ଖଜୋରାହା ଜାଭେରୀ
ମନ୍ଦିର ବେଢାର ଭଗ୍ନ ବିଷ୍ଣୁ
ନୂଆଦିଲ୍ଲୀ : (ବିଜୟ ସାହୁ)-ମଧ୍ୟପ୍ରଦେଶର ଖଜୋରାହା ଜାଭେରୀ ଜାଭେରୀ ମନ୍ଦିର କାନ୍ଥରେ ଥିବା ବିଷ୍ଣୁ ମୂର୍ତ୍ତିକୁ ମରାମତି ନିର୍ଦ୍ଦେଶ ଦେବା ପାଇଁ ଜନୈକ ବିଷ୍ଣୁ ଶ୍ରଦ୍ଧାଳୁ ( ସଙ୍ଘ ପରିବାର) ସୁପ୍ରିମ କୋର୍ଟରେ ଗୋଟିଏ Public Interest
Litigation ଦାଖଲ କରିଥିଲେ । 16 ସେପ୍ଟେମ୍ବରରେ ଏହାର ଶୁଣାଣୀ କରି ମୁଖ୍ୟ ନ୍ୟାୟାଧୀଶ କହିଲେ ଏହା ଏକ Purely Publicity Interest Letigation , ସୁପ୍ରିମକୋର୍ଟର ବିଚାର ଅଧୀନରେ ଆସୁନାହିଁ । ଆବେଦନକାରୀ ରାକେଶ ଦଲାଲ ଯୁକ୍ତି କରିଥିଲେ ସରକାର ଏହାକୁ ମରାମତି କରିବାରେ ନିଷ୍କ୍ରିୟତା ପ୍ରଦର୍ଶନ କରୁ ଥିବାରୁ ତାଙ୍କ ଭଳି ଜଣେ ବିଷ୍ଣୁ ଭକ୍ତଙ୍କ ସମ୍ବିଧାନର ଅନୁଛେଦ 25 ଅନୁଯାୟୀ ଉପାସନା କରିବାର ମୌଳିକ ଅଧିକାର ହନନ ହେଉଛି ।
ଜଷ୍ଟିସ ଆବେଦନକୁ ଖାରଜ କରି ଆବେଦନକାରୀଙ୍କୁ କହିଲେ, ଏଭଳି ବିଷୟ ଭାରତର ପ୍ରତ୍ନତତ୍ୱ ସର୍ଭେ ଅଧୀନରେ ଆସୁଛି ଓ ଏହାର ମରାମତି ଦାୟିତ୍ୱ ସେମାନଙ୍କ ଉପରେ ନିର୍ଭର କରୁଛି । ଯଦି ତୁମେ କହୁଛ ଜଣେ ଦୃଢ଼ ବିଷ୍ଣୁ ଭକ୍ତ ତାହେଲେ ତୁମେ ବର୍ତ୍ତମାନ ସେଠାରେ ଯାଇ ପ୍ରାର୍ଥନା କର ।
ଏହି ଆବେଦନ ଖାରଜ ପରେ କିଛି ବିଶ୍ୱ ହିନ୍ଦୁ ପରିଷଦ ଓ ଅନ୍ୟାନ୍ୟ ହିନ୍ଦୁ ସଂଗଠନ ସେଇ ଦିନ ଦିଲ୍ଲୀରେ ଯନ୍ତର ମନ୍ତର ରେ ଗୋଟିଏ ଧାରଣା ପ୍ରଦର୍ଶନ କଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଜନ୍ମ ଦିନ ପାଳନ ପରଦିନ ଥିବାରୁ
ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଦାବିପତ୍ର ଦେଇ କାର୍ଯ୍ୟକ୍ରମଟି ସଂକ୍ଷିପ୍ତ କରିଦେଲେ । ଶୁଣାଯାଏ ରାଷ୍ଟ୍ରପତିଙ୍କୁ ମଧ୍ୟ ଗୋଟିଏ ଗୁହାରି ପତ୍ର ଦେଲେ ।
ତାପରେ ଏମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଷ୍ଟିସ ଗଭାଇଙ୍କୁ ବହିଷ୍କାର କରିବା ପ୍ରଚାର ଆରମ୍ଭ କଲେ ।
ଅବଶ୍ୟ କେନ୍ଦ୍ର ସରକାରଙ୍କ
ସଲିସିଟର ଜେନେରାଲ ଜଷ୍ଟିସ ଗଭାଇଙ୍କ ପଛରେ ଠିଆ ହେଲେ ।
ଜଷ୍ଟିସ ଗଭାଇ ମଧ୍ୟ କୋର୍ଟରେ ତାଙ୍କର ଟିପ୍ପଣୀକୁ ଭୁଲ ବ୍ୟାଖ୍ୟା କରା ଯାଇଛି ଓ ପ୍ରତ୍ୟେକ ଧର୍ମ ପ୍ରତି ତାଙ୍କର ସମ୍ମାନ ରହିଛି ବୋଲି 18 ସେପ୍ଟେମ୍ବର ସ୍ପଷ୍ଟୀକରଣ ଦେଇଛନ୍ତି ।
ଜଣେ ଓକିଲ ବିନୀତ ଜିନ୍ଦଲ ଜଷ୍ଟିସ ଗଭାଇଙ୍କୁ ପତ୍ର ଲେଖି ଟିପ୍ପଣୀ ପ୍ରତ୍ୟାହାର କରିବାକୁ ଦାବୀ କଲେ ।
ଏହା ସତ୍ତ୍ୱେ ସଙ୍ଘ ଓ ବିଜେପିର କିଛି ଓକିଲ ଜଷ୍ଟିସ ଗଭାଇଙ୍କ ଉପରେ ଆକ୍ରମଣରୁ ଓହରି ଯାଇ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଆଡେ ମାଡି ଗଲେଣି ।
ବିଜେପିର ଜଣେ ବରିଷ୍ଠ ଓକିଲ ମୁଖପାତ୍ର ଭିଡିଓ ବାର୍ତ୍ତାରେ 1958 ପୁରାତନ କୀର୍ତ୍ତିରାଜି ସୁରକ୍ଷା ଆଇନ ( AMASR)Act ପ୍ରତ୍ୟାହାର ପାଇଁ ସମ୍ବିଧାନ ସଂଶୋଧନ ଯୁକ୍ତି କଲେଣି ।
ଏହି ଦାବୀ ହଠାତ ଉଠି ନାହିଁ । ବରିଷ୍ଠ ଓକିଲ ସବୁବେଳେ ମିଡ଼ିଆ ରେ ରହିବା ପାଇଁ ଏଭଳି ଅନେକ ଆଇନ ବହିର୍ଭୁକ୍ତ PIl ଦାଖଲ କରୁଛନ୍ତି ।
ଦେଖା ଯାଉଛି ଯୁକ୍ତିଯୁକ୍ତ ଜନସ୍ୱାର୍ଥ କ୍ଷେତ୍ରରେ ସମାଜସେବୀ କିମ୍ବା ମାନବିକ ଅଧିକାରୀ ସଂଗଠନ PIL କଲେ ସୁପ୍ରିମକୋର୍ଟ ଫାଇନ ନିର୍ଦ୍ଦେଶ ଦେଉଛନ୍ତି, କିନ୍ତୁ ସଙ୍ଘ ପରିବାର ଓକିଲଙ୍କ PIL REJECT ହେଲେ ମଧ୍ୟ ଫାଇନ ହେଉନାହିଁ ।
ଏହା ଗଲା ଭାରତର ନ୍ୟାୟ ପ୍ରଦାନ ବିଭାଗର ନିରପେକ୍ଷ ଦିଗ । କିନ୍ତୁ ଅନ୍ୟ ଦିଗଟି ହେଲା ହଠାତ ବିଷ୍ଣୁ ମୂର୍ତ୍ତି ପ୍ରଶ୍ନ କାହିଁକି ସୁପ୍ରିମ କୋର୍ଟକୁ ଗଲା ?
ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତ ବର୍ଷ ପୂର୍ତ୍ତି ସମାରୋହ ପରିପ୍ରେକ୍ଷୀରେ ମୋହନ ଭାଗବତ ଗୋଟିଏ ସୂଚନା ଦେଇଥିଲେ ଏଣିକି ସଙ୍ଘ କୌଣସି ହିନ୍ଦୁ ମନ୍ଦିର ଦାବୀ ଆନ୍ଦୋଳନରେ ସାମିଲ ହେବ ନାହିଁ । କେବଳ ରାମ ମନ୍ଦିର ଆନ୍ଦୋଳନ ରେ ସାମିଲ ହେଇଥିଲା ଓ ଏହା ପ୍ରତିଷ୍ଠା ହେଇ ସାରିଛି ।
ଇତି ପୂର୍ବରୁ ଅନେକ ଥର କହିଥିଲେ ସବୁ ମାଟି ତଳେ ମନ୍ଦିର ଖୋଜିବା ଦରକାର ନାହିଁ ।
କିନ୍ତୁ ଏହି କଥା ସହିତ ଆଉ ଗୋଟିଏ କଥା ମଧ୍ୟ କହିଥିଲେ ସ୍ୱୟଂ ସେବକ ବ୍ୟକ୍ତିଗତ ଭାବରେ ମଥୁରା, କାଶୀ ଆନ୍ଦୋଳନରେ ସାମିଲ ହେଇ ପାରିବେ । ପ୍ରତ୍ୟେକ ହିନ୍ଦୁର ଭାବନା ସହ ଏହା ଜଡ଼ିତ ।
ଏହି ସୂଚନା ବିଜେପି ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପାଇଁ ଯଥେଷ୍ଟ ଇଙ୍ଗିତ ଥିଲା । ତେଣୁ ସୁପ୍ରିମ କୋର୍ଟରେ ବିଷ୍ଣୁ ମୂର୍ତ୍ତି ମରାମତି PIL ଜନସ୍ୱାର୍ଥ ମାମଲା ଆଗତ ହେଇଥିଲା ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସମଗ୍ର ଦେଶକୁ ଏକୀକରଣ ସାଂସ୍କୃତିକ ପରିଚୟ ଦେବା ଶୃଙ୍ଖଳା ର ଏହି ସମସ୍ତ ଦିଗ ଗୋଟିଏ ଗୋଟିଏ କଡ଼ି ।
1958 AMASR ACT ଶୁନ୍ୟ ଭାବନାରୁ ଆସି ନଥିଲା ।
1904 ମସିହାରେ ବ୍ରିଟିଶ ଅମଳରେ ପ୍ରଣୀତ ହେଇଥିବା ପୁରାତନ କୀର୍ତ୍ତି ରାଜି ସଂରକ୍ଷଣ ଆଇନ ଦୁର୍ବଳ ଥିଲା । ଏହାକୁ ପ୍ରୟୋଗ କରିବା ସହଜ ନଥିଲା । ପଣ୍ଡିତ ନେହେରୁଙ୍କ ଅନେକ ତ୍ରୁଟି ଥାଇପାରେ । କିନ୍ତୁ ଦେଶର ଦୁଇ ବୃହତ ସମ୍ପ୍ରଦାୟର ଭାଗିଦାରୀ ପରିଚୟକୁ ଜାତୀୟ ସ୍ମାରକୀ ଭାବରେ ମନ୍ଦିର, ମସଜିଦ ଓ ଦୁର୍ଗ ଭଳି କୀର୍ତ୍ତିରାଜିଗୁଡିକୁ ସଂରକ୍ଷଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ତେଣୁ ପ୍ରୋକ୍ତ ଆଇନ ମାଧ୍ୟମରେ ASIକୁ କ୍ଷମତା ପ୍ରଦାନ କରାଇ ଥିଲେ । ଜାତୀୟ ଗୁରୁତ୍ୱ ବହନ କରୁଥିବା ସ୍ଥଳଗୁଡିକୁ ସର୍ଭେ କରି ଖନନ ଉପରେ ନିୟନ୍ତ୍ରଣ କରିବା ଓ ଅତିକ୍ରମଣ ଏବଂ ନଷ୍ଟ ହେବାକୁ ରୋକିବା କ୍ଷମତା ASI ଅଧିନକୁ ଆସିଥିଲା ।
1950 ପରେ ପରେ ଦ୍ରୁତ ସହରୀ କରଣ ଓ ବିକାଶ ଯୋଜନା ଯୋଗୁଁ ପ୍ରାଚୀନ ସ୍ଥଳଗୁଡିକୁ ଅତିକ୍ରମଣ ଓ କୀର୍ତ୍ତିରାଜି ଭଙ୍ଗାରୁଜା , ଚୋରୀ ସମ୍ଭାବନା ବୃଦ୍ଧି ପାଇଥିଲା । ସରକାରଙ୍କ ନିକଟରେ ରିପୋର୍ଟ ପହଞ୍ଚିଲା ଐତିହ୍ୟଗୁଡିକୁ ଭଙ୍ଗା ଯାଉଛି, ଐତିହ୍ୟ ସ୍ଥଳ ନିକଟରେ ବେଆଇନ ନିର୍ମାଣ ହେଉଛି ଓ ଆନ୍ତର୍ଜାତିକ ବଜାରରେ ଚୋରୀ କଳାକୃତିଗୁଡିକୁ ବିକ୍ରି କରା ଯାଉଛି ।
ତେଣୁ ଏହି ଆଇନ ପ୍ରଣୟନ ହେଇଥିଲା । ଏହି ଆଇନ ମଧ୍ୟ ଜାତିସଂଘର ଶିକ୍ଷା , ବୈଜ୍ଞାନିକ ଓ ସାଂସ୍କୃତିକ ସଂସ୍ଥା (UNESCO ) ଦ୍ଵାରା ବିଶ୍ୱ ସାଂସ୍କୃତିକ ଐତିହ୍ୟ
ସଂରକ୍ଷଣ ଉଦ୍ୟମ ନିୟମ ଦ୍ଵାରା କିଛି ପରିମାଣରେ ପ୍ରଭାବିତ ଥିଲା ।
ଭାରତ ଜାତିସଂଘର ପ୍ରତିଷ୍ଠାତା ସଭ୍ୟ ଥିଲା ଓ ପଣ୍ଡିତ ନେହେରୁଙ୍କ ବିଶ୍ୱ ଦୃଷ୍ଟିଭଙ୍ଗୀ ଥିଲା ।
ତେଣୁ ପୁରାତନ କୀର୍ତ୍ତିରାଜି ଯଥା ଖଜୁରାହୋ, ଅଜନ୍ତା , କୁତବମୀନର ପ୍ରଭୃତି ଅସୁରକ୍ଷିତ ଓ ପରିତ୍ୟକ୍ତ ଭଙ୍ଗାରୁଜା ସ୍ଥଳକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ କରିବା ପାଇଁ ଆଇନରେ ପ୍ରାବଧାନ ରଖା ଯାଇଥିଲା ।
ଏହି ଆଇନର ଏକ ଧର୍ମ ନିରପେକ୍ଷ ସ୍ୱରୂପ ଥିଲା । ସାମ୍ପ୍ରଦୟିକ ବିବାଦ କୁ ଦୂର କରି କୀର୍ତ୍ତିରାଜି ସ୍ଥଳଗୁଡିକୁ ସଂରକ୍ଷଣ ବ୍ୟବସ୍ଥା ହେଇଥିଲା ।
ନେହେରୁଙ୍କ ଦୃଷ୍ଟିଭଙ୍ଗୀ ଭିତରେ ଥିଲା ହିନ୍ଦୁ, ବୌଦ୍ଧ, ଜୈନ ଓ ମୁସଲିମ ଇତ୍ୟାଦି ସାଂସ୍କୃତିକ ବିବିଧତାର ଐତିହ୍ୟକୁ ସଂରକ୍ଷଣ କରି ନବ ସ୍ୱାଧୀନ ପ୍ରାପ୍ତ ଭାରତର ସଂହତି ପ୍ରତିଷ୍ଠା କରିବା ।
ଏହି ଆଇନ ପ୍ରଣୟନ ବେଳେ କୌଣସି ଧର୍ମୀୟ ସମ୍ପ୍ରଦାୟ ଓ ରାଜନୈତିକ ଦଳ ଏହାର ବିରୋଧ କରି ନଥିଲେ । ଏପରି କି ଜନସଂଘ ମଧ୍ୟ ବିରୋଧ କରି ନଥିଲା । ସେତେବେଳେ ଜନସଂଘର ମୁଖ୍ୟ ଏଜେଣ୍ଡା କେବଳ ଗୋ-ସୁରକ୍ଷା, ହିନ୍ଦୀକୁ ଏକ ଜାତୀୟ ଭାଷା କରିବା ଓ ନେହେରୁଙ୍କ ସଂଖ୍ୟାଲଘୁ ତୁଷ୍ଟିକରଣ ନୀତି ବିରୁଦ୍ଧରେ କେନ୍ଦ୍ରିତ ଥିଲା ।
ଅଟଳ ବିହାରୀ ବାଜପେୟୀ 1998-2004 ସମୟ ଖଣ୍ଡରେ ପ୍ରଧାନମନ୍ତ୍ରୀ ହେଇଥିବା AMASR ACT କୁ ବିରୋଧ କରି ନଥିଲେ । ବରଂ ବାଜପେୟୀ ଏହି ଆଇନକୁ
ସଂପ୍ରସାରିତ କରି ଜାତୀୟ ଗୌରବ ବହନ କରୁଥିବା ସ୍ଥଳଗୁଡ଼ିକ କ୍ଷେତ୍ରରେ ଲାଗୁ କରିଥିଲେ । ASI FUNDING ମଧ୍ୟ ବୃଦ୍ଧି କରି ଅଜନ୍ତା- ଏଲୋରା ଗୁମ୍ଫା ଓ ଖଜୋରାହୋ ମନ୍ଦିରଗୁଡିକର ଜୀର୍ଣ୍ଣୋଦ୍ଧାର ବ୍ୟବସ୍ଥା କରିଥିଲେ ।
2002-2003ରେ ବାଜପେୟୀ ସରକାର ତାଜମହଲ, କୁତବ ମୀନର ଭଳି ସଂରକ୍ଷିତ କୀର୍ତ୍ତିସ୍ଥଳ ଚାରିପାର୍ଶ୍ୱରୁ ଅତିକ୍ରମଣକୁ ହଟେଇବା ପାଇଁ ଆଇନକୁ ବ୍ୟବହାର କରିଥିଲେ ।
1958 ଆଇନର ପ୍ରଥମ ବଡ଼ ସଂଶୋଧନ 2010 ରେ କରାଯାଇ National Monuments Authority ପ୍ରତିଷ୍ଠା ମାଧ୍ୟମରେ କୀର୍ତ୍ତିରାଜି ଚତୁର୍ପାର୍ଶ୍ବକୁ ପରିଚାଳନା ଓ ନିୟନ୍ତ୍ରଣ କରିବା କ୍ଷମତା ପ୍ରଦାନ କରାଯାଇଥିଲା ।
2017 ଓ ଏହାପରେ ନରେନ୍ଦ୍ର ମୋଦୀଙ୍କ ସରକାର 1958 ଆଇନ କୁ ଅବ୍ୟାହତ ରଖି ନିୟନ୍ତ୍ରଣ ଅଞ୍ଚଳରେ ନିର୍ମାଣ କାର୍ଯ୍ୟକୁ ସହଜ କରିବା ପାଇଁ କିଛି ସଂଶୋଧନ ପ୍ରସ୍ତାବ ଆଣିଥିଲେ , କିନ୍ତୁ ମୌଳିକ ଢାଞ୍ଚା କୁ ଅପରିବର୍ତ୍ତିତ ରଖିବା ପ୍ରସ୍ତାବ ଥିଲା । ବାଜପେୟୀ, ମନମୋହନ ସିଂହ ଓ ନରେନ୍ଦ୍ର ମୋଦୀ ସରକାରଙ୍କ ଏହି ସ୍ଥଳଗୁଡ଼ିକରେ ପର୍ଯ୍ୟଟନ ଶିଳ୍ପ ବୃଦ୍ଧି କରିବା ଲକ୍ଷ୍ୟ ରହିଛି ବୋଲି ପ୍ରଚାର ହେଇଥିଲା ।
ଆମେ ଲକ୍ଷ୍ୟ କରିଛେ ଓଡ଼ିଶାର ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ବେଳେ ବିରୋଧୀ ଦଳ ଭାବରେ ବିଜେପି ଆଇନର ଲଙ୍ଘନ ହେଉଛି ବୋଲି କ୍ରମାଗତ ପ୍ରତିବାଦ କରିଥିଲା ।
ଲିଙ୍ଗରାଜ ମନ୍ଦିର ଚତୁର୍ପାର୍ଶ୍ବ ପ୍ରଶସ୍ତିକରଣ ପ୍ରକଳ୍ପକୁ ମଧ୍ୟ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବିରୋଧ କରିଥିଲେ ।
ସୁତରାଂ ମୋଦୀ ସରକାର 1958 AMASR ACT ଓ ପରବର୍ତ୍ତୀ ସଂଶୋଧନଗୁଡିକୁ କେବେ ବିରୋଧ କରି ନଥିବା ସତ୍ତ୍ୱେ ସଂଘ ପରିବାରର ଜଷ୍ଟିସ ଗଭାଇଙ୍କ ବିରୁଦ୍ଧରେ ପ୍ରଚାର ଅଭିଯାନର ଉଦେଶ୍ୟ କଣ ?
ସଙ୍ଘ ପରିବାରର ମନୁବାଦୀ ମାନସିକତାର ପ୍ରତିଫଳନ ନୁହେଁ କି ଯେଣୁ ଜଷ୍ଟିସ ଗଭାଇ ଭାରତର ପ୍ରଥମ ମୁଖ୍ୟ ନ୍ୟାୟାଧୀଶ ହେଇଛନ୍ତି ?
ସଂଘ ପରିବାର ପୁଣି ଥରେ ମନ୍ଦିର ଆନ୍ଦୋଳନ ମାଧ୍ୟମରେ ଦେଶବ୍ୟାପୀ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ବୃହତ ନୀଳନକ୍ସା ପ୍ରସ୍ତୁତ କରୁ ନାହିଁ ତ ?
ଅଥବା, ଗଭାଇଙ୍କ ଉପରେ ଚାପ ପ୍ରୟୋଗ କରି ବିଚାର ପ୍ରକ୍ରିୟା ଉପରେ ନିୟନ୍ତ୍ରଣ କରିବା ଓ ପରବର୍ତ୍ତୀ ସୁପ୍ରିମକୋର୍ଟ ମୁଖ୍ୟ ନ୍ୟାୟାଧୀଶମାନଙ୍କୁ ଭୟଭୀତ କରିବା ଯୋଜନା ରଖି ନାହିଁ ତ ?
