ପୁଅକୁ ଛାଡିବା ଲାଗି ଶାହାରୁଖ୍ ଖାନଙ୍କୁ ୨୫ କୋଟି ମାଗିଥିଲେ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେ

ନୂଆଦିଲ୍ଲୀ : ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଦୁଇ ବର୍ଷ ତଳେ ଡ୍ରଗ୍‌ସ ମାମଲାରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଥିବା ପୂର୍ବତନ ନର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଧିକାରୀ ସମୀର ୱାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ଏତଲାରେ ଅନେକ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଫସାଇବାକୁ ଧମକ ଦେଇ ଅଭିନେତା ଶାହରୁଖ ଖାନଙ୍କ ପରିବାର ଠାରୁ ୨୫ କୋଟି ଲାଞ୍ଚ ଆଦାୟ ପାଇଁ ଯୋଜନା ହୋଇଥିଲା।

ୱାଙ୍ଖଡେ ଓ ଅନ୍ୟମାନଙ୍କ ବିରୋଧରେ ରୁଜୁ ସିବିଆଇ ଏତଲା ଅନୁଯାୟୀ ଏହି ମାମଲାରେ ସମୀର ୱାଙ୍ଖଡେ ଆର୍ୟନ ଖାନଙ୍କୁ ନ ଫସାଇବା ପାଇଁ ତାଙ୍କ ପରିବାରଠୁ ୨୫ କୋଟି ଟଙ୍କା ଲାଞ୍ଚ ଦାବି କରିଥିଲେ। ଏତଲାର କପି ଅନୁଯାୟୀ ସମୀର ୱାଙ୍ଖଡେଙ୍କ ତରଫରୁ କେପି ଗୋସାଭି ନାମକ ଜଣେ ବ୍ୟକ୍ତି ଏହି ଡିଲ୍ ପାଇଁ ମଧ୍ୟସ୍ଥତା କରୁଥିଲେ । ଗୋସାଭିଙ୍କୁ ଏହି ମାମଲାରେ ଏନସିବି ତରଫରୁ ସାକ୍ଷୀ ଭାବେ ସାମିଲ କରାଯାଇଥିଲା । ଶେଷରେ ଏହି ଡିଲ୍ ୧୮ କୋଟିରେ ଚୂଡ଼ାନ୍ତ ହୋଇଥିଲା । ଏପରିକି ଗୋସାଭି ୫୦ ଲକ୍ଷ ଟଙ୍କା ଆଡଭାନ୍ସ ମଧ୍ୟ ନେଇଥିଲେ। ସମୀର ୱାଙ୍ଖଡେଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ମଧ୍ୟ ହୋଇଛି । ସେ ତାଙ୍କ ବିଦେଶ ଯାତ୍ରାର ଖର୍ଚ୍ଚ ଓ ମହଙ୍ଗା ଘଣ୍ଟା ଏବଂ ପୋଷାକ ବିଷୟରେ ସଠିକ୍ ତଥ୍ୟ ଦେଇନଥିବା କହିଛି ସିବିଆଇ।

Leave a Reply

Your email address will not be published. Required fields are marked *