ସଞ୍ଜୟଙ୍କୁ ପିନାକୀଙ୍କ ଆଲିଙ୍ଗନ ଲୌହ ଭୀମକୁ ଧ୍ରୁତରାଷ୍ଟ୍ରର ଆଲିଙ୍ଗନ ନୁହେଁ ତ………….

ଭୁବନେଶ୍ୱର,୨୪/୪(ବ୍ୟୁରୋ): ମହାଭାରତ ଯୁଦ୍ଧ ସରିଯାଇଥାଏ। ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ସହ ମହାରାଜା ଧ୍ରୁତରାଷ୍ଟ୍ରଙ୍କୁ ଭେଟିବା ପାଇଁ ଇନ୍ଦ୍ରପ୍ରସ୍ଥ ଆସିଥାନ୍ତି। ଶତପୁତ୍ର ନିଧନ ଦୁଃଖରେ ଧ୍ରୁତରାଷ୍ଟ୍ର ମ୍ରିୟମ୍ରାଣ ହୋଇ ପଡିଥାନ୍ତି। ନିଜ ଆଡୁ କୁରୁ ଶ୍ରେଷ୍ଠ ପଞ୍ଚୁ ପାଣ୍ଡବଙ୍କୁ କୋଳାଗ୍ରତ କରି ଅଭିଭାଦନ କରନ୍ତି। ଯୁଧିଷ୍ଠିରଙ୍କ ଅଭିଭାଦନ ପରେ ଭୀମଙ୍କୁ ଡାକି ଆଲିଙ୍ଗନ କରିବାକୁ ଉଦ୍ୟତ ହୁଅନ୍ତି ଧ୍ରୁତରାଷ୍ଟ୍ର। ହେଲେ ଅନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ଭୀମଙ୍କୁ ଧ୍ରୁତରାଷ୍ଟ୍ର ନିକଟରୁ ଦୂରେଇ ରଖନ୍ତି। ଭୀମଙ୍କ ବଦଳରେ ତାଙ୍କ ଲୌହ ପ୍ରତିମାକୁ ଅନ୍ଧ ଧ୍ରୁତରାଷ୍ଟ୍ରଙ୍କ ବାହୁ ବନ୍ଧନ ଆଡକୁ ବଢାଇ ଦିଅନ୍ତି। ପୁତ୍ର ବିୟୋଗ ଦୁଃଖରେ ଜର୍ଜରିତ ଧ୍ରୁତରାଷ୍ଟ୍ର ଲୌହ ଭୀମକୁ ପ୍ରକୃତ ମନେ କରି ତାକୁ ଜାବୁଡି ହତ୍ୟା କରିବାକୁ ଉଦ୍ୟତ ହୁଅନ୍ତି। ଲୌହ ଭୀମ ଚୁରମାର ହୋଇଯାଏ। ବଞ୍ଚିଯାଆନ୍ତି ଭୀମ। ଭାବିଲେ ଯଦି ସେହି ପରିସ୍ଥିତିରେ କୃଷ୍ଣ ନ ଥାନ୍ତେ, ତେବେ ମହାଭାରତର ସେହି ପର୍ବ କିପରି ହୋଇଥାଆନ୍ତା।

ରାଜ୍ୟ ରାଜନୀତିରେ ସାମ୍ପ୍ରତିକ ସମୟରେ ଅନୁରୂପ ଠିକ୍ ସେମିତି ଘଟଣାଟି ଘଟିଛି। ହେଲେ ଏଠାରେ କୃଷ୍ଣ କେହି ନାହାନ୍ତି। ଆଲିଙ୍ଗନ ବିବାଦକୁ ବଢାଇବ କିମ୍ବା କମାଇବ, ତାହା ସମୟ କହିବ। ମାତ୍ର ତାହା ପୁରୀ ଏବଂ ରାଜ୍ୟ ରାଜନୀତିରେ ରୁଚି ରଖୁଥିବା ଜନମାନସକୁ ଖୋରାକ ଯୋଗାଇବ। ଦିନକ ପୂର୍ବରୁ ବିଜେଡି ମୁଖ୍ୟାଳୟ ଶଙ୍ଖଭବନ ଉଦଘାନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ଘଟଣାକ୍ରମରେ ପୁରୀ ଜିଲ୍ଲା ବିଜେଡି ପ୍ରଭାରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁରୀ ଏମପି ପିନାକୀ ମିଶ୍ର ଏବଂ ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ ଦାସବର୍ମାଙ୍କୁ ଧରି ଆଲିଙ୍ଗନ କରିବାକୁ କହିଥିଲେ। ଉବୟ ପିଠିରେ ରାଜା ସ୍ୱାଇଁଙ୍କ ହାତ ଥିଲା। ଲୁଟିୟନ୍ସ ଦିଲ୍ଲୀରେ ରହୁଥିବା ପିନାକୀ ସହଜରେ କାହାକୁ ଆଲିଙ୍ଗନ ଛାଡ, ହାତ ମିଳାଇବାକୁ ଏତେଟା ଭଲ ପାଆନ୍ତି ନାହିଁ। ତେଣୁ ପୁରୀ ଜିଲ୍ଲା ରାଜନୀତି ଏବଂ ନବୀନ ନିବାସ ସମୀକରଣ କଣ ଏପରି ବିଗିଡିଲା ଯେ, ରାଜାଙ୍କୁ ହସ୍ତକ୍ଷେପ କରି ବର୍ମା ଏବଂ ମିଶ୍ରଙ୍କୁ ଏକାଠି କରିବାକୁ ପଡିଲା। ପୁରୀ ଜିଲ୍ଲାର ଏକାଧିକ ନିର୍ବାଚନମଣ୍ଡଳୀରେ ଶାସକ ଦଳରୁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମହେଶ୍ୱର ମହାନ୍ତି ଜିଲ୍ଲା ସଭାପତି ଥିବା ସର୍ତ୍ତ୍ୱେ ତାଙ୍କ ଠାରୁ ବହୁତ ଜୁନିୟର ଶୁଭାଶିଷ ଖୁଣ୍ଚିଆ ସମାନ୍ତରାଳ ସଙ୍ଗଠନ କରୁଛନ୍ତି। ତାଙ୍କୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ପିନାକୀ ମିଶ୍ରଙ୍କ ଠାରୁ ଭିଟାମିନ୍ ମିଳୁଛି। ଏକଥା କାହାକୁ ଅଛପା ନାହିଁ। ଅନୁରୂପ ଭାବେ ବ୍ରହ୍ମଗିରୀରେ ଶୁଭାଶିଷଙ୍କ ଭଳି ନେତୃତ୍ୱରେ ଆର୍ବିଭାବ ଘଟିନାହିଁ।
ମାତ୍ର କେତେ ଜଣ ପୁରୁଣା ନେତାଙ୍କୁ ଧରି ସମାନ୍ତରଳ ଦଳୀୟ କାର୍ଯ୍ୟକ୍ରମ କରାଯାଉଛି। ଖୋଦ୍ ସଞ୍ଜୟ ଦାମବର୍ମା ପରୋକ୍ଷରେ ଏକଥା କହିସାରିଛନ୍ତି। ଶିଖିମନେଇଙ୍କୁ ନେଇ ଓଡ଼ିଶା ଲୁଟର ଯୋଜନା ଚାଲିଛି। ଏକଥା ପରେ ବିଜେଡିରେ ତାଳିପକା ଉଦ୍ୟମ ଆରମ୍ଭ ହୋଇ ଯାଇଥିଲା। ସଞ୍ଜୟଙ୍କ ପତ୍ନୀଅସୁସ୍ଥ ବେଳେ ରାଜ୍ୟ ରାଜନୀତିର ୨ ପ୍ରଭାବଶାଳୀ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀ, ସଙ୍ଗଠନ ସମ୍ପାଦକ ବବି ଦାସ ଆପୋଲରେ ପହଞ୍ଚି ଥିଲେ। ଏହା ପରେ ଟିକେ ସ୍ଥିତି ସୁଧୁରିବା ମନେ ହେଉଥିଲା। ମାତ୍ର ତାହା ହୋଇ ନ ଥିବା ଧିରେ ଧିରେ ସ୍ପଷ୍ଟ ହେଲା। ପୁରୀ ଜିଲ୍ଲାରେ ପୁରୀ ଲୋକସଭା, ପୁରୀ, ବ୍ରହ୍ମଗିରୀ, ସତ୍ୟବାଦୀ, ଚିଲିକା, ନୟାଗଡ଼ ଭଳି ବିଧାନସଭା ଆସନରେ ବିଜେପି ଭଲ ସ୍ଥିତିରେ ରହୁଛି। ଯଦି ସଞ୍ଜୟ ଆଗଭଳି ବିଜେଡି ରାଜନୀତିରେ ସକ୍ରିୟତା ନ ଦେଖାନ୍ତି , ତେବେ ଲୋକସଭା ସମେତ ପୁରୀ, ବ୍ରହ୍ମଗିରୀ, ସତ୍ୟବାଦୀ ଏବଂ ଚିଲିକା ବିଜେଡିର ପରାଜୟ ସୁନିଶ୍ଚିତ ହୋଇଯିବ। ତେଣୁ ପୁରୀ ଏବଂ ନବୀନ ନିବାସ ରାଜନୀତିକୁ କିଛି ମାତ୍ରାରେ ସମ୍ଭାଳିବା ପାଇଁ ରାଜାଙ୍କ ପକ୍ଷରୁ ଏହି ପ୍ରୟାସ କରାଯାଇଛି ।
ହେଲେ ପ୍ରଶ୍ନ ଉଠେ, ରଣେନ୍ଦ୍ର ବାବୁ ୨୦୧୯ ପରେ ଜିଲ୍ଲାର ପ୍ରଭାରୀ ହୋଇଛନ୍ତି। ସେ ଜିଲ୍ଲାର ପ୍ରଭାରୀ ହେବା ପରେ ତାଙ୍କ ଆଡୁ କୌଣସି ବିବାଦ କରାଯାଇନାହିଁ। ବରଂ ସେ ସମସ୍ତଙ୍କୁ ନେଇ ଚାଲିବାକୁ ଚେଷ୍ଟା କରିଛନ୍ତି। ମାତ୍ର ମହେଶ୍ୱର-ଶୁଭାଶିଷ, ସଞ୍ଜୟ-ପିନାକୀ, ସଞ୍ଜୟ-ପ୍ରଣବ, ସଞ୍ଜୟ-ତୃତୀୟ ମହଲା ସମ୍ପର୍କ ଭୁବନେଶ୍ୱର ସମୀକରଣ ଦ୍ୱାରା ଖରାପ ହୋଇଛି। ତେଣୁ ବିବାଦର କାରଣ ଲୋକମାନଙ୍କ ମଧ୍ୟରେ ସମାଧାନ ନ ହେଲେ, ରାଜାଙ୍କ ଉଦ୍ୟମ ବ୍ୟର୍ଥ ଯିବ ବୋଲି ଚର୍ଚ୍ଚା ହେଉଛି। କେତେକ ମାମଲାରେ ସଞ୍ଜୟ ଦୋଷମୁକ୍ତ ଥିଲେ ବି କ୍ରାଇମବ୍ରାଞ୍ଚ ତାଙ୍କୁ ହଇରାଣ କରିବା ପାଇଁ କ୍ଲିନଚିଟ୍ ଦେଉନାହିଁ। ତାଙ୍କ ହାତ ଧରି ରାଜନୀତି ଶିଖିଥିବା ୨ ଜଣ ଏବେ ଜିଲ୍ଲା ପ୍ରଭାରୀ ରହିଛନ୍ତି। ତେଣୁ ପିନାକୀଙ୍କ ଆଲିଙ୍ଗନ ଧ୍ରୁତରାଷ୍ଟ୍ରଙ୍କ ପରି ବିନାଶକାରୀ ଆଲିଙ୍ଗନ ନା ଯୁଧିଷ୍ଠିରଙ୍କୁ କରାଯାଇଥିବା ମନସ୍ତାପପୂର୍ଣ୍ଣ ଆଲିଙ୍ଗନ ସେ ନେଇ ବ୍ରହ୍ମଗିରୀ ବଜାର, ଚିଲିକାରେ ବୁଲୁଥିବା ଡଙ୍ଗା, ମାଲୁଦ ଦୀପ ଏବଂ ବଡଦାଣ୍ଡ ଖଟିରେ ଆଲୋଚନା ହେଉଛି।

One thought on “ସଞ୍ଜୟଙ୍କୁ ପିନାକୀଙ୍କ ଆଲିଙ୍ଗନ ଲୌହ ଭୀମକୁ ଧ୍ରୁତରାଷ୍ଟ୍ରର ଆଲିଙ୍ଗନ ନୁହେଁ ତ………….”