ସୁନାବେଡ଼ା ହାଲ୍ ବିସ୍ଥାପିତ ପରିବାରଙ୍କୁ ପୁନଃ ବିସ୍ଥାପନ ପାଇଁ ବୁଲଡୋଜର୍ ରାଜ୍ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ : ରାଜ୍ୟସ୍ତରୀୟ ତଥ୍ୟାନୁସନ୍ଧାନୀ ଦଳର ମତପ୍ରକାଶ

କୋରାପୁଟ, ତା ୦୩/୦୨/୨୬:(ନରେନ୍ଦ୍ର ମହାନ୍ତି)- ୧୯୬୦-୬୪ ମସିହା ମଧ୍ୟରେ କୋରାପୁଟର ସୁନାବେଡ଼ାରେ ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନେଟିକ୍ ଲିମିଟେଡ (ହାଲ୍) ପ୍ରତିଷ୍ଠା ପାଇଁ ୨୦ରୁ ଉର୍ଦ୍ଧ୍ବ ଗାଁ କୁ ବିସ୍ଥାପିତ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ସେମାନଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯାଇନାହିଁ । ସେମାନଙ୍କୁ ନ୍ୟାୟସଙ୍ଗତ ଭାବେ ଥଇଥାନ କରିବା ବଦଳରେ  ଅନ୍ୟାୟ ଭାବେ ବୁଲଡୋଜର୍ ରାଜ୍ ଜରିଆରେ ଗତ ୨୧ ଜାନୁଆରୀରେ ପୁନଃ ବିସ୍ଥାପନ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି ଘଟଣାର ଅନୁଧ୍ୟାନ କରିବାକୁ ଆସିଥିବା ଏକ ରାଜ୍ୟ ତଥ୍ୟାନୁସନ୍ଧାନୀ ଦଳର ପ୍ରତିନିଧିମାନେ ଏକ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି।
ଆଜି କୋରାପୁଟ ଅତିଥି ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା, ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍, ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ. ପି.ଏମ୍.) ତଥା ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଗବେଷକ ସନ୍ଦୀପ ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଗୁପ୍ତେଶ୍ୱର ପାଣିଗ୍ରାହୀ ଯୋଗଦେଇ
କ୍ଷତିଗ୍ରସ୍ତ ୬ ଟି ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ବୁଲଡୋଜର୍ ରାଜ୍ ନୀତିର ଉଚ୍ଛେଦ ପାଇଁ ଦାବି କରିଥିଲେ। ଗତ ଜାନୁଆରୀ ୨୧ ତାରିଖ ସକାଳୁ ଲୋକମାନେ ନିଦରୁ ଉଠିବା ପୂର୍ବରୁ ହାଲ୍ ର ନିରାପତ୍ତା ବାହିନୀ, ସେମିଳିଗୁଡା ଥାନା ଅଧିକାରୀଣୀ, ତହସିଲଦାର ପୋଲିସ୍ ଫୋର୍ସ ଓ ବୁଲଡୋଜର୍ ନେଇ ତାଲାପୁଟ ଗାଁ ର ଚୈତନ୍ୟ ବୁରୁଡି, କମଲୁ ଖିଲୋ, ରଘୁ କିଣୁବୁଡି, ହରିବନ୍ଧୁ ଖିଲୋ, ମଙ୍ଗଳା ଦେଉଳପଡିଆ, ଭାସ୍କର ମାଛ ଙ୍କ ଘରକୁ ବଳପୂର୍ବକ ଭାଙ୍ଗି ଦେଇଥିଲେ ଓ ସେମାନଙ୍କର ଲକ୍ଷାଧିକ ଟଙ୍କାର ଆସବାବପତ୍ର ନଷ୍ଟ କରିଦେଇଥିଲେ। ସ୍ଥାନୀୟ ଲୋକଙ୍କ ବିରୋଧ ପରେ ସେମାନେ ବୁଲଡୋଜର୍ ରାଜ୍ ବନ୍ଦ ହୋଇଥିଲା। ଚୈତନ୍ୟ ବୁରୁଡି ଙ୍କ ପତ୍ନୀ ସରସ୍ଵତୀ ବୁରୁଡି ଙ୍କ ୧୫ ଦିନର ଶିଶୁର ନାମକରଣ ଉତ୍ସବ (ଏକୋଇଶା) ପାଇଁ ରଖାଯାଇଥିବା ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଓ ଅଢ଼େଇ ଲକ୍ଷ ଟଙ୍କା, ସୁନାଗହଣା ଲୁଟ ହୋଇଛି ବା ହଜି ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ମଙ୍ଗଳା ଦେଉଳଗାଡିଆ ଙ୍କ ଦୁଇ ଝିଅ ଅନିତା ଓ ସୁନିତା ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସେମାନଙ୍କର ଚାଉଳ କଳ ଚାଲୁଥିବା ବେଳେ ଭାଙ୍ଗି ଦିଆଯାଇଛି ଓ ଦେଢ଼ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟି ନିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ତଥ୍ୟାନୁସନ୍ଧାନୀ ଦଳର ବିବରଣୀରୁ ପ୍ରକାଶ ଯେ ୧୯୬୧ ମସିହାରେ ହାଲ୍ ପ୍ରତିଷ୍ଠା ପାଇଁ ପାଇଁ ସେମିଳିଗୁଡା ତହସିଲ ଅନ୍ତର୍ଗତ ତାଲାପୁଟ, ସିନ୍ଧିପୁଟ, ପାଙ୍ଗିଗୁଡା, ବିଲେଇଗୁଡ଼ା, ଖଡିଙ୍ଗା, ଚୁଲାପାରୀ,  ଗୋଡିଗୁଡା, ଚକରାଲିପୁଟ, ଚିକାପାର ଓ ମାଲିଗୁଡା ଭଳି ୧୦ ଟି ଗ୍ରାମକୁ ସଂପୁର୍ଣ୍ଣ ବିସ୍ଥାପିତ କରାଯାଇଥିବା ବେଳେ ସାନବୋଡିଙ୍ଗା, ବଡବୋଡିଙ୍ଗା, କାକିଗାଁ, ଜାଡା ମାଲିଗୁଡା, ଜାଡାଗୁଡା, ପୁରୁଣା ସୁନାବେଡ଼ା, ରାଜପଲମା, ରାଜପୁଟ ଓ ଅନ୍ତାଲପୁଟ ଭଳି ଗାଁ ଗୁଡିକୁ ଆଂଶିକ ଭାବେ ବିସ୍ଥାପିତ କରାଯାଇଥିଲା। ସେଥିପାଇଁ ମୋଟ୍ ୧୧୭୧୩.୧୮ ଏକର ଜମି ଅଧିଗ୍ରହଣ କରାଯାଇଥିବାବେଳେ ତାହା ମଧ୍ୟରୁ ୭୬୪୧.୬୨ ଏକର ଘରୋଇ ଜମି ଏବଂ ୪୦୭୧.୫୬ ଏକର ସର୍ବସାଧାରଣ ଜମି ଥିଲା, ଯେଉଁଥିରୁ ହାଲ୍ କୁ ୩୧୨୧.୧୫ ଏକର ଜମି ଦିଆଯାଇଥିଲା।
ସେତେବେଳେ ଲୋକମାନେ ଅଜ୍ଞ ଥିବାରୁ ସେମାନଙ୍କୁ ସ୍ୱଳ୍ପ ତଥା ଯତକିଞ୍ଚିତ୍ କ୍ଷତିପୂରଣ ଦେଇ ବିସ୍ଥାପିତ କରାଯାଇଥିଲା। କିନ୍ତୁ ସେତେବେଳେ ସେମାନଙ୍କୁ ନ୍ୟାୟସଙ୍ଗତ ଭାବେ ପୁନର୍ବାସ କିମ୍ବା ଥଇଥାନ କରାଯାଇନଥିଲା।
ଫଳରେ ବିସ୍ଥାପିତ ପରିବାରଗୁଡିକ ମଧ୍ୟରୁ ପ୍ରାୟ ଶତାଧିକ ପରିବାର ୧୯୮୮ ମସିହାରୁ ତାଲାପୁଟ, ସିନ୍ଧିପୁଟ ଓ ପାଙ୍ଗିଗୁଡା ଗ୍ରାମରେ ବାସଗୃହ ନିର୍ମାଣ କରି ଓ ଚାଷ କରି ଜୀବିକା ନିର୍ବାହ କରି ଆସୁଛନ୍ତି।୧୯୮୮ ମସିହାରୁ ବିସ୍ଥାପିତ ମାନେ ହାଲ୍ ବିସ୍ଥାପିତ ସଂଘ ଗଠନ କରି ସେମାନଙ୍କର ପୁନର୍ବାସ ଓ ଥଇଥାନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବି ପ୍ରତି ତହସିଲ ଓ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ କର୍ଣ୍ଣପାତ କରୁନାହାଁନ୍ତି। ଏପରିକି ୧୯୯୧, ୧୯୯୪ ଏବଂ ୧୯୯୯ ମସିହାରେ ସେମାନଙ୍କ ଅସ୍ଥାୟୀ ଘର ଗୁଡ଼ିକୁ ହାଲ୍ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଭାଙ୍ଗି ଦିଆଯାଇଛି ବା ନିଆଁ ଲଗାଇ ପୋଡି ଦିଆଯାଇଛି। ୧୯୯୯ ମସିହାରେ ସେମାନଙ୍କ ଚାଷବାସ ସ୍ଥାନରେ ହାଲ୍ ପକ୍ଷରୁ ଘେରାବନ୍ଦୀ ପ୍ରାଚୀର ନିର୍ମାଣ କୁ ସେମାନେ ବିରୋଧ କରିଥିଲେ ସେହି ଆନ୍ଦୋଳନ ୨୦୦୮ ମସିହା ପର୍ଯ୍ୟନ୍ତ ଚାଲିଥିଲା ଏବଂ ସେହି ମାମଲା କୋର୍ଟରେ ପହଞ୍ଚିଥିଲା। ୨୦୧୩ ମସିହାରେ ବିସ୍ଥାପିତ ପରିବାରଙ୍କୁ ଘର ଯୋଗାଇ ଦେବାକୁ ମୋହନପଡା ଗ୍ରାମରେ ୮୫ ପରିବାରଙ୍କ ପାଇଁ ବିସ୍ଥାପିତ କଲୋନୀ ନିର୍ମାଣ କରାଯାଇଥିଲା, ଯାହାକୁ ମୋହନପଡା ଗ୍ରାମବାସୀ ବିରୋଧ କରିଥିଲେ ଓ ୪୦ରୁ ଉର୍ଦ୍ଧ୍ବ ଲୋକ ଜେଲ୍ ମଧ୍ୟ ଯାଇଥିଲେ। ଜୀବନ ଜୀବିକାର କୌଣସି ସୁବିଧା ସୁଯୋଗ ନଥିବା ଯୋଗୁଁ ବିସ୍ଥାପିତ ମାନେ ସେହି ବିସ୍ଥାପିତ କଲୋନୀକୁ ଯିବାକୁ ମନା କରିଥିଲେ ଏବଂ ସେମାନଙ୍କୁ ବଳପୂର୍ବକ ଉଚ୍ଛେଦ କରି ବିସ୍ଥାପିତ କଲୋନୀରେ ଛାଡ଼ିବା ପାଇଁ ପ୍ରଶାସନିକ ଉଦ୍ୟମ ବିରୋଧରେ ହାଇକୋର୍ଟ ରୋକ୍ ଲଗାଇଥିଲା। ୭ ଜୁଲାଇ ୨୦୧୨ ମସିହା କୋରାପୁଟ ଉପ- ଜିଲ୍ଲାପାଳଙ୍କ ଦ୍ୱାରା ସେମିଳିଗୁଡା ତହସିଲ୍ କାର୍ଯ୍ୟାଳୟ ରେ ଆୟୋଜିତ ବୈଠକର ଗୃହୀତ ପ୍ରସ୍ତାବ ଅନୁଯାୟୀ ( ଚିଠି ସଂଖ୍ୟା: ମେମୋ ନଂ ୪୫୨୩/୧୨ ଓ ମେମୋ ନଂ ୪୫୨୪/୧୨) ଅନୁଯାୟୀ କୋରାପୁଟ ଜିଲ୍ଲାପାଳ ଓ ହାଲ୍ ଜେନେରାଲ ମ୍ୟାନେଜର ଙ୍କୁ ବିସ୍ଥାପିତ ପରିବାରଙ୍କୁ ଲିଜ୍ ଜମି ଦେବାକୁ ସେମିଳିଗୁଡା ତହସିଲଦାର ଙ୍କୁ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରିନାହିଁ।
ଏହି ପରିପ୍ରେକ୍ଷୀରେ ଏହି ଦୁର୍ଭାଗ୍ୟଜନକ ତଥା ନିନ୍ଦନୀୟ ଘଟଣାର ଉପଯୁକ୍ତ ତଦନ୍ତ, ସମସ୍ତ ବିସ୍ଥାପିତ ପରିବାରଙ୍କୁ ଜମି ଅଧିଗ୍ରହଣ ଆଇନ୍- ୨୦୧୩ ଅନୁଯାୟୀ ଉପଯୁକ୍ତ ଭାବରେ ପୁନର୍ବାସ ଓ କ୍ଷତିପୂରଣ ସହ ଥଇଥାନ କରିବା, ବଳପୂର୍ବକ ଭାଙ୍ଗି ଦିଆଯାଇଥିବା ୬ଟି ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଏପରି ବେଆଇନ୍ ପଦକ୍ଷେପ ନେଇଥିବା ସରକାରୀ ପଦାଧିକାରୀ ଓ ହାଲ୍ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ କରିବା ପାଇଁ ସେମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *