ଶବ୍ଦାଞ୍ଜଳି’ରେ ଶତାୟୁଙ୍କୁ ଶ୍ରଦ୍ଧାଞ୍ଜଳି
କଥାରେ, କବିତାରେ ଗୁଣଗରିମାର ଛିଟା,

ଢେଙ୍କାନାଳ: କଥାରେ କଥାରେ ଗୁଣଗାନ କରିଛନ୍ତି । କବିତାର ଛନ୍ଦରେ ଶତାୟୁ ଗୁଣଧରଙ୍କୁ ମନେ ପକାଇଛନ୍ତି । ଆଉ ଗରିମା ଉପସ୍ଥାପନ କରି ମଙ୍ଗଳବାର ସନ୍ଧ୍ୟାକୁ ବେଶ୍‍ ରସାଳୁ କରିଛନ୍ତି ଛାତ୍ରଛାତ୍ରୀ ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ରେ ଅନୁଷ୍ଠିତ ହୋଇଛି ‘ଶବ୍ଦାଞ୍ଜଳି’ । ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ୧୬୬ତମ ଜୟନ୍ତୀ, ସୁସାହିତ୍ୟିକ ହରିଶଙ୍କର ପରସାଇ ଓ ଚିତ୍ତରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଶିକ୍ଷାର୍ଥୀମାନେ କଥା ଓ କବିତାରେ ତିନି ଶତାୟୁଙ୍କ ଦର୍ଶନ, କୃତିତ୍ୱ ଓ ମହାନତା ବଖାଣିଛନ୍ତି ।
ପ୍ରଥମ କବିତା ଭେଟି ଦେଇଥିଲେ ତିଥି ପରମାଣିକ । ସେ ରବୀନ୍ଦ୍ରନାଥଙ୍କ ରଚିତ ଏକ କବିତା ପାଠ କରି ଉପସ୍ଥିତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି । ପରେ ଚିତ୍ତରଞ୍ଜନ ଦାସଙ୍କ ଜୀବନୀ, ତାଙ୍କ ଲେଖା ଶୈଳୀ ଓ ନିବନ୍ଧରେ ତାଙ୍କର ସ୍ୱତନ୍ତ୍ରତାକୁ ବର୍ଣ୍ଣନା କରିଛନ୍ତି ମାନସ ରଞ୍ଜନ ପ୍ରଧାନ । ସେହିପରି ହର୍ଷବର୍ଦ୍ଧନ, ସୃଷ୍ଟି ପାଣ୍ଡେ ଓ ଅନ୍ୟ ଶିକ୍ଷାର୍ଥୀମାନେ କବିତା ପାଠ କରି ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ ।
ଏହି ଅବସରରେ ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ ତିନି ବ୍ୟକ୍ତିତ୍ୱଙ୍କ ଶ୍ରେଷ୍ଠ କାର୍ଯ୍ୟ ଓ ଅବଦାନ ଉଲ୍ଲେଖ କରିଛନ୍ତି । କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ପୁସ୍ତକ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ
ଢେଙ୍କାନାଳ: ମଙ୍ଗଳବାର ସୁସାହିତ୍ୟିକ ତଥା ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀଙ୍କ ରଚିତ ପୁସ୍ତକ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ ହୋଇଛି । ପୁସ୍ତକ ଉନ୍ମୋଚନ କରିଛନ୍ତି ସଂସ୍ଥାନର ଆସୋସିଏଟ୍‍ ଆଡ୍‍ମିନ୍‍ ଆଣ୍ଡ୍‍ ଆକାଉଣ୍ଟସ କେଦାରନାଥ ଜେନା ଓ ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି ।
ଖବରକାଗଜରେ ଲେଖକଙ୍କର ନିୟମିତ ପ୍ରକାଶ ପାଉଥିବା ସ୍ତମ୍ଭର ସଙ୍କଳନ ହେଉଛି ପୁସ୍ତକ ‘ପଥେ ପ୍ରାନ୍ତରେ’ । ଏଥିରେ ସାଧାରଣ ଜୀବନର କଥା ଅତି ସରଳ ଭାବେ ଲେଖକ ଉପସ୍ଥାପନ କରିଛନ୍ତି । ଘରେ, କର୍ମକ୍ଷେତ୍ରରେ, ଖଟିରେ ହେଉଥିବା ଅନେକ ଆଲୋଚନାର ପ୍ରସଙ୍ଗ ମଧ୍ୟ ଏ ପୁସ୍ତକରେ ସ୍ଥାନ ପାଇଛି । କେଉଁ ଲେଖାରେ ଲେଖକ ଭଲ କଥାକୁ ପ୍ରଶଂସା କରିଛନ୍ତି ତ ଆଉ କେଉଁ ଲେଖାରେ ମନ୍ଦକୁ ନିନ୍ଦା କରିଛନ୍ତି । ପୁଣି କିଛି ଲେଖା ବିଚାର ପାଇଁ ପାଠକଙ୍କ ଉପରେ ଛାଡ଼ି ଦେଇଛନ୍ତି । ଲେଖକ ଏ ପୁସ୍ତକରେ ପ୍ରାସଙ୍ଗିକତାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଅର୍ଥାତ୍‍, ରାଜ୍ୟ, ଦେଶ ତଥା ବିଦେଶରେ ଘଟୁଥିବା ବିଭିନ୍ନ ଘଟଣାବଳୀ ସମୟରେ ହିଁ ଲେଖକ ତା’ ଉପରେ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *