ଜେଲ ଯିବାଠୁ ଅଧିକ ଘୃଣ୍ୟ ଥିଲା ମୁଖ୍ୟ ଗଣମାଧ୍ୟମ ଗୁଡିକର ଭୂମିକା…

ନୂଆଦିଲ୍ଲୀ : (ରଙ୍ଗା ଚରଣ ପ୍ରଧାନ)- ଆପତ୍ତି ନାହିଁ ଯେ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍ ପଠା ଯାଇଥିଲା । କାରଣ ରାୟ ପ୍ରକାଶ ପରେ ଦୋଷୀ ପ୍ରମାଣିତ ହୋଇ ସେ ଜେଲ୍ ଯାଇ ନଥିଲେ । ଆପତ୍ତି ନାହିଁ ଯେ ଉଭୟ ବିଜେପି ଓ କଂଗ୍ରେସ ତାଙ୍କୁ ଭ୍ରଷ୍ଟାଚାରୀ କହିଥିଲେ । କାରଣ ସେମାନେ ବିରୋଧୀ । ସେମାନେ ଏପରି କରିବେ ।
କିନ୍ତୁ ମୋର ଆପତ୍ତି ହେଉଛି ସେ ସମୟର ଗଣମାଧ୍ୟମର ବ୍ୟବହାରକୁ ନେଇ । ଏପରିକି ଓଡ଼ିଆ ଗଣମାଧ୍ୟମରେ ମଧ୍ୟ ବଡ଼ ବଡ଼ ବୁଦ୍ଧିଜୀବି ପଚାରିଛନ୍ତି ‘ ତମ ନେତା ଯଦି ଭୁଲ୍ କରି ନାହାନ୍ତି ତାହେଲେ କୋର୍ଟ ବେଲ୍ କାହିଁକି ଦେଉନି ?’ ସେମାନେ ପଚାରିବା ଉଚିତ୍ ଥିଲା , ଯଦି ସେମାନଙ୍କ ବିରୁଦ୍ଧରେ ପ୍ରମାଣ ମିଳୁ ନାହିଁ ଓ ତମ ତଦନ୍ତ ସରୁ ନାହିଁ, ସେଥିପାଇଁ କାହିଁକି ଏହି ନେତାମାନଙ୍କୁ ବେଲ୍ ରୁ ବଞ୍ଚିତ କରାଯିବ ।
ଏହା ହେଉଛି ସବୁଠାରୁ ଦୁର୍ଭାଗ୍ୟଜନକ ପ୍ରଶ୍ନ । ଏହି ପ୍ରଶ୍ନ ହେଉଛି ଆଇନର ଅବଧାରଣା ଓ ବ୍ୟକ୍ତି ଅଧିକାରକୁ ଗୋଇଠା ମାରିବା ଭଳି ଏକ ପ୍ରଶ୍ନ । ଗଣତନ୍ତ୍ରରେ ଜନପ୍ରତିନିଧି ରହିଥାନ୍ତି । ସେମାନେ ଜନତାଙ୍କ ସମସ୍ୟା, ଅଭିଯୋଗ ଓ ଦାବୀ ଗୃହରେ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଗଣତନ୍ତ୍ରରେ କୋର୍ଟ ରହିଥାଏ । ସେମାନେ ହେଉଛନ୍ତି ବ୍ୟକ୍ତିର ମୌଳିକ ଅଧିକାରର ସବୁଠାରୁ ବଡ଼ ଜଗୁଆଳି ।ତଥାପି ସବୁ ଲୋକ କୋର୍ଟକୁ ଯାଇ ପାରିବେ ନାହିଁ । ସେଥିପାଇଁ ଅଣ୍ଟିରେ ଧନ ଥିବା ଦରକାର । କିନ୍ତୁ ଏହି ଦୁଇଟି ସଂସ୍ଥା ବ୍ୟତୀତ ନାଗରିକ ଅଧିକାରର ସବୁଠାରୁ ବଡ଼ ସୁରକ୍ଷାକାରୀ ହେଉଛି ରିପୋର୍ଟର ଭାଇଟିଏ, ଯିଏ ନୋଟବୁକ୍ ଓ ପେନସିଲଟିଏ ଧରି କୁଡ଼ିଆରେ ପଶି ପଚାରିଥାଏ କେତେ ମାସ ହେଲା ରାସନ ପାଇନ କିମ୍ବା ଭତ୍ତା ମିଳୁଛି ତ ? ଏ କାମ କେବଳ ଜଣେ ରିପୋର୍ଟର କରି ପାରିବ । ଏ କାମ ଜନପ୍ରତିନିଧି କିମ୍ବା କୋର୍ଟ କରିବା ସମ୍ଭାବନା କମ୍ । ଯଦି ଜଣେ ଗରିବ ଓ ଦୁର୍ବଳକୁ ପୋଲିସ୍ କିମ୍ବା ରାଜନୈତିକ ଗୁଣ୍ଡା କିମ୍ବା ଉଚ୍ଚ ଜାତି ଦ୍ବାରା ଆକ୍ରମଣ କିମ୍ବା ନିର୍ଯ୍ୟାତିତ ହେଉଛି , ତେବେ ସେ ସମୟରେ ସେ ଲୋକଟିର ସବୁଠାରୁ ନିକଟତର ବ୍ୟକ୍ତି ହେଉଛି ଲୋକାଲ ରିପୋର୍ଟର ଟିଏ । ମାନବାଧିକାରର ସବୁଠାରୁ ବଡ଼ ସୁରକ୍ଷାକାରୀ ହେଉଛି ରିପୋର୍ଟର ।
କିନ୍ତୁ ଯେବେଠାରୁ ଷ୍ଟୁଡିଓ ଡିବେଟ୍ ଆରମ୍ଭ ହେଲାଣି, ଷ୍ଟାର୍ ଆଙ୍କର ବାହାରିଲେଣି, ଯେଉଁମାନେ ଆଶାତୀତ ରକମର ଦରମା ପାଇଥାନ୍ତି – ଅଧିକାଂଶ ସମୟରେ କେବଳ ସେମାନଙ୍କ ଗଳା କ୍ଷମତା ପାଇଁ – ସେବେଠାରୁ ଲୋକାଲ ରିପୋର୍ଟରର ଆଉ କୌଣସି ମହତ୍ତ୍ଵ ରହୁ ନାହିଁ । ସେ ଦେଖୁଛି ତା ଆଙ୍କର ଷ୍ଟୁଡ଼ିଓରେ ବସି ମାନବାଧିକାରର ଗଳା ଚିପୁଛି, ଆନ୍ଦୋଳନକୁ ବିରୋଧ କରୁଛି, ତା ଦରମାର ୫୦ ଗୁଣ ଦରମା ପାଉଛି, ଫୋନ୍ ଚିପିଲେ ବଡ଼ ବଡ଼ ମନ୍ତ୍ରୀମାନେ ଧଡକରି ଫୋନ୍ ଉଠାଉଛନ୍ତି, ସେତେବେଳେ ସେ କାହିଁକି ନୋଟ୍ ବୁକ୍ ଓ ପେନସିଲ୍ ଧରି କୁଡିଆ ଭିତରକୁ ଯିବ ? ତାକୁ ବି ଧନୀ ହେବାର ଅଛି । ଆପଣ ଷ୍ଟୁଡ଼ିଓରେ ଯେଉଁ ଷ୍ଟାର ସାମ୍ବାଦିକଙ୍କୁ ଦେଖୁଛନ୍ତି ନା, ଯେଉଁମାନେ କୋର୍ଟ ଟାଇ ପିନ୍ଧି ଆସୁଛନ୍ତି , ରାଗ ମୁହଁ କରି ଆସୁଛନ୍ତି, ଗଳା ଫଟାଇ ଚିତ୍କାର କରୁଛନ୍ତି, ସେଇମାନେ ହିଁ ଗଣମାଧ୍ୟମର ପତ୍ତନ ପାଇଁ ଦାୟୀ । ଅସଲରେ ସେମାନେ ଅଧିକାଂଶରେ ହେଉଛନ୍ତି ରିମୋଟ୍ କଣ୍ଢେଇ । ଏମିତି ବି ହୋଇଛି, ନେତା ଏହି ଷ୍ଟୁଡିଓର ଷ୍ଟାରଙ୍କୁ ଫୋନ୍ କରି ରିପୋର୍ଟର ଚାକିରୀ ଖାଇ ଯାଇଛି ।
ସୁପ୍ରୀମକୋର୍ଟର ଜଣେ ବିଚାରପତି ରାହୁଳ ଗାନ୍ଧୀଙ୍କୁ ପଚାରିଲେ ସେ ଦେଶପ୍ରେମୀ କି ନୁହେଁ । ଏହି ପ୍ରଶ୍ନ ଏତେ ଆପତ୍ତିଜନକ ଯେ ଗଣମାଧ୍ୟମ ଏହା ବିରୁଦ୍ଧରେ ଲଢିଯିବା କଥା । ତମେ କିଏ ଜଣକର ଦେଶପ୍ରେମ ଉପରେ ପ୍ରଶ୍ନ କରିବାକୁ ? ମିଡ଼ିଆ ଏ ପ୍ରଶ୍ନ କରିବା କଥା । କିନ୍ତୁ ମିଡ଼ିଆ ଏପରି କଲା ନାହିଁ । ଠିକ୍ ଏହାର ଓଲଟା କଲା । ମିଡିଆ ଏଠାରେ ବ୍ୟକ୍ତି ପାଖରେ ଠିଆ ନହୋଇ ସୁପ୍ରିମକୋର୍ଟ ସହିତ ଠିଆ ହେଉଛି । ମୁଁ ରାହୁଳ ଗାନ୍ଧୀଙ୍କ ସମର୍ଥକ ନୁହେଁ । କିନ୍ତୁ ଏ ପ୍ରସଙ୍ଗରେ ରାହୁଳ ଗାନ୍ଧୀ ଜଣେ ନେତା ନୁହେଁ । ରାହୁଳ ଗାନ୍ଧୀ ହେଉଛନ୍ତି ଜଣେ ବ୍ୟକ୍ତି । ସେ ଜଜ୍ କିଏ ଜଣେ ବ୍ୟକ୍ତିର ଦେଶପ୍ରେମ ଉପରେ ପ୍ରଶ୍ନ ଉଠାଇବାକୁ ? ବ୍ୟକ୍ତି ହେଉଛି ଦେଶର ମାଲିକ ।
ସେହିପରି ଦିନେ ଏହି ମିଡ଼ିଆ କହୁଥିଲା, ଇଡି ଏକ ସାମ୍ବିଧାନିକ ସଂସ୍ଥା । ସେ ବାରମ୍ବାର ଡାକିଲେ ମଧ୍ୟ ଅରବିନ୍ଦ କେଜରିୱାଲ କାହିଁକି ଯାଉନି ?
ଯଦିବା ଇଡିର ବେଆଇନ୍ ସମନକୁ ସୁପ୍ରୀମକୋର୍ଟରେ ଚାଲେଞ୍ଜ କରା ଯାଇଛି ଏବଂ ଏପର୍ଯ୍ୟନ୍ତ ଏହା ବିଚାରାଧୀନ ଅଛି, କିନ୍ତୁ ମିଡ଼ିଆ ତାହାର ରାୟ ଶୁଣାଇ ସାରିଲାଣି ଯେ ଇଡି ଡାକିବା ମାନେ କେଜରିୱାଲ ଦାନ୍ତରେ କୁଟା ଚାପି ସଙ୍ଗେ ସଙ୍ଗେ ସେଠାରେ ହାଜର ହୋଇ ଯିବାର ଥିଲା । ଯଦିଓ କେଜରିୱାଲ ବି ସେତେବେଳେ ଏକ ସାମ୍ବିଧାନିକ ପଦବୀରେ ଥିଲେ, ମିଡ଼ିଆ ସେ କଥା କହୁ ନଥିଲା । ତେବେ ମୁଁ ଏଠାରେ ବ୍ୟକ୍ତି କେଜରିଓ୍ବାଲଙ୍କ କଥା କହୁଛି ।
ମିଡ଼ିଆ ଆଜିକାଲି ବ୍ୟକ୍ତି ସପକ୍ଷରେ ଛିଡ଼ା ହେଉନି । ମିଡ଼ିଆ ବ୍ୟକ୍ତି ଅଧିକାର ପାଇଁ ଠିଆ ହେଉ ନାହିଁ ।
ଜଣେ ନାଗରିକକୁ ବିଚାର ପୁର୍ବରୁ ଜେଲରେ ରଖିବା ହେଉଛି ଗଣତାନ୍ତ୍ରିକ ଅବଧାରଣାର ବିରୋଧୀ । ତଥାପି ତାକୁ ରଖାଯାଉଛି । କାରଣ କାଳେ ସେ ବାହାରେ ରହି ସାକ୍ଷୀ ପ୍ରମାଣକୁ ନଷ୍ଟ କରିବ ଓ ତଦନ୍ତରେ ବାଧା ସୃଷ୍ଟି କରିବ । ତେଣୁ ବେଲ୍ ନମିଳିବା ପର୍ଯ୍ୟନ୍ତ ଜେଲ୍ ରେ ରହିବା ଅର୍ଥ ନୁହେଁ ଯେ ସେ ଜଣେ ଅପରାଧୀ । ପିଏମଏଲଏ ଆଇନରେ ଏହି ଅବଧାରଣାକୁ କ୍ଷୁର୍ଣ କରା ଯାଇଛି । ଏହି ଆଇନର ବୈଧତା ଏବେ ବି କୋର୍ଟରେ ପଡ଼ିଛି । ଏଇଟା ବ୍ୟକ୍ତି ଅଧିକାରର ପ୍ରଶ୍ନ ଆଜ୍ଞା । ସରକାର କେମିତି ଜଣକୁ କହିଦେବ ତୁ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କର ଓ ଯେ ପର୍ଯ୍ୟନ୍ତ ନିଜକୁ ନିର୍ଦ୍ଦୋଷ ପ୍ରମାଣ ନ କରିଛୁ, ସେ ପର୍ଯ୍ୟନ୍ତ ତୁ ଦୋଷୀ । ଏ ବିଷୟରେ ମୁଁ ‘ଜନବାଦୀ’ ଓ ‘ସମତା’ ରେ ଲେଖିଛି ଓ ପରନ୍ତୁରେ ଭିଡିଓ କରିଛି । ଓଡ଼ିଶା ମିଡ଼ିଆରେ ଏ ପ୍ରକାର ଚର୍ଚ୍ଚା ଆଶା କରନ୍ତୁ ନାହିଁ । ସେମାନେ ବଡ଼ବଡ଼ିଆଙ୍କ ପାଇଁ ଠିଆ ହେବେ । ସରକାର ପାଇଁ ଠିଆ ହେବେ । ପାର୍ଲାମେଣ୍ଟ ପାଇଁ ଠିଆ ହେବେ । ସୁପ୍ରୀମକୋର୍ଟ ପାଇଁ ଠିଆ ହେବେ । ଇଡି ପାଇଁ ଠିଆ ହେବେ । କିନ୍ତୁ ବ୍ୟକ୍ତି ପାଇଁ ଠିଆ ହେବେ ନାହିଁ ।
ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରୁ ନାହିଁ , ସଜା କାଟୁଥିବା ଜଣେ ଜଘନ୍ୟ ଅପରାଧୀ ଯଦି ଜେଲ୍ ଭିତରେ ସତ୍ୟେନ୍ଦ୍ର ଜୈନଙ୍କ ଗୋଡ଼ ମୋଡୁଥିଲା, ତେବେ ସେଥିରେ ଅସୁବିଧା କେଉଁଠି ଥିଲା ? ଏହା ଦ୍ବାରା ସତ୍ୟେନ୍ଦ୍ର ସେହି ଅପରାଧୀର ଜେଲ୍ କଷ୍ଟ ଲାଘବ କରୁଥିଲେ କି ? ଏହା ଦ୍ବାରା ସେ ସେହି ଅପରାଧୀର ଅପରାଧକୁ ସମର୍ଥନ କରୁଥିଲେ କି ? ସତ୍ୟେନ୍ଦ୍ର ଜୈନ୍ ତ ରାମ ନୁହନ୍ତି କି ସେ ଅପରାଧୀ ଜଣକ ଅହଲ୍ୟା ନଥିଲା, ଯାହା ଫଳରେ ସେ ତା ପାପରୁ ମୁକ୍ତି ପାଇଗଲା । ସତରେ ମୁଁ ବୁଝି ପାରୁନି ସେଦିନ ଷ୍ଟୁଡିଓ ଆଙ୍କରମାନେ କାହିଁକି ଏତେ ହଲ୍ଲା କରୁଥିଲେ ।
ଯେଉଁ ଲୋକର ଘରୁ କିଛି ଜବତ୍ ହୋଇନାହିଁ ତା ଘରୁ କୋଟି କୋଟି ଟଙ୍କା ଜବତ ହୋଇଛି ବୋଲି ମିଡ଼ିଆ କହିଦେଲା । କାରଣ ଇଡି ଟୁଇଟ୍ କରିଥିଲା । ଏମାନଙ୍କ ପାଇଁ ଇଡି ହେଉଛି ଭଗବାନ୍ । X ରେ ପୋଷ୍ଟ ପଢି ଶହ ଶହ ନିଉଜ୍ ଆଇଟମ୍ ତିଆରି ହେଉଛି । କିନ୍ତୁ ସେଦିନ ଆପ୍ ପ୍ରବକ୍ତାମାନେ ପଞ୍ଚନାମା ପ୍ରମାଣ ସହ ଟୁଇଟ୍ କରି ଚାଲିଲେ ଯେ ତାଙ୍କ ଘରୁ କିଛି ବି ଜବତ ହୋଇ ନାହିଁ , ତଥାପି ମିଡ଼ିଆ ଶୁଣିଲା ନାହିଁ । ମନୋରଞ୍ଜନ ମିଶ୍ରଙ୍କ ନିଉଜରୁମ୍ ର ଗୋଟିଏ ଭିଡିଓ ଦେଖିଲି । ତାହାର ଥମ୍ବନେଲରେ ଲେଖା ଯାଇଛି ‘ଭାରତ ବନାମ ଚାଇନା – କାହା ପଟେ ରାହୁଲ ?’। କଣ କହିବି ? କଣ ଲେଖିବି ? ମୋ ମୁଣ୍ଡ କାମ ଦେଉନି । ଏତେ ସାହସ କେଉଁଠୁ ଆସୁଛି ?