ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଉ ଯିବାକୁ ପଡ଼ିବନି ଆରଟିଓ, ଆସନ୍ତା ମାସରୁ ନିୟମରେ ଆସିବ ପରିବର୍ତ୍ତନ …
ଜୁନ ମାସ ଆରମ୍ଭରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆ ନିୟମ ଲାଗୁ ହେବ। ଡ୍ରାଇଭିଂ ଲାଇସେନ୍ସ ପାଇବା ଲାଗି ଲୋକମାନେ ସରକାରଙ୍କ ଦ୍ବାରା ପରିଚାଳିତ ଆଞ୍ଚଳିକ ପରିବହନ କେନ୍ଦ୍ର (ଆର୍ଟିଓ) ବଦଳରେ ଘରୋଇ ଡ୍ରାଇଭିଂ ତାଲିମ କେନ୍ଦ୍ରରେ ଗାଡ଼ି ଚଲାଇବା ପରୀକ୍ଷା ଦେଇପାରିବେ। ଘରୋଇ କେନ୍ଦ୍ରଗୁଡ଼ିକୁ ସେଥିପାଇଁ ଅନୁମତି ପ୍ରଦାନ କରାଯାଇଛି। ଘରୋଇ ଡ୍ରାଇଭିଂ ସ୍କୁଲ୍ ଖୋଲିବା ପାଇଁ ଅତିକମ୍ରେ ୧ ଏକର ଜମି ଏବଂ ଚାରି ଚକିଆ ଯାନ ପାଇଁ ୨ ଏକର ଜମି ଥିବା ଦରକାର। ପ୍ରଶିକ୍ଷକମାନଙ୍କ ଯୋଗ୍ୟତା ଡିପ୍ଲୋମା ହୋଇଥିବ ଏବଂ ତାଙ୍କର ୫ ବର୍ଷର ଗାଡ଼ିଚାଳନା ଅଭିଜ୍ଞତା ଥିବ। ସେ ବାୟୋମେଟ୍ରିକ୍ ଓ ସୂଚନା ପ୍ରଯୁକ୍ତି ବ୍ୟବହାରରେ ଅଭ୍ୟସ୍ତ ଥିବେ।
ନୂଆ ନିୟମରେ ଅଧିକ ବେଗରେ ଗାଡ଼ି ଚଲାଇବା ଲାଗି ଜରିମାନା ରାଶି ୧୦୦୦ରୁ ୨୦୦୦ ଟଙ୍କା ଭିତରେ ରହିଛି। ତେବେ 18 ବର୍ଷରୁ କମ୍ ପିଲା ଗାଡ଼ି ଚଲାଇବା ବେଳେ ଧରାପଡ଼ିଲେ ୨୫ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ସେହି ଗାଡ଼ିର ପଞ୍ଜୀକରଣ ରଦ୍ଦ ହେବ। ପିଲାଟିକୁ ୨୫ ବର୍ଷ ହେବା ପର୍ଯ୍ୟନ୍ତ ଲାଇସେନ୍ସ ମିଳିବ ନାହିଁ। ନୂଆ ଲାଇସେନ୍ସ ପାଇଁ ଦରକାର ହେଉଥିବା କାଗଜପତ୍ର ସଂଖ୍ୟାକୁ ମଧ୍ୟ କମ୍ କରାଯାଇଛି। ଦୁଇଚକିଆ ଓ ତିନିଚକିଆ ଲାଗି ଅଲଗା ଅଲଗା କାଗଜପତ୍ର ରହିବ।