ ଅଛି l ପାଦେ ଆକାଶର DOP ( ଡାଇରେକ୍ଟର ଅଫ ଫଟୋଗ୍ରାଫି )ଶୁଭ୍ରାଂଶୁ ଏହାର ଡାଇରେକ୍ଟର ଆଉ ପାଦେ ଆକାଶ ର ଡାଇରେକ୍ଟର ସୁଶାନ୍ତ ମଣି ଏହାର ଚିତ୍ରନାଟ୍ୟ ଲେଖକ l ଉଭୟେ ନିଜ ନିଜ କାମରେ ଯଥେଷ୍ଟ ପାରଦର୍ଶିତା ଦେଖାଇଛନ୍ତି ଆଜିର ରେବତୀକୁ ଜୀବନ୍ୟାସ ଦେବାପାଇଁ l ଯେହେତୁ ଶୁଭ୍ରାଂଶୁ ଜଣେ ପ୍ରତିଭାବାନ ସିନେମାଟୋଗ୍ରାଫରଆଉ ଏଇ ଫିଲ୍ମରେ ଅତୀତରେ ତାଙ୍କର ସହକର୍ମୀ ଥିବା କୁହୁ ମଲ୍ଲ ଵି କ୍ୟାମେରା ମାଧ୍ୟମରେ ଅପୂର୍ବ ମ୍ୟାଜିକ ଦେଖାଇଛନ୍ତି l ଆଉ ବଡ଼ କଥା ହେଉଛି ପାଦେ ଆକାଶ ଓ ଆଜିର ରେବତୀ ରେ DI ( Digital Intermediate) ପ୍ରୋସେସ କୁ ଅଯଥା ଅପବ୍ୟବହାର କରି ମନଇଚ୍ଛା କଲର ଗ୍ରେଡିଙ୍ଗ କରାଯାଇନି l ଯାହାକି ଅଧିକାଂଶ ସିନେମାରେ କରାଯାଉଛି l ଯାହାଦ୍ୱାରା ସିନେମାଟିରେ ଗ୍ରାମ୍ୟ ଜୀବନ ଓ ଗ୍ରାମ୍ୟ ପରିବେଶର ଏକଦମ ଖାଣ୍ଟି ଚିତ୍ର ଦେଖିବାକୁ ମିଳିଛି ଆଉ ଆଖିକୁ ପ୍ରତ୍ୟେକ ଟି ଦୃଶ୍ୟ ଖୁବ ସୁନ୍ଦର ଓ ନ୍ୟାଚୁରଲ ଦେଖାଯାଉଛି l ଶ୍ୟାମା ପ୍ରସାଦ ମିଶ୍ର ତାଙ୍କର ଡେବ୍ୟୁ କରିଛନ୍ତି ସଂଳାପ ଲେଖକ ଭାବେl ସେକେଣ୍ଡ ହାଫ ରେ ପ୍ରଭାଵଶାଳି ସଂଳାପ ହିଁ ସୂଚାଇ ଦେଉଛି ଯେ ଶ୍ୟାମା ବାବୁ ଆଗକୁ ଓଲିଉଡ଼ରେ ଗୋଟେ ଲମ୍ବା ସଫଳ ଇନିଂସ ଖେଳିବାକୁ ଯାଉଛନ୍ତି l
ହଁ, ଏଇ ଫିଲ୍ମର ଆଉ ଗୋଟେ ବଡ଼ କଥା ହେଉଛି ଯେଉଁ ପାର୍ଶ୍ୱ ଚରିତ୍ର ମାନଙ୍କ ଉପରେ ଫିଲ୍ମର ଭାର ନାହିଁ ସେମାନେ ହିଁ ମୁଖ୍ୟ ଆକର୍ଷଣ ପାଲଟିଛନ୍ତି l ଯେମିତି କି ପୃଥ୍ଵୀରାଜ ମିଶ୍ର, ପୁଷ୍ପା ପଣ୍ଡା, ଉଷଶୀ ମିଶ୍ର,ରବି ମିଶ୍ର, ବଙ୍ଗଳା ଅଭିନେତା ବନି ସେନଗୁପ୍ତ ଙ୍କ ଅଭିନୟକୁ ଯେତେ ପ୍ରଶଂସା କଲେ ଵି କମ ପଡ଼ିବ l ପ୍ରଥମ ଥର ଗୋଟେ ଫିଲ୍ମ ରେ ମୁଁ ପାର୍ଶ୍ୱଚରିତ୍ରଙ୍କୁ ଦେଖି ବିଭୋର ହେଲି l
କାହାଣୀକୁ ରିଭିଲ କରିବା ଉଚିତ ନୁହେଁ l ଯେଉଁମାନେ ଦେଖିବେ ନିଶ୍ଚିତ ଭାବେ ବାସୁ ମାଷ୍ଟ୍ରେ, ଶ୍ୟାମବନ୍ଧୁ ଏବଂ ଜେଜେମାଙ୍କୁ ଚିନ୍ହିପାରିବେ, କିନ୍ତୁ ଭିନ୍ନ ଚରିତ୍ରରେ l
ମୋର ମନେ ହେଉଛି ଆମ ଓଡ଼ିଆ ସିନେମା ସତରେ ବଦଳୁଛି l କିନ୍ତୁ ମୋର ସବୁଠୁ ବଡ଼ ଅଭିଯୋଗ, ଗୋଟିଏ ଦିନ ରେ ତିନି ତିନିଟି ଓଡ଼ିଆ ଫିଲ୍ମ ରିଲିଜ କରାଇ କେବଳ ଆମ ମାନଙ୍କୁ କନଫ୍ୟୁଜଡ଼ କରାଗଲା ଏବଂ ଯଥେଷ୍ଟ show ନଥିବାରୁ, ସମୟ ଵି ମିଳୁ ନାହିଁ ସବୁ ସିନେମାକୁ ଦେଖିବା ପାଇଁ l ଯାହା ହେଉ ଆଗକୁ ଆହୁରି ଭଲ ଭଲ ସିନେମା ଆସିଲେ ହିଁ ଓଡ଼ିଶାରେ ସିନେମା ସଂସ୍କୃତି ପୁଣି ଫେରିବ l କିଛି ସମୟ ଲାଗିବ ଅବଶ୍ୟ l ଆପଣ ମାନଙ୍କ ଅପେକ୍ଷା ରେ ଅଛି ରେବତୀ l କେତେବେଳ ଫ୍ରି ସମୟ ମିଳିଲେ ତାକୁ ଭେଟନ୍ତୁ l

Leave a Reply

Your email address will not be published. Required fields are marked *