୨୦୨୪ରେ କେଉଁ ଭୂମିକାରେ ରହିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ତାଙ୍କୁ ସୁରକ୍ଷା ଦେବା ପାଇଁ କିଏ ଆଗେଇ ଆସିଲେ..ଜାଣନ୍ତୁ
ଭୁବନେଶ୍ୱର : ବିଜେଡି ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କିଛିଦିନ ତଳେ ଏ ସମ୍ପାଦକୀୟ ଲେଖି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଲୋଡିଥିଲେ। ଏହା ପରେ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସଚିବ(5-ଟି) ମୁଖ୍ୟମନ୍ତ୍ରୀଙ୍କର ଏକ ଅଡିଓ ବାର୍ତ୍ତା ସାର୍ବଜନୀନ କରିଥିଲେ। ଏହା ପରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ଚିଠି ଏବଂ ଅପରାଜିତା ଷଡଙ୍ଗୀଙ୍କ ଚିଠି ଘଟଣାକୁ ନୂଆ ମୋଡ଼ ଦେଇଛି। ଏହି କ୍ରମରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ୨୦୨୪ରେ କଣ ଭୂମିକା ରହିବ, ସେ ନେଇ ଉପକୂଳୀୟ ରାଜନୈତିକ ମହଲରେ ଏକ ଆଲୋଚନା ରହିଛି।
ଏହି କ୍ରମରେ ମହାନଦୀ, ଦୟାରେ କେତେ ପାଣି ବୋହିଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କର ଏକ ଖୋର୍ଦ୍ଧାରେ ରାଲି ଥିଲା। ଏହି ଦିନ ସବୁ ପ୍ରମୁଖ ଛାପା ଗଣମାଧ୍ୟମକୁ ବିଜେପି ତରଫରୁ ଗୋଟିଏ ପୂର୍ଣ୍ଣ ପୃଷ୍ଠା ବିଜ୍ଞାପନ ପ୍ରଦାନ କରାଯାଇ ଥିଲା। ହେଲେ ସମ୍ବାଦକୁ ମିଳି ନ ଥିଲା। ସେହି ଦିନ ରାତିରେ ସୌମ୍ୟ ବାବୁ ଏକ ସମ୍ପାଦକୀୟ ଲେଖିଥିଲେ। ତାହା ଥିଲା ମୋଦିଙ୍କ ଉଚ୍ଚତା କେତେ ? ସେ ସମୟରେ ବିଜେଡିରୁ ଜିତିବା ପାଇଁ ସେ ବିଜେପିକୁ ଆକ୍ରମଣ କରିଥିଲେ। ହେଲେ ଆକ୍ରମଣ ଅପେକ୍ଷା ନିଜ ସଂସ୍ଥାର ଆର୍ଥିକ ଫାଇଦା ଦିଗକୁ ସେ ବେଶ୍ ଗୁରୁତ୍ୱ ଦେଇଥିଲେ। ମାତ୍ର ୪ବର୍ଷ ପରେ ତାଙ୍କ ସ୍ୱର ବଦଳିଯାଇଛି। ଯେଉଁ ମାନଙ୍କ ଜରିଆରେ ବିଜେଡିକୁ ଆସି ଆସ୍ଥାନ ଜମାଇଥିଲେ, ସେହିମାନଙ୍କୁ ମିଆଁଉ କରୁଛନ୍ତି। ତେଣୁ ଜାତୀୟ ପାଣିପାଗ ଓ ରାଜ୍ୟର ରାଜନୀତିକୁ ଲକ୍ଷ୍ୟ କରି ସେ ବିଜେପି ମୁହାଁ ବୋଲି ଆଲୋଚନା ହେଉଛି। ତାଙ୍କ ଝିଅ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ନାଁ ନ ନେଇ ସମାଲୋଚନା କରିଥିଲେ। ସେ ବିଧାୟକ ଟିକେଟ୍ ପାଇଁ ବ୍ୟବହୃତ ହେଉଥିବା ଶ୍ରୀମତା ପଟ୍ଟନାୟକ ଅଭିଯୋଗ କରିଥିଲେ। ତେଣୁ ସୌମ୍ୟ ତନୟା ରାଜଧାନୀ ଭୁବନେଶ୍ୱରର କୌଣସି ବିଧାନସଭା କିମ୍ବା ଖଣ୍ଡପଡ଼ାରୁ ବିଧାନସଭା ଲଢିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ପୂର୍ବରୁ ସୌମ୍ୟ ବିଜେପିର ଉପସଭାପତି ରହିଥିଲେ। ତେଣୁ ନିର୍ବାଚନୀ ରାଜନୀତିରୁ ନିଜକୁ ଦୂରେଇ ରଖି ବୌଦ୍ଧିକ ଭାବେ ସେ ବିଜେପିର ସହାୟତା କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡିଛି। ସୌମ୍ୟଙ୍କ ଦେଖାଦେଖି ଭର୍ତ୍ତୃହରି ମହତାବ, ପ୍ରଭାତ ବିଶ୍ୱାଳ ଏବଂ ଉପକୂଳ ଓଡ଼ିଶାର ଏକାଧିକ ଟାଣୁଆ ବିଧାୟକ କୁଆଡେ ବିଜେପି ଲିଙ୍କରେ ରହିଛନ୍ତି।
ସୌମ୍ୟଙ୍କ ସମ୍ପାଦକୀୟ ପରେ ବିଜେଡି ସମର୍ଥିତ ଏକ ପପୁଲାର ଫେସବୁକ୍ ପେଜରୁ କଂଗ୍ରେସ ଶାସନ ଏବଂ ସେ ସମୟରେ କିଛି ରାଜନୈତିକ ଘଟଣାବଳୀ ଅବତାରଣା କରାଯାଇଥିଲା। ଏହାକୁ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ବିରୋଧ କରିଥିଲେ। ଏଥିସହ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଥିଲେ। ଏହି ସେହି ସମୀର ମହାନ୍ତି ଯିଏ ୨୦୧୯ ପୂର୍ବରୁ ପଟ୍ଟନାୟକ ପରିବାରକୁ ଗାଳି ଦେଉଥିଲେ। ତେଣୁ ସୌମ୍ୟଙ୍କୁ ସୁରକ୍ଷା ଦେଇ ତାଙ୍କୁ ରାଜ୍ୟ ବିଜେପିର ବୌଦ୍ଧିକ ଅଭିଭାବକ କରିବାକୁ ଏହି ସବୁ କରାଯାଉଥିବା ଜଣାପଡିଛି।