ପ୍ରସିଦ୍ଧ Jonny Walkerଙ୍କ ଠାରୁ ଆରମ୍ଭ କରି ସବୁରି ପ୍ରିୟ ଜୟୀ ଭାଇଙ୍କ ପର୍ଯ୍ୟନ୍ତ ..ହାସ୍ୟରସର ଜୟ ଯାତ୍ରା

ଭୁବନେଶ୍ୱର : (ବିଜୟ ସାହୁ)-ଜନୀୱାକର ଓରଫ ବଦ୍ଦରୁଦ୍ଦିନ ଜାମାଲ ଉଦ୍ଦିନ ଅଭିନୟ ଜୀବନର ଶେଷ ଆଡକୁ ଲେଖିଥିଲେ -“ସେତେବେଳେ ଆମେ ବିଶୁଦ୍ଧ କମେଡି କରୁଥିଲୁ । ଆମେ ଜାଣିଥିଲୁ  ଯେଉଁମାନେ ଫିଲ୍ମ ଦେଖିବାକୁ ଆସୁଥିଲେ ସେମାନେ ସାଙ୍ଗରେ ସ୍ତ୍ରୀ ପିଲାପିଲି ନେଇ ଆସୁଥିଲେ । କାହାଣୀ ହିଁ ଥିଲା ଫିଲ୍ମର ମୁଖ୍ୟ କଥା । କାହାଣୀଟିଏ ଚୟନ କରିବା ପରେ ହିଁ ଆବ୍ରାର ଆଲଭି ଓ ଗୁରୁଦତ୍ତ ଉପଯୁକ୍ତ କଳାକାର ଚୟନ କରୁଥିଲେ । … ମୁଁ 300 ଫିଲ୍ମରେ ଅଭିନୟ କରିଛି ଏବଂ ସେନ୍ସର ବୋର୍ଡ଼ କେବେ ଗୋଟିଏ ଧାଡି ମଧ୍ୟ କାଟି ନଥିଲେ ।”

ଏହା ଲେଖିବା କାରଣ ଥିଲା ୧୯୫୦ ରୁ ୧୯୬୦ ଦଶକ ପର୍ଯ୍ୟନ୍ତ ତାଙ୍କର ହାସ୍ୟ ଅଭିନୟ ପ୍ରଭାବିତ ସୁଦିନଗୁଡିକ ଥିଲା । ପ୍ରାଥମିକ ଅବସ୍ଥାରେସେ ହାସ୍ୟ ଅଭିନୟ ପାଇଁ ଜଣେ କଳାକାର ଥିଲେ । କିନ୍ତୁ ଜୀବନର ଶେଷ ଆଡ଼କୁ ସେ ହତାଶ ହେଇ ଯାଇଥିଲେ । ସେ ଲେଖିଛନ୍ତି ,”ଆଗେ କୌତୁକ ଅଭିନେତାମାନଙ୍କ ସମ୍ମାନଜନକ ସ୍ଥାନ ଥିଲା । ପ୍ରାୟ ନାୟକଙ୍କ ସମାନ୍ତରାଳ ଭୂମିକା ଥିଲା । ବର୍ତ୍ତମାନ କେବଳ ହାସ୍ୟରସର ଛୁଙ୍କ ଦେବାପାଇଁ ଆମମାନଙ୍କୁ ଖୋଜା ଯାଉଛି । ମୁଁ କାହିଁକି ଏହାକୁ ଗ୍ରହଣ କରିବି ? ” ମେରେ ମେହବୁବ, ସିଆଇଡି, ପ୍ୟାସା,ଚୋରିଚୋରି ଭଳି ଫିଲ୍ମ ତାଙ୍କୁ ତାରକା ଅଭିନେତା ସ୍ଥାନରେ ପହଞ୍ଚାଇ ପାରିଥିଲା । ୧୯୬୪ ମସିହାରେ ଗୁରୁଦତ୍ତଙ୍କ ମୃତ୍ୟୁ ପରେ ତାଙ୍କର ପରବର୍ତ୍ତୀ ଜୀବନ ପ୍ରଭାବିତ ହେଇଥିଲା । କିଛି ବର୍ଷ ବିମଲ ରାୟ ଓ ଵିଜୟ ଆନନ୍ଦଙ୍କ ଭଳି ପ୍ରଯୋଜକଙ୍କ ଫିଲ୍ମରେ କାର୍ଯ୍ୟ କରିଥିଲେ । ୧୯୮୦ ଦଶକରେ ତାଙ୍କର କର୍ମ ଜୀବନ ମ୍ଳାନ ହେଇଗଲା ।ସେ କୌତୁକରେ ଅଶୋଭନ ରୂପ ଗ୍ରହଣ କରିବାକୁ ଇଚ୍ଛୁକ ହେଲେ ନାହିଁ ,ଯାହା ଫିଲ୍ମ ଭିତରକୁ ପ୍ରବେଶ କରି ଯାଇଥିଲା । ତାଙ୍କର ସୁଦିନ ଅଭିନୟ କାଳରେ ତାଙ୍କ ଭୂମିକା ଅନୁଯାୟୀ କିଛି ସଙ୍ଗୀତ ମଧ୍ୟ ଲେଖା ଯାଉଥିଲା । ସେଥିପାଇଁ ଗୀତିକାରଙ୍କୁ ଅଧିକ ଅର୍ଥ ମଧ୍ୟ ଦେଉଥିଲେ ।

ଦିନଥିଲା ଫିଲ୍ମ ପୋଷ୍ଟରରେ ଜନୀ ୱାକରଙ୍କ ବିଜ୍ଞାପନ ଦେଖି ଦର୍ଶକ ଫିଲ୍ମ ଦେଖିବାକୁ ଯାଉଥିଲେ । କିନ୍ତୁ ପରିବର୍ତ୍ତନ ହାୱାରେ ନାୟକ ନାୟିକାପ୍ରଭାବିତ ଫିଲ୍ମ ତାଙ୍କର ଭୂମିକାକୁ ଗୌଣ କରିଦେଲା । ଅଭିନୟ ଜୀବନରେ କେବେ ମଦ ଗ୍ରହଣ କରି ନଥିବା ବଦ୍ଦରୁଦ୍ଦିନ ଜାମାଲ ଉଦ୍ଦିନଙ୍କୁ ଗୁରୁଦତ୍ତ ଯେତେବେଳେ ବାଜୀ ଫିଲ୍ମରେ  ଅଭିନୟ ସୁଯୋଗ ଦେଇଥିଲେ, ସେତେବେଳେ  “କାଜୀ” ଭୂମିକାରେ ତାଙ୍କର ମଦ୍ୟପ ଅଭିନୟ ଦେଖି Scotch Wiskey Jonney Walker ବ୍ରାଣ୍ଡ ଅନୁଯାୟୀ ତାଙ୍କର ନାମକରଣ ଜନୀୱାକର ରଖିଥିଲେ, ଯାହା ତାଙ୍କର ପ୍ରକୃତ ନାମକୁ ଭୁଲେଇ ଦେଇଥିଲା । ସେ ଥିଲେ ପ୍ରଥମ କଳାକାର ଯିଏ ଜଣେ ସେକ୍ରେଟାରୀ / ମ୍ୟାନେଜର ରଖିଥିଲେ, ରବିବାରଗୁଡିକରେ ଅଭିନୟ କରୁ ନଥିଲେ, ସଂଳାପରେ କଥିତ ଭାଷାର ମୁହାବରା ( Colloquial ) ବ୍ୟବହାର କରିଥିଲେ । ଏଭଳି ଜଣେ ଦର୍ଶକଙ୍କୁ ଫିଲ୍ମ ହଲକୁ ଟାଣି ନେବା କ୍ଷମତା ରଖିଥିବା ଅଭିନେତା କିନ୍ତୁ ହିନ୍ଦୀ ଫିଲ୍ମ ଜଗତର Iconic Award ଦାଦା ଫାଲକେ ପୁରସ୍କାର ପାଇ ନଥିଲେ । ଖୁସିର କଥା ଓଡ଼ିଆ ଚଳଚ୍ଚିତ୍ରକୁ ଆଉ କୌଣସି ହଲରେ ଦେଖିବାକୁ ଦର୍ଶକ ଯାଉନଥିବା କାଳରେ କିମ୍ବା ହଲ ମାଲିକ ଓଡ଼ିଆ ଫିଲ୍ମ ପାଇଁ ହଲ ବୁକିଂ ସୁଯୋଗ ଦେଉ ନଥିବା କାଳରେ ଆମର ଜୟୀ ଭାଇ ଜଣେ ହାସ୍ୟ ଅଭିନେତା ଭାବରେ ଓଡ଼ିଆ ସିନେମାର ବଡ଼ ରାଜ୍ୟ ପୁରସ୍କାର  “ମୋହନ ଦେଵ ଗୋସ୍ୱାମୀ ପୁରସ୍କାର”  ପାଇଁ ଚୟନ ହେଇଛନ୍ତି ।

ଯଦିଓ ଏକଦା ପୋଷ୍ଟରରେ ତାଙ୍କର ଫଟୋ ଦେଖି ଦର୍ଶକ ଫିଲ୍ମ ଟିକେଟ କିଣୁଥିଲେ ଓ ସେ ରାଜ୍ୟର ଅଧିକାଂଶ ନାମୀ ଦାମୀ ପ୍ରଯୋଜକ ଙ୍କ ଫିଲ୍ମରେ ଅଭିନୟ କରିଥିଲେ , ଆଜି ଜୟୀ ଭାଇ ଥିଲା ଭଳି ଜଣା ପଡୁ ନାହାଁନ୍ତି ଓ ବେଳେ ବେଳେ ସେ ବଞ୍ଚିଛନ୍ତି ବୋଲି ସ୍ପଷ୍ଟୀକରଣ ଦେବାକୁ ପଡୁଛି । ଅବଶ୍ୟ ବର୍ତ୍ତମାନ ସମୟରେ ରାଜନୀତି ଯେତେବେଳେ କମେଡି ସ୍ଥାନ ଗ୍ରହଣ କରି ସାରିଛି ଓ ପେଷାଦାର କମେଡିଆନଙ୍କୁ ରାଜନେତା ମାତ ଦେଉଛନ୍ତି , ସେତେବେଳେ ଜୟୀ ଭାଇମାନଙ୍କର କମେଡିଆନଙ୍କ  ଅଭିନୟ କଣ ଦରକାର ।

Leave a Reply

Your email address will not be published. Required fields are marked *