ଘରର ବୋଝକୁ କାନ୍ଧରେ ବୋହୁଛି ରୀତା
ଭୁବନେଶ୍ବର; ବୟସ ମାତ୍ରା ୨୨ , ସକାଳୁ କାନ୍ଧରେ ଖାଦ୍ୟ ବ୍ୟାଗ ଧରି ଘର ଘର ବୁଲି ଖାଦ୍ୟ ପହଞ୍ଚାଇବା ହେଉଛି ତାଙ୍କ ପେଶା । ଜୀବନରେ ଅନେକ ସମସ୍ୟା ବାଧା ସୃଷ୍ଟି କରୁଥିଲେ ମଧ୍ୟ ଗୋଟିଏ ଝିଅ ହୋଇ କେବେବି ସେ ହାର ମାନି ନାହାନ୍ତି । ଯେଉଁ ବୟସରେ ପିଲାମାନେ ନିଜ ସାଙ୍ଗ ସାଥୀ ସହ ମେଳି ହୋଇ କଲେଜ ଯାଆନ୍ତି, ସେହି ବୟସରେ ରିତା ଘରର ବୋଝକୁ ନିଜ କାନ୍ଧରେ ବୋହି ନିଜ କର୍ମ ପଥରେ ଆଗେଇ ଚାଲିଛନ୍ତି ।
ଏପରି ଜଣେ ୨୨ ବର୍ଷୀୟ ଝିଅ ହେଉଛନ୍ତି ଭୁବନେଶ୍ଵର ସ୍ଥିତ ବରମୁଣ୍ଡାର ରୀତା ବେହେରା । ୨୦୧୫ ମସିହାରେ ବାପାଙ୍କୁ ହରେଇବା ପରେ ସେ ନିଜ ମା ଓ ବଡ଼ ଭାଇଙ୍କ ସହ ମିଶି ପରିବାର ପ୍ରତିପୋଷଣରେ କିଛି କିଛି ଅର୍ଥ ସାହାଯ୍ୟ କରୁଛନ୍ତି । କୁହାଯାଏ ଯେ ବାପା ହେଉଛନ୍ତି ଘରର ମେରୁଦଣ୍ଡ । କିନ୍ତୁ ଯଦି ସେହି ମେରୁଦଣ୍ଡ ନ ଥାଏ ତେବେ ଶରୀର ପରି ଘରର ମଧ୍ୟ ସ୍ଥିତି ଦୋହଲି ପଡେ । ସେଥିପ୍ରତି ଦୃଷ୍ଟି ଦେଇ ଅର୍ଥାଭାବ ଓ ଘରର ସ୍ଥିତିକୁ ସମ୍ଭାଳିବା ପାଇଁ ରିତା ୨୦୧୯ ରେ ଜୋମାଟୋରେ କାର୍ଯ୍ୟ ଆରମ୍ଭ କରିଥିଲେ ।
ପ୍ରତିଦିନ ୯ ଟାରୁ ‘୧୦ ଟା ଭିତରେ ସେ ନିଜ ଘରୁ ବାହାରି ଅନ୍ୟ ଘର ଘର ବୁଲି ଖାଦ୍ୟ ପହଞ୍ଚାଇବା କାମ କରନ୍ତି । ଖରା ବର୍ଷାକୁ ଖାତିର ନ କରି ଦୁଇ ପଇସା ରୋଜଗାର କରିବା ଚିନ୍ତାରେ ସେ ପ୍ରତ୍ୟେକ ଦିନ ଘରୁ ବାହାରି ଯାଆନ୍ତି । ବ୍ୟସ୍ତତା ମଧ୍ୟରେ ନିଜେ କର୍ମ ସ୍ଥଳରୁ ରାତି ପ୍ରାୟ ଏଗାର ଟା ରେ ନିଜ ବସାକୁ ବାହୁଡ଼ି ଆସନ୍ତି । ଏପରି ପ୍ରତ୍ୟେକ ଦିନର ବ୍ୟସ୍ତତା ମଧ୍ୟରେ ହୁଏତ ବୟସକୁ ଭୁଲି ନିଜ କର୍ମ କ୍ଷେତ୍ରକୁ ଆପଣେଇ ନେଇଛନ୍ତି ରିତା ।
ଏ ସମ୍ପର୍କରେ ରୀତା କୁହନ୍ତି ଯେ ” ବାପାଙ୍କ ମୃତ୍ୟୁ ପରେ
ମା ମଜୁରୀ ଲାଗୁଥିଲା । ସେଥିରୁ ଯାହା ରୋଜଗାର ହେଉଥିଲା ଆମେ ଚଳୁଥିଲୁ । ପରେ ଟଙ୍କା ପଇସାର ଅନେକ ସମସ୍ୟା ଉପୁଜିବାରୁ ପାଠ ପଢ଼ା ଛାଡ଼ି ମୁଁ ନିଜକୁ ଗୋଟେ ପୁଅ ମନେ କରି ଘରର ସବୁ କାମ ତୁଲାଉଛି । ଏବେ ମୋ ବୟସ କମ୍ ସତ କିନ୍ତୁ ଘର ପ୍ରତି ଥିବା ମୋର କର୍ତ୍ତବ୍ୟ ମତେ ସବୁକିଛି ସାମ୍ନା କରିବାର ସାହସ ଦେଇଛି । ତେଣୁ ମନରେ ସାହସ ସଞ୍ଚାର କରି ମୁଁ ମୋ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛି ଏବଂ ଆଗକୁ ମଧ୍ୟ ଆଗେଇ ଚାଲିଥିବି” ।