ସିରିଜ୍ ଜିତି ଏହି ରେକର୍ଡକୁ ବଜାୟ ରଖିଲା ଟିମ୍ ଇଣ୍ଡିଆ …

ଇଂଲଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରି ଚତୁର୍ଥ ଟେଷ୍ଟରେ ବାଜି ମାରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ୫ ଟି ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ଗୋଟିଏ ମ୍ୟାଚ୍ ପୂର୍ବରୁ ଜିତି ନେଇଛି ରୋହିତ ଆଣ୍ଡ କୋ । ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ । ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି । ୧୯୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ଆଜି ଖେଳ ଆରମ୍ଭରୁ ଷୋହଳ ୱିକେଟ ହରାଇ ସଙ୍କଟରେ ପଡିଥିଲା । ରୋହିତ ଅର୍ଦ୍ଧଶତକ କରି ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ତେବେ ଧ୍ରୁବ ଓ ଶୁଭମନ ଗିଲ ଭାରତର ଇନିଂସକୁ ସମ୍ଭାଳିଥିଲେ । ଉଭୟ ବେଶ ସର୍ତକତାର ସହ ବ୍ୟାଟିଂ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଗିଲ ଓ ଧ୍ରୁବ ଯଥାକ୍ରମେ ୫୨ ଓ ୩୯ ରନ୍ କରି ଅପରାଜିତ ରହିଥିଲେ । ଏହି ବିଜୟ ସହିତ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ଏକ ବଡ଼ ଲମ୍ଫ ନେଇଛି । ରାଞ୍ଚି ଟେଷ୍ଟରେ ବିଜୟ ପରେ ପଏଣ୍ଟ ଟେବୁଲରେ ରୋହିତ ବ୍ରିଗେଡ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୩-୨୫ ଟେଷ୍ଟ ଚାମ୍ପିଅନସିପ୍ ଚକ୍ରରେ ଏହା ଭାରତର ପଞ୍ଚମ ବିଜୟ ଥିଲା । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ୮ ଟି ଟେଷ୍ଟ ଖେଳିଛି ଯେଉଁଥିରେ ୨ ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ଏବଂ ଗୋଟିଏ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା । ସେହିପରି ଏହି ମ୍ୟାଚ ଜିତିବା ପରେ ଭରତୀୟ ଦଳ ଘରୋଇ ମାଟିରେ ସିରିଜ ବିଜୟର ରେକର୍ଡ ବଜାୟ ରହିଛି । ୧୨ ବର୍ଷ ତଳେ କେବଳ ଇଂଲଣ୍ଡ ଭାରତକୁ ଭାରତରେ ହରାଇବାରେ ସଫଳ ହୋଇଥିଲା ।

Leave a Reply

Your email address will not be published. Required fields are marked *