ଆଉ କେଇ ଘଣ୍ଟା ପରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଅଧରପଣା ନୀତି

ପୁରୀ : ଶ୍ରୀଜୀଉଙ୍କ ପବିତ୍ର ସୁନାବେଶ ପରଦିନ ଅଧରପଣା ନୀତି ସମ୍ପନ୍ନ ହୋଇଥାଏ। ଜଗତରେ ଥିବା ଅଶରୀରୀମାନଙ୍କ ଉର୍ଦ୍ଦେଶ୍ୟରେ ଏହା କରାଯାଇଥାଏ। ଦ୍ୱାଦଶୀ ତିଥି ରାତିରେ ମହାପ୍ରଭୁଙ୍କ ରଥ ଉପରେ ହେବ ଅଧରପଣା ନୀତି କରାଯାଇଥାଏ । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହେବାପରେ ରଥର ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀଚାମୁ୍ଣ୍ଡାଙ୍କ ଅଧର ହାଣ୍ଡି ଭଙ୍ଗା ଯିବାର ପରମ୍ପରା କେଉଁ କାଳରୁ ଚଳି ଆସୁଛି । ଜଗନ୍ନାଥ ସଂସ୍କୃତି ଉପରେ ଗବେଷଣା କରୁଥିବା ମତରେ ଅଧର ପଣା ପରମ୍ପରା ପ୍ରାୟ ୫୦୦ ବର୍ଷର ପୁରୁଣା। ବହୁତ ବର୍ଷ ପୂର୍ବରୁ ଏହି ଅଧର ପଣା ନୀତି ବାହୁଡ଼ା ଦଶମୀ ଦିନ ଅନୁଷ୍ଠିତ ହେଉଥିଲା। ସିଂହଦ୍ୱାର ନିକଟରେ ରଥ ପହଞ୍ଚିବାପରେ ଅଧର ପଣା ଲାଗିହେଉଥିଲା। ମାତ୍ର ଏବେ ବହୁବର୍ଷ ହେବ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇ ଆସୁଛି।
ବହୁ ପୂର୍ବରୁ ସ୍ଥିରୀକୃତ ହୋଇଥିବା ନିର୍ଘଣ୍ଟ ନୀତି ଅନୁଯାୟୀ, ଗୁରୁବାର ମଧ୍ୟରାତ୍ରର ପହୁଡ଼ ନୀତି ସମ୍ପନ୍ନ ପରେ ଶୁକ୍ରବାର ସକାଳ ୬ଟାରୁ ସାଢ଼େ ୬ଟା ଭିତରେ ମଙ୍ଗଳଆଳତି, ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶଶେଷ, ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୦ଟା ଭିତରେ ଗୋପାଳବଲ୍ଲଭ, ସାଢ଼େ ୧୧ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଭିତରେ ସକାଳ ଧୂପ ସମ୍ପନ୍ନ ହୋଇସାରିଲାଣି। ଅପରାହ୍ନ ଏକ ଘଟିକାରେ ମଇଲମ, ସାଢ଼େ ଗୋଟାଏରେ ମହାସ୍ନାନ ଓ ସର୍ବାଙ୍ଗ, ୨ଟାରେ ବେଶ ଶେଷ ହେବ ବୋଲି ଜଣାପଡିଛି। ଅପରାହ୍ନ ସାଢ଼େ ୩ଟାରୁ ସାଢ଼େ ୪ଟା ଭିତରେ ମଧ୍ୟାହ୍ନ ଧୂପ ଶେଷ ହେବ। ଏହା ପରେ ପରେ ଅଧର ନୀତି ଆରମ୍ଭ ହେବ ପାଇଁ ସ୍ଥିରୀକୃତ କରାଯାଇଛି। ଆଜି ରାତି ୮ଟା ସୁଦ୍ଧା ତିନି ରଥରେ ପ୍ରାକ୍ ଅଧରପଣା ନୀତି ଶେଷ ହେବ। ଏହା ପରେ ପରେ ୯ଟା ସୁଦ୍ଧା ମହାସ୍ନାନ ଶେଷ ହେବ। ପରେ ରାତି ୧୦ଟାରେ ମଇଲମ, ବେଶ, ସାଢ଼େ ୧୦ଟାରେ ସଂଧ୍ୟା ଆଳତି, ରାତି ୧୧ଟାରୁ ୧୨ଟା ଭିତରେ ସଂଧ୍ୟା ଧୂପ, ସାଢ଼େ ୧୨ଟାରେ ମଇଲମ, ଚନ୍ଦନ ଲାଗି, ରାତି ଗୋଟାଏରେ ବଡସିଂହାର ବେଶ, ରାତି ସାଢ଼େ ଗୋଟାଏରେ ବଡସିଂହାର ଭୋଗ ଓ ରାତି ୨ଟାରେ ପୁନଃ ପହୁଡ଼ ନୀତି ଅନୁଷ୍ଠିତ ହେବ।