RSS@100 : ଶଙ୍କର ପ୍ରଜାତିର ବୈଜ୍ଞାନିକ ପ୍ରୟୋଗ
ଭୁବନେଶ୍ୱର : (ବିଜୟ ସାହୁ)-ହିଟଲର ଆତ୍ମଜୀବନୀ Mein Kamph ରୁ ବିଶୁଦ୍ଧ ଆର୍ଯ୍ୟ ସନ୍ତାନ ଜନ୍ମ କଥା ଆମେ ଜାଣିଛେ । ନ ଜାଣିଥିଲେ ଅନ୍ତତଃ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଶତବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ଜାଣିବା ଉଚିତ । ପୁସ୍ତକଟି କେବଳ ଜର୍ମାନୀ ଛଡା ସବୁଆଡେ ମିଳୁଛି । ଏହାର ବଡ଼ ଭଲ୍ୟୁମଟି କିଣିଲେ ଭଲ, କାରଣ ଏଥିରେ A Prelude to Genocide ଅଧ୍ୟାୟଗୁଡ଼ିକ ମଧ୍ୟ ରହିଛି ଓ ନାଜୀ ବିଭୀଷିକାର ଫଟୋଚିତ୍ର ରହିଛି ।
ହିଟଲର ଆତ୍ମ ଜୀବନୀ ଆଧାରରେ
1935 ସେପ୍ଟେମ୍ବର 15 ନାଜୀ ପାର୍ଟିର ବାର୍ଷିକ ସମ୍ମିଳନୀରେ Nuremberg Laws ଗୃହୀତ ହେଇଥିଲା । ଏଥିରେ ସିଭିଲ ଓ ଅପରାଧିକ ଆଇନଗୁଡିକ ସଂକଳିତ ହେଇଥିଲା । ପ୍ରଥମେ ଇହୁଦୀ ବିରୋଧୀ ଏହି ଆଇନ ସଂହିତାର ନ୍ୟାୟିକ ଭିତ୍ତିଭୂମୀ ଡ୍ରାଫ୍ଟ ଗୃହମନ୍ତ୍ରୀ ଉଇଲହେମ ପ୍ରସ୍ତୁତ କରିଥିଲେ , ଯେମିତି ଆମର ଗୃହମନ୍ତ୍ରୀ ଅମିତ ସାହା ଭାରତୀୟ ନାଗରିକ ଓ ଅପରାଧିକ ସଂହିତା ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ ।
ଏହି ଆଇନର ପ୍ରେରଣା ହିଟଲର ଆତ୍ମ ଜୀବନୀର ଦ୍ଵିତୀୟ ଭାଗର ଦ୍ଵିତୀୟ ଅଧ୍ୟାୟରୁ ଗୃହମନ୍ତ୍ରୀ ଉଇଲହେମ ନେଇଥିଲେ ।
ଏହି ସଂହିତାର ଦୁଇଟି ମୁଖ୍ୟ ଆଇନ ଥିଲା – 1) ନାଗରିକ ଆଇନ, 2) ଜର୍ମାନ ରକ୍ତ ଓ ଜର୍ମାନ ଇଜ୍ଜତ ସୁରକ୍ଷା ଆଇନ ।
ନାଗରିକ ଅଧିକାର ଆଇନ ସମ୍ପର୍କରେ ପୂର୍ବରୁ ଆଲୋଚନା କରି ଥିବା ହେତୁ କେବଳ ଜର୍ମାନ ରକ୍ତ ଓ ଜର୍ମାନ ଇଜ୍ଜତ ସୁରକ୍ଷା ଆଇନ ବିଷୟରେ କିଛି କଥା ଉଲ୍ଲେଖ କରିବି ।
ଏହି ଆଇନର ଆଭିମୁଖ୍ୟ ଥିଲା ବିବାହ ମାଧ୍ୟମରେ ଯେଉଁ ବର୍ଣ୍ଣ ଅଶୁଦ୍ଧି ଘଟୁଛି ତାହାକୁ ନିଷେଧ କରିବା ଓ ତଦଜନିତ ଯୌନ ଜୀବନକୁ ନିଷେଧ କରିବା ।
ଇହୁଦୀ ଓ ଜର୍ମାନ ନାଗରିକ ଅଥବା ସମ୍ପର୍କିତରକ୍ତ ନାଗରିକଙ୍କ ମଧ୍ୟରେ ବିବାହ ନିଷେଧ ହେଲା ।ପୂର୍ଵ ମିଶ୍ର ବିବାହଗୁଡିକୁ ଅନୁମୋଦନ କରା ଯାଇଥିଲେ ମଧ୍ୟ କଡା ପ୍ରତିବନ୍ଧକ ବ୍ୟବସ୍ଥା ଲାଗୁ ହେଇଥିଲା ।
ଇହୁଦୀ ଓ ଆର୍ଯ୍ୟମାନଙ୍କ ମଧ୍ୟରେ
ଅବୈଧ ଯୌନ ସମ୍ପର୍କ ( Extra-Marital affairs) ଉପରେ ନିଷେଧାଦେଶ ଓ 5 ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ରହିଲା ।
45 ବର୍ଷ ତଳକୁ ଇହୁଦୀ ମହିଳା କୌଣସି ଆର୍ଯ୍ୟ ପରିବାରରେ ଘରୋଇ ନୌକରୀ କରି ପାରିବ ନାହିଁ । ଇହୁଦୀମାନଙ୍କ ପୋଷାକରେ ଡେଭିଡ ଓ ଦୋସ୍ତଙ୍କ ଇଞ୍ଚିକିଆ ହଳଦୀ ରଙ୍ଗ ନକ୍ଷତ୍ର ଚିହ୍ନ ରହିବ । ସେମାନେ ଜର୍ମାନ ପତାକା ବ୍ୟବହାର କରିବା ଉପରେ ନିଷେଧାଦେଶ ହେଇଥିଲା ।
ଯେଉଁମାନେ ଏହି ସବୁ ନିୟମକୁ ଲଙ୍ଘନ କରିବେ ସେମାନଙ୍କ ପାଇଁ ଅର୍ଥଦଣ୍ଡ, ଜେଲ ଦଣ୍ଡ, ଯାତନା ଶିବିର ( Concentration camp ) ବ୍ୟବସ୍ଥା ଥିଲା ।
1935-38 ମଧ୍ୟରେ ଅତିରିକ୍ତ ଡିକ୍ରି ଜାରୀ ହେଇଥିଲା । ଏହା ଦ୍ୱାରା ଇହୁଦୀମାନଙ୍କୁ ମେଡ଼ିକାଲ ସେବା , ଆଇନ ସେବା ନିଷେଧ ହେଇଥିଲା ।
ବିଶୁଦ୍ଧ ଆର୍ଯ୍ୟ ଜନସଂଖ୍ୟା ବୃଦ୍ଧି ପାଇଁ
ବିବାହ ୠଣ, ମାତୃତ୍ୱ ପୁରସ୍କାର, ଆଭିଜାତ୍ୟ ଜନସଂଖ୍ୟା ବୃଦ୍ଧି କାର୍ଯ୍ୟକ୍ରମ,ବାଧ୍ୟତାମୂଳକ ବନ୍ଧ୍ୟାକରଣ,ଅଯୋଗ୍ୟ ମିଳନ ନିଷେଧ ଇତ୍ୟାଦି ପ୍ରାବଧାନ ହେଇଥିଲା ।
ବିବାହ ୠଣ ନିୟମ ଅନୁଯାୟୀ ପ୍ରତ୍ୟେକ ନବ ବିବାହିତ ଦମ୍ପତିଙ୍କୁ ସନ୍ତାନ ଜନ୍ମ ପାଇଁ ସୁଧ ମୁକ୍ତ ପ୍ରୋତ୍ସାହନ ୠଣ ଥିଲା । ଗୋଟିଏ ସନ୍ତାନ ପାଇଁ ବାର୍ଷିକ 1000 ମାର୍କ, ଯାହାକି ସେତେବେଳେ ଜଣେ ସରକାରୀ କର୍ମଚାରୀଙ୍କ ବାର୍ଷିକ ଦରମା ସହ ସମାନ ଥିଲା । ଦ୍ୱିତୀୟ ସନ୍ତାନ ଜନ୍ମ ହେଲେ ବାର୍ଷିକ 2000 ମାର୍କ, ତୃତୀୟ ସନ୍ତାନ ଜନ୍ମ ହେଲେ 1000 ମାର୍କ ୠଣ ଛାଡ଼ , ଚତୁର୍ଥ ସନ୍ତାନ ଜନ୍ମ ହେଲେ ସମ୍ପୂର୍ଣ୍ଣ ୠଣ ଛାଡ଼ ନିୟମ ହେଇଥିଲା । ଅର୍ଥାତ ପ୍ରତ୍ୟେକ ସନ୍ତାନ ଜନ୍ମ ହେଲେ 25% ୠଣ ଛାଡ଼ ହେଇ ଯାଉଥିଲା ।
ହିଟଲର ମାତୃତ୍ୱ ପୁରସ୍କାର କ୍ଷେତ୍ରରେ ସନ୍ତାନ ସମୃଦ୍ଧି ଯୋଜନା ଅନୁଯାୟୀ 4 ଅଥବା ତଦୁର୍ଦ୍ଧ ସନ୍ତାନର ଜନନୀ ହେଲେ ଜନ୍ମଦାତ୍ରୀକୁ ଜର୍ମାନ ମାତା ସମ୍ନାନ କ୍ରସ ପ୍ରଦାନ କରା ଯାଉଥିଲା । 1934 ମସିହାରେ ହିଟଲର ଏକ ଭାଷଣରେ ମା କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନାଗରିକ ଭାବରେ ଅଭିହିତ କରିଥିଲା ।
ବର୍ଣ୍ଣଗତ ଆଭିଜାତ୍ୟ ସନ୍ତାନ ସଂଖ୍ୟା ବୃଦ୍ଧି ପାଇଁ ଏସ ଏସ ଲେବେନସବନ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଇଥିଲା । ଏସ ଏସ ହେଉଛି ନାଜୀ ପାର୍ଟିର ଅର୍ଦ୍ଧ ସାମରିକ ବାହିନୀ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଅବିବାହିତ ଆର୍ଯ୍ୟ ଲଳନା ଏସ ଏସ ପୁରୁଷମାନଙ୍କ ସନ୍ତାନ ଧାରଣା ପାଇଁ ପ୍ରୋତ୍ସାହନ ଦିଆ ଯାଉଥିଲା ।
ବଂଶଗତ ଅସୁସ୍ଥ ସନ୍ତାନ ରୋକିବା ପାଇଁ ବାଧ୍ୟତାମୂଳକ ବନ୍ଧ୍ୟାକରଣ ନିୟମ ଥିଲା । ଏହାକୁ ଜର୍ମାନୀରେ ନାଗରିକ ହେଇଥିବା ମିଶର ଓ ଆଫ୍ରିକୀୟ କୃଷ୍ଣକାୟ ବାସିନ୍ଦାଙ୍କ ପାଇଁ ପ୍ରୟୋଗ ହେଉଥିଲା ।
ଅଯୋଗ୍ୟ ଯୌନ ମିଳନ ଆଇନ ଅନୁଯାୟୀ ବଂଶରେ ପୂର୍ବରୁ କୌଣସି ବିକଳାଙ୍ଗ, ମାନସିକ ଓ ଶାରୀରିକ ଅନଗ୍ରସର ସନ୍ତାନ ଜନ୍ମ ହେଇଥିଲେ ବାରମ୍ବାର ସ୍ୱାସ୍ଥ୍ୟ ପରୀକ୍ଷା ପରେ ହିଁ ଯୋଗ୍ୟ ଅଯୋଗ୍ୟ ବିବାହଯୋଗ୍ୟ ପ୍ରମାଣ ପତ୍ର ପ୍ରଦାନ କରା ଯାଉଥିଲା ।
ହିଟଲରର ବିଶୁଦ୍ଧ ଆର୍ଯ୍ୟ ଜନସଂଖ୍ୟା ସମୃଦ୍ଧି ଯୋଜନା ସହିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଦ୍ଵିତୀୟ ସର ସଙ୍ଘଚାଳକ ଗୋଲୱାକର ଅର୍ଥାତ ଗୁରୁଜୀଙ୍କ ନମ୍ବୁଦ୍ରୀବ୍ରାହ୍ମଣ ପ୍ରଜନ୍ମ ଯୋଜନାର ଅନେକ ସାମଞ୍ଜସ୍ୟ ରହିଛି ।
କେବଳ ପାର୍ଥକ୍ୟ ହେଉଛି, ହିଟଲର ଇହୁଦୀମାନଙ୍କୁ ଚିହ୍ନଟ କରି ଦମନ ଶିବିରକୁ ପଠେଇବା ଓ ଜର୍ମାନୀରୁ ଇହୁଦୀ ମୁଳୋତ୍ପାଟନ କରିବା ପାଇଁ ବିଶୁଦ୍ଧ ଆର୍ଯ୍ୟ ପ୍ରଜଜନ ଉପରେ ଆଇନ କରିଥିଲା । ଏହାକୁ କାର୍ଯ୍ୟକାରୀ କରିବା କ୍ଷମତା ମଧ୍ୟ ତାର ଥିଲା ,ଯେହେତୁ ସମ୍ବିଧାନ, ନ୍ୟାୟାଳୟ,ପ୍ରଶାସନ, ସେନା ,ଶିଳ୍ପପତି ସମସ୍ତେ ତା ନୀୟମରେ ବନ୍ଧା ହେଇଥିଲେ ।
କିନ୍ତୁ ଗୁରୁଜୀଙ୍କ ନମ୍ବୁଦ୍ରୀବ୍ରାହ୍ମଣ ପରିକଳ୍ପନା କେବଳ ଏକ ଆଦର୍ଶଗତ ସିଦ୍ଧାନ୍ତ ଥିଲା ।
ସିଦ୍ଧାନ୍ତଟି ଜାଣିବା ଉଚିତ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଯଦିଓ ବେଳେ ବେଳେ ହିନ୍ଦୁ ସୁବର୍ଣ୍ଣ ଯୁଗ ପୁନଃ ପ୍ରତିଷ୍ଠା କଥା କହିଥାଏ, କିନ୍ତୁ ବାସ୍ତବରେ ଏହା ଉତ୍ତର ଭାରତ ହିନ୍ଦୁ ସୁବର୍ଣ୍ଣ ଯୁଗ । ଏବଂ ଏହି ସୁବର୍ଣ୍ଣ ଯୁଗର ଦୈବ ପ୍ରେରିତ ଧର୍ମ ଗୁରୁ ହେଉଛନ୍ତି କେରଳ ନମ୍ବୁଦ୍ରୀ ବ୍ରାହ୍ମଣ ।
ସୁତରାଂ, ହିନ୍ଦୁ ରାଷ୍ଟ୍ର ମଧ୍ୟରୁ କେବଳ ମୁସଲିମ, ଖ୍ରୀଷ୍ଟିଆନ ବାଦ ପଡୁ ନାହାନ୍ତି, ଉତ୍ତର ଭାରତ ବ୍ରାହ୍ମଣଙ୍କ ବ୍ୟତୀତ ସମସ୍ତେ ବାଦ ପଡୁଛନ୍ତି ।
1960 , 17 ଡିସେମ୍ବରରେ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହେଇଥିବା ଗୁଜରାଟ ବିଶ୍ୱବିଦ୍ୟାଳୟର School of Social Sciences ର ଅଧ୍ୟାପକ/ ପ୍ରଫେସର ଓ ଛାତ୍ରମାନଙ୍କୁ ଗୁରୁଜୀ RACE THEORY ଉପରେ ଏକ ଭାଷଣ ଦେଇଥିଲେ ।
ଏହି ପ୍ରସଙ୍ଗରେ ସେ ପ୍ରାଚୀନ ଭାରତର କ୍ରସ ବ୍ରିଡ଼ିଂ ଜ୍ଞାନ ଉପରେ ବକ୍ତବ୍ୟ ରଖିଥିଲେ –
” ଆଜିକାଲି କେବଳ ପଶୁମାନଙ୍କ କ୍ଷେତ୍ରରେ କ୍ରସ ବ୍ରିଡ଼ିଂ କରା ଯାଉଛି । ଆଜିକାଲିର ତଥାକଥିତ ଆଧୁନିକ ବୈଜ୍ଞାନିକ ମଧ୍ୟ ମାନଵ କ୍ରସ ବ୍ରିଡ଼ିଂ କରିବାକୁ ସାହସ କରି ପାରୁ ନାହାଁନ୍ତି । ଯଦି ବି କିଛି କ୍ରସ ବ୍ରିଡିଂ ପରୀକ୍ଷା ହେଉଛି, ତାହା ବୈଜ୍ଞାନିକ ଅନୁସନ୍ଧାନ ପାଇଁ ହେଉ ନାହିଁ, କେବଳ କାମୁକ ଲାଳସା ଚରିତାର୍ଥ କରିବା ପାଇଁ ହେଉଛି ।
କିନ୍ତୁ ଆସନ୍ତୁ, ଆମେ ଆମର ପୂର୍ବଜ ଙ୍କ ଏ କ୍ଷେତ୍ରରେ ହେଇଥିବା ପରୀକ୍ଷଣକୁ ସ୍ମରଣ କରିବା ।
ମାନଵ ପ୍ରଜାତିକୁ କ୍ରସ ବ୍ରିଡ଼ିଂ ମାଧ୍ୟମରେ ଉତ୍କର୍ଷ କରିବା ପାଇଁ ଉତ୍ତର ଭାରତର ନମ୍ବୁଦ୍ରୀ ବ୍ରାହ୍ମଣଙ୍କୁ କେରଳରେ ଆବାସ କରା ଯାଇଥିଲା ।ନିୟମ ହେଇଥିଲା, ନମ୍ବୁଦ୍ରୀ ପରିବାରର ଜ୍ୟେଷ୍ଠ ପୁତ୍ର କେରଳର ବୈଶ୍ୟ, କ୍ଷତ୍ରିୟ ଅଥବା ଶୁଦ୍ର ଘର କନ୍ୟାକୁ ଵିଵାହ କରିବ ।
ଏହା ସାଙ୍ଗକୁ ଆଉ ଗୋଟିଏ ସାହସିକ ନିୟମ ମଧ୍ୟ ହେଇଥିଲା । ଏହି ନିୟମ ଅନୁଯାୟୀ ଯେ କୌଣସି ବର୍ଣ୍ଣର ଜଣେ ମହିଳାର ପ୍ରଥମ ସନ୍ତାନର ବାପା ଜଣେ ନମ୍ବୁଦ୍ରୀ ବ୍ରାହ୍ମଣ ହେବେ ।ତାପରେ ସେଇ ମହିଳା ତା ସ୍ବାମୀ ଔରସରୁ ସନ୍ତାନ ଜନ୍ମ କରିବ ।ଆଜି ର ବିଚାରରେ ଏହି ପରୀକ୍ଷଣକୁ ବ୍ୟଭିଚାର ବା ପରସ୍ତ୍ରୀ ଗମନ କୁହା ଯାଇପାରେ । କିନ୍ତୁ ,ସେତେବେଳେ ଏହା କେବଳ ପ୍ରଥମ ସନ୍ତାନ ପାଇଁ ସୀମିତ ପ୍ରୟୋଗ ହେଉଥିଲା ।( january 2, 1961, Organiser ) “
ଗୁରୁଜୀ ଏହି ଭାଷଣ କୌଣସି ଅଶିକ୍ଷିତ ଓ ଅନୈତିକ ସମାବେଶରେ ଦେଇ ନଥିଲେ ।ସମାବେଶରେ ଉପସ୍ଥିତ ଥିଲେ ଗୁଜରାଟର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟର ଶିକ୍ଷକ , ଛାତ୍ରଗଣ ।
Organiser ର ରିପୋର୍ଟ ଅନୁଯାୟୀ School of Social Sciences ର ପ୍ରଥମ ନିର୍ଦ୍ଦେଶକ ଓ ବିଶିଷ୍ଟ ଅର୍ଥନୀତିଜ୍ଞ Dr B R Shenoy ଗୁରୁଜୀଙ୍କୁ ସମ୍ମିଳନୀ କକ୍ଷକୁ ସ୍ୱାଗତ କରିଥିଲେ ।
ମିଡ଼ିଆ ରିପୋର୍ଟ ଅନୁଯାୟୀ ଗୁରୁଜୀ ଙ୍କ ଫାଶିଷ୍ଟ ଓ ହାସ୍ୟାସ୍ପଦ ଚିନ୍ତନ ଭାଷଣ ବେଳେ କେହି ପ୍ରତିବାଦ କରିବା ଦୂରେ ଥାଉ, ସାମାନ୍ୟ ଗୁଞ୍ଜରଣ ମଧ୍ୟ ହେଇ ନଥିଲା ।
ଉଚ୍ଚବର୍ଣ୍ଣ ଭାଷଣ କଳାକୁ ଗୁଜରାଟ ରେ ଏଭଳି ସମ୍ମାନଜନକତା ମିଳିବା ହିଁ ପ୍ରମାଣ କରୁଛି କାହିଁକି ଏହି ଅଞ୍ଚଳରେ ପ୍ରଥମେ ହିନ୍ଦୁତ୍ୱ ପ୍ରବେଶ କରି ପାରିଥିଲା ।
