ପୁରୀ ଲୋକସଭାରେ ବରିଷ୍ଠ ବ୍ରଜ-ପ୍ରସନ୍ନଙ୍କ ବିରୋଧରେ ଲଢ଼ିବେ ମୋଦିଙ୍କ ଗେଲ୍ହା ସମ୍ବିତ
ଭୁବନେଶ୍ୱର : ପୂର୍ବ ଭାରତର ଅନ୍ୟତମ ପ୍ରମୁଖ ଲୋକସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ପୁରୀ ଅନ୍ୟତମ। ଏହି ଆସନରୁ କଂଗ୍ରେସ, ଜନତା ଦଳ , ସିପିଆଇ ଏବଂ ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ପ୍ରତିନିଧି ଜିତିଛନ୍ତି। ୧୯୮୦ ପରେ ଭାରତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିଥିବା ବିଜେପି ଏଠାରୁ କେବେ ଜିତିନାହିଁ। ୨୦୦୯ ମସିହା ଠାରୁ ବିଜେପି ଏହି ଆସନରେ ପ୍ରାର୍ଥୀ ଦେଇ ଆସୁଛି। ପ୍ରଥମ ଦୁଇଥର ତୃତୀୟ ସ୍ଥାନରେ ରହିବା ସହ ଗତଥର ଅଳ୍ପ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହି ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହି ଆସନରୁ ମୋଦିଙ୍କ ଏକାନ୍ତ ଅନୁଗତ ସମ୍ବିତ ପାତ୍ର ପ୍ରାର୍ଥୀ ହୋଇଥିଲେ। କଂଗ୍ରେସରୁ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ପ୍ରାର୍ଥୀ ହୋଇ ଥିଲେ ବି ଅପେକ୍ଷାକୃତ କମ୍ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ମୁକାବିଲା ଏକ ପ୍ରକାର ଦ୍ୱିମୁଖି ହୋଇଥିଲା।
ବିଜେଡି ସାଂସଦ ପିନାକୀ ମିଶ୍ର ଚଳିତ ଥର ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁ ନାହାନ୍ତି। ଆଗାମୀ ବର୍ଷ ରାଜ୍ୟସଭା ଯିବା ପାଇଁ ହାଇକମାଣ୍ଡକୁ ଜଣାଇଛନ୍ତି। ଦେଶର ବରିଷ୍ଠ ଓକିଲ, କର୍ପୋରେଟଙ୍କ ସହ ସମ୍ପର୍କ ଏବଂ ପୁରୀ ଜିଲ୍ଲାରେ ସଞ୍ଜୟ ଦାସବର୍ମାଙ୍କ ସହ ଶତ୍ରୁତା ତାଙ୍କୁ ତୃତୀୟ ମହଲାର ଗେହ୍ଲା ପୁଅ କରିଛି। ଏହି କ୍ରମରେ ତାଙ୍କ ପରେ ପୁରୀ ଲୋକସଭାରୁ ବିଜେଡି ପ୍ରାର୍ଥୀ କିଏ ହେବ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପିରୁ ସମ୍ବିତ ପାତ୍ର ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ। ତେଣୁ ବିଜେଡି ଓ କଂଗ୍ରେସ ତଥା ବିରୋଧି ଦଳ ସମୂହ ପ୍ରାର୍ଥୀ କିଏ ହେବ ତାହା ଉପରେ ସମସ୍ତଙ୍କ ନଜର ରହିବ। ସମ୍ବିତ ପାତ୍ର ଗତଥର ଅଳ୍ପ ବ୍ୟବଧାନରେ ହାରିଥିବାରୁ ଏଥର ଜିତିବା ନେଇ ବେଶ୍ ଉତ୍ସାହିତ ଅଛନ୍ତି। ତେଣୁ ସେ ଦୁଇମାସ ପୂର୍ବରୁ ନିଜର ସକ୍ରିୟତା ପ୍ରଦର୍ଶନ କରୁଛନ୍ତି। ନିୟମିତ ନିର୍ବାଚନମଣ୍ଡଳୀ ଗସ୍ତ କରିବା ସହ କର୍ମୀଙ୍କୁ ଭେଟୁଛନ୍ତି। ସମ୍ବିତଙ୍କ ପରି ବାକପଟୁତା ଏବଂ ନିଆରା ପ୍ରଚାରଶୈଳୀକୁ ଟକ୍କର ଦେବା ଭଳି ୨ଟି ନେତାଙ୍କ ଉପରେ ବିଜେଡ଼ି ପକ୍ଷରୁ ଆଲୋଚନା ହୋଇଥିଲା। ହେଲେ ଭୁବନେଶ୍ୱରର ପୂର୍ବତନ ଏମପି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପୁରୀରୁ ପ୍ରାର୍ଥୀ କରିବା ପାଇଁ ବିଚାର କରାଯାଉଛି। ପ୍ରସନ୍ନଙ୍କ ପ୍ରାର୍ଥୀତ୍ୱ ଚିଲିକାର ବାଣପୁର ଅଞ୍ଚଳରେ ପ୍ରଭାବ ପକାଇବା ସହ ବିଜେଡି ସଙ୍ଗଠନକୁ ନେଇ ଦଳ ସମ୍ବିତଙ୍କ ମୁକାବିଲା କରିପାରିବ। ସମ୍ବିତଙ୍କ ପରି ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଗୈରିକ ରାଜନୀତିରେ ରୁଚି ରଖନ୍ତି।
ଅପରପକ୍ଷରେ ଗୋଟିଏ ଲୋକସଭାରେ ଗୋଟିଏ ବିରୋଧି ଦଳ ପ୍ରାର୍ଥୀ ଫର୍ମୁଲା ପୁରୀ ଲୋକସଭା ଆସନ ଅଣ କଂଗ୍ରେସ ପାଖକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ଜାତୀୟ ସ୍ତରରେ ତଥା ଓଡ଼ିଶାରେ ମିଳିତ ବିରୋଧି ଦଳ ପ୍ରାର୍ଥୀ ଦିଏ। ତେବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ପ୍ରାର୍ଥୀ ହେବାର ବହୁତ ସମ୍ଭାବନା ରହିଛି। ଶ୍ରୀ ତ୍ରିପାଠୀ ମିଳିତ ବିରୋଧି ଦଳ ପ୍ରାର୍ଥୀ ଭାବେ ଜେଡିୟୁ କିମ୍ବା ସମତାକ୍ରାନ୍ତି ଦଳର ଚିହ୍ନରେ ନିର୍ବାଚନ ଲଢିପାରନ୍ତି। ଶ୍ରୀ ତ୍ରିପାଠୀଙ୍କର ପୁରୀ, ରଣପୁର, ସତ୍ୟବାଦୀ ଏବଂ ପିପିଲିରେ ସ୍ୱତନ୍ତ୍ର ପ୍ରଭାବ ରହିଛି। ତେଣୁ ବ୍ରଜ ଯଦି ମଇଦାନକୁ ଓହ୍ଲାନ୍ତି, ତେବେ ନିର୍ବାଚନୀ ସମୀକରଣ ଅଲଗା ହେବାର ଯଥେଷ୍ଟ ସମ୍ଭାବନା ରହିଛି।