ଦ୍ୱାଦଶ ଦିନରେ  ଆମ ଓଡ଼ିଶା ନବୀନ ଓଡ଼ିଶା, ସାମିଲ ହେଲା ସୁନ୍ଦରଗଡ଼, ଢେଙ୍କାନାଳ ଓ ବୌଦ୍ଧ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ୱାଦଶ ଦିନରେ ସୁନ୍ଦରଗଡ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।  ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

  ଏଥିପାଇଁ ସୁନ୍ଦରଗଡ ଜିଲ୍ଲାର  ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି  ୧୩୯.୫୦    କୋଟି  ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା –ସୁନ୍ଦରଗଡ, ତଳସରା, ବିରମିତ୍ରପୁର, ରଘୁନାଥପାଲି, ରାଜଗାଙ୍ଗପୁର ଓ ବଣେଇ।  ଏହିସବୁ ନିର୍ବାଚନ ମଣ୍ଡଳୀର   ୧୭ଟି ବ୍ଲକ୍‌‌ର       ୨୭୯ଟି  ଗ୍ରାମ ପଞ୍ଚାୟତରେ   ୩୦୧୬ଟି ପ୍ରକଳ୍ପ ହେବ। ସେହିପରି ଢେଙ୍କାନାଳ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ  ୧୦୬ କୋଟି ଟଙ୍କା  ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଢେଙ୍କାନାଳ, କାମାକ୍ଷାନଗର, ପରଜଙ୍ଗ, ହିନ୍ଦୋଳ।  ଏଥିରେ ୮ଟି ବ୍ଲକ୍‌ର      ୨୧୨ ଟି   ଗ୍ରାମପଞ୍ଚାୟତରେ  ୩୦୫୩ଟି ପ୍ରକଳ୍ପ କରାଯିବ। ସେହିପରି ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀକୁ ମିଳିଛି  ୩୪.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – କଣ୍ଟାମାଳ, ବୌଦ୍ଧ  । ଏହିସବୁ ନିର୍ବାଚନମଣ୍ଡଳୀର ୩ଟି ବ୍ଲକ୍‌‌ର   ୬୯ ଟି  ଗ୍ରାମ ପଞ୍ଚାୟତରେ ୧୧୫୯ଟି ପ୍ରକଳ୍ପ ହେବ। ଆଜିର କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି, ଢେଙ୍କାନାଳ ଜିଲ୍ଲାର ୪ଟି ଓ ବୌଦ୍ଧ ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ।  ସେ ପୁଣି କହିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗାଁ ଗାଁରେ ଆଧୁନିକ ଓଡିଶାର ଭିତ୍ତି ସ୍ଥାପନ କରିବ। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି  କରିଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *