ଖାଲି ପଡ଼ିଛି ଭିନ୍ନକ୍ଷମ କମିସନର ପଦ, ନିଜ ମନପସନ୍ଦର ଅଫିସରଙ୍କୁ ଅବସର ପରେ ନିଯୁକ୍ତି ଦେବାକୁ ସରକାରଙ୍କ ମନ….

ଭୁବନେଶ୍ୱର : ରାଜ୍ୟରେ ଅମଲାତନ୍ତ୍ର କୈନ୍ଦ୍ରିକ ଶାସକ ବ୍ୟବସ୍ଥା ବିରୋଧରେ ସମାଲୋଚନା ସର୍ବୋଚ୍ଚ ସଂସ୍ଥାରେ ରହିଛି। ଠିକ୍ ଏହି ସମୟରେ ରାଜ୍ୟ ସରକାର ଅମଲାତନ୍ତ୍ର କୈନ୍ଦ୍ରିକ ଶାସନକୁ ଆହୁରି ଦୃଢ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ନିକଟରେ ନିଆଯାଇଥିବା ଏକ ନିଷ୍ପତ୍ତିରୁ ଏହା ଜଣାପଡିଛି। ନୂତନ ନିଯୁକ୍ତି କିମ୍ବା ଅଭିଜ୍ଞ ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରିବା ପରିବର୍ତ୍ତେ ଭାରାପ୍ରାପ୍ତ ଅଧିକାରୀଙ୍କୁ ରଖିବାରେ ଗୁରୁତ୍ୱ ଦିଆଯାଉଛି। ଭାରାପ୍ରାପ୍ତ ଅଧିକାରୀ ଅବସର ପରେ ପୁଣି କେମିତି ସେହି ପଦରେ ରହିବେ, ସେ ନେଇ ନିଷ୍ପତ୍ତି ନିଆଯାଇଛି। ଏହା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ପରିଲଖିତ ହୋଇଛି।

ପ୍ରାୟ କୋଡ଼ିଏ(୨୦) ମାସ ହେବ ରାଜ୍ୟରେ ଭିନ୍ନକ୍ଷମ କମିସନ ପଦ ଖାଲି ପଡିଛି। ପୂର୍ବରୁ ସୁଲୋଚନା ଦାସ ଏହି ପଦରେ କାର୍ଯ୍ୟ କରୁଥିଲେ। ସେ ନିର୍ବାଚିତ ହୋଇ ଭୁବନେଶ୍ୱର ମେୟର ହେବା ପରେ ଏହି ପଦରେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଗତ ବର୍ଷ ଡିସେମ୍ବର ମାସ ୧୨ ତାରିଖରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଗତବର୍ଷ ଅଗଷ୍ଟ ୨୦ରୁ ଭିନ୍ନକ୍ଷମ କମିସନଙ୍କ ପଦ ଖାଲିଥିବା କୁହାଯାଇଥିଲା। ତେଣୁ ଏହି ପଦ ପୂରଣ ନେଇ ଆବେଦନ ଆହ୍ୱାନ କରାଯିବା ସହ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଏଥିପାଇଁ ଆବେଦନ ମଧ୍ୟ ଆସିଛି। ମାତ୍ର ରାଜ୍ୟ ସରକାର କାହାକୁ ଏ ପଦରେ ନିଯୁକ୍ତ କରୁନାହାନ୍ତି। ଯାହାକୁ ନେଇ ସାଧାରଣ ବୁଦ୍ଧିଜୀବୀ ବିଶେଷ କରି ଦିବ୍ୟାଙ୍କ ଅଧିକାର ପାଇଁ ଲଢେଇ କରୁଥିବା ବ୍ୟକ୍ତିବିଶେଷମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଦାୟିତ୍ୱରେ ବିଭାଗୀୟ ନିର୍ଦ୍ଦେଶକ ଅତିରିକ୍ତ ଭାବେ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ପ୍ରଶାସନିକ ତ୍ରୁଟି କାରଣରୁ ସେହି ନିର୍ଦ୍ଦେଶକଙ୍କ ବିରୋଧରେ ମଧ୍ୟ ଅଭିଯୋଗମାନ ଆସୁଛି। କମିସନ ଏହାର ବିଚାର କରିବା କଥା। ଯେଉଁ ଲୋକ ଏଠି ଅଭିଯୁକ୍ତ, ସେହି ଲୋକ ହିଁ ବିଚାରପତି। ତେଣୁ ଦିବ୍ୟାଙ୍ଗ ବର୍ଗ କିପରି ପ୍ରଶାସନିକ ନ୍ୟାୟ ପାଇବେ, ତାହା ଏଥିରୁ ସହଜରେ ଅନୁମେୟ। ଆହୁରି ଏକ ସାଂଘାତିକ ଘଟଣା ଏହି କି ଯେ, ଅତିରିକ୍ତ ଦାୟିତ୍ୱରେ ଥିବା ଅଧିକାରୀ ଜଣଙ୍କ ତିନିମାସ ପରେ ସରକାରୀ ଚାକିରୀରୁ ଅବ୍ୟାହତି ନେବେ ବୋଲି ଜଣାପଡିଛି। ରାଜ୍ୟ ସରକାରଙ୍କ ଅତି ବିଶ୍ୱସ୍ତ ହୋଇଥିବାରୁ ତାଙ୍କୁ ଅବସର ପରେ ତାଙ୍କୁ ଭିନ୍ନକ୍ଷମ କମିସନର ପଦରେ ବସାଯିବା ନେଇ ଚିନ୍ତା କରାଯାଉଛି।

ଏହି ପ୍ରସଙ୍ଗରେ ବୁଦ୍ଧିଜୀବୀ ତଥା ଭିନ୍ନକ୍ଷମ ଅଧିକାରୀ ପାଇଁ ଲଢୁଥିବା ବହୁ ବ୍ୟକ୍ତି ନିୟମିତ ବ୍ୟବଧାନରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ଛାତ୍ର କଂଗ୍ରେସ ନେତା ବିଭୂତି ଭୂଷଣ ମହାପାତ୍ର କୁହନ୍ତି ଯେ,  ଗୋଟିଏ ବିଭାଗର ନିର୍ଦ୍ଦେଶକ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କମିସନର ଅତିରିକ୍ତ ଦାୟିତ୍ୱ ସମାନ ସମୟରେ ରହିବ ବେଆଇନ। ଏହା ଦ୍ୱାରା ନ୍ୟାୟିକ ପ୍ରକ୍ରିୟା ସମ୍ଭବ ହେଉନାହିଁ। ତେଣୁ ସରକାର ପୂର୍ଣ୍ଣକାଳୀନ ଭିନ୍ନକ୍ଷମ କମିସନର ନିଯୁକ୍ତ କରନ୍ତୁ। ସରକାର ନିଜ ବିଶ୍ୱସ୍ତ ଲୋକଙ୍କୁ ରଖିବା ଅପେକ୍ଷା ଦକ୍ଷ ଲୋକଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ନିକଟରେ ଭିନ୍ନକ୍ଷମ ସ୍କୁଲକୁ ଚାଉଳ ଯୋଗାଣ ବନ୍ଦ କରି ରାଜ୍ୟ ସରକାର ମଧ୍ୟ ସମାଲୋଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *