ଶାମ୍ପୁ, ସାବୁନ ଓ ଡିଟରଜେଣ୍ଟଶାମ୍ପୁ, ହୋଇପାରେ ମହଙ୍ଗା

ନୂଆଦିଲ୍ଲୀ : ଦେଶରେ ଖୁଚୁରା ମୁଦ୍ରସ୍ଫୀତି ହ୍ରାସ ପାଇଛି। କିନ୍ତୁ ସାଧାରଣ ଖାଉଟିକୁ ଦରଦାମ ବୃଦ୍ଧିରୁ ରିହାତି ମିଳୁନାହିଁ କିମ୍ବା ମିଳିବାର ସମ୍ଭାବନା ଦେଖାଯାଉନାହିଁ। ପୂର୍ବରୁ କ୍ଷୀରଜାତୀୟ ଉତ୍ପାଦ ମହଙ୍ଗା ହୋଇଥିବାବେଳେ ଆଗାମୀ ଦିନରେ ସାବୁନ, ଶାମ୍ପୁ ଏବଂ ଡିଟରଜେଣ୍ଟ ବା ସର୍ଫ ମହଙ୍ଗା ହେବାର ସମ୍ଭାବନା ରହିଛି। ସରକାର ଏସବୁ ସାମଗ୍ରୀ ପ୍ରସ୍ତୁତ ହେଉଥିବା ପ୍ରମୁଖ କଞ୍ଚାମାଲ ଉପରେ ଶୁଳ୍କ ବୃଦ୍ଧି କରିପାରନ୍ତି। ବାଣିଜ୍ୟ ମନ୍ତ୍ରାଳୟ ଅଧୀନ ଡାଇରେକ୍ଟର ଜେନେରାଲ ଅଫ୍ ଟ୍ରେଡ୍ ରିମେଡିଜ୍ (ଡିଜିଟିଆର୍) ଦୁଇମାସ ପୂର୍ବରୁ ଏକ ପ୍ରସ୍ତାବ ଦେଇଥିଲା। ଏଥିରେ କୁହାଯାଇଥିଲା ଯେ ଇଣ୍ଡୋନେସିଆ, ମାଲେସିଆ ଏବଂ ଥାଇଲାଣ୍ଡ ଭଳି ଦେଶରୁ ଆମଦାନି ହେଉଥିବା ସାଚ୍ୟୁରେଟେଡ ଫ୍ୟାଟି ଆଲକହଲ ଉପରେ ଟିକସ ବୃଦ୍ଧି ହେବା ଆବଶ୍ୟକ। ଏସବୁ ସାମଗ୍ରୀ ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ବୃଦ୍ଧି ସହିତ ଅତିରିକ୍ତ କାଉଣ୍ଟରଭେଲିଂ ଡ୍ୟୁଟି ଲଗାଇବାର ପ୍ରସ୍ତାବ ଦିଆଯାଇଛି। ସରକାର ଯଦି ଡାଇରେକ୍ଟର ଜେନେରାଲ ଅଫ୍ ଟ୍ରେଡ ରେମେଡିଜର ପ୍ରସ୍ତାବକୁ ଗ୍ରହଣ କରି ନିଅନ୍ତି ତାହେଲେ ଆଗାମୀ ଦିନରେ ସାଚ୍ୟୁରେଟେଡ ଫ୍ୟାଟି ଆଲକହଲ ମୂଲ୍ୟ ମହଙ୍ଗା ହୋଇଯିବ। ଯଦି କଞ୍ଚମାଲ ମୂଲ୍ୟ ବଢ଼ିଯାଏ ତାହେଲେ କମ୍ପାନିଗୁଡ଼ିକ ସ୍ବାଭାବିକ ଭାବେ ଏହାର ବୋଝ ଗ୍ରାହକଙ୍କ ଉପରେ ଲଦିବେ।ତେବେ ଏହି ସବୁ ସାମଗ୍ରିର ଦରବୃଦ୍ଧି ନକରିବା ପାଇଁ ଇଣ୍ଡିଆନ୍ ସର୍ଫକ୍ଟାଣ୍ଟ ଗ୍ରୁପ୍ ଅର୍ଥ ମନ୍ତ୍ରାଳୟକୁ ଆଇଏସଜି ଚିଠି ଲେଖିଛି ।