ଭାରତୀୟ ରାଜନୀତିରେ ଜନତା ଦଳ : କ୍ଷମତା, ବିଭାଜନ ଓ କାରଣ

ଭୁବନେଶ୍ୱର: (ବିଜୟ ସାହୁ/ବ୍ୟୁରୋ)-ପ୍ୟାସା ଫିଲ୍ମରେ ଶାହୀର ଲୁଧିଆନୀ ଙ୍କ ସଙ୍ଗୀତର ଗୋଟିଏ ପଂକ୍ତିରେ ଥିଲା – ଏହି ଦୁନିଆରେ ଯେଉଁଠି ମଣିଷର ମୂଲ୍ୟ କିଛି ନାହିଁ , ଆନୁଗତ୍ୟ କିଛି ନାହିଁ, ବନ୍ଧୁତ୍ୱ କିଛି ନାହିଁ, ପ୍ରେମର ଆଦର ନାହିଁ, ସେଭଳି ଏକ ଦୁନିଆ ଯଦି ବି ମିଳିଯାଏ ,କଣ ବି ମିଳିଗଲା ।
ବର୍ତ୍ତମାନର କ୍ଷମତା ରାଜନୀତି କ୍ଷେତ୍ର ପାଇଁ ଏହି ପଂକ୍ତିଟି ମଧ୍ୟ ପ୍ରଯୋଜ୍ୟ ।
ଜନତା ପରିବାର ପାଇଁ ଅଧିକ ପ୍ରଯୋଜ୍ୟ । ଏହି ଦଳରେ କେହି କାହାରି ବନ୍ଧୁ ନୁହଁନ୍ତି , କେହି କାହାରି ଅନୁଗତ ନୁହଁନ୍ତି, ଦିନେ ବନ୍ଧୁ ତ ପରଦିନ ଚରମ ଶତ୍ରୁ ।
ଚରଣ ସିଂହଙ୍କ ହନୁମାନ ରାଜନାରାୟଣ ଯିଏ ଦିନେ ଇନ୍ଦିରା ଗାନ୍ଧୀଙ୍କୁ ହରେଇ ଭାରତୀୟ ରାଜନୀତିରେ ଚହଳ ସୃଷ୍ଟି କରିଥିଲେ , 1979 ରେ ଚରଣ ସିଂହ ଙ୍କୁ ପ୍ରଧାନମନ୍ତ୍ରୀ କରାଇ ନିଜ ଜୀବନ ର ସ୍ୱପ୍ନ ସାର୍ଥକ ହେଲା ବୋଲି ସର୍ବସାଧାରଣରେ ବିବୃତି ଦେଇଥିଲେ, ସିଏ ପୁଣି 1980 ଅପ୍ରେଲରେ ଚରଣ ସିଂହଙ୍କ ଦ୍ୱାରା ଦଳ ବିରୋଧୀ କାର୍ଯ୍ୟ ପାଇଁ ଉପସଭାପତି ପଦରୁ ବହିଷ୍କୃତ ହେଇଥିଲେ । କେବଳ ସେତିକି ନୁହେଁ , 1984ରେ ଚରଣ ସିଂହଙ୍କ ହନୁମାନ ରାଜ ନାରାୟଣ ଚରଣ ସିଂହଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେଇଥିଲେ ଓ ଜୀବନର ଅବଶିଷ୍ଟ ସମୟ ଗାନ୍ଧୀ ପରିବାରର
ହିତୈଷୀ ହେଇ ଯାଇଥିଲେ ।
ରାଜୀବ ଗାନ୍ଧୀ 1984 ରେ ଯେତେବେଳେ ସରକାର କଲେ ସେତେବେଳେ ରାଜ ନାରାୟଣଙ୍କୁ ଲକ୍ଷ୍ମୀ ବାଈ ନଗରରେ ସ୍ୱାଧୀନତା ସଂଗ୍ରାମୀ କୋଟା ରେ ଏକ ଗୃହ ବଣ୍ଟନ କଲେ । ରାଜ ନାରାୟଣ ରାଜୀଵ ଗାନ୍ଧୀଙ୍କୁ କହିଲେ ,” ଆପଣଙ୍କ ମା ସ୍ୱପ୍ନରେ ଆସି ଥିଲେ ।ସେ ମୋତେ କହିଥିଲେ, ମୁଁ ଦୁଃଖିତ ଯେ ମୋର ରହିବା ପାଇଁ ମଧ୍ୟ ଘରଟିଏ ନାହିଁ ” ।
1979ରେ ଜନତା ପାର୍ଟି ଖଣ୍ଡ ବିଖଣ୍ଡିତ ହେଇଗଲା ଓ ଜନତା ପାର୍ଟି ପରୀକ୍ଷଣ ଇତିହାସ ଗର୍ଭକୁ ଚାଲିଗଲା ।
1976 ଆରମ୍ଭରେ ଶ୍ରୀମତୀ ଗାନ୍ଧୀ ଚରଣ ସିଂହ , ଅଟଳ ବିହାରୀ ବାଜପେୟୀ ଓ ଚନ୍ଦ୍ର ଶେଖରଙ୍କ ସହ ସମଝୋତା ପ୍ରକ୍ରିୟା ଆରମ୍ଭ କଲେ ।
ସେମାନେ ଜେଲ କିମ୍ବା ଗୃହ ବନ୍ଦୀ ଭାବରେ ଥିଲେ । 1976 ଶେଷ ଆଡକୁ ସେମାନେ କିଛିଟା Conciliatory Mood ରେ ଥିଲେ ।ଶ୍ରୀମତୀ ଗାନ୍ଧୀ ସତପାଲ ମଲ୍ଲିକ ଙ୍କ ସହାୟତା ନେଲେ । ଶ୍ରୀ ମଲ୍ଲିକ ଚରଣ ସିଂହଙ୍କ ତରୁଣ ସହକର୍ମୀ ଥିଲେ । ସେତେବେଳେ ମଲ୍ଲିକ ଜରୁରୀ ପରିସ୍ଥିତିକୁ ବିରୋଧ କରି ଫତେଗଡ଼ ଜେଲରେ ଥିଲେ ।
ଶ୍ରୀ ମଲ୍ଲିକଙ୍କୁ ତିହାର ଜେଲରେ ଚରଣ ସିଂହଙ୍କ ସହ ବର୍ତ୍ତାଳାପ କରିବାକୁ ବଦଳି କରାଗଲା । ଜେଲ ସମ୍ମୁଖରେ ଉପସ୍ଥିତ ଥିଲେ ଏଚ କେ ଏଲ ଭଗତ – ସଞ୍ଜୟ ଗାନ୍ଧୀଙ୍କ ଘନିଷ୍ଠ ମିତ୍ର ।ପହଞ୍ଚିବା ମାତ୍ରେ ଚରଣ ସିଂହଙ୍କ ପାଖ Cell ରେ ସତପାଲ ମଲ୍ଲିକଙ୍କ Cell ହେଲା ।
ଭଗତ କହିଲେ, ପ୍ରଧାନମନ୍ତ୍ରୀ ନିର୍ବାଚନ କରିବାକୁ ଚାହୁଁଛନ୍ତି ଓ ସମସ୍ତ ବିରୋଧୀ ଦଳ ନେତାଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି କରିଛନ୍ତି । ଆପଣ ଯାହା କଥାବାର୍ତ୍ତା କରିବା କଥା କରନ୍ତୁ । କିନ୍ତୁ ସେମାନେ ଥରେ ଜେଲରୁ ମୁକ୍ତ ହେବା ପରେ ବିଶୃଙ୍ଖଳା କରିବା ଉଚିତ ନୁହେଁ ।
ମଲ୍ଲିକ କହିଲେ, ପ୍ରସ୍ତାବ ମନ୍ଦ ନୁହେଁ ।
ଚରଣ ସିଂହଙ୍କ ସହ ଆଲୋଚନା ବେଳେ ଶ୍ରୀ ସିଂହ କହିଲେ , ମୁଁ ଭଗତଙ୍କ କଥାରେ ବିଶ୍ୱାସ କରୁନାହିଁ । ପ୍ରଥମେ ତୁମେ ମୁକ୍ତ ହେଇ ସମସ୍ତ ଙ୍କୁ ମୁକ୍ତ କରିବା ବ୍ୟବସ୍ଥା କର, ତାପରେ ଶ୍ରୀମତୀ ଗାନ୍ଧୀଙ୍କ ସହ ନିଜେ ଆଲୋଚନା କର ।
ମଲ୍ଲିକ ଜେଲରୁ ମୁକ୍ତ ହେଇ ସିଧା ଶ୍ରୀମତୀ ଗାନ୍ଧୀଙ୍କ ନିକଟରେ ପହଞ୍ଚିଲେ । ଚରଣ ସିଂହ ମାର୍ଚ୍ଚ 7ରେ ତିହାର ଜେଲରୁ ମୁକ୍ତ ହେଲେ । ଚରଣ ସିଂହଙ୍କ ସର୍ତ୍ତ ଅନୁଯାୟୀ ବିଜୁ ପଟ୍ଟନାୟକ, ପିଲୁ ମୋଦୀ ଓ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଧାକ୍ରିଶନ ଚରଣ ସିଂହଙ୍କ ପରେ ମୁକ୍ତ ହେଲେ ।
ଶ୍ରୀ ମଲ୍ଲିକଙ୍କ କଥା ଅନୁଯାୟୀ ଚରଣ ସିଂହ ସର୍ବସାଧାରଣରେ ଶ୍ରୀମତୀ ଗାନ୍ଧୀଙ୍କୁ ଆକ୍ରମଣ କରିବାରୁ ବିରତ ରହିଲେ । କେବଳ 23 ମାର୍ଚ୍ଚ ଉତ୍ତର ପ୍ରଦେଶ ବିଧାନ ସଭାରେ ସେ 4 ଘଣ୍ଟା ଜରୁରୀ ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଓ କହିଥିଲେ ଶ୍ରୀମତୀ ଗାନ୍ଧୀ ଏକ ଲକ୍ଷ ଲୋକଙ୍କୁ ଜେଲରେ ପୂରେଇ ଥିଲେ ।
4 ଡିସେମ୍ବର 1976 ରେ ଚରଣ ସିଂହଙ୍କ ସହକର୍ମୀ ବିଜୁ ପଟ୍ଟନାୟକ ତାଙ୍କର 3 ନମ୍ବର ଔରଙ୍ଗଜେବ ରୋଡ଼ ବାସଗୃହରେ ଏକ ମଧ୍ୟାହ୍ନ ଭୋଜନ ଆୟୋଜନ କଲେ ।
ଚରଣ ସିଂହଙ୍କ ସମେତ ଓମ ମେହେଟା ଓ ମହମ୍ମଦ ୟୁନୁସ ସରକାରଙ୍କ ପକ୍ଷରୁ ଯୋଗ ଦେଇଥିଲେ । ଓମ ମେହେଟା ସେତେବେଳେ ଶ୍ରୀମତୀ ଗାନ୍ଧୀଙ୍କ କ୍ୟାବିନେଟରେ ସୌରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଓ ସଞ୍ଜୟ ଗାନ୍ଧୀଙ୍କ ବିଶ୍ୱସ୍ତ ପାଖଲୋକ ଥିଲେ ।
ଶ୍ରୀ ମଲ୍ଲିକ ବାହାରେ ଉପସ୍ଥିତ ଥିଲେ । ତାଙ୍କର କଥା ଅନୁଯାୟୀ ,” Documents were exchanged inside ” .
ବିଜୁବାବୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ସମଝୋତା ପାଇଁ ଏକ ଭିତ୍ତିପତ୍ର ପାଖରେ ରଖିଥିଲେ ।
16-17 ଡିସେମ୍ବରରେ ଏଚ ଏମ ପଟେଲଙ୍କ ଗୃହରେ ବିରୋଧୀ ନେତାମାନେ ବୈଠକ କରି ସେମାନଙ୍କ ସର୍ତ୍ତ ରଖିଲେ । ସେମାନେ ଦାୟିତ୍ୱବାନ ଭାବରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଲେ ।
1 ଜାନୁଆରୀରେ ବିଜୁପଟ୍ଟନାୟକ ଓମ ମେହେଟାଙ୍କୁ ସେମାନଙ୍କ ଦାବୀ ଜଣେଇ ଦେଲେ ଓ ଶ୍ରୀମତୀ ଗାନ୍ଧୀ ଆଲୋଚନା ଜାରୀ ଅବ୍ୟାହତ ରଖିବାକୁ କହିଲେ ।
ଶ୍ରୀମତୀ ଗାନ୍ଧୀ ଜନସଂଘ ନେତା ଅଟଳ ବିହାରୀ ବାଜପେୟୀଙ୍କ ସହ ମଧ୍ୟ ପୂର୍ବରୁ ଆଲୋଚନା କରୁଥିଲେ । ଓମ ମେହେଟା ବାଜପେୟୀଙ୍କୁ 1976 ଡିସେମ୍ବରରେ ସାକ୍ଷାତକରି ଅଭିଯୋଗ କରିଥିଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପିଲାମାନେ ହିଂସାକାଣ୍ଡରେ ଲିପ୍ତ ଅଛନ୍ତି ଓ ରେଳ ଧାରଣା ଖୋଲି ଦେଉଛନ୍ତି । ସେତେବେଳେ ବାଜପେୟୀ 1, ଫିରୋଜସାହା ରୋଡ଼ ଆବାସରେ ଗୃହବନ୍ଦୀ ଭାବରେ ଥିଲେ । ଏହି ସମ୍ବାଦ ପାଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜାତୀୟ ସମ୍ପାଦକ ରାମ ବାହାଦୂର ରାୟ ତାଙ୍କୁ ଦେଖିବାକୁ ଗଲେ । କିଛି ଦିନ ପୂର୍ବରୁ ସେ ମଧ୍ୟ ପ୍ରଦେଶର ଶିବପୁରୀ ଜେଲରୁ ମୁକ୍ତ ହୋଇଥାନ୍ତି ।
ବାଜପେୟୀ ଏବିଭିପି ପକ୍ଷରୁ ଏକ କ୍ଷମା ପ୍ରକାଶ କରିବାକୁ ପରାମର୍ଶ ଦେଲେ । ସେ ରାୟଙ୍କୁ ବୁଝେଇଲେ, ” ଚୁନାଵ କରନେ କେ ଲିଏ ଅଗର ଖେଦ ପ୍ରକଟ କରନେ ସେ ମଦଦ ମିଲତେ ହେ ,ତୋ ଏବିଭିପି କୋ ତୟାର ରହନା ଚାହିଏ ।
ରାୟ ରାଗିଗଲେ । କୌଣସି ପ୍ରକାର ହିଂସା ରେ ଏବିଭିପି ସମ୍ପୃକ୍ତ ନୁହଁନ୍ତି ବୋଲି କହିଲେ । ଆମକୁ ହିଂସା କରିବା ପସନ୍ଦ , କ୍ଷମା ପ୍ରାର୍ଥନା ନୁହେଁ ।
ଏହି ସମୟରେ ଅଧିକାଂଶ ବିରୋଧୀ ନେତାଙ୍କ ମନୋଭାବାନାରେ ପରିବର୍ତ୍ତନ ଆସି ଯାଇଥାଏ । ସମସ୍ତେ ନିର୍ବାଚନ ସପକ୍ଷରେ ଥିଲେ ଓ ଇନ୍ଦିରା ଗାନ୍ଧୀ ନିର୍ବାଚନ ଘୋଷଣା କରନ୍ତୁ ଚାହୁଁଥିଲେ ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ପ୍ରସ୍ତାବରେ ସହମତ ହେଲେ ।
ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଓ ଏବିଭିପି ନେତାଙ୍କ ଡିସେମ୍ବର 28-29ରେ ଏକ ବୈଠକ ଅନୁଷ୍ଠିତ ହେଲା । ଏଥିରେ ରାମ ବାହାଦୂର ରାୟ, ଭାନୁପ୍ରତାପ ଶୁକ୍ଳା, ଅଶୋକ ସିଂହଲ, ମାଧବ ରାଓ ମୁଲେୟ , ବାପୁ ରାଓ ମୋଘେ ଉପସ୍ଥିତ ଥିଲେ । ସେମାନେ ଜୟପ୍ରକାଶଙ୍କ ମତକୁ ଗ୍ରହଣ କଲେ । ଜୟ ପ୍ରକାଶଙ୍କ ମତ ଥିଲା 4ଟି ମୁଖ୍ୟ ରାଜନୈତିକ ଦଳଙ୍କ ମିଶ୍ରଣ ଓ ଶୀଘ୍ର ନିର୍ବାଚନ ପାଇଁ ଉଦ୍ୟମ ହେବା ଜରୁରୀ । ଇତିମଧ୍ୟରେ ଜୟ ପ୍ରକାଶ ଜେଲରୁ ଆସିବା ପରଠାରୁ କ୍ରମାଗତ ମିଳିତ ଦଳ ଗଠନ ଉପରେ ଗୁରୁତ୍ୱ ଦେଇ ଆସୁଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ମଧ୍ୟ ସରକାରଙ୍କ ସହ ସହଯୋଗ କରିବାକୁ ରାଜି ହେଇଥିଲା ।
ଇନ୍ଦିରା ଗାନ୍ଧୀ ଚନ୍ଦ୍ରଶେଖରଙ୍କ ସହ ମଧ୍ୟ ସମ୍ପର୍କ ସ୍ଥାପନ ପାଇଁ ମଧ୍ୟସ୍ତି ପଠାଉ ଥିଲେ । ଚନ୍ଦ୍ର ଶେଖର ଦିଲ୍ଲୀର ରାଉଜ୍ ଆଭିନ୍ୟୁ ରେ ଗୃହ ବନ୍ଦୀ ଥିଲେ । ଶ୍ରୀମତୀ ଗାନ୍ଧୀଙ୍କ ଏହି ପ୍ରକ୍ରିୟାରେ କେବଳ ମୋରାରାଜୀ ଦେଶାଇ ବାଦ ପଡ଼ିଥିଲେ ।
ପରିବର୍ତ୍ତିତ ପରିସ୍ଥିତି ଦେଖି ଶ୍ରୀମତୀ ଗାନ୍ଧୀ ଆଶ୍ୱସ୍ତ ହେଇଗଲେ ଯେ ନିର୍ବାଚନରେ ଜିତିବା ସହଜ ହେଇଗଲା । କାରଣ ସମସ୍ତ ନେତା କ୍ଲାନ୍ତ ହେଇଗଲେଣି ଓ ନିଜ ନିଜ ଜିଦରୁ ଓହରି ଗଲେଣି ।
18 ଜାନୁଆରୀ 1977 ରେ ଶ୍ରୀମତୀ ଗାନ୍ଧୀ ହଠାତ ନିର୍ବାଚନ ଘୋଷଣା କରି ଦେଶକୁ ଚକିତ କରିଦେଲେ ।
ଓମ ମେହେଟା ବରିଷ୍ଠ ସାମ୍ବାଦିକଙ୍କୁ ସୂଚନା ଦେଲେ ଇନ୍ଦିର ଗାନ୍ଧୀ ନିର୍ବାଚନ ମାଧ୍ୟମରେ ଜରୁରୀ ପରିସ୍ଥିତିର ଯୌକ୍ତିକତା ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି, ସତପାଲ ମଲ୍ଲିକଙ୍କ କଥା ଅନୁଯାୟୀ ଶ୍ରୀମତୀ ଗାନ୍ଧୀ ନିର୍ବାଚନ ମାଧ୍ୟମରେ ତାଙ୍କର ଉତ୍ତରାଧିକାରୀ ଯୋଜନା ରଖିଥିଲେ । ସଞ୍ଜୟ ଗାନ୍ଧୀ ହିଁ ତାଙ୍କର ପସନ୍ଦ ଭିତରେ ଥିଲେ । କିନ୍ତୁ 1977 ନିର୍ବାଚନର ଫଳାଫଳ ସବୁ କିଛି ଓଲଟ ପାଲଟ ହେଇଗଲା । ଜୟପ୍ରକାଶ ସନ୍ତୁଷ୍ଟ ହେଲେ ଯେ ଶେଷରେ ଜଣେ ଡିକଟେଟରଙ୍କୁ ସବୁଦିନ ପାଇଁ ସିଂହାସନରୁ ବିତାଡିତ କଲେ ।
କିନ୍ତୁ ଖୁଵ ଅଳ୍ପ ଦିନ ମଧ୍ୟରେ ସେ ହୃଦୟଙ୍ଗମ କଲେ ଜନତା ପାର୍ଟି ପରୀକ୍ଷଣ ହିଁ ପ୍ରତିମୁହୂର୍ତ୍ତରେ ଇତିହାସ ହେବାକୁ ଯାଉଛି। ସେତେବେଳର ରାଜନୈତିକ ପରିସ୍ଥିତି ଉପରେ ଅନେକ ବିଶ୍ଳେଷଣ ପ୍ରକାଶ ପାଉଥିଲା । It was a government of many prime ministers .ଚରଣ ସିଂହ , ଜଗଜୀଵନ ରାମ , ଚନ୍ଦ୍ରଶେଖର ମଧ୍ୟରେ ସହମତି ଅଭାବରୁ ଜୟପ୍ରକାଶ ନାରାୟଣ ମୋରାରଜିଙ୍କ ସପକ୍ଷରେ ସିନା ମତ ଦେଇଥିଲେ, କିନ୍ତୁ ଜଗଜୀବନ ରାମ ଥିଲେ ତାଙ୍କର ପ୍ରଥମ ପସନ୍ଦ । 1977 ନିର୍ବାଚନରେ ଜଗଜୀବନ ରାମଙ୍କ CFD ଜନତା ପାର୍ଟି ସହିତ ମିଶ୍ରଣ ହେଇ ନଥିଲା । କେବଳ ମେଣ୍ଟ କରି ନିର୍ବାଚନ ଲଢ଼ୁଥିଲା ।
କିନ୍ତୁ ଜଗଜୀବନ ରାମ ନିର୍ବାଚନ ପ୍ରଚାର ବେଳେ ଭାରତୀୟ ଶ୍ରୋତା ମାନଙ୍କ Darling ଥିଲେ !
1977 ନିର୍ବାଚନରେ ଇନ୍ଦିରା ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀ ଧୂଳି ଚାଟିବା Euphoria ଚାରି ମାସ ମଧ୍ୟରେ ଉଭେଇ ଗଲା । ଇନ୍ଦିରା ଗାନ୍ଧୀ ପୁଣି ଥରେ ଅଣ୍ଟା ଭିଡ଼ିଲେ । 1978ରେ କର୍ଣ୍ଣାଟକର ଚିକ୍କମାଗାଲୁର ରୁ ନିର୍ବାଚନ ଲଢ଼ିଲେ । ଜନତା ପାର୍ଟି ନେତାମାନେ ସୋସାଲିଷ୍ଟ ପାର୍ଟି ନେତା ଜର୍ଜ ଫର୍ଣ୍ଣାଡିଜଙ୍କ ମାଧ୍ୟମରେ ଜୟପ୍ରକାଶଙ୍କ ପାଖକୁ ଅନୁରୋଧ ବାର୍ତ୍ତା ପଠେଇଲେ । ଜୟପ୍ରକାଶ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରି ଏକ ନିବେଦନ ପତ୍ର ଦେବାକୁ କହିଲେ ।
ଜୟ ପ୍ରକାଶ ରୋକଠୋକ କହିଲେ, ” Iam not now fighting a political battle . That phase is over . You people are fighting political battle now .”
ଜୟପ୍ରକାଶଙ୍କର ଇନ୍ଦିରା ଗାନ୍ଧୀଙ୍କ ସହ ରାଜନୈତିକ ମତ ପାର୍ଥକ୍ୟ ସତ୍ତ୍ୱେ ସେ ଇନ୍ଦିରାଙ୍କୁ ଶ୍ରଦ୍ଧାର ସହ ଦେଖୁଥିଲେ । ଇନ୍ଦୁ ବୋଲି ସମ୍ବୋଧନ କରୁଥିଲେ । ନେହେରୁଙ୍କୁ ମେରେ ପ୍ୟାରେ ଭାଇ ବୋଲି ସମ୍ବୋଧନ କରୁଥିଲେ ।
ନିର୍ବାଚନରେ ହାରିବା ପରେ 1977 ଅଗଷ୍ଟରେ ଇନ୍ଦିରା ଗାନ୍ଧୀ ପାଟନାରେ ଜୟ ପ୍ରକାଶଙ୍କୁ ଭେଟିବାକୁ ଗଲେ ।ଏହି ଭେଟ ପରେ ଜୟପ୍ରକାଶ ଅକ୍ଟୋବର 8 , 1979 ପର୍ଯ୍ୟନ୍ତ ଇନ୍ଦିରା ଗାନ୍ଧୀଙ୍କ ବିରୁଦ୍ଧରେ ଗୋଟିଏ ବି ବିବୃତି ଦେଇ ନଥିଲେ ।
ଜନତା ପାର୍ଟିର ଐତିହାସିକ ବିଜୟ ପରେ ମଧ୍ୟ ଜୟପ୍ରକାଶ ରାମ ଲୀଳା ମୈଦାନ ବିଜୟ ଉତ୍ସବରେ ଯୋଗଦେଲେ ନାହିଁ । ମଧୁ ଲିମାୟେ ଜୟପ୍ରକାଶଙ୍କୁ ଵିଜୟ ଉତ୍ସବକୁ ନେବାପାଇଁ ବ୍ୟକ୍ତିଗତ ଭାବରେ ଆସିଲେ । ମଧୁ ଲିମାୟେ ଚାଲିଯିବା ପରେ ଜୟପ୍ରକାଶ ଇନ୍ଦିରା ଗାନ୍ଧୀଙ୍କ ଆବାସାରେ ଯାଇ ପହଞ୍ଚିଲେ । ଇନ୍ଦିରା ଗାନ୍ଧୀ ବାହାରକୁ ଆସି ଜେପିଙ୍କୁ ପାଛୋଟି ନେଇଗଲେ । ଜୟ ପ୍ରକାଶଙ୍କ ସହ ଯାଇଥିବା କୁମାର ପ୍ରଶାନ୍ତ ଲେଖିଛନ୍ତି, ଜେପି ଇନ୍ଦିରାଙ୍କ କାନ୍ଧରେ ହାତ ପକେଇ କହିଲେ, ଖେଲ ମେଁ ହାରଜିତ ତ ହୋତି ରହତି ହେ, ଇସକୋ ଖେଲ କି ତରାହ ହି ଲେନା ଚାହିୟେ ।
ଇନ୍ଦିରା ଗାନ୍ଧୀଙ୍କୁ ସେ ଦିନ ଜେପି ଗୋଟିଏ ଲଫାଫା ଦେଇ ଆସିଥିଲେ । ଏହି ଲଫଫାରେ କମଳା ନେହେରୁଙ୍କ 25 ଟି ଚିଠି ଥିଲା । ଜୟ ପ୍ରକାଶଙ୍କ ପତ୍ନୀ ପ୍ରଭାବତୀ ଦେବୀଙ୍କୁ କମଳା ନେହେରୁ ଏହି ଚିଠି ଗୁଡ଼ିକ ଦେଇଥିଲେ ଯେତେବେଳେ ନେହେରୁ ଜେଲରେ ଥିଲେ । ଚିଠିର ବିଷୟଵସ୍ତୁ ଥିଲା ଇନ୍ଦୁଙ୍କ ସୁରକ୍ଷା ଓ ଭବିଷ୍ୟତ ଆପଣଙ୍କ ହାତରେ ଦେଉଛି । ସେତେବେଳେ କମଳା ନେହେରୁ ରୋଗାକ୍ରାନ୍ତ ।
ସେଦିନ ଇନ୍ଦିରା ଗାନ୍ଧୀଙ୍କୁ ଜେପିଙ୍କ ଶ୍ରଦ୍ଧା ପୁଣି ଥରେ Fight Back କରିବାକୁ ତାଙ୍କୁ ପ୍ରେରଣା ଦେଇଥିଲା ଓ ଇନ୍ଦିରା ଗାନ୍ଧୀ 1980 ରେ ପୁଣି କ୍ଷମତା ଫେରିଥିଲେ । ଶ୍ରୀମତୀ ଗାନ୍ଧୀଙ୍କ Phoenix Rise ପୃଷ୍ଠଭୂମିରେ ବିଭିନ୍ନ କାରଣ ମଧ୍ୟରୁ ଅନ୍ୟତମ କାରଣ ଥିଲା ଜଗଜୀବନ ରାମଙ୍କ ପୁତ୍ର ସୁରେଶ ରାମଙ୍କ Sex CD .
1978 ଅଗଷ୍ଟ 22 ରେ ଜନତା ପାର୍ଟିର ଏମ ପି କ୍ରିଷ୍ଣକାନ୍ତଙ୍କ ଘରକୁ ଫୋନଟିଏ ଆସିଲା । ପ୍ରତିରକ୍ଷା ମନ୍ତ୍ରୀ ଜଗଜୀବନ ରାମଙ୍କ ଘରୁ ଏହି ଫୋନ କଲ ।ସେତେବେଳେ ପରିବାର ସହ କ୍ରୀଷ୍ଣକାନ୍ତ ଜଳଖିଆ ଟେବୁଲରେ । ଫୋନଟି ବେଡ଼ ରୁମରେ ।
କ୍ରୀଷ୍ଣକାନ୍ତ କଥାବାର୍ତା ପରେ ଫେରିଆସି ଟିପ୍ପଣୀ କଲେ, ଔର ଏକ ବେଟେ ନେ ଅପନେ ବାପ କୋ ଡୁବା ଦିୟା ।
10 ମିନିଟ ପରେ ପ୍ରତିରକ୍ଷା ବିଭାଗ ର ସରକାରୀ ଗାଡ଼ିରେ କ୍ରୀଷ୍ଣକାନ୍ତ ଜଗଜୀବନ ରାମଙ୍କ ଘରେ ପହଞ୍ଚିଲେ । ଜଗଜୀବନ ରାମ ସମସ୍ତଙ୍କୁ କୋଠରୀ ରୁ ବାହାର କରିଦେଇ କ୍ରୀଷ୍ଣକାନ୍ତଙ୍କୁ ବସିବାକୁ କହିଲେ ।
ଜଗଜୀବନ ରାମ ଠିଆ ହେଇ ମୁଣ୍ଡରୁ ଗାନ୍ଧୀ ଟୋପିଟି ବାହାର କରିଦେଇ କ୍ରୀଷ୍ଣକାନ୍ତଙ୍କ ପାଦ ପାଖରେ ରଖି କହିଲେ, ଅଵ ମେରି ଇଜ୍ଜତ ଆପ କି ହାଥୋ ମେ ହେ । ସେତେବେଳେ ସୁରେଶ ରାମ ସିଡିକାଣ୍ଡ ସଂକଟରେ ।
କ୍ରୀଷ୍ଣକାନ୍ତ ଓ ଜଗଜୀବନ ରାମ କଂଗ୍ରେସରେ ଥିବା ବେଳେ ଘନିଷ୍ଠ ମିତ୍ର । କଂଗ୍ରେସର ତରୁଣତୁର୍କମାନେ ଏକଜୁଟ ହେବା ଓ ଜଗଜୀବନ ରାମ ଙ୍କୁ ପ୍ରଧାନମନ୍ତ୍ରୀ କରିବା ଯୋଜନାରେ ସେ ଜଣେ ମୁଖ୍ୟ ନେତା ଥିଲେ ।
ଏହି ସିଡିକାଣ୍ଡ ଚରଣ ସିଂହ ଓ ରାଜନାରାୟଣଙ୍କ ଦ୍ଵାରା ପ୍ରସ୍ତୁତ ହେଇଥିଲା ଓ ଇନ୍ଦିରା ଗାନ୍ଧୀ ଏକଥା ଜାଣିଥିଲେ । କପିଲ ମୋହନ ଏହି ଫଟୋ ଗୁଡିକୁ ମଧ୍ୟ ରାତ୍ରିରେ ଯାଇ ସଞ୍ଜୟ ଗାନ୍ଧୀଙ୍କୁ ହସ୍ତାନ୍ତର କରିଥିଲେ । Rest is history .
ସୁରେଶ ରାମଙ୍କ ରହସ୍ୟମୟ ମୃତ୍ୟୁ ପରେ ଜଗଜୀବନ ରାମ କ୍ରୀଷ୍ଣକାନ୍ତ ଙ୍କୁ କହିଥିଲେ , Iam completely broken . ଏହି ଠାରୁ ହିଁ ଜଗଜୀବନ ରାମଙ୍କ ରାଜନୈତିକ ଇତିହାସ ଓ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ଏବଂ ସମ୍ଭାବନାର ପୂର୍ଣ୍ଣଛେଦ ପଡିଥିଲା ।
ରାଜନୀତିର କଳୁଷିତ ଏହି ଅଧ୍ୟାୟ ଏପରି ଥିଲା ଯେ ସୁରେଶ ରାମଙ୍କ ଫଟୋ ସହ ନିଜର କନ୍ୟା ମେଧାବୀ କୀର୍ତ୍ତି ସହ ଯୋଡ଼ି ସୂର୍ଯ୍ୟ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହେଇଥିଲା । ସେତେବେଳେ ଖୁସବନ୍ତ ସିଂହ ଏହି ପତ୍ରିକାର କନସଲଟିଙ୍ଗ ଓ କଂଗ୍ରେସ ପତ୍ରିକା ନେସନାଲ ହେରାଲଡ଼ ଏଡିଟର ଥିଲେ । ପ୍ରଥମେ ସୂର୍ଯ୍ୟ ଇଣ୍ଡିଆ ପତ୍ରିକା ବାହାର କରିଥିଲେ ମେନକା ଗାନ୍ଧୀଙ୍କ ମା ଅମରଦ୍ବୀପ କୌର ଆନନ୍ଦ । 1978ରେ ଯେତେବେଳେ ଏହି ଫଟୋ ଛପା ହେଲା ସେତେବେଳେ ମେନକା ଗାନ୍ଧୀ ଏହାର ସମ୍ପାଦକ ଥିଲେ । ଏକଥା ଶୁଣାଯାଏ ଯେ ଖୁସବନ୍ତ ସିଂହ ହିଁ ଏହି ଫଟୋକୁ ମେନକା ଗାନ୍ଧୀଙ୍କ ପାଖକୁ ପଠେଇ ଥିଲେ । କିନ୍ତୁ ଶ୍ରୀ ସିଂହ ଏହି ଫଟୋକୁ ମାଗାଜିନରେ ଛାପିବା ନେଇ ଆପତ୍ତି ଉଠେଇ ଥିଲେ ।
ପ୍ରକୃତରେ ଫଟୋଟି ଦିଲ୍ଲୀ ବିଶ୍ଵବିଦ୍ୟାଳୟ ସତ୍ୟବତୀ କଲେଜର ଜଣେ ଛାତ୍ରୀ ସହ ଶାରୀରିକ ସମ୍ପର୍କକୁ ନେଇ ଥିଲା ଓ ଏହା ଉତ୍ତର ପ୍ରଦେଶ ବାଗପତ ଜିଲ୍ଲା ର ଏକ ଗାଁ ରେ ନିଆ ଯାଇଥିଲା । ଫଟୋଟି ପ୍ରକାଶ ପରେ ସୁରେଶ ରାମ ସେଇ ଝିଅକୁ ଵିଵାହ କରିଥିଲେ । କିନ୍ତୁ ସୁରେଶ ରାମଙ୍କ ମୃତ୍ୟୁ ପରେ ଜଗଜୀବନ ରାମଙ୍କ ପରିବାର ବୋହୁକୁ ଗ୍ରହଣ କଲେ ନାହିଁ । ସେଇ କନ୍ୟା ହେଉଛନ୍ତି ମେଧାବୀ କୀର୍ତ୍ତି । 2016 ମସିହାରେ ତାଙ୍କର ମୃତ୍ୟୁ ହେଇଥିଲା । 1987 ରେ ମେଧାବୀ ହରିଆଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ ।
ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁର 10 ବର୍ଷ ପରେ ବିଖଣ୍ଡିତ ଜନତା ପାର୍ଟିକୁ ଭିପି ସିଂ ସଂଗଠିତ କରି କ୍ଷମତାକୁ ଆସିଥିଲେ । ଏବଂ ଏହା ମଧ୍ୟ କିଭଳି ବିଖଣ୍ଡିତ ହେଇ ଭାରତୀୟ ରାଜନୀତିରୁ ବିଲୁପ୍ତି ହେଇ ଯାଇଛି ତାହା ସମସ୍ତେ ଜାଣନ୍ତି । କେବଳ ଜନତା ପାର୍ଟିର ଖଣ୍ଡିଏ ଅଂଶ ବିହାର ଓ ଉତ୍ତର ପ୍ରଦେଶ ରେ ରହିଛି ।ଅନ୍ୟ ସମସ୍ତ ଜନତା ପାର୍ଟି ନେତା ସମୟ କ୍ରମେ ବିଜେପି ଗର୍ଭରେ ଲୀନ ହେଇ ଯାଇଛନ୍ତି ।
*ଓଡ଼ିଶାରେ ଜନତା ପରିବାର*
ଓଡ଼ିଶାରେ ବିଜୁପଟ୍ଟନାୟକ ମୃତ୍ୟୁ ପର୍ଯ୍ୟନ୍ତ ଜନତା ପାର୍ଟିକୁ ରକ୍ଷା କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କର ମୃତ୍ୟୁ ପରେ ବିଜୁ ପରିବାର ଜନତା ପାର୍ଟି ଲିଗାସୀକୁ ସମାଧି ଦେବାକୁ ପ୍ରକ୍ରିୟା ଆରମ୍ଭ କରି ଦେଇଥିଲେ ।
1995ରେ ମୁଖ୍ୟମନ୍ତ୍ରୀତ୍ୱ ହରାଇ ଥିଲେ l ଏହି ନିର୍ବାଚନରେ ବିଜୁ ବାବୁଙ୍କ ବାର୍ଦ୍ଧକ୍ୟ ଓ ଅସହାୟତା ସୁଯୋଗ ନେଇ ବିଜୟ ମହାପାତ୍ର ବହୁ ସ୍ଥାନରେ Proxy candidate ଦେଇଥିଲେ l ଝୁଲା ବିଧାନସଭା ହେଲେ ଜାନକୀ ବାବୁଙ୍କ ସହ ମିଶି ସରକାରରେ ସାମିଲ ହେବାକୁ ଏକ ଯୋଜନା କରିଥିଲେ l ହେଲେ ସେମିତି କିଛି ହେଲା ନାହିଁ l ଏହା ପରେ ବିଜୁବାବୁ ପରବର୍ଷ 1996 ଆସ୍କା ଓ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କଲେ ଓ ଦୁଇଟି ଆସନ ଜିତିଲେ । କିନ୍ତୁ କଟକ ଆସନ ଛାଡିଦେଲେ ଓ ଆସ୍କା ଆସନ ରଖିଲେ । 1996 ଉପନିର୍ବାଚନରେ କଟକ ଆସନ କଂଗ୍ରେସ ହାତକୁ ଚାଲିଗଲା । ଭର୍ତ୍ତୃହରୀ ମହତାବ ପ୍ରାର୍ଥୀ ହେଇ ହାରିଗଲେ, ପୂର୍ବରୁ ଏହି ଆସନରେ 1989 ଓ 1991ରେ ଶ୍ରୀକାନ୍ତ ଜେନା ଜିତିଥିଲେ । ବିଜୁବାବୁଙ୍କ ମୃତ୍ୟୁ ପରେ ସୁଜ୍ଞାନୀ କୁମାରୀ ଦେଓ ଓ ରାମକୃଷ୍ଣ ପଟ୍ଟନାୟକ ଏହି ଆସନରୁ ପ୍ରାର୍ଥୀ ହେବା କଥା ଚର୍ଚ୍ଚା ହେଲା । ରାଜ୍ୟ ଜନତା ଦଳ ନେତାଙ୍କ ପ୍ରଥମ ପସନ୍ଦ ଥିଲେ ରାଣୀ ସୁଜ୍ଞାନୀ କୁମାରୀ ଦେଓ । କିନ୍ତୁ ପୂର୍ବରୁ ନରସିଂହ ରାଓଙ୍କ ବିରୁଦ୍ଧରେ ବ୍ରହ୍ମପୁରରୁ ହାରି ଯାଇଥିବାରୁ ଆସ୍କା ବିଜୟ ସମ୍ପର୍କରେ ସେ ନିଶ୍ଚିତ ନଥିଲେ । ଦ୍ୱିତୀୟ ପସନ୍ଦ ଭାବରେ ରାମକୃଷ୍ଣ ପଟନାୟକ ମଧ୍ୟ ରୋକଠୋକ ମନା କରିଦେଲେ ।
ଦିଲ୍ଲୀ ରେ ଶ୍ରୀକାନ୍ତ ଜେନାଙ୍କ ପାଣ୍ଡରା ରୋଡ଼ ବାସଭବନରେ ରାଜ୍ୟ ନେତାମାନଙ୍କ ଘମାଘୋଟ ଆଲୋଚନା ଚାଲିଲା । ଆଲୋଚନା ରେ ସମସ୍ତେ ମତଦେଲେ ବିଜୁବାବୁଙ୍କ ମୃତ୍ୟୁ ରାଜ୍ୟରେ ଗଭୀର ଭାବାବେଗ ସୃଷ୍ଟି କରିଛି । ତେଣୁ Dead Biju ଙ୍କୁ ନିର୍ବାଚନରେ Encash କରିବା ସହଜ ହେବ ।
ଏହି ସମୟରେ ବିଜୁ ଲିଗାସୀ ନେଇ ଗୋଷ୍ଠୀ ସୃଷ୍ଟି ହେଇ ଯାଇଥାଏ । ଵିଜୟ ମହାପାତ୍ର ବିଜୁବାବୁଙ୍କ ସେକେଣ୍ଡ ହ୍ୟାଣ୍ଡ ଓ ଶ୍ରୀକାନ୍ତ ଜେନା ବିଜୁବାବୁଙ୍କ ଅବୁଝା ପୁଅ ମଧ୍ୟରେ ଗୋଷ୍ଠୀ ହେଇ ସାରିଥାଏ । କିନ୍ତୁ ଶ୍ରୀକାନ୍ତ ଜେନା କେନ୍ଦ୍ରରେ ମନ୍ତ୍ରୀ ହେଇ ଚାଲିଯାଇଥିବା ହେତୁ ବିଜୟ ମହାପାତ୍ରଙ୍କ ପଲା ଭାରି ଥାଏ । ଏହି ଗୋଷ୍ଠୀ ଶ୍ରୀକାନ୍ତ ଜେନାଙ୍କୁ ମଧ୍ୟ ମିଛ ପ୍ରଚାର ମାଧ୍ୟମରେ ଚକ୍ରାନ୍ତ ଜେନା କରି ଦେଇଥାନ୍ତି । ଏଥିରେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ଖଣି ବ୍ୟବସାୟୀ ପଟ୍ଟନାୟକ ପରିବାର ମୁଖ୍ୟ ଭୂମିକା ନେଇ ଥାଆନ୍ତି l ଶ୍ରୀକାନ୍ତ ଜେନା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କୁ ହରାଇଥିବାରୁ ଏକ ରୋଷର ଶିକାର ହୋଇ ଆସୁଛନ୍ତି l ଜନତା ଦଳ ଭାଙ୍ଗିଲେ ହିଁ ବିଜେପି ଆସିବ l ଆଉ ବିଜେପି ସହ ମିଶି ଶାସନ କରିବା ଇଚ୍ଛା ମହାପାତ୍ର ଏବଂ ରାୟ ଗୋଷ୍ଠୀର ରହିଥାଏ l
ତେଣୁ ଜନତା ଦଳ ଏକଜୁଟ ହେଇ ନ ଲଢ଼ିଲେ ଆସ୍କା ହାତରୁ ଚାଲିଯିବ । କଂଗ୍ରେସ ମଧ୍ୟ ଟାଣୁଆ ପ୍ରାର୍ଥୀ ଦେଉଛନ୍ତି । ପୂର୍ବତନ ଭାରତୀୟ ଯୁବ କଂଗ୍ରେସ ସଭାପତି ରାମଚନ୍ଦ୍ର ରଥ ପ୍ରାର୍ଥୀ ହେଉଛନ୍ତି ।
ତେଣୁ ଶ୍ରୀକାନ୍ତ ଜେନାଙ୍କ ଆବାସରୁ ବିଜୁବାବୁଙ୍କ ପରିବାରକୁ ସମ୍ପର୍କ କରାଗଲା । ଅଶୋକ ଦାସଙ୍କ ମାଧ୍ୟମରେ ଜ୍ଞାନ ପଟନାୟକଙ୍କ ସହ ଯୋଗାଯୋଗ କରାଗଲା । ସେମାନଙ୍କ ଠାରୁ କିଛି ଦିନ ପରେ ଯେଉଁ ଖବର ଆସିଲା ତାହା ବିଜୁ ଦାୟାଦଙ୍କ ପାଇଁ ଉତ୍ସାହ ଜନକ ନଥିଲା । ବଡ଼ପୁଅ ପ୍ରେମ ପଟନାୟକ ଓ ଝିଅ ଗୀତା ମେହେଟା ନିଜ ନିଜର ଅସୁବିଧା ଦର୍ଶାଇ ରାଜନୀତି ଭିତରକୁ ଆସିବାକୁ ମନା କରିଦେଲେ ।
ଶେଷରେ ଏକମାତ୍ର ପସନ୍ଦ ରହିଲେ ନବୀନ ପଟ୍ଟନାୟକ , ଯିଏ କେବେ ବି ବିଜୁବାବୁଙ୍କ ରାଜନୀତି ସହ ସମ୍ପୃକ୍ତ ନ ଥିଲେ । ଏପରି କି ତାଙ୍କ ନାଁ ଓଡ଼ିଶାରେ କେହି ଜାଣି ନଥିଲେ ।
ଯେଉଁଦିନ ସିଧାସଳଖ ଶ୍ରୀକାନ୍ତ ଜେନା ନବୀନ ପଟ୍ଟନାୟକଙ୍କୁ ଫ୍ଲାଇଟରେ ଆଣି ଛତ୍ରପୁର ରିଟର୍ଣ୍ଣିଂ ଅଫିସରେ ପହଞ୍ଚିଲେ ସେଠାରେ ସୁଜ୍ଞାନୀ ଦେଓ ଓ ରାମକୃଷ୍ଣ ପଟ୍ଟନାୟକ ଉପସ୍ଥିତ ଥିଲେ । ନବୀନଙ୍କୁ ନୈତିକ ସମର୍ଥନ ଦେବା ପାଇଁ ଆମେରିକାରୁ ଗୀତା ମେହେଟା ମଧ୍ୟ ଆସିଥିଲେ । ନିର୍ବାଚନ ଖର୍ଚ୍ଚର ଦାୟିତ୍ୱ ନେଲେ ଦିଲ୍ଲୀପ ରାୟ । ଦେବାଶିଷ ନାୟକ ନିର୍ବାଚନ ପ୍ରଚାର ବେଳେ ନବୀନ ପଟ୍ଟନାୟକଙ୍କ ପାଖେ ପାଖେ ରହିଲେ । ଵିଜୟ ମହାପାତ୍ର ପ୍ରମୁଖ ପ୍ରଚାର କଲେ । ବାମପନ୍ଥୀ ଦଳମାନେ ମଧ୍ୟ ପ୍ରଚାର କରିଥିଲେ ।
ଉପନିର୍ବାଚନ ନବୀନ ପଟ୍ଟନାୟକ ସହଜରେ ଜିତିଗଲେ । ଓଡ଼ିଶା ବିଜୁପରିବାର ନେତାମାନଙ୍କ ଅନିଚ୍ଛା ସତ୍ତ୍ୱେ ଜଣେ ଓଡ଼ିଆ ଭାଷା ଜାଣି ନଥିବା ନବୀନ ସ୍ୱାଭାବିକ ଭାବରେ ବିଜୁବାବୁଙ୍କ ଲିଗାସୀ ନେଇଗଲେ । କିନ୍ତୁ ବିଜୁ ଅନୁଗତମାନେ ଭାବୁଥିଲେ ଏହା କେବଳ ଏକ Passing Phase . ନବୀନଙ୍କୁ ସାମ୍ନାରେ ରଖି ଜନତା ଦଳକୁ ଚଳେଇ ହେବ । ଯେମିତି ଏକଦା ଇନ୍ଦିରା ଗାନ୍ଧୀଙ୍କୁ ସାମ୍ନାରେ ରଖି କଂଗ୍ରେସର ବଡ଼ ନେତାମାନେ ନେହରୁଙ୍କ ମୃତ୍ୟୁ ପରେ କଂଗ୍ରେସକୁ ଚଳେଇବାକୁ ଚାହୁଁଥିଲେ ।
ଵିଜୟ ମହାପାତ୍ର ଚାହୁଁଥିଲେ ସେ ଅଶୋକ ଦାସଙ୍କ ଜାଗାରେ ଜନତା ଦଳର ରାଜ୍ୟ ସଭାପତି ହେବେ । କିନ୍ତୁ ଶ୍ରୀକାନ୍ତ ଜେନା ନିଜକୁ ଆଗକୁ ନ ଆଣି ଅଶୋକ ଦାସଙ୍କ ସମର୍ଥନ ରେ ରହିଲେ । ଜନତା ଦଳର 45 ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ଜନତା ଦଳରୁ ଓହରି ଆସି ଆଞ୍ଚଳିକ ଦଳ ଗଠନରେ ମାତିଲେ । ଅଧିକାଂଶ ବିଜୁ ଅନୁଗତ ଭାବୁଥିଲେ ସେମାନେ ନବୀନ ପଟ୍ଟନାୟକଙ୍କୁ ଖେଳନା ଭଳି ବ୍ୟବହାର କରୁଛନ୍ତି । କିନ୍ତୁ ସେମାନେ ନବୀନଙ୍କୁ ଅଧ୍ୟୟନ କରିବାରେ ଭୁଲ କରୁଥିଲେ ।
ପ୍ରଥମ ସୂଚନା ମିଳିଲା ଯେତେବେଳେ ନିର୍ବାଚନ କମିଶନଙ୍କ ନିକଟରେ ରେଜିଷ୍ଟ୍ରି ପାଇଁ ବିଜୁ ଜନତା ଦଳର ସମ୍ବିଧାନ ପ୍ରଣୟନ ହେଲା ।
ସମ୍ବିଧାନକୁ ବରିଷ୍ଠ ନେତା ତ୍ରିଲୋଚନ କାନୁନଗୋଙ୍କ ଅଧ୍ୟକ୍ଷତାରେ କିଛି ଓଡ଼ିଶା ନେତା ପ୍ରସ୍ତୁତ କରୁଥିଲେ । ନବୀନ ପଟ୍ଟନାୟକ କହିଲେ, ସେ ବିଜେଡିର ଆଜୀବନ ସଭାପତି ରହିବେ । ସମ୍ବିଧାନ ପ୍ରଣୟନ ବିଳମ୍ବ ହେଇ ଚାଲିଲା । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଆଜୀବନ ସଭାପତି ବ୍ୟବସ୍ଥା ନାହିଁ ବୋଲି କୁହାଗଲା, ତାପରେ ସେ ରାଜନୈତିକ ବ୍ୟାପାର କମିଟି ଉପରେ ପ୍ରଶ୍ନ ଉଠେଇଲେ ।ବ୍ୟବସ୍ଥା ଥିଲା ଏହି କମିଟି ହିଁ ପ୍ରାର୍ଥୀ ଚୟନରେ ସର୍ବୋଚ୍ଚ କ୍ଷମତାର ଅଧିକାରୀ ହେବ । ନବୀନ ପଟ୍ଟନାୟକ କହିଲେ, ପ୍ରାର୍ଥୀ ଚୟନ ପରେ ବି ଦଳର ସଭାପତି ପ୍ରାର୍ଥୀକୁ ପ୍ରତ୍ୟାହାର କରି ପାରିବେ । ଅନୁରୂପ ନିୟମ ସଂଶୋଧନ ପରେ ନିର୍ବାଚନ କମିଶନଙ୍କ ନିକଟରେ ରେଜିଷ୍ଟ୍ରେସନ ଆବେଦନ ହେଲା ଓ ବିଜେଡି ରାଜ୍ୟର ସ୍ବୀକୃତି ପ୍ରାପ୍ତ ଆଞ୍ଚଳିକ ଦଳର ମାନ୍ୟତା ପାଇଲା ।
ନବୀନ ବାବୁ ପ୍ରଥମ ଦିନରୁ ହିଁ ବିଜୁ ଅନୁଗତଙ୍କ ମହତ ଉଦେଶ୍ୟ ବୁଝି ପାରିଥିଲେ ।
ଅନ୍ୟ ଏକ ଘଟଣା ମଧ୍ୟ ଉଲ୍ଲେଖ ଯୋଗ୍ୟ ।
ଜନତା ଦଳକୁ ଭାଙ୍ଗିବା ପୂର୍ବରୁ ପାଣିକୋଇଲି ଠାରେ ଜନତା ଦଳ ସଭାପତି ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ସଭା ଅନୁଷ୍ଠିତ ହେଇଥିଲା । ଏହି ସଭାକୁ ପ୍ରଧାନମନ୍ତ୍ରୀ ଦେଵ ଗୌଡା , କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା , ଶରତ ଯାଦବ ପ୍ରମୁଖ ଆସିଥିଲେ । ନବୀନ ପଟ୍ଟନାୟକ ଏଠାରେ ଉପସ୍ଥିତ ଥିଲେ । ଅଧିକାଂଶ ଲୋକ ବିଜୁବାବୁଙ୍କ ପୁଅଙ୍କୁ ଦେଖିବାକୁ ଆସିଥିଲେ । ଏହି ସଭାକୁ ଭଣ୍ଡୁର କରିବା ପାଇଁ ଵିଜୟ ମହାପାତ୍ରଙ୍କ ଗୋଷ୍ଠୀ ଗଣ୍ଡଗୋଳ କରିଥିଲେ । ଶୁଣାଯାଏ ଅମର ଶତପଥୀ ଏହାର ନେତୃତ୍ୱ ନେଇ ଥିଲେ । ଅଶୋକ ଦାସ, ଶ୍ରୀକାନ୍ତ ଜେନା , ନଳିନୀ ମହାନ୍ତି ପ୍ରମୁଖ ନବୀନ ପଟ୍ଟନାୟକଙ୍କୁ ଏହି ସଭାକୁ ନେଇଥିବାରୁ Srikanta Jena Go Back, Naveen Patnaik Welcome ସ୍ଲୋଗାନ ପଡିଥିଲା ।
ସେଦିନ ନବୀନ ପଟ୍ଟନାୟକ ମନ ଦୁଃଖରେ ସଭାରୁ କାର ଯୋଗେ ନଳିନୀ ମହାନ୍ତିଙ୍କ ସହିତ ଭୁବନେଶ୍ୱର ଫେରିଥିଲେ । ଦେଵ ଗୌଡା, ଶ୍ରୀକାନ୍ତ ଜେନା, ଶରଦ ଯାଦବ ସଭାସ୍ଥଳରୁ ଦିଲ୍ଲୀ ଫେରି ଯାଇଥିଲେ ।
ସେଦିନ ବିଜୁ ପରିବାର ବିଭାଜନ ସ୍ପଷ୍ଟ ହେଇ ଯାଇଥିଲା ଯାହା କି ବିଜେଡି ଗଠନ ଦ୍ୱାରା ରୂପାୟିତ ହେଲା ।
ବିଜେଡି ଗଠନକୁ ବିରୋଧ କରି ଅଶୋକ ଦାସ, ପ୍ରଫୁଲ୍ଲ ଘଡେଇ, ଶ୍ରୀକାନ୍ତ ଜେନା, ସୁରେନ୍ଦ୍ର ନାୟକ ,ଦାମ ରାଉତ ପ୍ରମୁଖ ମୂଳ ଜନତା ଦଳରେ ରହି ଯାଇଥିଲେ । ବିଜେଡିରେ ଅଧିକାଂଶ ବିଧାୟକ ଯୋଗଦେଇଥିଲେ ।
ସମୟ କ୍ରମେ ଅଶୋକ ଦାସ, ଶ୍ରୀକାନ୍ତ ଜେନାଙ୍କୁ ବାଦ ଦେଇ ଅନ୍ୟ ନେତାମାନେ ବିଜେଡିରେ ଯୋଗ ଦେଇଥିଲେ ।
ସୁତରାଂ, ପ୍ରଥମ ଦିନରୁ ନବୀନଙ୍କୁ ଖେଳନା କରିବାକୁ ପ୍ରଚେଷ୍ଟା କରୁଥିବା ସମସ୍ତ ନେତା ବିଜୁ ଲିଗାସୀ ପ୍ରତିଷ୍ଠା କରିବା ପାଇଁ ବର୍ତ୍ତମାନ ଯେଉଁ ଏକଜୁଟ ହେଉଛନ୍ତି ତାହା ଅନ୍ୟକିଛି ନୁହେଁ , କେବଳ କ୍ଷମତା ପ୍ୟାସା । କିନ୍ତୁ ବୟସ ସେମାନଙ୍କ ପାଇଁ ବାଧକ । ନୂତନ ଦଳ କରି ନ ପାରନ୍ତି, କିନ୍ତୁ ବିଜେଡି କୁ ଭାଙ୍ଗିବା ଉଦ୍ୟମ ଚାଲୁ ରହିବ । ବିଜେପି ମଧ୍ୟ ପୂର୍ଣ ସହଯୋଗ କରିବ । ଉଦ୍ୟମ ସତ୍ତ୍ୱେ ବିଜେଡି ଯଦି ତିଷ୍ଟି ରହେ, ତାହେଲେ ବିଜେପି ହିଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ ହେବ। ଅମର ଶତପଥୀ ସମେତ ବିଭିନ୍ନ ବିଦ୍ରୋହୀ ନେତାଙ୍କ ବିଭିନ୍ନ ସାକ୍ଷାତକାରକୁ ତର୍ଜମା କଲେ ଏହାହିଁ ଜଣାପଡୁଛି ।
★
ନୀରଜା ଚୌଧୁରୀ, ମନୀ ଶଙ୍କର ଆୟାର, କୁମାର ପ୍ରଶାନ୍ତ, ସତପାଲ ମଲ୍ଲିକ ,ମୋରରଜୀଙ୍କ ଆତ୍ମ ଜୀବନୀ, ଦେବ ଗୌଡା ଙ୍କ ଆତ୍ମ ଜୀବନୀ, ଖୁସବନ୍ତ ସିଂହଙ୍କ ଆତ୍ମ ଜୀବନୀ, ରୁବେନ ବାନାର୍ଜୀଙ୍କ ନବୀନ ପଟ୍ଟନାୟକଙ୍କ ଜୀବନୀ , ଶ୍ରୀକାନ୍ତ ଜେନାଙ୍କ ବିଭିନ୍ନ ସାକ୍ଷାତକାର ତଥ୍ୟ ଉପରେ ଆଧାରିତ ।।