ରାଜ୍ୟ ବିଜେପି ପୁରୁଣା କମିଟି ଭାଙ୍ଗିଲା, ଜମ୍ବୋ ହୋଇପାରେ ପରବର୍ତ୍ତୀ ଟିମ୍

ଭୁବନେଶ୍ୱର : ସମୀର ମହାନ୍ତିଙ୍କ ସଭାପତିତ୍ୱ ପରେ ଯେଉଁ ସବୁ କମିଟି କରାଯାଇଥିଲା। ତାହାକୁ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରଦ୍ଦ କରିଛି। ସେହିପରି ଛାମୁଆ ସଭାପତିମାନଙ୍କ ଦାୟିତ୍ୱ ମଧ୍ୟ ପ୍ରତ୍ୟାହାର କରାଯାଇଛି। ନୂଆ କମିଟି ଘୋଷଣା ହେଲା ଯାଏଁ ଏହି କାର୍ଯ୍ୟକର୍ତ୍ତାମାନେ ପୂର୍ବ ପଦରେ ଅସ୍ଥାୟୀ ଭାବେ କାର୍ଯ୍ୟ କରିବେ। ତେଣୁ ଦୀର୍ଘ ସପ୍ତାହର କସରତ ପରେ ଦିନ କେଇଟା ମଧ୍ୟରେ ରାଜ୍ୟ ବିଜେପି ନୂଆ କମିଟି ଘୋଷଣା କରିବ। କେତେକ ଛାମୁଆ ସଭାପତି ସେମାନଙ୍କ ପଦ ବଜାୟ ରଖିପାରନ୍ତି। କେତେକ ଦାୟିତ୍ୱରେ ଥିବା ନେତା ବିଦା ହୋଇପାରନ୍ତି। ହେଲେ କିଛିମାସ ପୂର୍ବରୁ ବିଜେପି ଏକ ରାଜନୈତିକ ବ୍ୟାପାର କମିଟି ଗଠନ କରିଥିଲା। ସେହି କମିଟି ପୂର୍ବବତ ରହିବ, ନା ନୂତନ କମିଟି ହେବ, ସେ ନେଇ ଉତ୍କଣ୍ଠା ରହିଛି। ଗତ ନିର୍ବାଚନରେ ଦାମୋଦର ରାଉତଙ୍କୁ ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ କରିଥିଲେ। ହେଲେ ଚଳିତ ଥର ଏହି ଦାୟିତ୍ୱ ଜଣେ ବରିଷ୍ଠ ବିଜେପି ନେତାଙ୍କୁ ପ୍ରଦାନ କରାଯିବ। ଏହି ପଦ ଦୌଡ଼ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମପି ଅପରାଜିତା ଷଡଙ୍ଗୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଆଗରେ ରହିଛନ୍ତି। ସେହିପରି କଂଗ୍ରେସ ପରି ବିଜେପି ଜମ୍ବୋ ଟିମ୍ ସପକ୍ଷରେ ରହିଥିବା ଜଣାପଡିଛି।