ସୁଭଦ୍ରା ଯୋଜନା: ସହାୟତା ଅପେକ୍ଷା ଡ୍ରାମା ଅଧିକା


ଭୁବନେଶ୍ୱର: (ରଙ୍ଗାଚରଣ ପ୍ରଧାନ) -ଏହା ପୂର୍ବରୁ କର୍ଣାଟକ ଓ ରାଜସ୍ଥାନରେ ମଧ୍ୟ ମହିଳାଙ୍କୁ ଟଙ୍କା ଦିଆଯାଉଛି। ୧୨ ଶହ ଟଙ୍କା ଓ ୨୦୦୦ ଟଙ୍କା। କିନ୍ତୁ ସେଠାରେ ଏତେ ଡ୍ରାମା ହୋଇ ନାହିଁ।

ଆମ ଉପମୂଖ୍ୟମନ୍ତ୍ରୀ ପ୍ରଥମ ହିତାଧିକାରୀ ଶହ ଫୋନରେ କଥା ହେବାର ଆମେ ଟିଭିରେ ଦେଖୁଛୁ । ମାସକୁ ୮୩୩ ଟଙ୍କା ପାଇଁ।‌ କହୁଛନ୍ତି ଐତିହାସିକ।

ଭାରତର କୈାଣସି ବି ରାଜ୍ୟ ମହିଳାମାନଙ୍କୁ ଟଙ୍କା ଦେଇ ପାରିବ। କିନ୍ତୁ ସେମାନେ  ସରକାରଙ୍କ ଆର୍ଥିକ ଅବସ୍ଥା ଉପରେ କ’ଣ ପ୍ରଭାବ ପଡିବ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି।

ଆମ ସରକାର ୧୦ ହଜାର କୋଟି ଅଧିକ ଋଣ କରି ସେହି ୧୦ ହଜାର କୋଟି ଟଙ୍କା ସୁଭଦ୍ରାରେ ଦେଉଛି।

ପୁଣି ସେଥିପାଇଁ କୃଷି ବଜେଟ କଟା ଯାଇଛି, ଇନଫ୍ରାଷ୍ଟ୍ରକଚର୍ ବଜେଟ କଟା ଯାଇଛି ଏବଂ ପିଲାଙ୍କ ପାଠପଢା ପାଇଁ ସରକାର ଦେଉଥିବା ଟଙ୍କା ମଧ୍ୟ ବନ୍ଦ କରା ଯାଇଛି। ଏହି କଥାରେ ମୋତେ ଯଦି କେହି ଚାଲେଞ୍ଜ କରିବେ ମୁଁ ସେଥିପାଇଁ ପ୍ରସ୍ତୁତ ଅଛି।

ପ୍ରଶ୍ନ ହେଉଛି, ‌ସୁଭଦ୍ରା ସମିତିର କାମ କ’ଣ ? ଯିଏ ଯାହାର ଟଙ୍କା ପାଇଲା । ସେମାନେ ଗୋଟିଏ ସମିତି କରି କାହିଁକି ମିଟିଂ କରିବେ ? ଉଦ୍ଦେଶ୍ୟ ବୁଝି ପାରୁଛନ୍ତି ତ ? ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ ଏମାନେ ଏକାଠି ବସି ଶୁଣିବେ ।‌

ବ୍ୟାଙ୍କକୁ ଟଙ୍କା ଆସିବ । ଯାହାର ବ୍ୟାଙ୍କ ଆକାଉଣ୍ଟ ଥିବ ବ୍ୟାଙ୍କ ତାକୁ ଗୋଟିଏ କାର୍ଡ ଦେଇଥିବ । ତାହାକୁ ଏଟିଏମ୍ ବା ଡେବିଟ କାର୍ଡ କୁହାଯାଏ। ତାହା ଦ୍ବାରା ସେହି ମହିଳା ନଗଦ  ଟଙ୍କା ଉଠାଇ ପାରିବ କିମ୍ବା କିଣାକିଣି କରି ପାରିବ।‌

ତେଣୁ ଯଦି ଆଗରୁ ବ୍ୟାଙ୍କ ଦେଇଥିବା ଗୋଟିଏ କାର୍ଡ ଅଛି, ପୁଣି ଥରେ ତାକୁ ସୁଭଦ୍ରା କାର୍ଡ କାହିଁକି ଦିଆ ଯାଉଛି ? କ’ଣ ପ୍ରତ୍ୟେକ ମହିଳାଙ୍କର ଅତିରିକ୍ତ ଗୋଟିଏ ଲେଖାଏଁ ଖାତା ଖୋଲିବ, କେବଳ ସେହି ଅତିରିକ୍ତ ଖାତାକୁ ଟଙ୍କା ଆସିବ ଓ ତାହା ସୁଭଦ୍ରା କାର୍ଡରେ ଚାଲିବ ?

କିଛି ବୁଝି ହେଉନି। ମୂଖ୍ୟମନ୍ତ୍ରୀ ଘୋଷଣା କରିଥିବା କ୍ୟାବିନେଟ ନିଷ୍ପତିରେ  ଏସବୁ କିଛି ନାହିଁ।

ସୁଭଦ୍ରା କାର୍ଡ ଏଟିଏମରେ ଚାଲିବ ନାହିଁ। କାରଣ ଏଥିରେ କେବଳ କିଣାକିଣି କରି ହେବ ।‌ଏଥିରୁ ପଇସା ଉଠାଇ ହେବନି। କଥା ହେଉଛି, ଗାଁ ଗଣ୍ଡାରେ ସବୁ ଦୋକାନରେ ସ୍କାନିଂ ମେସିନ ଅଛି ତ ?

ହଉ ହେଲା। ହୁଏତ ରାଜ୍ୟ ସାରା ଇଣ୍ଟରନେଟ ଅଛି ଓ ଗାଁ ଗଣ୍ଡାରେ ଅଧିକାଂଶ ଦୋକାନରେ ସ୍କାନିଂ ମେସିନ ଅଛି । ମନେ କରନ୍ତୁ ମୋର କିଛି କ୍ୟାସ ଦରକାର। ମୁଁ ମୋ ସାଙ୍ଗ ଦୋକାନରେ ସ୍କାନିଂ କରି ତାକୁ ସୁଭଦ୍ରା ଟଙ୍କାରୁ ୩୦୦୦ ଟଙ୍କା ପଠାଇଲି ଓ ବଦଳରେ ସେ ମୋତେ ତିନି ହଜାର ଟଙ୍କା କ୍ୟାସ୍ ଦେଇଦେଲା। ହେଲାନି କି ସେହି ଏକା କଥା ?

ହୁଏତ ଏହାକୁ ରୋକିବା ପାଇଁ ସେମାନେ ନିର୍ଦ୍ଦିଷ୍ଟ କେତେକ ଦୋକାନୀକୁ ସୁଭଦ୍ରା କାର୍ଡ ସ୍କାନିଂ ସୁବିଧା ଓ ମେସିନ ଦେବେ ।‌ ସେମାନେ ପୁଣି କିଏ ?

ଭାବିଥିଲି ସରକାରକୁ ଆସିବା ପରେ ଏମାନେ ଟିକେ ଦାୟିତ୍ବବାନ ହୋଇ କଥା କହିବେ । କିନ୍ତୁ ଏମାନେ ବିଧାନସଭା ଭିତରେ ନିତି ନିତି ଧମକ ଦେଉଛନ୍ତି । ଜଣେ ମାନ୍ୟବର କହିଲେ ୪୦-୫୦ ଅଫିସର ଇଡି ସ୍କାନରରେ ଅଛନ୍ତି। ତାହେଲେ କ’ଣ ଇଡି କ’ଣ କରୁଛି ସେସବୁ ଏମାନଙ୍କୁ କହୁଛି ? କାହିଁକି ?

ମୁଁ କେବେ ବି ଆଜି ପର୍ଯ୍ୟନ୍ତ ଦେଖିନି କେଉଁ ସରକାର ନିଜ ଅଫିସରଙ୍କୁ ଏମିତି ପବ୍ଲିକରେ ଡରାଏ କିମ୍ବା ଧମକାଏ । ପ୍ରଥମଥର ଓଡ଼ିଶାରେ ଦେଖୁଛି। ବୋଧହୁଏ ଏମାନେ ଭୁଲି ଯାଇଛନ୍ତି ଯେ ଏମାନେ ଏବେ ବିରୋଧୀ ଦଳରେ ନାହାନ୍ତି।
ଏମାନେ ଏତେ ଡ୍ରାମା ଶିଖିଛନ୍ତି କେଉଁଠି ? ଶାଖାରୁ ?

Leave a Reply

Your email address will not be published. Required fields are marked *