Handloom day Special : ଆଜିର ଦିନରେ ହସ୍ତତନ୍ତ ଓ ହାଇପ….

ବ୍ରହ୍ମପୁର : (ଶ୍ରୀମା ଶଥପଥି)- ବିବାହ, ବ୍ରତ, ଯାନିଯାତ୍ରାରେ ବ୍ରହ୍ମପୁର ପାଟର ଯେଉଁ ଚାହିଦା ଥିଲା ତାହା ବଢ଼ିବା ପରିବର୍ତ୍ତେ କମିଛି । ପାଟରା ମାନଙ୍କର ଏକ ସ୍ୱତନ୍ତ୍ର ସାହି ଥିଲା । ବୋମକେଇ ପାଟକୁ ନେଇ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ସ୍ୱତନ୍ତ୍ର ଏକ ଜାଗା ମଧ୍ୟ ଅଛି । କେବଳ ବ୍ରହ୍ମପୁର ବା ବୋମକେଇ ପାଟ ନୁହଁ ସମ୍ବଲପୁରୀ ଶାଢ଼ୀର ବିଜ୍ଞାପନ ଭଳି କପଡାଗୋଣ୍ଡା, କୋଟପାଡ଼ ଶାଢ଼ୀ, ଖଣ୍ଡୁଆ ଭଳି ବିଭିନ୍ନ ହସ୍ତତନ୍ତର ମଧ୍ୟ ଆବଶ୍ୟକୀୟ ବିଜ୍ଞାପନ ଜରୁରୀ । ନଚେତ ଏସବୁ ଧୀରେଧୀରେ ଇତିହାସ ପାଲଟି ଯିବ, ଯଦି ବୁଣିବା ବଦଳରେ ବୁଣାକାର ରାଜ୍ୟ ଓ ଦେଶ ବାହାରକୁ ଯାଇ ଏମିତି ଦାଦନ ଖଟିବେ । ତେଣିକି ଯେତେ ହାଇପ୍ କଲେ ବି କିଛି ଲାଭ ହେବନି । ଯେତେ ଚେଷ୍ଟା କଲେ ବି ଗ୍ରାହକ ଜାଣି ପାରିବେନି କୋଉଟା ଅସଲି କୋଉଟା ନକଲି, କେଉଁ ଶାଢ଼ୀ ବା କପଡ଼ା କେଉଁ ଅଞ୍ଚଳର । ପ୍ରତି କପଡ଼ାରେ ବୁଣାକାରର ଭାବନା ଲୁଚି ରହିଥାଏ, ପ୍ରତ୍ୟେକ କପଡ଼ା କିଛି କଥା କୁହେ । ଏସବୁ ଜାଣିବା ପାଇଁ କଳା କୌଶଳ ଓ କାରିଗରୀରେ ନିପୁଣ ବୟୋଜ୍ୟେଷ୍ଠ ଲୋକମାନଙ୍କୁ ନେଇ କର୍ମଶାଳା ହେବା ଦରକାର । ନଚେତ ଆମେ କେବଳ କିଛି ବାହାର ରାଜ୍ୟର ଅଭିନେତା ଅଭିନେତ୍ରୀଙ୍କୁ ମଞ୍ଚରେ ବସାଇ ଖୁସି ହେଉଥିବା ଓ ବାହସ୍ପଟ ମାରୁଥିବା । ଏପଟେ ଅନ୍ୟ ରାଜ୍ୟର ହସ୍ତତନ୍ତ ପିନ୍ଧି ଖୁସିରେ ଗଦଗଦ ହେଉଥିବା ।



ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବେକାରୀ ସମସ୍ୟା ଯେତେ ଭୟଙ୍କର ସେତିକି ଭୟଙ୍କର ବଜାର ସମସ୍ୟା । ଆତ୍ମନିର୍ଭର ଭାରତ ଦିଗରେ ଲକ୍ଷ୍ୟ ରଖିଥିବା କେନ୍ଦ୍ର-ରାଜ୍ୟ ସରକାର ଉଭୟ ପ୍ରଥମେ ବୁଣାକାର ମାନଙ୍କ ପାଇଁ ମୁକ୍ତ ବଜାର (open market) ପ୍ରସ୍ତୁତ କରନ୍ତୁ । କେତେ ଆତ୍ମନିର୍ଭରଶୀଳ କୁଶଳୀ ବୁଣାକାର ରାଜ୍ୟ ବାହାରେ ଅଛନ୍ତି କଣ କରୁଛନ୍ତି ଓ କେମିତି ଘରମୁହାଁ ହେବେ ତା’ର ବାଟ ଫିଟାନ୍ତୁ । ବିକ୍ରିରେ ନଜର ଦିଅନ୍ତୁ, କଳାବଜାରୀରେ ନଜର ଦିଅନ୍ତୁ । ସୋସାଇଟି ଠାରୁ ଡିଲର, ଡିଲର ଠାରୁ ହୋଲସେଲର, ଆଉ ହୋଲସେଲର ଠାରୁ ସେଲର ଓ ସେଲର ଠାରୁ ରିସେଲର ହୋଇ ହସ୍ତତନ୍ତ କପଡ଼ା ଆସିବା ବେଳକୁ ବୁଣାକାର ତାର କେତେ ପ୍ରାପ୍ୟ ପାଉଛି ଓ ବଜାରରେ କିଏ ଉପକୃତ ହେଉଛି ସେ ଦିଗରେ ଧ୍ୟାନ ଦିଅନ୍ତୁ । ନଚେତ ସୁନା ଖଣିରୁ ଆସି ଗ୍ରାହକ ପାଖରେ ପହଞ୍ଚିଲା ଭଳି ଦିନେ ହସ୍ତତନ୍ତ ମଧ୍ୟ ସୁନା ଭଳି ଚଢ଼ା ଦରରେ ବିକ୍ରି ହେବ ସିନା ବୁଣାକାରମାନଙ୍କୁ ଏମିତି ଭକୁଆ ବନେଇ ଚାଲୁଥିବେ ସାହୁକାର । ତେଣୁ ବିଜ୍ଞାପନ ଭଳି ବେପାର ବି ଜରୁରୀ ନଚେତ ବେକାର ଯୁବକ ଯୁବତୀ କୂଳ ବେଉସା ଛାଡ଼ି ଏମିତି ଦାଦନ ଖଟିବାକୁ ବାହାରକୁ ଯାଉଥିବେ । ଦିନ ଆସିବ ଭୋଟ୍ ଦେବାକୁ ଓଡ଼ିଶାରେ ଓଡ଼ିଶା ଭୋଟର ବି ନଥିବେ ।( ଏହି ଲେଖା ଟି ଲେଖିକା ଙ୍କ facebook ରୁ ସଂଗ୍ରହ କରାଯାଇଛି)

Leave a Reply

Your email address will not be published. Required fields are marked *