କେନ୍ଦ୍ର ସରକାରଙ୍କ ବିଜେଡି ପ୍ରୀତି ….ରାଜ୍ୟ ବିଜେପି ନେତାଙ୍କ ପାଇଁ ଅଯାଗା ଘା’…ଶାହାଙ୍କ ଗସ୍ତ ପରେ ଶିଥିଳ ସଙ୍ଗଠନ..

ଭୁବନେଶ୍ୱର : ବିଜେପି ନେତା ତଥା ଦେଶର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ସଙ୍ଗଠନରେ ଶିଥିଳତା ଆସିଛି। ଯେଉଁ ବିଜେପି କର୍ମୀମାନେ 5-ଟି ସଚିବଙ୍କ ଗସ୍ତକୁ ବିରୋଧ କରୁଥିଲେ। ସେହି ବିଜେପି କର୍ମୀମାନେ ଏବେ ଆଉ କଳାପତାକା ପ୍ରଦର୍ଶନ କରୁନାହାନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମୁହଁର ହସ ଏକ ପ୍ରକାର ଲିଭିଯାଇଛି। ଶାହା ଆସିବା ଦିନ ଠାରୁ ମେଣ୍ଟ ରାଜନୀତି ନେଇ ଚର୍ଟ୍ଟା ଜୋର ଧରିଛି। ଏକାଧିକ କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ଏନେଇ ସଫେଇ ଦେବାକୁ ପଡିଲାଣି। ଅସନ୍ତୁଷ୍ଟ ବିଜେଡି ନେତାମାନେ ଆଉ ବିଜେପି ଯିବାର ନାଁ ଧରୁନାହାନ୍ତି।

ସେହିପରି ଆଗୁଆ ବିଧାନସଭା ନିର୍ବାଚନ ହେଲେ ବିଜେପି କ୍ଷତିରେ ପଡିବ, ତେଣୁ ଶାହା ଓଡ଼ିଶା ସରକାରଙ୍କୁ ଅନୁମତି ଦେବେନି ବୋଲି ଆଲୋଚନା ହେଉଛି। ମାତ୍ର ଏହି ଆଲୋଚନା ହିଁ ବିଜେପିର ପ୍ରକୃତ ସ୍ଥିତିକୁ ଦର୍ଶାଉଛି। ଜୁଲାଇ ସର୍ଭେରେ ଯଦି ବିଜେପି ଆଗୁଆ ରହୁଛି। ଅଗଷ୍ଟ ସର୍ଭେରେ ବିଜେପି ଆଗୁଆ ରହୁଛି। ତେବେ ଆଗୁଆ ବିଧାନସଭା ନିର୍ବାଚନକୁ ବିଜେପି କାହିଁକି ଡରୁଛି ବୋଲି କର୍ମୀମାନେ ପ୍ରଶ୍ନ କଲେଣି। ଯଦି ସଙ୍ଗଠନ ଅଛି, ତେବେ ଯେ କୌଣସି ସମୟରେ ନିର୍ବାଚନକୁ ଡରୁଛନ୍ତି କାହିଁକି। ସବୁବେଳେ ଏକାଠି ନିର୍ବାଚନ ହେଉଛି ବୋଲି ବିଜେଡି ଭଲ ପ୍ରଦର୍ଶନ କରୁଛି ବୋଲି ବିଜେପି ସଫେଇ ଦିଏ। ତେଣୁ ଯଦି ଅଲଗା ନିର୍ବାଚନ ହେଉଛି, ତେବେ ବିଜେପିର କଣ ଅସୁବିଧା ବୋଲି ବିଜେପି ଭିତରୁ ପ୍ରଶ୍ନ ଉଠିଲାଣି।

ସଙ୍ଗଠନ ମନ୍ତ୍ରୀ ପଦର ରାଜ୍ୟ ବିଜେପିର ଯଥେଷ୍ଟ ଗୁରୁତ୍ୱ ରହିଛି। ମାତ୍ର ପ୍ରସନ୍ନ ମିଶ୍ର ଏବଂ ଶାରଦା ଶତପଥୀଙ୍କ ଦାୟିତ୍ୱ ପରିଚାଳନା ମାନସ ରଞ୍ଜନ ମହାନ୍ତିଙ୍କ କ୍ଷେତ୍ରରେ ଦେଖାଯାଉନାହିଁ। ମନମୋହନ ସାମଲ ବିଭିନ୍ନ ଜିଲ୍ଲା ଗସ୍ତ କରିବା ପରିବର୍ତ୍ତେ କେବଳ ଚାନ୍ଦବାଲିରେ ନିଜକୁ ସୀମିତ କରୁଛନ୍ତି । ଏହାକୁ ନେଇ ବିଜେପିର ଜଣେ ପୂର୍ବତନ ଉପସଭାପତି କହୁନ୍ତିଯେ, ମେଣ୍ଟ କରିବା କଥା ରାଜ୍ୟ ସଙ୍ଗଠନ କହିନାହିଁ। ମାତ୍ର ଗତ ସାଧାରଣ ନିର୍ବାଚନ ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ନାଟକୀୟ ଭାବେ ରାଜ୍ୟସଭା ପଠାଗଲା। ଅନ୍ୟ ରାଜ୍ୟରେ ବିଧାୟକ ଥାଇ ଓଡ଼ିଶାରୁ ନବୀନଙ୍କ ସମର୍ଥନ ଏବଂ ଖଣି ବ୍ୟାପାରରେ ତାଙ୍କ ପୂର୍ବ ସଂପୃକ୍ତି ସମ୍ପର୍କିତ ଚର୍ଚ୍ଚା ହିଁ ମେଣ୍ଟ ଆଲୋଚନାର ମୂଳ । ସେହିଦିନ ଠାରୁ ବିଜେପିକୁ ମୋଦି ଏବଂ ଶାହା ମହାପ୍ରଭୁ ଜଗନ୍ନାଥଙ୍କ ଭରସାରେ ଛାଡି ଦେଇଛନ୍ତି।