ଷ୍ଟକ ବଜାରରେ କୋଟି ପତି ହେଉଛନ୍ତି ନିବେଶକାରି
ମୁମ୍ବାଇ: ଷ୍ଟକ ବଜାରରେ ନିବେଶକାରିଙ୍କ ପାଇଁ ଗତ ପାଞ୍ଚଦିନ ଶୁଭ ରହିଛି । ଭାରତୀୟ ଷ୍ଟକ ବଜାରର ପ୍ରଦର୍ଶନ ଏବେ ଏକ ସ୍ତରରେ ରହିଛି। ପ୍ରତିଦିନ ବମ୍ବେ ଷ୍ଟକ୍ ବଜାରର ସେନ୍ସେକ୍ସ ଓ ନ୍ୟାସନାଲ୍ ଷ୍ଟକ୍ ବଜାରର ନିଫ୍ଟିରେ ବୃଦ୍ଧି ହେଉଥିବା ବେଳେ ନୂଆ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଷ୍ଟକ୍ ବଜାର ସୂଚୀରେ ହେଉଥିବା ବୃଦ୍ଧି ପ୍ରଭାବରେ ନିବେଶକମାନେ ମାଲାମାଲ ହୋଇଛନ୍ତି। ଗତ ପାଞ୍ଚ ଦିନରେ ସେନ୍ସେକ୍ସରେ ୨୫୦୦ ପଏଣ୍ଟ୍ରୁ ଅଧିକ ବୃଦ୍ଧି ହୋଇଥିବା ବେଳେ ନିବେଶକମାନଙ୍କ ସମ୍ପତ୍ତିରେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି।ଗତକାଲି ସେନ୍ସେକ୍ସ ପ୍ରଥମ ଥର ପାଇଁ ୬୫,୦୦୦ ପଏଣ୍ଟ୍ ସ୍ତର ଅତିକ୍ରମ କରି ଇତିହାସ ସୃଷ୍ଟି କରିଥିଲା। ଆଜି ମଧ୍ୟ ସେଥିରେ ୨୭୪ ପଏଣ୍ଟ୍ ବୃଦ୍ଧି ହୋଇଛି, ଫଳରେ ସେନ୍ସେକ୍ସ ୬୫,୪୭୯ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତ ପାଞ୍ଚ ଦିନରେ ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି (ମାର୍କେଟ୍ କ୍ୟାପିଟାଲାଇଜେସନ) ୭.୯୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୨୯୮ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଆଜି କିଛି ସମୟ ପାଇଁ ବମ୍ବେ ଷ୍ଟକ ବଜାର ୩୦୦ ଲକ୍ଷ କୋଟି ଟଙ୍କା କ୍ଲବ୍ରେ ସାମିଲ ହୋଇଥିଲା। ମାତ୍ର କାରବାର ଶେଷ ବେଳକୁ ସେନ୍ସେକ୍ସରେ କିଛିଟା ସୁଧାର ହେବା ପରେ ସେହି ମୂଲ୍ୟ ହ୍ରାସ ପାଇଛି। କିଛି ଦିନ ହେଲାଣି ବିଦେଶୀ ନିବେଶକମାନେ ବିପୁଳ ପରିମାଣର ଭାରତୀୟ ଇକ୍ବିଟି ସେୟାର କିଣୁଛନ୍ତି। ସେଥିପାଇଁ ଷ୍ଟକ ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ଏହା ବ୍ୟତୀତ ଠିକ୍ ସମୟରେ ମୌସୁମୀ ଆଗମନ, ଦରଦାମ୍ ସ୍ଥିତିରେ ସୁଧାର, ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୭୫ ଡଲାର ପାଖାପାଖି ରହିବା ଆଦି କାରଣ ଯୋଗୁ ନିବେଶକମାନଙ୍କ ମନୋବଳ ଦୃଢ଼ ରହିଛି।