ପୁରୀରେ ସିରିଜ ଦୁର୍ଘଟଣା ଘଟାଇଲା ଦ୍ରୁତଗାମୀ କାର୍…

ପୁରୀ ବଡଦାଣ୍ଡରେ ତିନି ଜଣ ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଦ୍ରୁତଗାମୀ କାର। ଏକ କଳା ରଙ୍ଗର କାର ଦ୍ରୁତ ବେଗରେ ଆସି ଧକ୍କା ଦେଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ ୬ ଜଣ ଆହତ ହେଇଛନ୍ତି। ଏଥିରେ ୩ ଜଣ ବାଇକ ଆରୋହି ଥିବା ବେଳେ ଅନ୍ୟ ୩ ଜଣ ସଫେଇ କର୍ମଚାରୀ ରହିଛନ୍ତି। ତେବେ ୩ ଜଣ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଦୁଇ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ପୁରୁଷ ଜଣଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି।
ସୂଚନାଯୋଗ୍ୟ , ମଙ୍ଗଳାବର ବିଳମ୍ବିତ ରାତିରେ ପୁରୀ ବଡଦାଣ୍ଡରେ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟ କରୁଥିବାବେଳେ ଏକ ଦ୍ରୁତଗାମୀ କାର୍ ବେଳାଭୂମି ରାସ୍ତାରେ ଗୋଟେ ବାଇକକୁ ଧକ୍କା ଦେଇଥିବା ପରେ ବଲଗଣ୍ଡି ଛକରେ ଆଉ ୨ ଜଣଙ୍କୁ ଧକ୍କା ଦେଇଥିଲା। ଏହାପରେ ଗାଡ଼ିଟି ବଡ଼ଦାଣ୍ଡରେ ସଫେଇ କର୍ମଚାରୀଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୩ ଜଣ ସଫେଇ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। । ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ତିନି ସଫେଇ କର୍ମଚାରୀ ହେଲେ କଟକ ପଶାଣିଆର ଗୌରୀ ଦେହୁରି(୩୫), ବାଙ୍କିର ଦେବଯାନୀ ନାୟକ(୪୫) ଓ କନ୍ଧମାଳ ରୁତୁଙ୍ଗିଆର ସୁଦାମ ବେହେରା(୪୬)।
ଘଟଣା ଘଟିବା ସମୟରେ ସ୍ଥାନୀୟ ଲୋକ ଗୋଡେଇ ଗୋଡେଇ କାରକୁ ଧରିବା ସହ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ପରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରଟିକୁ ଜବତ କରିଛି।
ଅନ୍ୟପଟେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାତିରେ ସଫେଇ କର୍ମଚାରୀମାନେ ବଡ଼ଦାଣ୍ଡରେ ଧାରଣା ଦେଇଥିଲେ। ପୁରୀ ପୌରପାଳିକା ଓ ଜାଗୃତିର ଅଧିକାରୀ ଆସି ବୁଝାଶୁଝା ଓ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଛନ୍ତି।