ଆପଣ ମାନେ ବହୁତ ବୋକା ହେଲେଣି, ଏବେ ତ ବୁଝନ୍ତୁ….

ଭୁବନେଶ୍ୱର : (ରଙ୍ଗାଚରଣ ପ୍ରଧାନ )-ଏମିତି ନୁହେଁ ଯେ ମନମୋହନ ସିଂହ ପୁରାପୁରି ଜଣେ ମହାନ୍ ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ଶାସନ ସମୟରେ କିଛି ଖରାପ ନଥିଲା। ସେ ସମୟରେ ତାଙ୍କ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ଓ ମିଡ଼ିଆ ସେ ଆନ୍ଦୋଳନକୁ ସମର୍ଥନ କରିଥିଲା। ଏହା କ଼ଂଗ୍ରେସ କିମ୍ବା ମନମୋହନ ସିଂହଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ନଥିଲା। ଏହା ସ୍ବାଭାବିକ ଥିଲା। ଏମିତି ନୁହେଁ ଯେ ଭାରତରେ ଆଗରୁ କେବେ ଆନ୍ଦୋଳନ ହୋଇ ନଥିଲା ଓ ପ୍ରଥମ ଥର ପାଇଁ ମନମୋହନ ସରକାର ବିରୁଦ୍ଧରେ ଆନ୍ଦୋଳନ ହେଲା । କ଼ଂଗ୍ରେସର ପରାଜୟ ହେଲା । ଏମିତି ନୁହେଁ ଯେ ଏହା କ଼ଂଗ୍ରେସର ପ୍ରଥମ ପରାଜୟ ଥିଲା କିମ୍ବା ପ୍ରଥମଥର କେନ୍ଦ୍ରରେ ଥିବା କୈାଣସି ଦଳର ପରାଜୟ ହେଲା।
କିନ୍ତୁ ଏହା ପରେ କ’ଣ ହେଲା ?
ସେ ମିଡ଼ିଆ ଆଉ ରହିଲା ନାହିଁ। ମୁଁ କେବେ ଭାବି ନଥିଲି ଯେ ବଡ଼ ବଡ଼ ଟିଭି ଚ୍ୟାନେଲର ସାମ୍ବାଦିକ ଓ ମାଲିକ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଥମେ ଗୁପ୍ତ ରୁପେ ଓ ପରେ ଖୋଲାଖୋଲି ହସଖୁସିରେ ଦେଖା କରିବେ । ପ୍ରଥମଥର ଯେତେବେଳେ ଗୁପ୍ତ ବୈଠକ ହେଲା ସେତେବେଳେ ସେମାନେ ମାନୁ ନଥିଲେ। ପରେ ଯେତେବେଳେ ଖୋଲାଖୋଲି ଦେଖାକଲେ ସେତେବେଳେ ମାନିଲେ ।
ମୁଁ ଜାଣିଛି ଏ ଲେଖା ପଢି କେତେକ ପଚାରିବେ ଏଥିରେ କ’ଣ ବଡ଼କଥା ରହିଲା ? ଏ ପ୍ରଶ୍ନ ଏଥିପାଇଁ ପଚାରିବେ ଯେ ସବୁକିଛିର ସ୍ବାଭାବିକିକରଣ ହୋଇ ସାରିଛି। ସାମ୍ବାଦିକମାନେ ପ୍ରଧାନମନ୍ତ୍ରୀଙ୍କ ସହ ଗୁପ୍ତ ବୈଠକ କରିବା, ପରେ ହସଖୁସିରେ ଦେଖା କରିବା , ସାମ୍ବାଦିକ ମନ୍ତ୍ରୀଙ୍କ ସହ ହୋଟେଲରେ ଲଞ୍ଚ ଖାଇ ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ଇତ୍ୟାଦି ସାମାନ୍ୟ ଘଟଣା ନୁହେଁ। କିନ୍ତୁ ଏସବୁର ଆଜିକାଲି normalisation ହୋଇ ସାରିଛି।
ଦ୍ବିତୀୟରେ , ଏକ ନୂଆ ଶବ୍ଦଟିଏ ବାହାରିଛି। ତାହା ହେଲା ‘ନିରପେକ୍ଷ ସାମ୍ବାଦିକତା ‘ । ଆଗରୁ ଏମିତି ଏକ ଶବ୍ଦ ନଥିଲା। ଗଣମାଧ୍ୟମ (ଦୁରଦର୍ଶନକୁ ଛାଡି) ସିଧା ସରକାରକୁ ପ୍ରଶ୍ନ ପଚାରୁଥିଲା। ସେମାନେ କେବେ ବିରୋଧୀ ଦଳକୁ ବଡ଼ ପାଟି କରି ପଚାରୁ ନଥିଲେ ତମେ କାହିଁକି ହାରିଲ ? ଲୋକେ କାହିଁକି ତମକୁ ରିଜେକ୍ଟ କଲେ ? ଆଗରୁ କେବେ ଟିଭି ଚ୍ୟାନେଲରେ ୩୬୫ ଦିନ କେବଳ ନିର୍ବାଚନ ଆଲୋଚନା ହେଉ ନଥିଲା ଓ ପ୍ରତ୍ୟେକ ଘଟଣାର ନିର୍ବାଚନ ଉପରେ ଓ ପାର୍ଟି ମାନଙ୍କ ପାଇଁ ସୁଯୋଗ ଉପରେ କ’ଣ ପ୍ରଭାବ ପଡିବ ତାହା ଆଲୋଚନା ହେଉ ନଥିଲା।
ଟିଭି ଆଙ୍କରମାନେ ଶାନ୍ତ ଓ ଭଦ୍ର ଥିଲେ ଓ ଆଲୋଚନାରେ ଭାଗ ନେଉଥିବା ରାଜନୈତିକ ପ୍ରତିନିଧିମାନଙ୍କୁ କଠିନ ପ୍ରଶ୍ନ ପଚାରିଲେ ମଧ୍ୟ ଭଦ୍ରାମିର ସହ ପଚାରୁଥିଲେ। କିନ୍ତୁ ସେ ପରମ୍ପରା ବନ୍ଦ ହୋଇଗଲା।
ଆପଣ ଦେଖନ୍ତୁ ନା । ବର୍ତ୍ତମାନ ଯେତେ ଯେତେ ଦେଶର ବିକାଶ ଦର ଖସି ଖସି ଚାଲିଛି, ସରକାରୀ ଦଳ ସେତିକି ସେତିକି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ହଲ୍ଲା କରି ଚାଲିଛି। ଏହାର ଧ୍ବନି ଟିଭି ଚ୍ୟାନେଲରେ ମଧ୍ୟ ଶୁଣିବାକୁ ମିଳୁଛି। ବିକାଶ ଦର ଖସିଲେ କେହି ଚିନ୍ତିତ ନୁହନ୍ତି। ମୋତେ ଜଣେ ଜଣେ ସାମ୍ବାଦିକ କୁହନ୍ତି ‘ ଛାଡ ହୋ ରଙ୍ଗାବାବୁ, ଆଜିକାଲି ସେ ଜିଡିପି ଫିଡିପି କହିଲେ କେହି ବୁଝୁ ନାହାନ୍ତି ‘ । ମୁଁ ଆଶ୍ଚର୍ଯ୍ୟ। ଆଗେ ବି ଜିଡିପି କହିଲେ କେହି ବୁଝୁ ନଥିଲେ। ବଜେଟରୁ କେବଳ ଏତିକି ଶୁଣୁଥିଲେ କ’ଣ ଶସ୍ତା ହେବ ଓ କ’ଣ ମହରଗ ହେବ । କିନ୍ତୁ ତଥାପି ଏହା ଉପରେ ଆଲୋଚନା ହେଉଥିଲା ଓ ଦିନ ଦିନ ଧରି ଆଲୋଚନା ହେଉଥିଲା। କାରଣ ଏହା ସେମାନଙ୍କର କାମ ଥିଲା । ଏବେ ଓଡ଼ିଶାର ଅନେକ ଟିଭି ଚ୍ୟାନେଲ ବଜେଟ ଆଗତ ଦିନ ବଜେଟ ବିଷୟରେ ଆଲୋଚନା ହିଁ କରୁ ନାହାନ୍ତି। କହୁଛନ୍ତି ତାକୁ କେହି ଦେଖୁ ନାହାନ୍ତି। ମୋ କହିବା କଥା ହେଲା, କେହି ନ ଦେଖିଲେ ମଧ୍ୟ ସେମାନେ ତାହା ଦେଖାଇବା କଥା। କାରଣ ଏହା ସେମାନଙ୍କର କାମ। ଯଦି ଜଣେ ହୁଣ୍ଡାଇ କାର୍ ସୋରୁମ ଖୋଲିବ ଓ ସେଠାରେ କାର୍ ବିକ୍ରି ନହେବ, ତାହେଲେ କ’ଣ ସେ ସେଠାରେ ବରା ସିଙ୍ଗଡ଼ା ଛାଣି ବିକିବ ? ନାଇଁ ଯଦି ବିକିବ, ତାହେଲେ ସେ ସୋରୁମ୍ ଆଗରେ ଥିବା ହୁଣ୍ଡାଇ ସାଇନ୍ ବୋର୍ଡ କାଢି ସେଠାରେ ଜଳଖିଆ ଦୋକାନ ସାଇନ୍ ବୋର୍ଡ ଲଗାଇବ ନା ଆଉ ।
ଆପଣ ଟିକେ ନିଜକୁ ଚୁମୁଟି ଦେଖନ୍ତୁ ଆପଣ ଚେଇଁଛନ୍ତି ନା ଶୋଇଛନ୍ତି। ଆନ୍ଦୋଳନକୁ ଏମାନେ ଖତମ କରିଦେଲେ। ଯେଉଁମାନେ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ଆନ୍ଦୋଳନଜୀବି କୁହାଗଲା ଓ ଅର୍ବାନ ନକ୍ସଲ କୁହାଗଲା। ଚାଷୀ ଆନ୍ଦୋଳନରେ ୭୦୦ ଚାଷୀ ମଲେ । ସେମାନଙ୍କ ଉପରେ ଗୁଳିମାଡ଼ ହେଲା, ସେମାନଙ୍କ ଉପରକୁ ପଥର ଫିଙ୍ଗାଗଲା , ସେମାନଙ୍କ ଉପରେ ମନ୍ତ୍ରୀଙ୍କ ପୁଅ ଗାଡ଼ି ମଡ଼େଇ ମାରିଲା ।
ଆପଣ ଚିନ୍ତା କଲେ ଦେଖି, ଏତକ ହେବା ପରେ, ଭାରତ ଛାଡ଼ନ୍ତୁ, ବିଶ୍ବର କେଉଁ ବି ଦେଶରେ ସରକାରୀ ଦଳ ନିର୍ବାଚନରେ ଜିତିବ ? କିନ୍ତୁ ଭାରତରେ ତାହା ସମ୍ଭବ ହେଲା । ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କୁ ମଧ୍ୟ ଆନ୍ଦୋଳନ ଆଗରେ ନଇଁ ଯାଇ ତାଙ୍କ ଗୁଜୁରାଟ ସରକାରକୁ ଭାଙ୍ଗିବାକୁ ପଡ଼ିଥିଲା । ଏମାନେ ଏବେ କହୁଛନ୍ତି ଆଉ ଆନ୍ଦୋଳନ ଫାନ୍ଦୋଳନ କରନ୍ତୁ ନାହିଁ। ଆନ୍ଦୋଳନ କଲେ ଦେଶର ବଦନାମ ହେଉଛି। ଆମ ଟିଭି ଡିବେଟକୁ ଆସ। ଆମେ ନିରପେକ୍ଷ। ଆମେ ରଫାଦଫା କରିଦେବୁ ।
ତେଣୁ ଏବେ ଆନ୍ଦୋଳନ ହେଲେ, ପୋଲିସର ଲାଠି ତ ଆଗରୁ ବି ଚାଲିଥିଲା, ଏବେ ତା ସହିତ ମିଡ଼ିଆ ଦ୍ବାରା ମଧ୍ୟ ଧିକ୍କାର ଶୁଣିବାକୁ ମିଳୁଛି। ସରକାରକୁ ପ୍ରଶ୍ନ ନ ପଚାରି ଆନ୍ଦୋଳନ ଜୁଲୁସରେ ଭାଗ ନେଉଥିବା ଓ ଗାଁରୁ ଆସିଥିବା ଲୋକ ମୁହଁରେ ମାଇକ୍ ଭର୍ତ୍ତି କରି ପଚରା ଯାଉଛି କାହିଁକି ଆନ୍ଦୋଳନ ହେଉଛି।
ମୁଁ ଶୁଣିଛି, ଅନେକ ମିଡ଼ିଆକର୍ମୀ ଓ ସାମ୍ବାଦିକ କୁହନ୍ତି, ରଙ୍ଗା ବାବୁ ଟିକିଏ ଅଧିକ ମିଡ଼ିଆ ବିରୋଧୀ ଓ ସାମ୍ବାଦିକ ବିରୋଧୀ ହୋଇ ଯାଇଛନ୍ତି। ଆଉ ମଧ୍ଯ ମୁଁ କୁଆଡେ ଏ ବିଷୟରେ ଟିକେ eccentric ହୋଇ ଯାଇଛି।
କିନ୍ତୁ ମୁଁ ମୋ ଦେଶ ଓ ସମାଜକୁ ଏ ମିଡ଼ିଆ ଠାରୁ ବଞ୍ଚାଇବାକୁ ଚାହୁଁଛି।
ଆଜିକାଲି ମିଡ଼ିଆରେ ଚାଲିଥିବା ସବୁଠାରୁ କୁତ୍ସିତ ଜିନିଷ ହେଉଛି କନକ୍ଲେଭ। ସବୁତକ ମିଡ଼ିଆର ଧର୍ମ ବିରୋଧୀ କାମ ଏଇଠି ହିଁ ହୁଏ । ସବୁକିଛି ଆଗରୁ managed ହୋଇଥାଏ । କିଏ ପ୍ରଶ୍ନ ପଚାରିବ ଓ କଣ ପଚାରିବ ସେସବୁ ଆଗରୁ ସ୍ଥିର ହୋଇ ସାରିଥାଏ । ପ୍ରତ୍ୟେକଟି କନକ୍ଲେଭ ଗୋଟିଏ ନିର୍ଦ୍ଦିଷ୍ଟ ପାର୍ଟି ପାଇଁ ହୋଇଥାଏ । ଆମେ ଫିଲ୍ଡରେ କାମ କରୁଥିବା କେଉଁ ରିପୋର୍ଟର ଯଦି କାହାଠାରୁ ଅସୁଲି କରୁଥାଏ ତା ଉପରେ କୁଦିପଡୁ । କିନ୍ତୁ ସେମାନଙ୍କ ସର୍ଦ୍ଦାରମାନେ ହେଲେ ଏଇ କୋଟ୍ ଟାଇ ପିନ୍ଧି କନକ୍ଲେଭରେ ବସୁଥିବା ସାମ୍ବାଦିକମାନେ। ସେମାନଙ୍କ ସର୍ଦ୍ଦାର ହେଲେ ସେଇମାନେ ଯେଉଁମାନେ ଉତ୍କର୍ଷ ଓଡ଼ିଶା ସରକାରୀ ପ୍ରୋଗ୍ରାମର ମଞ୍ଚ ଉପରେ ବସି ସରକାର ଓ ପ୍ରଧାନମନ୍ତ୍ରୀଙ୍କ ଗୁଣଗାନ କରୁଥିଲେ। ଏହା ସାମ୍ବାଦିକତା ନୁହେଁ। ଏହା ହେଉଛି ସାମ୍ବାଦିକତାର porn version।
ତେଣୁ ମନମୋହନ ସିଂହଙ୍କ ସରକାର ଯେ ସବୁଠାରୁ ଭଲ ସରକାର ଥିଲା ଓ ସେ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଏକ ଷଡ଼ଯନ୍ତ୍ର ଥିଲା, ଏପରି ଭାବିବା ଭୁଲ୍। ଯେମିତି ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ମୋଦୀ ସରକାରଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ନୁହେଁ। ଏହା ଏକ ଆନ୍ଦୋଳନ। କିନ୍ତୁ ସେ ସମୟ ଓ ଏ ସମୟ ମଧ୍ୟରେ ସବୁଠୁ ବଡ଼ ପରିବର୍ତ୍ତନ ହୋଇଛି ମିଡିଆରେ ।
ଓଡ଼ିଶାରେ ନୂଆ ସରକାର ଆସିବା ପରେ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣର ଅନେକ ଘଟଣା ଦେଖାଯାଉଛି, ଲିଞ୍ଚିଂ ଘଟଣା ହେଉଛି। ଏପରି ଘଟଣା ଓଡ଼ିଶାରେ ଆଗରୁ ନଥିଲା। କିନ୍ତୁ ଏସବୁ ଘଟଣା ମିଡିଆରେ ଚାପି ଦିଆ ଯାଉଛି ଓ ସରକାରଙ୍କ ଠାରୁ ଏ ବିଷୟରେ ଉତ୍ତର ଦାବି କରା ଯାଉନି। ଏସବୁର ମଧ୍ୟ normalisation କରାଯାଉଛି , ଯେମିତି ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ତଥ୍ୟର ବିପରୀତ ଡଜନ ଡଜନ ଫିଲ୍ମ ଆଜିକାଲି ବାହାରୁଛି ଓ ସେସବୁକୁ ସରକାର ଟ୍ୟାକ୍ସ ଫ୍ରି କରିବା ଏକ ନର୍ମାଲ ଘଟଣା ହୋଇ ଯାଇଛି।
ସମସ୍ତେ ଜାଣନ୍ତି ଆଜିକାଲି ଘରେ ଘରେ ଟିଭି ଓ ହାତରେ ମୋବାଇଲ୍। ଆପଣଙ୍କ ଘରେ ମିଡ଼ିଆର ଉପସ୍ଥିତି ଅଛି। ଯଦି ତା ସତ୍ତ୍ୱେ କେହି ଆଙ୍କର କିମ୍ବା ୟୁଟ୍ୟୁବର୍ ଗଳା ଫଟାଇ ଉଚ୍ଚ ସ୍ବରରେ କଥା କହୁଛି, ଆପଣ ଜାଣନ୍ତୁ ଯେ ସେ ଆପଣଙ୍କୁ ଅସମ୍ମାନ କରୁଛି ଓ ବେଜିତ୍ କରୁଛି। ସେ ଆପଣଙ୍କ ସହ ଅଭଦ୍ରାମି କରୁଛି।
ମୁଁ ଶୁଣିଛି, ଅଧିକାଂଶ ସାମ୍ବାଦିକ ଦୁଇଟି ଅତି ସୁବିଧାବାଦୀ ଓ ମାସୁମ୍ ଯୁକ୍ତି ରଖନ୍ତି। ମୁଁ ତାହାର ଉତ୍ତର ଦେଉଛି।
(୧) ମୁଁ ଯେତେବେଳେ ବିଜେପିକୁ ପ୍ରଶ୍ନ କରୁଛି, ବିଜେପି ସମର୍ଥକମାନେ ମୋତେ ଟ୍ରୋଲ୍ କରୁଛନ୍ତି, ଗାଳି ଦେଉଛନ୍ତି ଓ ବିଜେଡ଼ି ଠାରୁ ଟଙ୍କା ଖାଇଛି ବୋଲି କହୁଛନ୍ତି। ମୁଁ ଯଦି ବିଜେଡିକୁ ପ୍ରଶ୍ନ କରୁଛି, ବିଜେଡି ସମର୍ଥକମାନେ ମୋତେ ଟ୍ରୋଲ୍ କରୁଛନ୍ତି, ଗାଳି ଦେଉଛନ୍ତି ଓ ମୁଁ ବିଜେପିଠାରୁ ଟଙ୍କା ଖାଇଛି ବୋଲି କହୁଛନ୍ତି। ତେଣୁ ମୁଁ ବୁଝିଗଲି ଯେ ମୁଁ ପ୍ରକୃତରେ ଜଣେ ନିରପେକ୍ଷ ସାମ୍ବାଦିକ।
ଆ ହା ! କି ଚମତ୍କାର ଓ ସୁବିଧାଜନକ ଯୁକ୍ତି !
ହେଲୋ । ଏ ନିରପେକ୍ଷ ନିରପେକ୍ଷ ଖେଳ ଛାଡ଼ନ୍ତୁ। ଆପଣଙ୍କ କାମ ନୁହେଁ ନିରପେକ୍ଷ ହେବା । ଏମିତି ନାରଦ କରୁଥିଲେ। ନାରଦ ଜଣେ ସାମ୍ବାଦିକ ନଥିଲେ। ଆପଣ ସବୁବେଳେ ବିଜେପି ଓ ବିଜେଡି ଭିତରେ ନିଜ ପାଇଁ ଜାଗା ଖୋଜନ୍ତୁ ନାହିଁ। ଆପଣଙ୍କ ଜାଗା ସେଠାରେ ନୁହେଁ। ଆପଣ ସେ ଚିନ୍ତା ମୁଣ୍ଡରୁ ବାହାର କରି ଦିଅନ୍ତୁ। ଆପଣଙ୍କ ଜାଗା ହେଉଛି ସାଧାରଣ ଜନତା ଓ କ୍ଷମତାଧାରୀଙ୍କ ଭିତରେ। ଆପଣ ଏହି ଦୁଇଟି ଭିତରେ ନିଜ ପାଇଁ ଜାଗା ଖୋଜନ୍ତୁ। ଆମେ ଆପଣଙ୍କୁ ଖୋଜିନେବୁ । ଆମେ ଦେଖିବୁ, ଆପଣ ଚାଷୀର ପଖାଳ ପିଆଜ ଉପରେ ଷ୍ଟୋରି କରୁଛନ୍ତି ନା ପଞ୍ଚତାରକା ହୋଟେଲରେ ମନ୍ତ୍ରୀଙ୍କ ସହ ପଖାଳ ଦିବସ ମନାଉଛନ୍ତି।
(୨) ଯଦି ଆମ ସାମ୍ବାଦିକତା ଆପଣଙ୍କୁ ଭଲ ଲାଗୁନି ତେବେ ଆପଣ ରିମୋଟ ଟିପି ଚ୍ୟାନେଲ ବଦଳାଇ ଦିଅନ୍ତୁ।
ଓ୍ବାହ୍! ଏ ବି ଗୋଟିଏ ଚମତ୍କାର ଯୁକ୍ତି।
ଆଜ୍ଞା, ଜଣେ ମେଡିସିନ ଦୋକାନୀ ଯଦି expiry ମେଡିସିନ ବିକ୍ରି କରିବ ଓ କହିବ ଯଦି ମୋ ମେଡିସିନ ପସନ୍ଦ ନ ହେଉଛି ଅନ୍ୟ ଦୋକାନରୁ ନିଅ ? ମୁଁ ସିନା ଔଷଧ କିଣିବା ବେଳେ ତାରିଖ ଦେଖେ, କିନ୍ତୁ ଅନ୍ୟ କେହି ଯଦି ତାରିଖ ନ ଦେଖି ସେହି ଔଷଧ କିଣିନେବ ଓ ରୋଗୀ ତାକୁ ଖାଇ ମରିଯିବ ? କ’ଣ ଗୋଟିଏ wine shopରେ ଅପମିଶ୍ରିତ ମଦ ବିକିବାକୁ ଦୋଷମୁକ୍ତ ଘୋଷଣା କରାଯିବା ଦରକାର? କାହିଁକି ନା, ସେ ବି କହିବ ମୋ ମଦ ଯଦି ପସନ୍ଦ ନ ହେଉଛି ଅନ୍ୟ ଦୋକାନରୁ କିଣ । ମୁଁ ସିନା ରିମୋଟରେ ଚ୍ୟାନେଲ ବଦଳାଇ ଦେବି, କିନ୍ତୁ ମୋ ପଡିଶା ଘର ? ମୋ ସମାଜ ? ମୁଁ ରହୁଥିବା ସମାଜକୁ ଆପଣ ଖରାପ କରି ଚାଲିଥିବେ , ଆଉ ମୋତେ କହିବେ ଚ୍ୟାନେଲ ବଦଳାଇ ଦିଅ ? ସଡକରେ ରାଜନୈତିକ ହିଂସାକୁ ଆପଣମାନଙ୍କ ଟିଭି ଡିବେଟ୍ ଉସୁକାଉଛି । ଆଙ୍କରଙ୍କ କଣ୍ଠସ୍ୱରରେ ହିଂସା ଓ ଆତଙ୍କ। ଦିନରାତି ଦହାଡୁଛନ୍ତି । ଆଉ ଆପଣ ମୋତେ କହିବେ ଚ୍ୟାନେଲ ବଦଳାଇଦେ ?